ମନୋଜ ଦାସଙ୍କ ନାଁରେ ହେବ ଗ୍ୟାଲେରୀ

-ପାଠାଗାରରେ ରହିବ ଏହି ଗ୍ୟାଲେରୀ
-‘ଚିତ୍ତରଞ୍ଜନ ଦାସ’ ଗ୍ୟାଲେରୀ ଉଦ୍‍ଘାଟିତ
-ଫକୀର ମୋହନଙ୍କର ସଂଗ୍ରହଳାୟ ହେବ

ବାଲେଶ୍ୱର: ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ମନୋଜ ଦାସଙ୍କ ନାମରେ ଏକ ଗ୍ୟାଲେରୀ କରିବାକୁ ନିଷ୍ପତ୍ତି ହୋଇଛି । ପାଠାଗାରରେ ଗ୍ୟାଲେରୀଟି ରହିବ । ମନୋଜ ଦାସଙ୍କ ସମସ୍ତ କୃତି ଏଠାରେ ସଂରକ୍ଷିତ ରଖାଯିବ । ପାଠକ ଓ ଗବେଷକମାନେ ଏହାଦ୍ୱାରା ଉପକୃତ ହେବେ । ମନୋଜ ଦାସ ଓଡି଼ଶାରେ ଖୁବ୍‍ ଲୋକପ୍ରିୟ ଲେଖକ । ସେ ବାଲେଶ୍ୱର ମାଟିରେ ଜନ୍ମ ହୋଇଥିଲେ । ଏହି ଗ୍ୟାଲେରୀ ନିର୍ମାଣ ତାଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ବୋଲି କୁଳପତୀ ଶ୍ରୀ ତ୍ରିପାଠୀ କହିଥିଲେ ।
ସୋମବାର ପ୍ରଖ୍ୟାତ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କ ନାମରେ ବିଶ୍ୱବିଦ୍ୟାଳୟ ଏକ ଗ୍ୟାଲେରୀ ଖୋଲିଛି । ବିଂଶ ଶତାବ୍ଦୀର ପ୍ରାବନ୍ଧିକ, ଚିନ୍ତାଶୀଳ ଲେଖକ ଚିତ୍ତରଞ୍ଜନ ପ୍ରାୟ ୨୩୦ଟି ବହି ଲେଖିଛନ୍ତି(ମୌଳିକ ଲେଖା ଓ ଅନୂଦିତ) । ତାଙ୍କର ସମସ୍ତ ନିବନ୍ଧ, ଭ୍ରମଣ କାହାଣୀ, ଅନୁବାଦ, ସ୍ମୃତିଲେଖ, ଜୀବନୀ ଆଦି ପୁସ୍ତକ ଏହି ଗ୍ୟାଲେରୀରେ ରଖାଯିବ । ଯାହା ପାଠକ ଓ ବିଦ୍ୱାନମାନଙ୍କୁ ସୁବିଧା ହେବ ।
ଏହାସହ ଚିତ୍ତରଞ୍ଜନ ଦାସଙ୍କ ଉପରେ ଲିଖିତ ନିବନ୍ଧ, ବହି ଓ ଅନ୍ୟାନ୍ୟ ଲେଖାକୁ ମଧ୍ୟ ସଂଗ୍ରହ କରାଯିବ । ଯେଉଁମାନେ ଚିତ୍ତରଞ୍ଜନଙ୍କ ଉପରେ ଗବେଷଣ କରୁଛନ୍ତି ବା କରିବେ, ସେମାନେ ସହଜରେ ସମସ୍ତ ତଥ୍ୟ ଏଠାରୁ ପାଇପାରିବେ କୁଳପତି ଶ୍ରୀ ତ୍ରିପାଠୀ କହିଥିଲେ ।
ଆଧୁନିକ ସାହିତ୍ୟର ଅଗ୍ରଦୂତ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଉପରେ ଏକ ସଂଗ୍ରହାଳୟ ବିଶ୍ୱବିଦ୍ୟାଳୟ ପରିସର ଭିତରେ ପ୍ରତିଷ୍ଠା କରାଯିବ । ଏନେଇ କୁଳପତି ଘୋଷଣା କରିଛନ୍ତି । ତାଙ୍କର ସମସ୍ତ ବହି ବ୍ୟତୀତ ପାଣ୍ଡୁଲିପି ମଧ୍ୟ ଏଠାରେ ସଂରକ୍ଷଣ କରାଯିବ ।
ପୂର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କବି ପ୍ରସାଦ ମିଶ୍ର ଓ ଜୟନ୍ତ କୁମାର ମହାପାତ୍ରଙ୍କ ଉପରେ ଦୁଇଟି ଗ୍ୟାଲେରୀ ପ୍ରତିଷ୍ଠା କରାଯାଇଥିଲା ।

Related Posts

Leave a Reply

Your email address will not be published. Required fields are marked *