ରାଧୁଆ ସାଉ, ନିର୍ବାଚନ ଓ କୁକୁଡ଼ା ପ୍ରସଙ୍ଗ

ଅଦ୍ଵୈତ କୁମାର ପଣ୍ଡା

ନିର୍ବାଚନ ଫଳାଫଳ ଘୋଷଣା ସମୟ ପାଖେଇ ଆସୁଥାଏ । ରାଉଣ୍ଡ ପରେ ରାଉଣ୍ଡ ଗଣତି କେନ୍ଦ୍ରରୁ ଫୋନ ଆସୁଥାଏ । ରାଧୁଆ ସାଉ ଖୁସିରେ ବଡ଼ବଡ଼ ଦେଶୀ କୁକୁଡ଼ା ଚାରିପଟ ବାନ୍ଧି ରଖି ନିଜ ସମର୍ଥକଙ୍କ ସହ ଗପୁଥାନ୍ତି । ପାଖରେ ଥିବା ସମର୍ଥକଙ୍କ ମୋବାଇଲରୁ ଶୁଭୁଥାଏ କୁକୁରା କାଟ୍ ମସଲା ବାଟ୍ … ଗୀତ । ହଠାତ ଫୋନ ଆସିଲା, ଆମେ ଆଉ ଜିତି ପାରିବାନି ଦୁଇଶହ ଭୋଟ ପଛରେ ଅଛୁ । ରାଧୁଆ ସାଉ ରାଗି ଯାଇ ତମତମ ହୋଇ ସବୁ କୁକୁଡ଼ାକୁ ଢିଲି ଦେଲେ । କଁକ୍ ରେ କଁକ୍ ଡାକ ଦେଇ ଡେଣା ଫଡ଼ଫଡ଼ କରି ବାଡ଼ ଡେଇଁ ଉଡ଼ିବାକୁ ଲାଗିଲେ କୁକୁଡ଼ା ଯେତେ । ପାଖରେ ଥିବା ସମର୍ଥକ ବନ୍ଧୁମାନେ ତାଜୁବ୍ ।

ବଡ଼ବଡ଼ ଆଖି କରି ରାଧୁଆ ସାଉକୁ ଦେଖୁଥିବା ସମୟରେ ଆଉ ଏକ କଲ୍ ଆସିଲା । ସେ ଖବର ଓଲଟା ଥିଲା । ଆମେ ଦୁଇ ଶହ ଭୋଟରେ ଜିତିଗଲୁ । ସେତେବେଳେ ରାଧୁଆ ସାଉ ହୁକୁମ ଦେଲେ । ଧର ବେ କୁକୁଡ଼ା ଧର । ସବୁ କର୍ମୀ ବନ୍ଧୁମାନେ ଦୌଡ଼ିବାକୁ ଲାଗିଲେ କୁକୁଡ଼ାଙ୍କ ପଛରେ । କେବେ କୁକୁଡ଼ା ପଛରେ କର୍ମୀ କେବେ କର୍ମୀ ପଛରେ କୁକୁଡ଼ା । ଝାଳନାଳ ଖଣ୍ଡିଆଖବରା ହେଇ ଖାଲି ହାତରେ ଫେରିଲେ କର୍ମୀ ବନ୍ଧୁମାନେ ।

ଚାରିଟା କୁକୁଡ଼ା ପଛରେ ଦୌଡ଼େଇ ଦେଇଥିବା ରାଧୁଆ କେଉଁ କାରଣରୁ ଚାଳିଶି ଲକ୍ଷ ଖର୍ଚ୍ଚ କରି ପାର୍ଥୀ ହେଲେ, ସେଇ କଥାଟି ଝାଳନାଳ ଧଇଁସଇଁ ହେଇ ଫେରିଥିବା ବୟସ୍କ ବୟୋବୃଦ୍ଧ ଲୋକଟି ଗୁମ ହେଇ ବସି ଭାବୁଥିଲେ । ଆସନ୍ତା ନିର୍ବାଚନ ବେଳକୁ ସେ ତ ଆଉ ନଥିବେ ତାଙ୍କ ଭାଗ୍ୟଠାରୁ ଏ କୁକୁଡ଼ାଙ୍କ ଭାଗ୍ୟ ଢେର ଭଲ … ।

ବିନିକା, ସୋନପୁର, ମୋବାଇଲ – ୯୮୬୧୯୫୭୫୪୬

ଲେଖକ ପରିଚୟ

ସାହିତ୍ୟ ନିଶା ଓକିଲାତି ପେଶା । ସରକାରୀ ଓକିଲ ଭାବେ ସୋନପୁର ବିଚାର ବିଭାଗୀୟ କାର୍ଯ୍ୟାଳୟରେ କାର୍ଯ୍ୟରତ ମୁଁ । ଏକାଧାରେ ପ୍ରେମ ଓ ବିପ୍ଳବର ଭାବଧାରାକୁ କବିତାରେ ରୂପ ଦେବାକୁ ଭଲପାଏ । ପରିସ୍ଥିତି ମୋ ପାଇଁ ପ୍ରେରଣା ଏବଂ କବି ରବି ସିଂ କାବ୍ୟକବିତା  ମାର୍ଗଦର୍ଶକ । ୨୦୦୨ରେ “ଦୁଇ ଯାତ୍ରୀ” ନାମକ ପ୍ରଥମ କ୍ଷୁଦ୍ର ଉପନ୍ୟାସ ପ୍ରକାଶିତ ହୋଇଥିଲା ।

Related Posts

Leave a Reply

Your email address will not be published. Required fields are marked *