‘ସଂଗ୍ରାମୀର ଚିତ୍ରଲିପି’ ଉନ୍ମୋଚିତ

ଭୁବନେଶ୍ୱର : ଭାରତରେ ଗାନ୍ଧୀଙ୍କ ପଦାର୍ପଣ ପରେ ଗୋଟେ ନୂଆପିଢି ଗଠନ ହୋଇଥିଲା । ସେଇ ପିଢିର ଅନେକ ଗାନ୍ଧୀବାଦୀ ଆଜି ବି ଜନମାନସରେ ଅପରିଚିତ । ସ୍ଵାଧୀନତା ସଂଗ୍ରାମୀ ଦଶରଥୀ ମହାନ୍ତି ସେମାନଙ୍କ ମଧ୍ୟରୁ ଜଣେ । ସେ ଜଣେ ବିଚକ୍ଷଣ ବ୍ୟକ୍ତି ଥିଲେ । ନୀତିନିରୋଧୀ କାମକୁ ସେ ଘୋର ବିରୋଧ କରୁଥିଲେ । ଯାହା ଏହି ବାହ୍ୟରେ ସୁନ୍ଦର ଭାବେ ଲିପିବଦ୍ଧ ହୋଇପାରିଛି । ଦାଶରଥୀ ବାବୁ ଏକ ସୁସ୍ଥ ଓ ଶିକ୍ଷିତ ସମାଜ ଗଠନ ପାଇଁ ଉଦ୍ୟମ କରିଥିଲେ । ହେଲେ ତାଙ୍କ ଆଶା ଏଯାଏ ସଫଳ ହୋଇପାରିନି । ଆଜିର ଶିକ୍ଷା ବ୍ୟବସ୍ଥା ଏକପ୍ରକାର ଭୁଶୁଡ଼ି ପଡ଼ିଛି । ଆମ ପାଖରେ ସବୁ ପ୍ରକାର ସାଧ୍ୟ ଥାଇ ମଧ୍ୟ ମେଧାବୀ ପିଲାଙ୍କ ସଂଖ୍ୟା ହ୍ରାସ ପାଉଛି । ତାଙ୍କର ସେହି ଇଛାକୁ ପୂରଣ କରିପାରିଲେ, ଆମେ ଏକ ସୁସ୍ଥ, ସମୃଦ୍ଧ ଓ ଶିକ୍ଷିତ ଓଡ଼ିଶା ଗଠନ କରିପାରିବା । ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଦାଶରଥୀ ମହାନ୍ତିଙ୍କ ୧୧୦ତମ ଜୟନ୍ତୀ ଅବସରରେ ହରେକୃଷ୍ଣ ସାହୁଙ୍କ ଦ୍ଵାରା ଲିଖିତ ତାଙ୍କ ଜୀବନୀ ‘ସଂଗ୍ରାମର ଚିତ୍ରଲିପି’ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥିମାନେ ଏଭଳି ମତ ରଖିଛନ୍ତି ।

ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସଭାପତିତ୍ଵ କରିଥିବା ବେଳେ ସ୍ତମ୍ଭକାର ହରପ୍ରସାଦ ଦାସ ମୁଖ୍ୟ ଅତିଥି, ଓଡ଼ିଶା ସାଂସ୍କୃତିକ ମହାବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିମଳେନ୍ଦୁ ମହାନ୍ତି, ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀ, ପ୍ରତ୍ୟକ୍ଷ କର ବୋର୍ଡ଼ର ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ କୁମାର ମିଶ୍ର, ‘ଆମେ ଓଡ଼ିଆ’ର ସମ୍ପାଦକ ନୃସିଂହ ଚରଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୁସ୍ତକର ଲେଖକ କଥାକାର ହରେକୃଷ୍ଣ ସାହୁ ନିଜର ଲେଖକୀୟ ଅନୁଭୂତି କହିଥିବା ବେଳେ ‘ଇଭେଣ୍ଟ’ ପ୍ରକାଶନୀ ସଂସ୍ଥାର ପ୍ରକାଶକ ପ୍ରକାଶ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସ୍ଵର୍ଗତ ମହାନ୍ତିଙ୍କ ପୁଅ ସୁଭାଷ ମହାନ୍ତି ବାପାଙ୍କ ସ୍ମୃତିଚାରଣ କରିଥିଲେ । ସାନ ପୁଅ ତଥା ‘ସମୃଦ୍ଧ ଓଡ଼ିଶା’ ଦଳର ସଭାପତି ଯତୀଶ ମହାନ୍ତି ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *