ଏଇ ସଂପର୍କର ଚାରିକାନ୍ଥ ତୋଳି

ତାରାପ୍ରସାଦ ଜେନା

ଏଇ ସଂପର୍କର ଚାରିକାନ୍ଥ ତୋଳି
ତୁମକୁ କରିଛି ବନ୍ଦୀ
ସହଜରେ ଆଉ ମୁକୁଳିବା ପାଇଁ
ମିଛରେ ହେବନି ଧନ୍ଦି !

ମନ ସିମେଣ୍ଟରେ ଲୁହ ହସ ଫେଣ୍ଟି
କରିଛି ବଢ଼ିଆ ପାଗ
ପ୍ରେମ ଇଟା କେବେ ଭୁଷୁଡ଼ିବ ନାହିଁ
ସନ୍ଦେହ ଘୃଣାର ରାଗ,
ସୋହାଗରେ ଖୁସି ଜୀବନଟା ଭଲା
ବାହୁରେ ଗଳାକୁ ଛନ୍ଦି
………ଏଇ ସଂପର୍କର ଚାରିକାନ୍ଥ ତୋଳି
ତୁମକୁ କରିଛି ବନ୍ଦୀ ! ୧ !

ଚାରିକାନ୍ଥେ ଥାଇ ଅସୁମାରୀ ସ୍ବପ୍ନ
ଆଶାର ମହଲ ତୋଳି
ଆପଣାର ତୁମେ ମହା ଅନୁଭବ
ସାବାସ୍ ଜୀଇବା ତାଳି,
ଭୁଲିବାର କେବେ ଭାବିନି ମୋ ରାଣେ
ବୁଲିନି ସତର କନ୍ଦି
………ଏଇ ସଂପର୍କର ଚାରିକାନ୍ଥ ତୋଳି
ତୁମକୁ କରିଛି ବନ୍ଦୀ ! ୨ !

ସା.-ରଣପୁର (ଗୋଡ଼ିପାଟଣା ସାହି), ଡାକ- ରାଜ ରଣପୁର, ୭୫୨୦୨୬, ଦୂରଭାଷ-୯୩୪୮୦୫୪୩୦୦

ଲେଖକ ପରିଚୟ

ଗୀତି କବିତାରେ ଆଧୁନିକ ବିଷୟ ବସ୍ତୁକୁ ସହଜ ସାବଲୀଳ ଢଙ୍ଗରେ ଉପସ୍ଥାପିତ କରିବାରେ ଗଭୀର ବିଶ୍ଵାସୀ । ଲୋକଗୀତ ଢାଞ୍ଚାରେ ଗୀତ ଲେଖି ପୁନଶ୍ଚ ଲୋକଗୀତର ପ୍ରକାଶ ଧାରାକୁ ଉଜ୍ଜୀବିତ କରିବାରେ ସତତ ଚେଷ୍ଟିତ । ଶିଶୁ ସାହିତ୍ୟରେ ମଧ୍ୟ ଜଣେ ସଫଳ ଲେଖକ । ଓଡ଼ିଆ ବର୍ଣ୍ଣବୋଧକୁ ଯଥୋଚିତ ସମ୍ମାନ ଦେବାରେ ଅଙ୍ଗୀକାର ବଦ୍ଧ !

Related Posts

Leave a Reply

Your email address will not be published. Required fields are marked *