ଅଜୟ କୁମାର ବେହେରା

ତୁମରି ସୁଢ଼ଳ ଦେହ-ଦେହଳୀରେ
ମନକୁ ଜଗାଇ ଖୋଜିଛି ଯେତେ
ଜାଣିପାରି ନାହିଁ ଏଯାଏଁ ଏ ମନ
ଦେଇଛି କେତେ ବା ପାଇଛି କେତେ ।। ୦।।

ଦେଇଥିଲି ମୁଁ ଯେ ଏମିତି ସୋହାଗ
ତୁମେ ଲୋଡୁଥିଲ ମୋଠାରୁ ଯାହା
ଦେଇଥିଲ ତୁମେ ଅଭୁଲା ସୁଖ ଯେ
ଲିଭିନି ମନରୁ ଏବେ ବି ତାହା
ଦେବାନେବାର ଏ ହିସାବ ଭିତରେ
ଭାବିଭାବି ଖାଲି ସମୟ ବିତେ
ଜାଣିପାରି ନାହିଁ ଏଯାଏଁ ଏ ମନ
ଦେଇଛି କେତେ ବା ପାଇଛି କେତେ ।। ୧।।

ପ୍ରୀତିଫୁଲ ଯେତେ ନେଇଥିଲି ତୋଳି
ବିଭୋର ଥିଲି ମୁଁ ସୁରଭି ନେଇ
ସରଗରୁ ଚାନ୍ଦ ଯାଇଥିଲା ମିଳି
ହାତପାଆନ୍ତରେ ତୁମକୁ ପାଇ
ସରାଗକୁ ବେଶି କିଏ ବା ଲଭିଛି
ପଚାରିବ ଆଜି ଯିଏ ବି ମୋତେ
ଜାଣିପାରି ନାହିଁ ଏଯାଏଁ ଏ ମନ
ଦେଇଛି କେତେ ବା ପାଇଛି କେତେ ।।୨।।

ଜଗତସିଂହପୁର ସାହିତ୍ୟ ପରିଷଦ

ଲେଖକ ପରିଚୟ

ଅନେକ ସାହିତ୍ୟ ସଂଗଠନ ସହିତ ସଂଶ୍ଳିଷ୍ଟ ଥିବା ସହିତ ମକର ପତ୍ରିକା ଓ ଜଗତସିଂହପୁର ସାହିତ୍ୟ ପରିଷଦର ମୁଖ୍ୟ ସମ୍ପାଦକ ରୂପେ କାର୍ଯ୍ୟରତ । ୬ ଟି କବିତା ସଂକଳନ, ୩ ଟି ଗୀତିକବିତା ସଂକଳନ ଓ ଗୋଟିଏ ଗଳ୍ପ ସଂକଳନ ସହିତ ୨ ଟି ନାଟକ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇସାରିଛି ଏଯାବତ । ବୀଣାପାଣି ସାହିତ୍ୟ ସମ୍ମାନ ଠାରୁ ଆରମ୍ଭ କରି ବିଭିନ୍ନ ସମ୍ମାନ ଓ ସମ୍ବର୍ଦ୍ଧନାରେ ବିଭୂଷିତ ଲେଖକ ମହୋଦୟ । ସ୍ୱଳ୍ପରେ କହିଲେ, ସାହିତ୍ୟ ଜଗତର ଜଣେ ଜଣାଶୁଣା ନାମ ଅଜୟ କୁମାର ବେହେରା ।

Related Posts

Leave a Reply

Your email address will not be published. Required fields are marked *