ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ପ୍ରଖ୍ୟାତ ସାହିତ୍ୟିକ, କବୟିତ୍ରୀ, ସାମ୍ବାଦିକ, ଶିକ୍ଷାବିତ ତଥା ଦୈନିକ ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ମନୋରମା ମହାପାତ୍ରଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି । ଶନିବାର ଅପରାହ୍ନ ୫:୪୫ ରେ ସେ ଏସ୍‌ସିବି ମେଡିକାଲରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । କିଛି ଦିନ ହେବ ସେ ଅସୁସ୍ଥ ଥିଲେ ଏବଂ ଶନିବାର ଅପରାହ୍ନରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା । ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ବ୍ୟକ୍ତିଗତ ସହାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ପରଲୋକ ପରେ ତାଙ୍କ ମରଶରୀରକୁ କନିକା ଛକ ସ୍ଥିତ ବାସଭବନରେ ରଖାଯାଇଛି । ତାଙ୍କ ପୁଅ ଓ ଝିଅମାନେ ବିଦେଶରେ ରହୁଛନ୍ତି ଏବଂ ସେମାନେ ଆସିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି ।

ସମାଜର ପୂର୍ବତନ ସଂପାଦକ ସ୍ଵର୍ଗତ ଡକ୍ଟର ପଦ୍ମଭୂଷଣ ରାଧାନାଥ ରଥଙ୍କ କନ୍ୟା ମନୋରମା ମହାପାତ୍ର ୧୯୩୪ ମସିହା ଜୁନ୍‌ ୧୦ ତାରିଖରେ କଟକ ଜିଲ୍ଲା ଆଠଗଡ଼ରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ କଟକ ଆସି ରେଭେନ୍‌ସା ବାଳିକା ହାଇସ୍କୁଲରେ ସ୍କୁଲ ଶିକ୍ଷା କରିଥିଲେ । କଟକରେ ରହିବା ସମୟରେ ସେ ର‌ମାଦେବୀ, ସରଳା ଦେବୀ, ଆଚାର୍ଯ୍ୟ ହରିହର ପ୍ରମୁଖ ସ୍ବାଧୀନତା ସଂଗ୍ରାମୀଙ୍କ ସଂସ୍ପର୍ଶରେ ଆସି ଖଦଡ଼ ପରିଧାନ କରୁଥିଲେ । ରମାଦେବୀଙ୍କଠାରୁ ସେ ଅରଟରେ ସୂତା କାଟିବା ଶିଖିଥିଲେ । ୧୯୫୦ରେ ସେ ଭାରତୀୟ ‌ବନସେବା ଅଧିକାରୀ ପଦାରବିନ୍ଦ ମହାପାତ୍ରଙ୍କୁ ବିବାହ କରିଥିଲେ । ତାଙ୍କ ସାରସ୍ଵତ କୃତି ମଧ୍ୟରେ ‘ଜୁଆର ଯେଉଁଠି ଉଠେ’, ‘ଅର୍ଦ୍ଧନାରୀଶ୍ଵର’, ‘ବୈଦେହୀ ବିସର୍ଜିତା’, ‘ସ୍ମୃତିଚନ୍ଦନ’, ‘ଆମେ ସବୁ ନୀରବ ଦର୍ଶକ’ ସ୍ଵତନ୍ତ୍ର ସ୍ଵାକ୍ଷର ବହନ କରେ । ଏହାବ୍ୟତୀତ ଗଳ୍ପ ସଂକଳନ ‘ଏ ପୃଥିବୀ ଶରଶଯ୍ୟା’, କ୍ଷୁଦ୍ରଗଳ୍ପ ‘ବନ୍ଦ ଘରର କବାଟ’, ଅନୁଦିତ ଉପନ୍ୟାସ ‘ରତ୍ନଦ୍ୱୀପ’, ଶିଶୁଗଳ୍ପ ‘ବଣ ରାଇଜର କଥା’, ସମସାମୟିକ ଋଷୀୟ କବିତା, ହୀନ୍ଦି ଗଳ୍ପ ସଂକଳନ ‘ବନ୍ଦ ଘର୍‌କୀ କବାଟ’, ଗଳ୍ପ ସଂକଳନ ‘ଉତ୍ତରା ନିରୁତ୍ତରା’, ଶିଶୁକଥା ‘ଗୋମୁଖ ଯାତ୍ରା’, ‘ଆଈମାଙ୍କ ବିଜ୍ଞାନ ମୁଣି’, ଶିଶୁକବିତା ‘ଆମରି ଭାରତମାତା’, ଶିଶୁକଥା ‘ବିରାଡ଼ିମାନଙ୍କ ଅନଶନ’ ଆଦି ସ୍ଵତନ୍ତ୍ର ପାଠକୀୟ ଶ୍ରଦ୍ଧା ଓ ସ୍ଵୀକୃତି ପାଇଛି । ସାରସ୍ଵତ ସାଧନା ପାଇଁ ତାଙ୍କୁ ଅନେକ ସମ୍ମାନ ଓ ପୁରସ୍କାର ମିଳିଛି । ୧୯୮୪ରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା । ଏହାବ୍ୟତୀତ ସେ ସୋଭିଏତ୍‌ଲାଣ୍ଡ ପୁରସ୍କାର ଆଦି ଅନେକ ମର୍ଯ୍ୟାଦାଜନକ ପୁରସ୍କାର ପାଇଥିଲେ । ରମାଦେବୀ ବିଶ୍ଵବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନ ସୂଚକ ଡି.ଲିଟ୍‌ ଉପାଧି ପ୍ରଦାନ କରାଯାଇଥିଲା । ଅର୍ଥନୀତି ବିଭାଗର ପ୍ରାଧ୍ୟାପିକା ଭାବେ ସେ ବିଭିନ୍ନ ସରକାରୀ କଲେଜରେ କାର୍ଯ୍ୟକରି ରେଭେନ୍ସା କଲେଜରୁ ଅବସର ନେଇଥିଲେ । ୧୯୯୮ରୁ ୨୦୦୭ ପର୍ଯ୍ୟନ୍ତ ସେ ସମାଜର କାର୍ଯ୍ୟକାରୀ ସଂପାଦକ ରହିଥିଲେ ।

ମନୋରମା ମହାପାତ୍ର

ତାଙ୍କ ପରଲୋକରେ ‘ସମ୍ବାଦ’ର ସଂପାଦକ (ଫିଚର) ଡକ୍ଟର ଗୌରହରି ଦାସ, ‘ସମାଜ’ର ପୂର୍ବତନ ସଂପାଦକ ବାମାପଦ ତ୍ରିପାଠୀ, କେନ୍ଦ୍ର ସାହିତ୍ୟ ‌ଏକାଡେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ, ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତରଂଜନ ବିଶ୍ବାଳ, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଡକ୍ଟର ଇଂ. ପ୍ରଭାକର ସ୍ଵାଇଁ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ମହାନଗର କମିସନର୍‌ ଅନନ୍ୟା ଦାସ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ।

ଏତଦବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରି କହିଛନ୍ତି ଯେ ଲେଖନୀ ଚାଳନା ପାଇଁ ମନୋରମା ସବୁଦିନ ପାଇଁ ମନେରହିବେ ଏବଂ ଗଣମାଧ୍ୟମ ଜଗତ ପାଇଁ ତାଙ୍କର ଅବଦାନ ତଥା ସମାଜସେବା ତାଙ୍କୁ ଚିରସ୍ମରଣୀୟ କରି ରଖିବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଶୋକ ପ୍ରକାଶ କରିଛନ୍ତି । ତାଙ୍କୁ ଜଣେ ବିରଳ ବିଦୁଷୀ ଭାବରେ ବର୍ଣ୍ଣନା କରି ତାଙ୍କ ବିୟୋଗରେ ଓଡ଼ିଶାର ସାଂସ୍କୃତିକ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ଜଣେ ଶିକ୍ଷାବିତ୍‌, ସାହିତ୍ୟିକା ତଥା ସୁବକ୍ତା ଭାବରେ ସ୍ଵର୍ଗତ ମହାପାତ୍ର ଓଡିଆ ସାରସ୍ଵତ ଜଗତରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରାଯାଇଛନ୍ତି । ବିଭିନ୍ନ ସାମାଜିକ ସମସ୍ୟା, ବିଶେଷକରି ନାରୀ ମାନଙ୍କ ଅଧିକାର ଓ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ବିୟୋଗରେ ଓଡ଼ିଶା ଜଣେ ବାଗ୍ମୀ ତଥା ମହିୟସୀ ମହିଳାଙ୍କୁ ହରାଇଲା ।

ସେହିଭଳି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି କହିଛନ୍ତି ଯେ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିବାରେ ତାଙ୍କର ଯୋଗଦାନକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । ଅନେକ ସମ୍ମାନର ଅଧିକାରୀ ତଥା ଓଜସ୍ଵିନୀ ବକ୍ତା ସ୍ଵର୍ଗତ ମହାପାତ୍ରଙ୍କ ବିୟୋଗ ଓଡ଼ିଶା ସାହିତ୍ୟ ଜଗତରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି ଯେ ସ୍ୱର୍ଗତା ମହାପାତ୍ର ଓଡ଼ିଆ ସାମ୍ବାଦିକତା ଓ ସାରସ୍ଵତ ଜଗତରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ତାଙ୍କ ବିୟୋଗ ରାଜ୍ୟ ପାଇଁ ବିଶେଷକରି ସାହିତ୍ୟ ଏବଂ ସାମ୍ବାଦିକ ଜଗତ ପାଇଁ ଅପୂରଣୀୟ କ୍ଷତି ।

Related Posts

Leave a Reply

Your email address will not be published. Required fields are marked *