ସୁଜାତା ମହାପାତ୍ର
ଏ ମାଟି କେବେ ମୋର ଥିଲା ଯେ’ !
ସେ ତ’ ଏକ ମିଛ ପ୍ରହେଳିକା,
ଧୂଆଁ ଧୂଆଁ କାନୀ ଉଡେଇ
ପବନରେ ମିଳେଇ ଯାଉଥିବା
ଅନୁଢ଼ା ମନୋଇ ପ୍ରେମିକା !
ତୁ ପାଦରେ ଚାପି ରଖିଥିବା
ତୋ ତକ, ତୋ ଅଧିକାର
ମୁଁ କୋଳେଇ ଧରିଥିବା
ମୋ’ ତକ, ମୋ ଅହଂକାର …
ତୋ, ମୋ, କର୍ତ୍ତୃତ୍ୱର ହସ୍ତାନ୍ତର ଭିତରେ
କେବେ ମାଟିର ଲୁହ ଭୋଗିଛୁ ?
ଭୋଗିନେ, ମାତ୍ର କିଛି ଘଡ଼ିର ତ ଏ ସୁଖ !
ରାତି ପାହିଲେ ମାଟି ମାଖିବ
ଆଉ ହଳେ ଅର୍ଖ ନୂଆଁ ସ୍ଵପ୍ନମୟ ଆଖି ।
ଶିବାନୀ ଏନକ୍ଲେଭ, ବମୀଖାଲ କେନାଲ ରୋଡ୍, ଭୁବନେଶ୍ୱର
ଲେଖକ ପରିଚୟ
ଲେଖାରୁ ପ୍ରାଣବାୟୁ ପାଏ, ତେଣୁ ଲେଖୁଛି । କହିପାର ନିଜ ପାଇଁ ହିଁ ଲେଖୁଛି । ସମାଜ ଓ ପ୍ରକୃତି ମୋ ପ୍ରେରଣା । ମୋତେ ଗଢିଥିବା ମୋ ପ୍ରିୟ ଜଙ୍ଗଲ, ପାହାଡ଼, ଝରଣା ହିଁ ମୋତେ ଅନୁପ୍ରାଣିତ କରନ୍ତି ଲେଖନୀ ଧରିବାକୁ । ଏଯାବତ ଦୁଇ ଖଣ୍ଡ କବିତା ସଂକଳନ ‘ଦେବୀପକ୍ଷ’ ଓ ‘ତାଖିଅରେ ସମ୍ପର୍କ’ ପ୍ରକାଶିତ ହୋଇଛି । ୧୯୯୪ ରୁ ମୁଁ ଲେଖାଲେଖି କରୁଛି ।
ଖୁବ୍ ଉତ୍ତୀର୍ଣ୍ଣ କବିତା