ଶିବାଶିଷ ପାଢ଼ୀ

ସୁଧା ଆସିବାର ତିନି ବର୍ଷ ପରେ ବାହା ହୋଇଥିଲେ ନଣନ୍ଦ ପ୍ରୀତି । ତିନି ଭାଇର ଏକ ଯୁଗ୍ନ ପରିବାରରେ ବାହା ହୋଇଥିଲେ ବି ପ୍ରୀତିର ବାହାଘର ପରେ ତା’ ଶାଶୂଘରର ପ୍ରଶଂସାରେ ଶତମୁଖ ରହୁଥିଲେ ଶାଶୁ ।

ଫୋନରେ ଅହରହ ଗପୁଥିଲେ ମା ଆଉ ଝିଅ । ବିଶେଷ କରି ଶନିବାର ଦିନ ଆଉ ଗପରେ ବିରାମ ରହୁ ନଥିଲା, କାରଣ ସେଦିନ ଥିଲା ପ୍ରୀତିର ଅଫ୍ ଡେ ।

“ମୁଁ ଭାଗ୍ୟ କରିଥିଲି ବୋଲି ପ୍ରୀତି ଏମିତି ଘର ପାଇଛି” କହି ପାଖ ପଡୋଶୀଙ୍କୁ ଶୁଣାଉଥିଲେ ଶାଶୁ । ଘରକୁ ଆସି ସୁଧାକୁ ବି ସମାନ କଥା ଶୁଣାଇ ଯୋଡୁଥିଲେ,

“ତୋ ବାପାମା ବି ଭାଗ୍ୟ କରିଥିଲେରେ…”

ହସି ଦେଉଥିଲା ସୁଧା । ଶାଶୁ ବ୍ୟସ୍ତ ହୋଇ ଯାଉଥିଲେ ତାଙ୍କ ପୂଜା ପାଠରେ ।

ଲକଡାଉନ ସଟଡାଉନ ଯୋଗୁଁ  ବିବାହ ପରେ ପ୍ରାୟ ଛଅ ମାସ ଆସି ପାରି ନଥିଲେ ପ୍ରୀତି । କିନ୍ତୁ ଯେଉଁଦିନ ଆସିଲେ ତା’ପର ଦିନ ହିଁ ନୁଆ ନିୟମ ଘୋଷଣା କରିକି ଲାଗୁ କରାଇଦେଲେ । ସମ୍ପୂର୍ଣ ସମର୍ଥନ କରିଥିଲେ ଶ୍ଵଶୁର । ଶାଶୁ ବି ହଁ ମାରିଥିଲେ ଯଦିଓ ସାମାନ୍ୟ ଡେରି କରିଥିଲେ । ପ୍ରୀତି କହିଥିଲେ,

“ମା’ ! ତୁ ତ ପାରୁଛୁ ! ଆଉ ଏଥିରେ କେତେ ଖୁସି ଲାଗେ ସେକଥା ତୁ ଭାବି ବି ପାରିବୁ ନାହିଁ । ମୁଁ ସେ ଖୁସି ପାଉଛି ଆଉ ଭାଉଜଙ୍କୁ ବି ସେ ଖୁସି ଦେବାକୁ ଚାହୁଁଛି ।”

ପ୍ରାୟ ଚାରି ବର୍ଷ ପରେ ଅଫ୍ ଡେ ପାଇଥିଲେ ବି ବାରମ୍ବାର ରୋଷେଇକୁ ଯାଉଥିବା ସୁଧାଙ୍କୁ ଘଉଡ଼େଇ ଦେଇଥିଲେ ପ୍ରୀତି । ବହୁତ ଦିନ ପରେ ରୋଷଇର ମୁହଁ ଚାହିଁଥିବା ଶାଶୁ ବି ମନା କରିଥିଲେ ।

ଆଜି ବହୁତ ଦିନ ପରେ ମା’ ସହ ଦିନବେଳା ମନ ଖୋଲି କଥା ହେଉଥିଲେ ସୁଧା ।

ଶିବାଶିଷ ପାଢ଼ୀ, ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮

ଲେଖକ ପରିଚୟ

ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଦୁଇଟି ଗଳ୍ପ ସଂକଳନ ପ୍ରକାଶିତ ହେବା ସହିତ ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା  !!!

Related Posts

2 thoughts on “ଅଫ୍ ଡେ

  1. ଅନେକ ସମୟରେ ଶୁଣିବାକୁ ମିଳେ ନାରୀ ହିଁ ନାରୀର ଶତ୍ରୁ । ତେବେ ସେଇ ମା ଶାଶୂ ହେଲାପରେ ମାତୃତ୍ଵ ହରେଇ ବସେ ବୋହୂ ପାଖରେ । ଏ ଗଳ୍ପ ଖୁବ୍ ଆମୋଦଦାୟକ ହେବା ସହିତ ଶିକ୍ଷଣୀୟ ବି । ପରିଶେଷରେ ଶାଶୂ ଭିତରେ ମାତୃତ୍ୱର ଝଲକ୍ ଖୁବ ପ୍ରଶାନ୍ତି ଦେଲା ମନରେ । ଏହା ସମାଜରେ ବି ପ୍ରତିଫଳିତ ହେଉ, ଏହା ହିଁ ଆଶା । ଗାଳ୍ପିକଙ୍କୁ ବହୁତ ବହୁତ ଧନ୍ୟବାଦ …

Leave a Reply

Your email address will not be published. Required fields are marked *