ଅଦ୍ଵୈତ କୁମାର ପଣ୍ଡା
ସ୍ଵପ୍ନ ସବୁ ଭାଜି ହୋଇଗଲା ବୟସର ବୈଶାଖୀ ଖରାରେ
ମନ ଝାଉଁ ବଣ ଝାଉଁଳିଲା ତା ତାତିଲା ଝାଞ୍ଜି ପବନରେ ।
ମୁଁ କି ମୋର ବୋଲି କିଛି ନାହିଁ
ସବୁ ନିରୁଦ୍ଦିଷ୍ଟ ପେଁପାଁ ସହର ଭିତରେ
ଗୋଲାପରୁ ପଚାସଢା ମାଂସର ଗନ୍ଧ
ଜହ୍ନରୁ ଝରଝର ଲାଲ ରକ୍ତ ଝରେ ।
ନଈ ଦେଉନାହିଁ ଶୀତଳ ଜଳ
ମୁକ୍ତ ପବନ ବି ନୁହେଁ ନିର୍ମଳ
ବିଶ୍ଵାସ ବି, ନିଶ୍ଵାସ ବି, ବିଷମୟ
ସହରର ପ୍ରତିଟି ପ୍ରାନ୍ତରେ ।
ସ୍ଵପ୍ନ ସବୁ ଭାଜି ହୋଇଗଲା ବଯସର ବୈଶାଖୀ ଖରାରେ
ମନ ଝାଉଁ ବଣ ଝାଉଁଳିଲା ତା ତାତିଲା ଝାଞ୍ଜି ପବନରେ ।
‘ପ୍ରେମ’ ନଜରବନ୍ଦୀ
ପ୍ରୀତିର ଫଗୁଣ ଆସେ ହୋଇ ରକ୍ତ ମୁଖା
ଜୁଇ, ଜାଇ, ହେନା, ମଲ୍ଲି, ମାଳତୀ
ଟଗର, କେତକୀ, ମନ୍ଦାର ରୁଗଣ ରୁଖାଶୁଖା ।
ଜୀବନର ମାନେ କରୁଣ ମୂର୍ଚ୍ଛନା
ଜିଇଁବାର ଅଛି ବୋଲି ତ ଜିଅନ୍ତି ଜୀବନ
ସାମ୍ନା କରିବା ଘଟଣା ଓ ଦୁର୍ଘଟଣା ।
ମୋ ପରି କେତେ ଏଠି ସର୍ବହରା
ବୁଲାକୁକୁରଙ୍କ ପରି ବୁଲୁଥାନ୍ତି ରାସ୍ତା ସାରା
ଭୟ ନଥାଏ ଟ୍ରାଫିକ ଆଉ ପୋଲିସର
ମୋ ପରି ସେମାନେ ବି ବିନ୍ଦାସ, ବେସାହାରା ।
ସ୍ଵପ୍ନ ସବୁ ଭାଜି ହୋଇଗଲା ବଯସର ବୈଶାଖୀ ଖରାରେ
ମନ ଝାଉଁ ବଣ ଝାଉଁଳିଲା ତା ତାତିଲା ଝାଞ୍ଜି ପବନରେ ।
ବିନିକା, ସୋନପୁର, ମୋବାଇଲ – ୯୮୬୧୯୫୭୫୪୬
ଲେଖକ ପରିଚୟ
ସାହିତ୍ୟ ନିଶା ଓକିଲାତି ପେଶା । ସରକାରୀ ଓକିଲ ଭାବେ ସୋନପୁର ବିଚାର ବିଭାଗୀୟ କାର୍ଯ୍ୟାଳୟରେ କାର୍ଯ୍ୟରତ ମୁଁ । ଏକାଧାରେ ପ୍ରେମ ଓ ବିପ୍ଳବର ଭାବଧାରାକୁ କବିତାରେ ରୂପ ଦେବାକୁ ଭଲପାଏ । ପରିସ୍ଥିତି ମୋ ପାଇଁ ପ୍ରେରଣା ଏବଂ କବି ରବି ସିଂ କାବ୍ୟକବିତା ମାର୍ଗଦର୍ଶକ । ୨୦୦୨ରେ “ଦୁଇ ଯାତ୍ରୀ” ନାମକ ପ୍ରଥମ କ୍ଷୁଦ୍ର ଉପନ୍ୟାସ ପ୍ରକାଶିତ ହୋଇଥିଲା ।