ସତ୍ୟନାରାୟଣ ଗନ୍ତାୟତ
ମୋ ଅନୁଜ ସୁଖ୍ୟାତ ସ୍ରଷ୍ଟା ଗନ୍ତାୟତ ଶିବପ୍ରସାଦଙ୍କ “ରଙ୍ଗାରଙ୍ଗ ବ୍ୟଙ୍ଗ” ଶୀର୍ଷକ ବହିଟି ୨୦୧୦ ଆରମ୍ଭରେ ପ୍ରକାଶିତ ହେବାବେଳକୁ ତାକୁ ଦେଖିବାର ସୌଭାଗ୍ୟ ନଥିଲା ଲେଖକଙ୍କର ! କାରଣ ୨୦୧୦ ଜାନୁଆରୀ ୪ ତାରିଖରେ କ୍ରୂର କାଳ ଛଡ଼ାଇ ନେଇଥିଲା ତାଙ୍କୁ ମର୍ତ୍ତ୍ୟ ମଣ୍ଡଳରୁ ।
ଭାଙ୍ଗିପଡ଼ିଲୁ ଆମେ ।
ତେବେ ଅତ୍ୟନ୍ତ ଅଭାବିତ ଭାବେ ଠିକ୍ ସେଇ ସମୟରେ ଆମ ଅଗୋଚରରେ ଭୁବନେଶ୍ୱରସ୍ଥ ଓଡ଼ିଶା ଲେଖିକା ସଂସଦ ପକ୍ଷରୁ ସ୍ଥିର ହୋଇ ସାରିଥାଏ ମୋ ମାତୃସମା ଅଗ୍ରଜା ସୁଲେଖିକା ନିର୍ମଳାଙ୍କୁ ସେଇ ମାସରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ପୁରସ୍କୃତ କରିବା ପାଇଁ । ଚଳିତ ଶକ୍ତି ରହିତା ନାନୀଙ୍କ ବଦଳରେ ମୁଁ ଯାଇ ସେ ପୁରସ୍କାର ଗ୍ରହଣ କରିବାକୁ କୁହାଯାଆନ୍ତେ ମୋ ନାନୀ ଓ ମୁଁ ଭାଇକୁ ହରାଇବାର ଦୁଃସହ ଦୁଃଖ ଭିତରେ ସମ୍ଭବ ହେବ ନାହିଁ ବୋଲି ଜଣାଇଦେଲୁ । ତଥାପି ଓଡ଼ିଶା ଲେଖିକା ସଂସଦର ପ୍ରଣମ୍ୟା ବୀଣାପାଣି ମହାନ୍ତି, ଶକୁନ୍ତଳା ବଳୀୟାର ସିଂହ ଓ ଗୋଲାପ ମଞ୍ଜରୀ କରଙ୍କ ଭଳି ସୁଖ୍ୟାତା ସାହିତ୍ୟିକା ତଥା ମହୀୟସୀ କର୍ମକର୍ତ୍ତାମାନେ ଆମକୁ ଅତ୍ୟନ୍ତ ଆତ୍ମୀୟତାର ସହ ସାନ୍ତ୍ଵନା ଓ ଧୈର୍ଯ୍ୟ କେବଳ ଦେଇ ନଥିଲେ, ବରଂ ଦିବଙ୍ଗତ ଭାଇ ଶିବପ୍ରସାଦ ଯେ ସେମାନଙ୍କର ବି ଏକାନ୍ତ ଆତ୍ମୀୟୋପମ, ଏକଥା ସାବ୍ୟସ୍ତ କରିବାକୁ ତା’ର ସଦ୍ୟ ପ୍ରକାଶିତ ବହି “ରଙ୍ଗାରଙ୍ଗ ବ୍ୟଙ୍ଗ”ର ଶୁଭ ଉନ୍ମୋଚନର ସୁବ୍ୟବସ୍ଥା ବି କରାଇ ଦେଲେ ସଂସଦର ବାର୍ଷିକ ଉତ୍ସବରେ ।
ସେଠି ବହୁ ମହୀୟସୀଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଡକ୍ଟର ମନୋରମା ମହାପାତ୍ର ମହୋଦୟା ବହିର ଉନ୍ମୋଚନ କରିଥିଲେ ଓ ମୋ ଅଗ୍ରଜାଙ୍କୁ ପ୍ରଦତ୍ତ ପୁରସ୍କାର ତାଙ୍କ ପକ୍ଷରୁ ମୋତେ ଗ୍ରହଣ କରିବାର ବିରଳ ସୁଯୋଗ ପ୍ରଦାନ କରିଥିଲେ । ବିଗତ କିଛି ବର୍ଷ ଭିତରେ ଉନ୍ମୋଚନ ଉତ୍ସବର ଅନ୍ୟତମା ଅତିଥି ମାତୃସମା ଦୁର୍ଗାବତୀ ତ୍ରିପାଠୀଙ୍କୁ ହରାଇଛୁ । ମୋ ଅଗ୍ରଜା ବି ଆଉ ନାହାଁନ୍ତି ଏ ଇହଧାମରେ ।
ଏବେ ମର୍ତ୍ତ୍ୟ ରହଣିର ଅବସାନ ଘଟିଲା ମାତୃସମା ମନୋରମା ମହାପାତ୍ରଙ୍କର । ଅବିଶ୍ୱାସ୍ୟ ଏଥିପାଇଁ ଲାଗୁଚି ଯେ ଏଇ କେଇ ମାସ ତଳେ ତାଙ୍କୁ ମନଭରି ଶୁଣିଥିଲି ଅନଲାଇନ ସାହିତ୍ୟ ଆସରରେ । ମନେପଡ଼ି ଯାଉଚି ମ୍ୟାଡ଼ାମଙ୍କୁ ପ୍ରଥମେ ଭେଟିଥିବା କଥା । ମୁଁ ହାଇସ୍କୁଲରେ ପଢୁଥିବାବେଳେ ସେ ଆମ ରାୟଗଡ଼ାର ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ସେତେବେଳେ ପ୍ରଧାନ ଶିକ୍ଷକ ଥିବା ବିଶିଷ୍ଟ ଶିକ୍ଷାବିତ ଦୈତ୍ୟାରୀ ଦାଶ ସାରଙ୍କ ପ୍ରୟାସ କ୍ରମେ ମୁଖ୍ୟ ବକ୍ତା ହୋଇ ଆସିଥିଲେ ବାର୍ଷିକ ଉତ୍ସବକୁ । ତା’ପରେ ଇମ୍ଫା, ଥେରୁବାଲିର ବାର୍ଷିକ ଉତ୍ସବରେ ବି ଭେଟିଛି । କଥା ହୋଇଛି । ସେତେବେଳକୁ ମୋ ଭାଇ ଶିବ ନୂଆ ଲେଖୁଥାଏ । ମୋଠୁ ତା’ ଶାରୀରିକ ସମସ୍ୟା ବିଷୟରେ ଜାଣି ସେ ରେଡକ୍ରସ ପୁରସ୍କାର ପାଇଁ ଆବେଦନ କରିବାକୁ ପ୍ରବର୍ତ୍ତାଇ ଥିବା ମନେଅଛି, ଯଦିଓ କୌଣସି ପୁରସ୍କାର ପାଇଁ ଅନାଗ୍ରହୀ ମୋ ଭାଇ ଆବେଦନ କରି ନଥିଲା । ଯେବେବି କଟକ ଯାଇଛି ସମାଜ ଅଫିସରେ ଦେଖା ହୋଇଛି ପ୍ରାୟତଃ । ଏପରିକି “ସମାରୋହ” ପତ୍ରିକାର ପ୍ରଥମ ରମ୍ୟରଚନା ପୁରସ୍କାର ବି ଶିବ ପକ୍ଷରୁ ଆଣିବାବେଳେ ମନୋରମା ମ୍ୟାଡ଼ାମ ହିଁ ରହିଥିଲେ ମଞ୍ଚରେ । ଏମିତି ଆମର ବହୁଥର ଅତ୍ୟନ୍ତ ସ୍ମରଣୀୟ ଭେଟ ହୋଇଛି । ଅତି ପାଖରୁ ତାଙ୍କ ମୁଖ ନିଃସୃତ ଅବିରାମ ବକ୍ତବ୍ୟର ମାଧୁର୍ଯ୍ୟ ଏକରକମ ପାନ କରି କୃତାର୍ଥ ହୋଇଛି । ଅଥଚ ଅବିକଳ ମୋ ବୋଉ ପରି ପ୍ରତେ ହୋଇ ଆସିଥିବା ଏହି ମହୀୟସୀ ଏବେ ଆଉ ନାହାଁନ୍ତି ?
ସେ ‘ସମାଜ’ର ସମ୍ପାଦକ ଥିବାବେଳେ ମୋ ଭାଇ ଶିବପ୍ରସାଦକୁ ଅତ୍ୟନ୍ତ ଶ୍ରଦ୍ଧା ଭରେ ପ୍ରକାଶିତ କରି ତା’ ଭିତରେ ପ୍ରତ୍ୟୟ ଭରି ଦେଇଛନ୍ତି ।
ମନେ ପଡୁଛି ସଦା ଆୟୁଷ୍ମାନ ସ୍ରଷ୍ଟା ଓ ସ୍ତମ୍ଭକାର ବିଭୂତି ମିଶ୍ରଙ୍କ ସମ୍ପାଦିତ ନିଆରାଧର୍ମୀ ସମୀକ୍ଷା ପତ୍ରିକା “ବହି ଜଗତ”ରେ ମନୋରମା ମହାପାତ୍ରଙ୍କ ଗଳ୍ପ ପୁସ୍ତକ “ଉତ୍ତରା ନିରୁତ୍ତରା”ର ସମୀକ୍ଷା କରିବାର ସୁଯୋଗ ପ୍ରଦାନ କରିଥିଲେ ବିଭୂତି ମିଶ୍ର, ଯିଏ ବି ଅବେଳ ବିଦାୟ ନେଇଗଲେ ଶିବପ୍ରସାଦ ପୂର୍ବରୁ । କିନ୍ତୁ “ବହି ଜଗତ”ରେ ସ୍ଥାନିତ ସେଇ ସମୀକ୍ଷା କରିବା ପରେ ମନୋରମା ମ୍ୟାଡ଼ାମ ଚେତନାରେ ସର୍ବାଧୁନିକା ବୋଲି ଖୁବ୍ ସନ୍ତୋଷ ଭରେ ଶିବ କହିଥିବା ବେଶ୍ ମନେ ପଡୁଛି ।
ଏମିତି ମନେ ପଡୁଥିବେ ସେ । ସେବା ଓ ସୃଜନ ପାଇଁ ସ୍ୱନାମଧନ୍ୟା ସେ । ବିଦବତ୍ତାରେ ବିଚକ୍ଷଣା ବିଦୂଷୀ ସେ । ରହିଥିବେ ପ୍ରଣମ୍ୟା ମାତୃ ପ୍ରତିମାଟେ ହୋଇ, ମନ ପ୍ରାଣ ହୃଦୟରେ !!
“ସୁହାସିତମ୍”, କସ୍ତୁରୀ ନଗର, ରାୟଗଡା: ୭୬୫୦୦୧, ମୋବାଇଲ -୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା ସହ ସ୍ତମ୍ଭ ନିବନ୍ଧାଦି ବିବିଧ ବିଷୟକ ଗଦ୍ୟ ରଚନାରେ ରୁଚି ରଖି ଆସିଥିବା ଲେଖକଙ୍କ “ଥୁଣ୍ଟାଗଛ” ଓ “ଛବିର ମଣିଷ” ଶୀର୍ଷକ ଦୁଇଟି କବିତା ବହି ପ୍ରକାଶିତ । ଏଲ.ଆଇ.ସି, ରାୟଗଡ଼ା ଶାଖାର ସେବାରତ ଲେଖକ ସମ୍ପ୍ରତି ନିଜ ଦିବଙ୍ଗତ ଅନୁଜ ଗନ୍ତାୟତ ଶିବପ୍ରସାଦ ଓ ଅଗ୍ରଜା ନିର୍ମଳାଙ୍କ ଅପ୍ରକାଶିତ ରଚନାବଳିଙ୍କ ସଙ୍କଳନ ଓ ସଂକରକ୍ଷଣର ଭଳି ସାରସ୍ୱତ କର୍ମରେ ନିମଗ୍ନ ।