କ୍ଷଣାପ୍ରଭା ମହାନ୍ତି
ତାକୁ ବିସର୍ଜନ କଲାପରେ
କେଉଁ ପୁଣ୍ୟକାମ କଲାପରି ଲାଗେ କେଜାଣି, କିଏ ପାଏ ଯେ ଆତ୍ମସନ୍ତୋଷ ?
ଶିଳ୍ପୀ ନା ପୂଜକ, ନା ମୂକସାକ୍ଷୀ ପରି
ଦେଖୁଥିବା ଅଗଣିତ ଦର୍ଶକ l
ପ୍ରତିବର୍ଷ ଅଶିଣ ଆସିଲେ
ମନେପଡ଼େ ଦେବୀ କଥା,
ବତୁରା ମାଟି କଣ ଖୋଜେ ଶିଳ୍ପୀକୁ
ନା ଶିଳ୍ପୀ ଦେଖେ ତା ପେଟପାଟଣାକୁ …
ଗଢ଼ିଦିଏ କମନୀୟ ଅପରୂପ ମୂର୍ତ୍ତୀ
ଖଞ୍ଜି ତା’ରେ ବସନ ଭୁଷଣ,
ଦେବୀକୁ ଦେଇଥାଏ ମୁକ୍ତି ?
ଦେବୀ ତ ଚିର ନିର୍ଯାତିତା,
ଅନ୍ତହୀନ ପ୍ରତୀକ୍ଷାର କରୁଣ ଜିଜ୍ଞାସା
ଅନ୍ତର ତା’ ପବିତ୍ର ପୁଣ୍ୟତୀର୍ଥ,
ସହନଶୀଳ ତାର ନମନୀୟ ଚିତ୍ର ।
ଦେବୀ ତ ଚିର ମହିଆନ, ହେଲେ
ତା ପାଇଁ କିଆଁ ଲୋଡ଼ା ବିସର୍ଜନ ।
ନିଳାଦ୍ରୀ ନଗର, ଖଣ୍ଡଗିରି, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ବେଳରୁ ଗାଆଁ ପରିବେଶ ମୋତେ ବିମୋହିତ କରୁଥିଲା କବିତା ଲେଖିବାକୁ । କୁଶଭଦ୍ରାର କୁଳୁକୁଳୁ ଶବ୍ଦ ମୋ ସୃଜନୀକୁ ସମୃଦ୍ଧ କରୁଥିଲା । ଗୋଟେ ଦିଗନ୍ତ ବିସ୍ତାରି ଭାବନା ସବୁ ମୋ କବିତାକୁ ପ୍ରାଣବନ୍ତ କରି ଚାଲିଥିଲା ।