ଓଡ଼ିଆ ଭାଷାକୋଷ ପ୍ରଣେତା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ୧୫୦ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ପ୍ରହରାଜ ପ୍ରତିଭା ପୂଜା ପରିଷଦ ପକ୍ଷରୁ ବୁଧବାର ଦିନ ସୂଚନା ଭବନଠାରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ୧୫୦ତମ ରାଜ୍ୟସ୍ତରୀୟ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ରୂପେ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଯୋଗ ଦେଇ କହିଲେ, ‘ଓଡ଼ିଆ ଭାଷାକୋଷରୁ ଆନନ୍ଦ ମିଳିଥାଏ । ତେଣୁ ଜୀବନର ଅର୍ଥ ଖୋଜୁଥିବା ଲୋକେ ହିଁ ଭାଷା ପାଖକୁ ଯାଆନ୍ତି ।’ ସମ୍ମାନିତ ଅତିଥି ତଥା ଅବସରପ୍ରାପ୍ତ ପ୍ରଶାସକ ଓ ଲେଖକ ବିଜୟ ଚନ୍ଦ୍ର ଜେନା କହିଲେ, ‘ପ୍ରହରାଜଙ୍କ ଭାଷାକୋଷକୁ ଗାନ୍ଧୀ ଓ ରବୀନ୍ଦ୍ରନାଥ ଠାକୁର ଦେଖି ପ୍ରଶଂସା କରିଯାଇଛନ୍ତି ।’ ବିଶିଷ୍ଟ ଅତିଥି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ କହିଲେ, ‘ମଧୁବାବୁଙ୍କ ପ୍ରେରଣା ଭିତରୁ ଜନ୍ମ ନେଇଥିଲା ଓଡ଼ିଆ ଭାଷାକୋଷ । ଏକାଡ଼େମୀ ପକ୍ଷରୁ ଭାଷାକୋଷର ନୂତନ ସଂସ୍କରଣ ପ୍ରକାଶ କରାଯାଇ ସୁଲଭ ମୂଲ୍ୟରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ଯୋଗାଇ ଦିଆଯିବା ଆବଶ୍ୟକ ।’

ସେହିପରି ମୁଖ୍ୟବକ୍ତା ଡ. ସଂଘମିତ୍ରା ଭଞ୍ଜ କହିଲେ, ‘ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଭାଷାକୋଷ ଥିଲା ଅୟସ୍କାନ୍ତ ମଣି । କଟକ ଟ୍ରେନିଂ କଲେଜର ତତକାଳୀନ ଅଧ୍ୟକ୍ଷ ହଣ୍ଡରସନଙ୍କ ଦ୍ଵାରା ପ୍ରେରିତ ହୋଇ ପ୍ରହରାଜ ଭାଷାକୋଷ ପ୍ରଣୟନକୁ ଜୀବନର ବ୍ରତ କରିଥିଲେ ।’ ଏକାଡ଼େମୀ ସଭାପତି ଡ. ହୃଷୀକେଶ ମଲ୍ଲିକ ପୌରହତ୍ୟ କରି କହିଲେ, ‘ଓଡ଼ିଶାର ତିନୋଟି ଅମରକୃତି ହେଉଛି କୋଣାର୍କ, ଓଡ଼ିଆ ଭାଗବତ ଓ ପ୍ରହରାଜଙ୍କ ଭାଷାକୋଷ । କେବଳ ରାଜା, ଜମିଦାର ନୁହେଁ, ସାଧୁସନ୍ଥ ଓ ସାଧାରଣ ଲୋକଙ୍କ ସ୍ବେଚ୍ଛାକୃତ ଅର୍ଥଦାନରେ ଆଲୋକ ଦେଖିଛି ବିଶାଳତମ ଓଡ଼ିଆ ଭାଷାକୋଷ । ଏହା ଏକ ସାଧାରଣ କାମ ନୁହେଁ, ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ଲକ୍ଷ୍ୟରେ ଏକ ଜାତୀୟ ଯଜ୍ଞ ।’ ଏହି ଉତ୍ତମ ଅବସରରେ ଅତିଥିମାନେ ‘ପ୍ରଣାମ ପ୍ରହରାଜ’ ପୁସ୍ତକକୁ ଉନ୍ମୋଚନ କରିଥିଲେ ।

ଏକାଡ଼େମୀର ଉପବିଭାଗ ଅଧିକାରୀ ସଞ୍ଜୟ ଛୁଆଳସିଂହ ସ୍ଵାଗତ ଭାଷଣ ଓ ଲକ୍ଷ୍ମୀପ୍ରିୟା ଓଝା ଅତିଥି ପରିଚୟ ଦେଇଥିବା ବେଳେ ପୀୟୂଷ ପରିଡ଼ା ପରିଷଦର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପୀତାମ୍ବର ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ରଘୁନାଥ ପୃଷ୍ଟି ଧନ୍ୟବାଦ ଦେଇଥିଲେ । ଏହାସହିତ ସକାଳେ ସଂସ୍କୃତି ବିଭାଗ ପକ୍ଷରୁ ପ୍ରହରାଜଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଚ ପ୍ରତିମୂର୍ତ୍ତି ମହାଲେଖାଗାର ସାମ୍ନାରେ ଅନାବରଣ ହୋଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଅନନ୍ତ ନାରାୟଣ ଜେନା, ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ଏକାଡ଼େମୀ ସଭାପତି ଡ. ହୃଷୀକେଶ ମଲ୍ଲିକ ଓ ପ୍ରହରାଜଙ୍କ ଦାୟାଦ ତଥା ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *