ସୁରଞ୍ଜନ ପାତ୍ର

ବୋଉ କହିଥିଲା ଧନରେ
ଦେଖିଚାହିଁ ଚଳିବୁ ବାହାରେ
ପକ୍ଷୀକୁ ଦେଖି ମନେ ତୋ’ର ଭରିବୁନି
ଅଦମ୍ୟ ଉଡ଼ାଣ
ନିଘା ରଖିଥିବୁ ଟିକେ ନିଆଁ ଓ ପାଣିକୁ
ଦୂରେଇ ରହିବୁ ଟିକେ ମୋହିନୀ ଛାଇରୁ
ଛାଇ ବି ବେଳେବେଳେ ଦଂଶିପାରେ
କାଳସର୍ପ ରୂପେ ।

ନାଗେଶ୍ଵରୀ ବାଦ୍ୟର ତାଳେ
କେତେବେଳେ ଭୁଲିଗଲି ବୋଉର କଥା
ସଜନା ଗଛରେ ଜାଣିଶୁଣି ଝୁଲାଇ ଦେଲି
ଛାତି ତଳ ସବୁ ଚପଳାମୀ
ନିର୍ଘାତ ନିଦାଘେ ବସି ବଜାଇଲି
ଖରାର ଖଞ୍ଜଣି ।

ପାଦତଳୁ ଉଖାରି ଦେଲି ନିଜେନିଜେ
ସବୁତକ ଚମ୍ପାଫୁଲ ମାଟି
ହାଡ଼କୁ ହତିଆର କରି
ଦେଖାଇଲି ଯଉବନ ଶକ୍ତି
ଫିଙ୍ଗିଦେଲି ସମୁଦ୍ରକୁ ଖୋଲି
ବୋଉ ମୋ’ ବାହୁରେ ବାନ୍ଧିଥିବା ସୁରକ୍ଷା ତାବିଜ ।

ସକାଳକୁ ବର୍ଚ୍ଛା ମାରି ଶୁଆଇ ଦେଲି
ଡଙ୍ଗର ତଳେ
ପାହାଡ଼କୁ ପରାଜୟ ବେଡ଼ି ପିନ୍ଧାଇ
ରଖିଦେଲି ଈର୍ଷା କାରାଗାରେ
ଝାଉଁ ବଣେ ସନ୍ଧି କରି ରଖିଲି ନିର୍ବାଣ ସୂଚୀ
ଜହ୍ନକୁ ଫାଶୀ ଦେଲି ଶିମୁଳି ଶାଖାରେ ।

ହନିଟ୍ରାପ୍ ରେ ଅଜାଣତେ ଗୁନ୍ଥି ବସିଲି
ରାଫଲେସିଆ ଫୁଲର ତାରିଖ
ଭୁଲିଗଲି ଚୋରାବାଲି ତଳେ ଅଛି ବୋଲି
ପାଣିର ପ୍ରଖର ସ୍ରୋତ
ଏ ଘଡ଼ିସନ୍ଧି ମୁହୂର୍ତ୍ତେ ବୋଉ ଆଜି ମନେପଡୁଛି ବେଶୀ
କାହିଁକି ସେ କହୁଥିଲା
ନିଆଁ ପାଣିରୁ ଦୂରେଇ ରହିବାର କଥା ।

ସଂପାଦକ-ନୀହାରକନ୍ୟା ସାହିତ୍ୟ ସଂସଦ, ନୂଆଗାଁ, ଶିଙ୍ଗାଖୁଣ୍ଟା, ସୋର ବାଲେଶ୍ଵର, ମୋ- ୮୧୧୭୮୦୫୯୫୯

ଲେଖକ ପରିଚୟ

ବୃତ୍ତି ଯଦିଓ ଜଣେ ଅଣଆନୁଷ୍ଠାନିକ କମ୍ପାନୀରେ କର୍ମଚାରୀ ହେଲେ ସାହିତ୍ୟ ପ୍ରତି ଅଗାଧ ପ୍ରେମ ମୋତେ ବ୍ରତୀ କରି ରଖିଛି ତା ସେବାରେ ଆଜକୁ ୨୬ ବର୍ଷ ହେବ । ୧୯୯୯ ମସିହାରେ ପ୍ରଥମେ the poetry society of Indiaକୁ ତରୁଣ କବି ରୂପେ ମନୋନୀତ ହେଇଥିଲି । ଫକୀର ମୋହନ ସାହିତ୍ୟ ପରିଷଦ ଠାରୁ ଆରମ୍ଭ କରି ରାଜ୍ୟର ଅନେକ ସାରସ୍ଵତ ମଞ୍ଚରୁ ସମ୍ମାନିତ ହେବା ସହିତ ଆକାଶବାଣୀ କଟକ କେନ୍ଦ୍ରର ସୌଜନ୍ୟରୁ ବି ଅନେକ ଲେଖା ପ୍ରସାରିତ ହୋଇଛି । ବର୍ତ୍ତମାନ ନିହରକନ୍ୟା ସାହିତ୍ୟ ସଂସଦର ସମ୍ପାଦକ ଓ ପ୍ରକାଶିତ ଏକ କବିତା ସଂକଳନର ନାମ ‘ପ୍ରତିଲଗ୍ନା’ ।

Related Posts

Leave a Reply

Your email address will not be published. Required fields are marked *