ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର : ସିଦ୍ଧସାଧକ ଭାଗବତକାର ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଗତକାଲି ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି ସମାରୋହରେ ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ବରେଣ୍ୟ ଅତିଥି, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବିଶିଷ୍ଟ ଅତିଥି ଏବଂ ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ରାଜ୍ୟ ସଂସ୍କୃତି ବିଭାଗ ବରପୁତ୍ରମାନଙ୍କ ଜୟନ୍ତୀ ପାଳନ ମାଧ୍ୟମରେ ସେମାନଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇ ଉଦ୍‌ଘାଟନୀ ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ ଓଡ଼ିଆ ଜାତିକୁ ସାକ୍ଷର କରିବାରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭାଗବତ ଥିଲା ଅଗ୍ରସ୍ମରଣୀୟ । ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଅତିବଡ଼ୀଙ୍କ ଜୟନ୍ତୀ ତାଙ୍କ ଜନ୍ମସ୍ଥାନ କପିଳେଶ୍ଵରପୁର ଶାସନ, ସାଧନା ପୀଠ ସାତଲହଡ଼ି ମଠ ଓ ଭୁବନେଶ୍ଵରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓ ଆଲୋଚନା ମାଧ୍ୟମରେ ପାଳିତ ହୋଇଛି । ମୁଖ୍ୟଅତିଥି ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ଅତିବଡ଼ୀ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ନବ ଜାଗରଣ ଆଣିଥିଲେ, ଯାହା ଆଜିଯାଏ ଏ ଜାତିକୁ ସଂଜୀବିତ କରିରଖିଛି । ଶ୍ରୀ ସାମଲ ତାଙ୍କ ବକ୍ତବ୍ୟରେ ଓଡ଼ିଆ ଜାତିକୁ ସାକ୍ଷର କରିବାରେ ଜଗନ୍ନାଥ ଦାସଙ୍କ ଅବଦାନ ଚିରସ୍ମରଣୀୟ ବୋଲି କହିଥିଲେ । ଏହାସହିତ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଦିଗରେ ଯେଉଁ ବ୍ୟାପକ କାର୍ଯ୍ୟକ୍ରମ ନିଆଯାଉଛି, ତାର ସୂଚନା ଦେଇଥିଲେ । ଶ୍ରୀ ରାଉତରାଏ କହିଥିଲେ ଯେ ଅତବଡ଼ୀଙ୍କ ଭାଗବତ ଓଡ଼ିଆ ଜାତିର ବିବେକ ଜାଗ୍ରତ କରିଥିଲା । ଶ୍ରୀ ଦାସବର୍ମା ତାଙ୍କ ବକ୍ତବ୍ୟ ମାଧ୍ୟମରେ ଏକାଡ଼େମୀ ମୁଦ୍ରିତ ଭାଗବତ ଆଉ ଉପଲବ୍ଧ ନଥିବାରୁ ଏହାର ପୁନଃମୁଦ୍ରଣ ଓ ଭାଗବତ ଟୁଙ୍ଗୀର ଅଧିକ ପ୍ରସାର ପ୍ରଚାର ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।

ଜଗନ୍ନାଥ କୁଅଁରଙ୍କ ପରିଚାଳନା ଓ ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନାରେ ଏହି ସମାରୋହରେ ଶୁଚିସ୍ମିତା ମନ୍ତ୍ରୀଙ୍କ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜ ଓ ନିମାକାନ୍ତ ରାଉତରାୟ ଭାଗବତ ଆବୃତ୍ତି କରିଥିଲେ । ପରିଶେଷରେ ଉପସଭାପତି ଡକ୍ଟର ସଂଗ୍ରାମ ଜେନା ସମାପନୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସାରସ୍ଵତ ସଭାରେ ବହୁ ବରିଷ୍ଠ ଓ ତରୁଣ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇଥିବା ସୂଚନା ମିଳିଛି ।

Related Posts

Leave a Reply

Your email address will not be published. Required fields are marked *