କୈଳାସ ଚନ୍ଦ୍ର ସାହାଣୀ

ହୋଇପାରେ ,
କିଛି ଛବି ବି କବିତାକୁ ଜନ୍ମ ଦେଇପାରେ ।

ତୁମେ କେବେ ବାଉଁଶ ରାଣୀ ଖେଳ ଦେଖିଛ ?
ଚକ୍ରି ପରି ଘୂରୁଥିବ ଗୋଟେ ଜୀବନ
ବୟସର ନହକା ବାଉଁଶ ଅଗରେ,
ପେଟ ତଳେ ଚାପି ଦେଇଥିବ
ସବୁ ଭୋକର ଭବିଷ୍ଯତ
ଦେହକୁ ଜାଳୁଥିବ ଉହ୍ନେଇରେ !

ତଳେ ଖୁବ୍ ଗହଳିଚହଳି ଲାଗିଥିବ
ବାଜୁଥିବ ନିନ୍ଦାର ନାଗରା
ଏବେ ଜନ୍ମ ମରଣ ଦୁଇ ଦଣ୍ଡ ମଝିରେ
ଅବଶିଷ୍ଟ ଆୟୁଷ ପାଲଟି ଯାଇଥିବ ରଜ୍ଜୁ
ନିଘା ଥିବ କେବଳ ପାଦକୁ
ଉପରକୁ ମୁଣ୍ଡ ଟେକିଲେ
ଛିଣ୍ଡି ପଡ଼ିବ ଆକାଶ
ଲୁହମାନେ ମେଘ ହୋଇ ଭିଜାଉଥିବେ ମାଟି !

ଏଠି ପଦେ ମିଠା କଥା ବି
ବଡ଼ ମହଙ୍ଗା,
କେହି କଳନା କରିପାରେନା
ବାଉଁଶ ରାଣୀର ଦୁଃଖ,
ପବନକୁ ବିଶ୍ବାସ କରି ନିଶ୍ବାସ ଚାଲିଛି
କିଏ ବଜାଉଛି ବିରହର ବଂଶୀ,
କାହାର ବେଳ ଅଛି ଯେ
ପରଖିବ ଏ ଦୁଃଖ ପଖଳା ମନକୁ,
ସଜାଡ଼ିଦେବ ଟିକେ ଅସଜଡ଼ା
କବିତାର ବର୍ଣ୍ଣମାଳା !!

ଅଧ୍ୟାପକ, ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗଡ଼ପଳାଶୁଣୀ, ଢେଙ୍କାନାଳ, ମୋ-୯୪୩୭୮୪୩୨୧୯

ଲେଖକ ପରିଚୟ

ବୃତ୍ତିରେ ଅଧ୍ୟାପନା ମାତ୍ର ତାଙ୍କର ସାହିତ୍ୟ ଅନୁରାଗୀ ଭାବ ନିଶାରେ ପରିଣତ ହୋଇଛି କହିଲେ ଭୁଲ ହେବନି । ‘ନୀଳକଇଁର ସ୍ଵପ୍ନ’, ‘ଶୀତ ରାତିର ଗୀତ’, ‘ଭୂମି’ ତିନୋଟି କବିତା ସଂକଳନ ପ୍ରକାଶିତ ହୋଇସାରିଥିବାବେଳେ ନିକଟରେ ଚତୁର୍ଥ କବିତା ସଂକଳନ ‘ଶବ୍ଦମନ୍ତ୍ର’ ପ୍ରକାଶିତ ହୋଇଯାଇଛି । ରାଜ୍ୟସ୍ତରୀୟ କବିତା ସମ୍ମାନ, ନୀହାର କନ୍ୟା କବିତା ସମ୍ମାନ, ଜାତୀୟ ସେବା ଯୋଜନାର  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପୁରସ୍କାର, ରାଜ୍ୟ ସ୍ତରୀୟ ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାର ପୁରସ୍କାର ଏବଂ ଜାତୀୟ ସେବା ଯୋଜନାର ଜାତୀୟ ପୁରସ୍କାର ପ୍ରାପ୍ତ କାର୍ଯ୍ୟକ୍ରମ ଅଧିକାରୀ ଆଦି ପୁରସ୍କାରରେ ବିମଣ୍ଡିତ ତାଙ୍କ ସାହିତ୍ୟ ସାଧନା ।

Related Posts

Leave a Reply

Your email address will not be published. Required fields are marked *