କବି ପ୍ରସନ୍ନ ମିଶ୍ରଙ୍କ ୮୩ ତମ ଜୟନ୍ତୀ ପାଳିତ

ଭୁବନେଶ୍ଵର : ‘ଫାଲଗୁନ ଆସର’ ଶୀର୍ଷକରେ ବିଶିଷ୍ଟ କବି ପ୍ରସନ୍ନ କୁମାର ମିଶ୍ରଙ୍କ ୮୩ ତମ ଜୟନ୍ତୀ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ଏହି ସାହିତ୍ୟିକ ଆସରରେ କବି କେଦାର ମିଶ୍ରଙ୍କ ସଭାପତିତ୍ଵରେ କବି ଆଶୁତୋଷ ପରିଡ଼ା ମୁଖ୍ୟ ଅତିଥି, କବି ଭରତ ବେହେରା ମୁଖ୍ୟବକ୍ତା ଓ ଅନୁବାଦିକା ସ୍ନେହପ୍ରଭା ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସ୍ଵର୍ଗତ ମିଶ୍ରଙ୍କ ଉପନ୍ୟାସ ‘ବଢ଼ିପାଣିର ଦାନ୍ତ’ ପଚାଶ ଦଶକରେ ଲେଖା ଯାଇଥିଲେ ମଧ୍ୟ ଓଡ଼ିଶାର ବନ୍ୟା ବିଧ୍ଵସ୍ତ ଗାଁର ଚିତ୍ରକୁ ନିଖୁଣ ଭାବରେ ବର୍ଣ୍ଣନା କରିଛି ବୋଲି ଶ୍ରୀମତୀ ଦାସ କହିଥିଲେ ।

ମୁଖ୍ୟବକ୍ତା ଶ୍ରୀ ବେହେରା ପ୍ରସନ୍ନ ମିଶ୍ରଙ୍କ କବି ସତ୍ତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ଓ ପରେପରେ ମୁଖ୍ୟ ଅତିଥି ଶ୍ରୀ ପରିଡ଼ା କବିଙ୍କ ଲୋକପ୍ରିୟ କବିତା ସିରିଜ୍ ‘ମନିକାର ପ୍ରିୟରେ ମନିକା’କୁ କଳ୍ପନା ଓ ବାସ୍ତବତାର ଅପୂର୍ବ ସମନ୍ଵୟ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ହିରଣ୍ମୟୀ ମିଶ୍ର, ଶକ୍ତି ମହାନ୍ତି ଓ ପିନାକୀ ସିଂ ପ୍ରସନ୍ନ ମିଶ୍ରଙ୍କ କବିତା ପାଠ କରିଥିଲେ ।

କବି କନ୍ୟା ପ୍ରାଚୀତାରାଙ୍କ ସ୍ଵାଗତ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ କୈଳାଶ ପଟ୍ଟନାୟକ, ଗିରିବାଳା ମହାନ୍ତି, ସରୋଜିନୀ ସାହୁ, ଗୋଲାପ ମଞ୍ଜରୀ କର, ଜୟନ୍ତୀ ରଥ, ଅସିତ୍ ମହାନ୍ତି, ସ୍ଵପ୍ନା ମିଶ୍ର, ମାନସ ରଞ୍ଜନ ସାମଲ ଏବଂ କନକମଞ୍ଜରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି ।

Related Posts

Leave a Reply

Your email address will not be published. Required fields are marked *