ନୀଳିମା ନିବେଦିତା
ଜୀବନ ସହଜ ଥିଲା
ପାଣି ପରି
ପବନ ପରି
ମୁଁ, ହଁ ମୁଁ ହିଁ ତାକୁ ଜଟିଳ କରିଦେଲି
ମୋ ବୁଦ୍ଧିରେ, ବିଚାରରେ, ହିସାବନିକାସରେ ।
ଜୀବନ କେବେ ବି ଧୋକା ଦେଇନି
ଧିକାରିନି ମୋତେ
କେବଳ ନେଇଛି କେତେଟା ବୁଲାଣି
ଆଶା, ଆକାଂକ୍ଷା, ଅଭୀପ୍ସାର
ଯାତନା, ଯନ୍ତ୍ରଣା, ଜଞ୍ଜାଳର
ତମେ ତାକୁ ଦୋଷ ଦେଇ ପାରିବନି
ପାରିବନି ତାକୁ କାଠଗଡ଼ାରେ ଠିଆ କରେଇ
ଜୀବନ ସେ, କାଠରେ ବି କଡ଼ ଲେଉଟାଏ
କେବେ ଗଛର ଗଣ୍ଡି ହେଇ
କେବେ ଶପଥ ନେଉଥିବା ବହି, ଗୀତାରେ ।
ଜୀବନ ସହଜ ଥିଲା
ପ୍ରକାଶ ପରି
ଉପବାସ ପରି
ମୁଁ, ହଁ ମୁଁ ତାକୁ ଜଟିଳ କରିଦେଲି
ମୋ ଆହାରରେ, ବିହାରରେ, ଗ୍ରହଣୀୟତାରେ ।
କଳିଙ୍ଗ ବିହାର, ଭୁବନେଶ୍ଵର
ଲେଖକ ପରିଚୟ
ନିଜକୁ ଯେତେବେଳେ ଖୁବ୍ ଅସହାୟ ମଣେ ଏବଂ ଶବ୍ଦମାନେ ଛାଟିପିଟି ହୁଅନ୍ତି ଛାତି ତଳେ, ଠିକ୍ ସେଇବେଳେ ଉତ୍ତାରି ହୁଏ ଭାବ, ଅନ୍ତର୍ନିହିତ କୋହ, କିଛି ଅସ୍ପଷ୍ଟ ଅବ୍ୟକ୍ତ ସ୍ଵର । ସେଗୁଡ଼ିକୁ ବିଭାଗୀକରଣ କଲେ ଗଢି ହୁଏ କବିତା, ଗଳ୍ପ, ପ୍ରବନ୍ଧ ଅବା ସମୀକ୍ଷା । ପ୍ରାୟ ୭ ବର୍ଷ ହେବ ଲେଖାଲେଖି କ୍ଷେତ୍ରରେ ମୁଁ । ‘ସୃଜନ ଇଣ୍ଡିଆ’ ପ୍ରକାଶନୀରେ ଏଯାବତ୍ ଦୁଇ ଖଣ୍ଡ ବହି (ଖଣ୍ଡେ କବିତା ବହି “ନୀଳ ନିରବତା” ଏବଂ ଖଣ୍ଡିଏ ଗଳ୍ପ ବହି “ବାକିଟା ବ୍ୟକ୍ତିଗତ”) ପ୍ରକାଶିତ ହୋଇଛି ।