ଓଡ଼ିଶାରେ ଦିନେ ଗାନ୍ଧୀ

କୈଳାସ ଚନ୍ଦ୍ର ସାହାଣୀ 

କାଠଯୋଡ଼ି କୂଳେ ନରନାରୀ ମେଳେ
ବସିଥିଲେ ଦିନେ ଗାନ୍ଧୀ ଗାନ୍ଧୀ,
ଧୋତି ପାଇଜାମା ଶୋହୁଥିଲା ଦେହେ
ଉତ୍କଳ ଚରଣ ବନ୍ଦି ;
କହୁଥିଲେ ମନୁ ଫାନ୍ଦି…
ଆମରି ଦେଶରେ ଆମେ ପରାଧୀନ
ଦିନ ସରେ କାନ୍ଦିକାନ୍ଦି ।

ଗାନ୍ଧୀ ବୁଲୁଥିଲେ ଓଡ଼ିଶା ରାଇଜ
ବଖାଣି ଜାତିର ଦୁଃଖ,
ଦେଶ ମାତୃକାର ସ୍ବାଧୀନତା ପାଇଁ
ପଛେ ଫିଙ୍ଗି ସାରା ସୁଖ ;
ଜନନୀ ରୋଦନ ଦେଖ…
ସ୍ବାଧୀନତା ପାଇଁ ପ୍ରାଣବଳି ଦେଇ
ମାଆର ସମ୍ମାନ ରଖ ।

ଦେଖିଲେ ନୟନେ ଓଡ଼ିଆଙ୍କ ଭେକ
ଆଣ୍ଠୁଲୁଚା ବସ୍ତ୍ର ଦେହେ,
ଅସ୍ଥିସାର ଦେହ ସତେକି କାଙ୍ଗାଳ
ଗାନ୍ଧୀ ଚିତ୍ତ ଧୀରେ ମୋହେ;
ଫିଙ୍ଗି ନିଜ ବାସ କୋହେ…
ବିଗଳିତ ହେଲା ହୃଦୟର କଥା
ଜଡ଼ସଡ଼ ଆଖି ଲୁହେ ।

ଯେତେ ଦିନ ଦୀନ ଥିବ ଏଇ ଦେଶ
ନପିନ୍ଧିବ ପୁରା ବାସ,
ସେତେଦିନ ମୋର ଆଣ୍ଠୁ ନଲୁଚିବ
ଯାଉ ଯେତେ ଦିନ ମାସ;
ନହୋଇ ଫିରିଙ୍ଗୀ ଦାସ…
ଆମେରେ ସଭିଏଁ ଅଟୁ ଭାରତୀୟ
ସହୁ ପଛେ ଯେତେ କ୍ଲେଶ ।

ଯାଇଥିଲେ ଗାନ୍ଧୀ ମଫସଲ ବୁଲି
ଦେଖିଲେ କରୁଣ ଛବି
ଏ ସମୟେ ଜଣେ ଜନନୀ ଆସିଲେ
କଅଣ ମନରେ ଭାବି;
କାଠ ବୋଝ ଫିଙ୍ଗି ଦୂରେ…
ଲମ୍ବ ହୋଇ ତଳେ ପ୍ରଣିପାତ କଲେ
ନୟନୁ ଲୋତକ ଝରେ ।

ପଚାରିଲେ ଗାନ୍ଧୀ ଏପରି କାହିଁକି
କରିଲ ହେ ମାଆ ମୋର,
ଦେବତା ନୁହଁଇ ନୁହେଁ ଦେବଦୂତ
ମଣିଷଟିଏ ମୁଁ ଛାର;
କହିଲେ ଜନନୀ ଧୀରେ …
ଅଛୁଆଁ ଅଜାତି ଏଇ ଆମ ନୀତି
ସାଷ୍ଟାଙ୍ଗେ ପ୍ରଣାମ କରେ ।

ଭାଳିଲେ ଘଡ଼ିଏ ଏକାନ୍ତରେ ବସି
ଏ ଜାତିକି ଅପମାନ ,
ଆଜିଠୁ ସେ ହରିଙ୍କର ଜନ ହେଲେ
ମିଳୁ ତାଙ୍କୁ ସନମାନ;
ପୁରୀ ଶ୍ରୀକ୍ଷେତ୍ରର ଧାମେ…
ପଦଯାତ୍ରା ତାଙ୍କ ଆରମ୍ଭ ହୋଇଲା
ଦେଶର ମହତ କାମେ ।

ଚାଲିଚାଲି ଥକି ପଡ଼ିବା ବେଳକୁ
କେହିଜଣେ ପଦ ଯାତ୍ରୀ,
ବାଉଁଶ ବାଡ଼ିଟେ କାଟି ଆଣିଦେଲେ
ହୋଇ ଦେଶ ପାଇଁ ବ୍ରତୀ;
ଓଠରେ ଫୁଟାଇ ହସ…
କହିଥିଲେ ବାପୁ ଜୀବନ ସାରା ମୋ
ରହିଥିବ ଏଇ ବେଶ !!

ଅଧ୍ୟାପକ, ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗଡ଼ପଳାଶୁଣୀ, ଢେଙ୍କାନାଳ, ମୋ-୯୪୩୭୮୪୩୨୧୯

ଲେଖକ ପରିଚୟ

ବୃତ୍ତିରେ ଅଧ୍ୟାପନା ମାତ୍ର ତାଙ୍କର ସାହିତ୍ୟ ଅନୁରାଗୀ ଭାବ ନିଶାରେ ପରିଣତ ହୋଇଛି କହିଲେ ଭୁଲ ହେବନି । ‘ନୀଳକଇଁର ସ୍ଵପ୍ନ’, ‘ଶୀତ ରାତିର ଗୀତ’, ଦୁଇ ଗୋଟି କବିତା ସଂକଳନ ପ୍ରକାଶିତ ହୋଇସାରିଥିବାବେଳେ ତୃତୀୟ କବିତା ସଂକଳନ ‘ଭୂମି’ ପ୍ରକାଶ ହେବାକୁ ଯାଉଛି । ରାଜ୍ୟସ୍ତରୀୟ କବିତା ସମ୍ମାନ, ନୀହାର କନ୍ୟା କବିତା ସମ୍ମାନ, ଜାତୀୟ ସେବା ଯୋଜନାର  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପୁରସ୍କାର, ରାଜ୍ୟ ସ୍ତରୀୟ ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାର ପୁରସ୍କାର ଏବଂ ଜାତୀୟ ସେବା ଯୋଜନାର ଜାତୀୟ ପୁରସ୍କାର ପ୍ରାପ୍ତ କାର୍ଯ୍ୟକ୍ରମ ଅଧିକାରୀ ଆଦି ପୁରସ୍କାରରେ ବିମଣ୍ଡିତ ତାଙ୍କ ସାହିତ୍ୟ ସାଧନା ।

Related Posts

Leave a Reply

Your email address will not be published. Required fields are marked *