ଜାନୁଆରୀ ଛବିଶି କ’ଣ କହେ

ଅରୁଣ କୁମାର ତ୍ରିପାଠୀ

ମୋ ପ୍ରିୟର ଭାରତବାସୀ,
ମୋ ପରିବର୍ତ୍ତିତ ଜନ୍ମଦିନରେ ସମସ୍ତଙ୍କୁ ସ୍ନେହାଶୀଷ । ତୁମେମାନେ ସବୁ ଏଇ ବର୍ଷ ମୋ’ର ହୀରକ ଜୟନ୍ତୀ ପାଳନ କରୁଛ । ଯେତେ ସବୁ ସ୍ଥାନରେ ମୋ ଜନ୍ମଦିନ ଉତ୍ସବ ସବୁ ପାଳନ କରାଯାଏ । କେଉଁଠି କାହା ମୁଖରୁ ଅପସଂସ୍କୃତ କଥାଟିଏ ମଧ୍ୟ ଶୁଣିବାକୁ ମିଳେନାହିଁ, ଯଦିଓ କ୍ରିୟାନ୍ୱୟନ କିଛି ଭିନ୍ନ ଧରଣର ହୁଏ । ସମସ୍ତଙ୍କ ମୁଖେ ହସ ବିରାଜୁଛି, କିଏ ଲଡୁ ଖାଇବ ବୋଲି ତ ଆଉକିଏ ସେହି ଲଡୁ କିଣାର ଦୁର୍ନୀତି ସହ ସଂପୃକ୍ତ ଅର୍ଥରାଶିକୁ କେତେଦୂର ଉଦରସ୍ଥ କରିବ ବୋଲି ।

୧୯୩୦ ମସିହାରେ ଅଧୁନା ପାକିସ୍ଥାନରେ ଥିବା ରାବି ନଦୀ କୂଳରେ ପୂର୍ଣ୍ଣ ସ୍ୱରାଜ ଦାବି ସହ ତତ୍କାଳୀନ ଜାତୀୟ ପତାକା ଉତ୍ତୋଳନ ହେଇଥିଲା । ଏଣୁ ୧୯୪୯ ମସିହା ନଭେମ୍ବର ୨୬ ବେଳକୁ ଭାରତୀୟ ସମ୍ବିଧାନର ପ୍ରସ୍ତୁତି ସରିଥିଲେ ହେଁ ୧୯୫୦ ମସିହା ଆଜିର ଦିନରେ ଭାରତବାସୀ ନିଜକୁ ନିଜେ ଅର୍ପଣ କରିଥିଲେ ଏହାର ଆଇନ ପୁସ୍ତକ, ପବିତ୍ର ସମ୍ବିଧାନ । ୩୯୫ଟି ଧାରା ଏବଂ ୯ଟି ଉପଧାରା ଯଦିଓ ପ୍ରାଥମିକ ସ୍ତରରେ ରହିଥିଲା, କିନ୍ତୁ ଧାରା ୩୬୮ ରେ ଥିବା ପ୍ରାବିଧାନ ଯୋଗୁଁ ଆଜି ୪୫୦ରୁ ଅଧିକ ଧାରା ସଂଖ୍ୟା ପହଞ୍ଚିଥିବା ସ୍ଥଳେ ଉପଧାରା ୧୨ ଛୁଇଁଲାଣି । ଆଜି ଭାରତ ବିଶ୍ୱରେ ଗର୍ବ କରୁଛି ବିଶ୍ୱର ସର୍ବବୃହତ ସମ୍ବିଧାନ ବୋଲି କିନ୍ତୁ ମୋର ଏଥିରେ ଦୁଃଖ ଏୟା ଯେ, ଏହାର ସମସ୍ତ ଧାରାକୁ ଚତୁରେ ଚତୁରେ କୋଳାକୋଳି ନ୍ୟାୟରେ ଧନିକ ଏବଂ ବାହୁବଳୀଗଣ ଏଥିରୁ ସବୁଠୁ ଅଧିକ ଲାଭ ନିଅନ୍ତି । ଯଦିଓ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଭେଦ ନିର୍ବିଶେଷରେ ସମସ୍ତେ ଦେଶର ପ୍ରଶାସନିକ ପଦବୀରେ ଯୋଗ୍ୟତା ବଳରେ ଅବସ୍ଥାପିତ ହେଇପାରୁଛନ୍ତି, କିନ୍ତୁ ଏୟା ପୂର୍ଣ୍ଣତଃ ସତ୍ୟ ନୁହଁ । ହେଲେ ମୁଁ ଚାହିଁକି ବା କରିବି କ’ଣ ? ସମସ୍ତେ ମୋର ସନ୍ତାନ, ସମସ୍ତଙ୍କୁ ମୁଁ ମୋ କୋଳରେ ଶରଣ ଦିଏ, ସମସ୍ତଙ୍କୁ ପରିପୁଷ୍ଟ କରିବା ମୋ ଧର୍ମ ।

ଆଇନ ଆଗରେ ସମସ୍ତେ ସମାନ ବୋଲି ଅନେକ ସ୍ଥାନରେ ନିର୍ଦ୍ଦେଶ ରହିଅଛି, କିନ୍ତୁ ହତ୍ୟା ଏବଂ ଦୁଷ୍କର୍ମ ଅପରାଧୀଗଣ ଯେବେ ସାକ୍ଷ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୁଅନ୍ତି, ସେବେ ମୁଁ ବାସ୍ପରୁଦ୍ଧ ହେଇ କାନ୍ଦିବା ଛଡ଼ା ଆହୁକିଛି କରିପାରେ ନାହିଁ । ପୁଣି ବାହୁବଳରେ ଅର୍ଥ ପ୍ରୟୋଗ ହେଇ ସାଧାରଣ ମନୁଷ୍ୟର ବଡ଼ରୁ ବଡ଼ ଯାତନା ଦୁଃଖ ପାଣିରେ ଗାର ସଦୃଶ ଉଭେଇ ଯାଉଥିବା ସ୍ଥଳେ ଉଦ୍ଧତ ଲୋକସବୁ ମିଥ୍ୟା ମକୋଦ୍ଦମାରେ ଅନେକଙ୍କ ଜୀବନ ଦୁର୍ବିସହ କରିଦେଉଛନ୍ତି । ସମସ୍ତଙ୍କ ପାଇ ସମାନ ନ୍ୟାୟ କିଭଳି ସମ୍ଭବ ହେବ ସେୟା ଆଜି ଦିବସରେ ଭାରତୀୟ ବ୍ୟବସ୍ଥାପିକା ଭାବିବା ଉଚିତ । ତୃଣମୂଳ ସ୍ତରରୁ ଥାନା ମାନଙ୍କରେ ପଲିଗ୍ରାଫ ଯନ୍ତ୍ରଟିଏ ଯଦି ଅନ୍ୟୁନ ସ୍ଥାପନ ହେଇପାରନ୍ତା ତେବେ ଅକାରଣରେ ଅନେକ ଲୁହ ବୁହନ୍ତା ନାହିଁ । କିନ୍ତୁ ସବୁ ସ୍ଥାନରେ ଯେ ନ୍ୟାୟିକ ଦୁର୍ନୀତି ହେଉଛି ସେୟା କହିପାରିବା ନାହିଁ । ୧୫୨୭ ମସିହାରେ ସନାତନୀଙ୍କ ଆସ୍ଥା ଏବଂ ବିଶ୍ୱାସର ସମାଧି ଉପରେ ସ୍ଥାପିତ ହେଇଥିବା ଜବନୀ ଗମ୍ବୁଜ ଉପରେ ଏଇ ନିକଟରେ ପୁନଃ ଗଢି ଉଠିଥିବା ଆଧୁନିକ ଭାରତୀୟ ଧାର୍ମିକ ସଂସ୍କୃତିର ରାଷ୍ଟଦୂତ ନିର୍ମାଣ ପରିପ୍ରେକ୍ଷୀରେ ୨୦୧୯ ମସିହାର ଆଦେଶ ଭଳି ଯୁଗାନ୍ତକାରୀ ପଦକ୍ଷେପରେ ଆଜି ଦେଶ ପୁଲକିତ ।

ଦେଶରେ ଗଣତନ୍ତ୍ରର ମନ୍ଦିରରେ ନେତାମାନ ବାଛି ସମ୍ବିଧାନ ଅନୁସାରେ ଦେଶ ଚାଲେ । କିନ୍ତୁ ଏହି ନିର୍ବାଚନର ଫଳ କିଭଳି ହୁଏ ଏବଂ କେଉଁଭଳି ମୂଳଦୁଆର ନେତାସବୁ ବଛାଯା’ନ୍ତି ସେୟା ଦେଖି ମୋ ତନୁମନ ଦୁଃଖିତ ହୁଏ । ଦେଶର ତୃଣମୂଳସ୍ତରେ ଥିବା ପ୍ରଶାସନିକ ଅଙ୍ଗ ଜିଲ୍ଲାର ମୁଖିଆ ହେବା ନିମିତ୍ତ ଭାରତେ ସବୁଠୁ କଷ୍ଟକର ପରୀକ୍ଷା ହେଉଥିବା ସ୍ଥଳେ ବ୍ୟବସ୍ଥାପିକାର ସଦସ୍ୟ ହେଇ ଦେଶ ଚଳେଇବା ନିମିତ୍ତ କୌଣସି ଶିକ୍ଷାଗତ ଯୋଗ୍ୟତା ନଥିବାର କଥା ଶୁଣିଲେ ମୁଁ କାନରେ ହାତଦିଏ । ସାମଗ୍ରିକ ମତଦାନର ଅର୍ଦ୍ଧାଧିକ ସଂଖ୍ୟା ପାଉଥିବା ଦଳ ଅବା ପ୍ରତ୍ୟାଶୀ ଦେଶରେ ସରକାର ଗଠନ କରିପାରନ୍ତି, କିନ୍ତୁ ଆଜିକାଲି ଭୋଟ କିଏ ଦଉଛି ? ସବୁଠୁ ବେଶିରେ ଶତକଡ଼ା ୭୦ ଭାଗ ମତଦାନ ହେଉଛି ଏବଂ ତାହାର ଅଧା ମାନେ ଦେଶର ଜନସଂଖ୍ୟାର ଶତକଡ଼ା ୩୫ ଭାଗ ଅର୍ଥାତ୍ ପାଖାପାଖି ପାସ୍ ମାର୍କ ରଖିଥିବା ବ୍ୟକ୍ତିବିଶେଷ ନତୁବା ଅନୁଷ୍ଠାନ ଦେଶ ଚଳେଇବାର ପାଞ୍ଚ ବର୍ଷିଆ ଠିକା ନେଇଯା’ନ୍ତି । ସେୟାପୁଣି କେବେକେବେ ଜଣଙ୍କୁ ମିଳେନି । ବିଲେଇ ଯୋଡ଼ିକଙ୍କ ଚକୁଳି ଝଗଡ଼ା ଭଳି ବିଭାଗ ବଣ୍ଟନର ଭାଳେନି ଦୁଇ ଦଳ ମଧ୍ୟରେ ପଡ଼େ ତ ଆଉ କେଉଁଠି ଦଶମ ଅନୁଚ୍ଛେଦରେ ଥିବା ପ୍ରାବିଧାନ ଧର୍ମକୁ ଆଖିଠାର ହେଇ ଖୁଲମଖୁଲା ଚାଲେ ଘୋଡ଼ା ବେପାର । ଏହି ବର୍ଷ ଭାରତରେ ୧୮ତମ ଲୋକସଭା ନିର୍ବାଚନ ହେବ, ଯେଉଁଥିରେ ମୁଁ ପୂର୍ଣ୍ଣ ଭୋଟଦାନ ଆଶାକରେ, ଦେଖିବାକୁ ଚାହେଁ ଭାରତୀୟ ନାଗରିକଙ୍କ ଆସ୍ଥା ଏବଂ ପୂର୍ଣ୍ଣ ବହୁମତ ।

ସମସ୍ୟା ଏବଂ ଆଶା ବହୁତ, କିନ୍ତୁ ସମୟ ଊଣା । ହେ ମୋର ଭାରତବାସୀ, ଭାରତକୁ ଏକ ପ୍ରଗତିଶୀଳ ତଥା ବିକଶିତ ଦେଶ କରିବାକୁ ସମସ୍ତେ ବଦ୍ଧ ପରିକର ହେବା ଉଚିତ ।

ଜୟପୁର, ମୋ – ୯୦୭୮୮୩୮୬୨୭

ଲେଖକ ପରିଚୟ

ନବମ ଶ୍ରେଣୀ ପଢିଲା ସମୟରେ କବିତାରୁ ନିଜର ସାରସ୍ୱତ ଯାତ୍ରା ପ୍ରାରମ୍ଭ କରିଥିଲେ । ଅର୍ଥଶାସ୍ତ୍ର, ଲୋକ ପ୍ରଶାସନ, ସମାଜ ଶାସ୍ତ୍ର, ସାମ୍ବାଦିକତା ଏବଂ ଗଣଯୋଗାଯୋଗରେ ସ୍ନାତକୋତ୍ତର ହାସଲ କରିଥିବା ଶ୍ରୀ ତ୍ରିପାଠୀ ଆଦିବାସୀ ଅଧ୍ୟୟନରେ ବିଦ୍ୟାନିଶାନ୍ତ ହାସଲ କରିଅଛନ୍ତି । ସାମ୍ପ୍ରତିକ ବିଷୟକୁ ନେଇ ରାଜ୍ୟର ବିଭିନ୍ନ ଖବରକାଗଜରେ ସ୍ତମ୍ଭ, ଗଳ୍ପ ତଥା କବିତାମାନ ଲେଖନ୍ତି । ଓଡ଼ିଆ ଏବଂ ଇଂରାଜୀ ମିଶାଇ ୩ ଟି ପୁସ୍ତକ ପ୍ରକାଶିତ ହୋଇ ସାରିଥିବାବେଳେ ନିକଟରେ ତାଙ୍କର ଆଉଏକ ପୁସ୍ତକ “ସ୍ମୃତି ଓ ବିସ୍ମୃତି” ପ୍ରକାଶିତ ହୋଇଯାଇଛି ।

Related Posts

Leave a Reply

Your email address will not be published. Required fields are marked *