ମୃଦୁଳା ପାଇଲେ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ ‘

ଭୁବନେଶ୍ଵର : ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’, ‘କାଦମ୍ବିନୀ ପତ୍ରିକା ହାଟ’, କବି-କବିତା କାର୍ଯ୍ୟକ୍ରମ, କୁନାକୁନି ମେଳା ଓ ଶିଶୁ ସାହିତ୍ୟ ମହୋତ୍ସବ ରବିବାର କିଟ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ଭାରତୀୟ ସାହିତ୍ୟିକା ମୃଦୁଳା ଗର୍ଗଙ୍କୁ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪’ ଏବଂ କଥାକାର ତଥା ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ ସଚିବ ବିଜୟ ନାୟକଙ୍କୁ ଚଳିତ ବର୍ଷର ‘କାଦମ୍ବିନୀ ସାହିତ୍ୟ ସମ୍ମାନ’ ମିଳିଛି । ସମ୍ମାନ ବାବଦରେ ଉଭୟଙ୍କୁ ଯଥାକ୍ରମେ ୫ ଲକ୍ଷ ଓ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ସନନ୍ଦପତ୍ର ପ୍ରଦାନ କରାଯାଇଥିଲା । ସେହିପରି ‘ସୁଲେଖା’ ସମ୍ପଦକ ସଦାଶିବ ମିଶ୍ର ଓ ‘ଗୋଧୂଳି’ ସମ୍ପାଦିକା ବିମଳା ସିଂହଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ’ ସହ ୧୦ ହଜାର ଟଙ୍କାର ଅର୍ଥରାଶି ଦିଆଯାଇଥିଲା । ଏଥିସହ ପାଲା ଗାୟିକା ପ୍ରଜ୍ଞା ରାଉତଙ୍କୁ ‘କାଦମ୍ବିନୀ ସମ୍ବର୍ଦ୍ଧନା’ ପ୍ରଦାନ କରାଯାଇଥିଲା । ପ୍ରଫେସର ବୈଷ୍ଣବ ଚରଣ ସାମଲ, ରାଧାବିନୋଦ ନାୟକ, ସୁକାମିନୀ ନନ୍ଦ, ତୁଳସୀ ଓଝା ଓ ପ୍ରଫେସର ନାରାୟଣ ସାହୁଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା’ ପ୍ରଦାନ ସହ ୧୦ ହଜାର ଟଙ୍କାର ଅର୍ଥରାଶି ଦିଆଯାଇଥିଲା । ସମ୍ମାନ ଗ୍ରହଣ କରି ଗର୍ଗ କହିଥିଲେ ଯେ ଓଡ଼ିଆରେ ଯେତେ ସଂଖ୍ୟକ ଲଘୁ ପତ୍ରିକା ରହିଛି, ହିନ୍ଦୀରେ ସେତେ ନାହିଁ । ସେହିପରି ନାୟକ କହିଲେ, କାଦମ୍ବିନୀ ଆମ ରାଜ୍ୟର କେବଳ ପ୍ରତିବିମ୍ବ ନୁହେଁ, ପ୍ରତିଧ୍ଵନି ।

ଉତ୍ସବରେ ଅତିଥି ଭାବେ ବିଶିଷ୍ଟ ଭାରତୀୟ ଲେଖିକା ଅନିତା ଅଗ୍ନିହୋତ୍ରୀ, ବଲିଉଡ଼ ଅଭିନେତା ଅଭୟ ବର୍ମା, ହିନ୍ଦୀ ଚଳଚିତ୍ର ପ୍ରଯୋଜକ ତଥା ନିର୍ଦ୍ଦେଶକ ସନ୍ଦୀପ ସିଂ, ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ତଥା ନିର୍ଦ୍ଦେଶକ ସନ୍ଦୀପ ସିଂ, ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ଵ ବିନୋଦ ଗନତ୍ରା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଅତିଥିମାନେ ‘କାଦମ୍ବିନୀ’ ଓ ‘କୁନିକଥା’ର ଜାନୁଆରୀ ସଂଖ୍ୟାକୁ ଉନ୍ମୋଚନ କରିଥିଲେ । ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଏଥିରେ ସଭାପତିତ୍ଵ କରିଥିଲେ । ‘କାଦମ୍ବିନୀ’ ଓ ‘କୁନିକଥା’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ଵାଗତ ଭାଷଣ ଦେଇଥିଲା ବେଳେ ସମ୍ପାଦିକା ଡ. ଇତିରାଣୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

ଯୁବସାହିତ୍ୟ ସମ୍ମିଳନୀରେ ବିଶିଷ୍ଟ ସାହିତ୍ୟିକ ମିହିର କୁମାର ସାହୁ, ପଞ୍ଚାନନ ନାୟକ ଓ ଚିରଶ୍ରୀ ଇନ୍ଦ୍ରସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡିଲେଶ୍ଵର ରଣା, ସୌମ୍ୟା ମହାପାତ୍ର, ସଞ୍ଜୟ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଗଳ୍ପ ପାଇଁ ପ୍ରଜ୍ଞାପାରମିତା ରଥ, ମିୟୋଗ ରଞ୍ଜନ ପାତ୍ର ଓ ବେଦପ୍ରକାଶ ନାୟକ ଏବଂ କବିତା ପାଇଁ ନିଖିଳେଶ ମିଶ୍ର, ଅବକାଶ ପ୍ରଧାନ, ସଂଘମିତ୍ରା ଭୂତିଆ, ଆଶିଷ କୁମାର ମିଶ୍ରଙ୍କୁ ‘କାଦମ୍ବିନୀ ନବଉନ୍ମେଷ ପୁରସ୍କାର’ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଭାବତୀ ଦାଶ ଓ କୈଳାସ ବେହେରା ସଂଚାଳନ କରିଥିଲେ । ଏଥିସହ ଶିଶୁସାହିତ୍ୟ ସମ୍ମିଳନୀ ଓ କୁନାକୁନି ମେଳାରେ ବିନୋଦ ଗନତ୍ରା, ବିଶିଷ୍ଟ ଆଧ୍ୟାତ୍ମିକ ବ୍ୟକ୍ତିତ୍ଵ ବାବା ରାମନାରାୟଣ ଦାସ ଓ କଲିକତା ସ୍ଥିତ ଏସ. ଆର. ଏଫ. ଟି. ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପ୍ରମୁଖ ଯୋଗ ଦେଇଥିବା ବେଳେ ଯୁଗଳ କିଶୋର ଷଡଙ୍ଗୀ, ଜ୍ୟୋତିର୍ମୟୀ ମହାନ୍ତି, ମାନସ ରଞ୍ଜନ ସାମଲ ଓ ଶରତ କୁମାର ନାୟକଙ୍କୁ ‘କୁନିକଥା ପ୍ରିୟଲେଖକ ସମ୍ମାନ’ ପ୍ରଦାନ କରାଯାଇଥିଲା ।

Related Posts

Leave a Reply

Your email address will not be published. Required fields are marked *