କବିତାର ବାର୍ତ୍ତା

ବିଶ୍ୱେଶ୍ୱର ମାଝୀ

କ ବି ତା
କବିର କଥା
ଜୀବନ ଗୀତା
ସମାଜର ପ୍ରଥା
ସଂସ୍କୃତିର ବାର୍ତ୍ତା
ସଂହତିର ପ୍ରବକ୍ତା
ସଂସ୍କାରଧର୍ମୀ ଗାଥା
ମା’ କୋଳର ଉଷ୍ମତା
ଜ୍ଞାନର ସୁକ୍ଷ୍ମ ନିଗୂଢ଼ତା
ଆଧ୍ୟାତ୍ମିକ ଭାବର ଭର୍ତ୍ତା
ନିର୍ଝରିଣୀର ସ୍ରୋତସ୍ନାତା
ବିହଙ୍ଗମ କୁଜନରେ ସିକ୍ତା
ସୃଜନ ଚେତନାର ସୁକ୍ଷ୍ମତା
ବିଜ୍ଞାନର ପ୍ରଦୀପ୍ତ ଜୟଯାତ୍ରା
ଅବଚେତନର ଗୋପନ ବ୍ୟଥା
ତିକ୍ତମଧୁର ଅନୁଭୂତିର ପ୍ରଗଳ୍ଭତା
ଗୁମ୍ପିତ ଲାଭା ଉଦ୍ଗୀରଣର ଉଗ୍ରତା
କଳାରେ କଳକଳ ସ୍ନିଗ୍ଧ ଚନ୍ଦନ ଚିତା
କାନଭାସପରେ ଚିତ୍ର ସଯତ୍ନେ ସାଇତା
ଉଦ୍ଧାର କରିବ କେଉଁ ଅହଲ୍ୟା ପତିତା
ଭାବର ବୈଭବ ଶବ୍ଦର ମାଧୁର୍ଯ୍ୟମଣ୍ଡିତା
ଉପମା ରୂପକ ଯମକ ଛନ୍ଦ ପଦ ପ୍ରେରିତା
ମା’ର ଲୋରିଠାରୁ ଯୁଗ ଯନ୍ତ୍ରଣାର ବିଦଗ୍ଧତା
ସୁପ୍ତ ସମାଜର ଜାଗ୍ରତକାରୀ ବିପ୍ଳବ ବାରତା
କ୍ଷେତଠାରୁ ଯୁଦ୍ଧର ବଙ୍କର ଯାଏ ଯତ୍ନେ ପଠିତା
ସମୟର ସୀମା ସରହଦ ଡେଇଁ କବି ଜଗଜ୍ଜିତା ।

ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, ମୋ: ୯୧୭୮୪୬୬୧୬୧

ଲେଖକ ପରିଚୟ

ମହାନଦୀ କୂଳରେ ଜନ୍ମ ହେବାର ସୌଭାଗ୍ୟ ପ୍ରକୃତିର ଅପରୂପ ଶୋଭା ଦେଖିବାର ଅନେକ ସୁଯୋଗ ଦେଇଛି । ପେସାରେ ବ୍ୟାଙ୍କର ହେବାର ଦାୟ ମଧ୍ୟରେ ସାହିତ୍ୟକୁ ଜାରି ରଖିଥିଲି ।  ଛନ୍ଦୋବଦ୍ଧ କବିତା କିଛି ଆମ ମାଟିର, ସଂସ୍କୃତିର ତଥା ଐତିହ୍ୟର ଜୟଗାନ ସହ ଅସ୍ମିତା ସ୍ମରଣ କରିବା ଲକ୍ଷରେ ଲେଖନୀ ଚାଳନା କରେ ।

Related Posts

Leave a Reply

Your email address will not be published. Required fields are marked *