ବିନୟ ମହାପାତ୍ର

ଅପ୍ରେଲ ମାସର ଉଦୁଉଦିଆ ଖରାବେଳ, ନାତିନାତୁଣୀମାନଙ୍କର ସ୍କୁଲ କଲେଜ ସବୁ ଛୁଟି । ଲଞ୍ଚ ପରେ ପରେ ସେମାନେ ନିଜ ନିଜ ରୁମରେ ମୋବାଇଲ ଉପରେ ଆଖି ଗଡ଼େଇ ବସି ଥାଆନ୍ତି । ଜେଜେମା ସୁନୀତି ଦେବୀ, ଘରକାମ ସାରି ହାତ ପୋଛୁପୋଛୁ ଛୁଆ ଦୁଇଟା କଣ କରୁଛନ୍ତି ଦେଖି ଆସିବେ ବୋଲି ନାତିନାତୁଣୀଙ୍କ ରୁମ ଆଡୁ ଘେରାଏ ବୁଲି ଆସିଲେ । ଏଇ ବୟସରେ ଟିକିଏ ମନ ହୁଏ ପିଲାଙ୍କ ପାଖରେ ଦି’ଘଡ଼ି ବସିଯିବା ପାଇଁ, ଦି’ପଦ କଥାବାର୍ତ୍ତା ହେବାକୁ, ସେମାନଙ୍କ ସହିତ ଟିକିଏ ହସିଖେଳି ଦେଲେ ମଣିଷ ନିଜର ବୟସ ଭୁଲିଯାଏ । ପିଲାଙ୍କ ସାଥିରେ ପୁଣି ପିଲାଟିଏ ହୋଇଗଲା ପରି ମନେହୁଏ । ନିଜର ଏବଂ ନିଜ ପୁଅ ଝିଅଙ୍କର ପିଲାଦିନର ସ୍ମୃତି ପୁଣି ଆଖି ଆଗରେ ନାଚିଯାଏ । କିନ୍ତୁ ଆଜିକାଲିକା ପିଲାଙ୍କ ପାଖରେ ସମୟ କାହିଁ ? ଖରାଛୁଟିରେ ବି ସ୍କୁଲର ହଲିଡେଜ୍ ହୋମୱାର୍କ ମିଳିଯାଏ । ପିଲାଏ କିଛି ସମୟ ପଢାପଢି କରି ନିଅନ୍ତି, ତାପରେ ଦିନ ସାରା ଟିଭି ନହେଲେ ମୋବାଇଲ ସାଙ୍ଗରେ ବିଜି ହୋଇ ଯାଆନ୍ତି । ଘରୁ ବାହାରି ସାଙ୍ଗ ସାଥୀଙ୍କ ସାଥିରେ ଖେଳକୁଦ କରିବା ଅବା ବୁଲାବୁଲି କରି ଦେହ ମନ ଟିକିଏ ଫୁର୍ତ୍ତି କରିବାକୁ ବି ସେମାନଙ୍କ ପାଖରେ ସମୟ ନାହିଁ, ଆଉ ଏ ବୁଢାବୁଢୀଙ୍କ ପାଇଁ ସମୟ କେଉଁଠୁ ଆସିବ ?

ଜେଜେ ରିଟାୟାର୍ଡ ହେଡକ୍ଲର୍କ, ନାତିନାତୁଣୀଙ୍କର ସ୍କୁଲ ହୋମୱାର୍କରେ କେବେ କିଛି ହେଲ୍ପ ଆବଶ୍ୟକ ହେଲେ ନାତିନାତୁଣୀ ଜେଜେଙ୍କୁ ପଚାରି ନିଅନ୍ତି, ବାସ କେବଳ ସେତିକି ସମ୍ପର୍କ । ନିଜ ଜୀବନର ଅଭିଜ୍ଞତା ପିଲାଙ୍କ ସାଥିରେ ବାଣ୍ଟିବା କି ସେମାନଙ୍କ ସହିତ ଟିକିଏ ହସି ଖେଳି ସମୟ କାଟିବାକୁ କଣ ତାଙ୍କର ମନ ହୁଏନି ! ବହୁତ ମନ ହୁଏ, କାହା ସାଙ୍ଗରେ ବସି ଢେର ସାରା ଗପିବାକୁ, ଜୀବନର ଖଟାମିଠା ଅନୁଭୂତି କାହା ସହିତ ବାଣ୍ଟିବାକୁ, ହେଲେ କାହା ପାଖରେ ଏତେ ସମୟ ଅଛି, ବୁଢାଟା ସାଙ୍ଗରେ ବସି କିଏ ଗପସପ୍ କରିବ ? କେବଳ ଜେଜେମା ଲଞ୍ଚ ସମୟ ହେଲେ ଖୋଜା ପଡ଼େ, ଅବା ଆଉ କିଛି ଦରକାର ପଡ଼ିଲେ । ବାପାମାଆ ଦୁଇ ଜଣ ସରକାରୀ ଚାକିରିଆ । ସେମାନେ ଦିନ ସାରା ଅଫିସରେ । ବୁଢାବୁଢୀଙ୍କ କାମ କେବଳ ଘର ଜଗିବା । ଦୁଇ ଚାରି ଦିନ ଏପରି ବି ଚାଲିଯାଏ, ଯେବେ ନା ନାତିନାତୁଣୀ ନା ପୁଅବୋହୂ କାହା ସହିତ ପଦେ କଥା ହେବାର ବି ସୁଯୋଗ ମିଳେନି । ସମସ୍ତେ ନିଜନିଜ କାମରେ ବହୁତ ବ୍ୟସ୍ତ । ବୁଢାବୁଢୀଙ୍କ ପାଇଁ ସମୟ କାହା ପାଖରେ ଅଛି !

ସକାଳେ ଘର କାମକାମ କରିବାକୁ ଆସୁଥିବା ମାଳତି ନିତି ନମସ୍କାରଟିଏ କରି ବୁଢା ବାବୁ ଆଉ ମାଆଙ୍କର ଦେହପା’ କଥା ପଚାରି ନିଏ । ତଥାପି ଅନାଦି ବାବୁ ନିଜକୁ ବଡ଼ ଭାଗ୍ୟବାନ ମନେ କରନ୍ତି, ଗର୍ବ ବି ଅନୁଭବ କରନ୍ତି । ଆଜିକାଲିକା ଯୁଗରେ ପିଲାଏ ବୁଢା ବାପାମାଆକୁ ଏକୁଟିଆ ଛାଡ଼ି ଅଲଗା ରହୁଛନ୍ତି, ନହେଲେ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି, କିନ୍ତୁ ତାଙ୍କ ପୁଅବୋହୂ ଏବେବି ତ ତାଙ୍କ ସାଙ୍ଗରେ ଅଛନ୍ତି । ସାଙ୍ଗରେ ଅଛନ୍ତି କଣ, ସତ କହିବାକୁ ଗଲେ ସେମାନେ ପୁଅବୋହୂଙ୍କ ପାଖରେ ଅଛନ୍ତି । ଏତିକି ତ ଭାଗ୍ୟ ପାଇଛନ୍ତି ସେମାନେ, ସବୁଦିନ ପିଲାମାନଙ୍କୁ ଆଖି ସାମ୍ନାରେ ଦେଖୁଛନ୍ତି । ନହେଲେ ଏ ବୟସରେ ଏକୁଟିଆ ରହିବା କେତେ ଯନ୍ତ୍ରଣାଦାୟକ ହୋଇଯାଆନ୍ତା ସତେ ! ଏତିକି ଭରସା ତ ଅଛି, ପିଲାଏ ପାଖରେ ଅଛନ୍ତି ଦେହପା’ କେବେ କିଛି ଅସୁବିଧା ହୋଇଗଲେ ଦେଖାଶୁଣା କରିପାରିବେ । ଦି’ଓଳି ଦି’ ବକତ ଠିକ୍ ସମୟରେ ଖାଇବାକୁ ମିଳିଯାଉଛି, ଏହାଛଡ଼ା ଏ ବୟସରେ ଆଉ ଅଧିକ କଣ ବା ଲୋଡ଼ା ? ଏ ବୟସରେ ନିଜେ ହାତରେ ରାନ୍ଧି ଖାଇବା, ଘରଯାକର କାମ ନିଜେନିଜେ କରିବା କେତେ କଷ୍ଟକର ହୋଇଯାଆନ୍ତା !

ପୁଅବୋହୂଙ୍କର ଅବା ଦୋଷ କଣ, ଆଜିକାଲି ଯୁଗରେ ଘର ଚଳେଇବା, ପିଲାଙ୍କୁ ପାଠ ପଢେଇବା, ସମାଜର ଅନ୍ୟମାନଙ୍କ ସହିତ ନିଜର ଷ୍ଟାଟସ ସମାନ ବା ଅଧିକା ରଖିବାର ପ୍ରତିଯୋଗିତାରେ ସମସ୍ତଙ୍କ ଆଗରେ ରହିବା କଣ କିଛି କମ୍ କଥା ? ଏସବୁ ପାଇଁ ବହୁତ ପଇସା ଦରକାର । ପୁଅବୋହୂ ଦି’ଜଣ ଲାଗି ପଡ଼ିଛନ୍ତି ପଇସା ରୋଜଗାରରେ । ଅନାଦିବାବୁ ମନେମନେ ଭାବନ୍ତି, ସେ ନିଜେ ବି ତ ଘରସଂସାର କରିଥିଲେ, ପିଲାମାନଙ୍କୁ ଭଲ ସ୍କୁଲରେ ପାଠ ପଢେଇ ଝିଅକୁ ଡାକ୍ତର, ପୁଅକୁ ଇଞ୍ଜିନିୟର କରିଲେ । ଅନେକ ଜଞ୍ଜାଳ ସତ୍ତ୍ୱେ ପରିବାରର ସମସ୍ତଙ୍କ ପାଇଁ ସମୟ ଥିଲା ତାଙ୍କ ପାଖରେ । ବାପାମାଆ, ଭାଇଭଉଣୀ, ବନ୍ଧୁବାନ୍ଧବ, ସାଙ୍ଗସାଥି ସମସ୍ତଙ୍କ ପାଇଁ ସମୟ ବାହାର କରୁଥିଲେ । ସଂଧ୍ୟାରେ ଅଫିସରୁ ଫେରିଲା ପରେ ବାପାମାଆଙ୍କ ପାଖରେ ଘଣ୍ଟାଏ ଅଧ ଘଣ୍ଟାଏ ବସି ଯାଉଥିଲେ, ଦେହପା’ କଥା ପଚାରୁଥିଲେ, କିଛି ନହେଲେ ପୁରୁଣା ଦିନର କଥା ମନେପକାଇ ଗପସପ କରି ହସିହସି ଗଡ଼ି ଯାଉଥିଲେ । ପିଲାଙ୍କ ସହିତ ବସି ସେମାନଙ୍କ ପାଠପଢା, ଦେହପା’ କଥା ବୁଝୁଥିଲେ, ସେମାନଙ୍କର ସବୁ ସମସ୍ୟାରେ ସେ ତାଙ୍କ ସାଥିରେ ଠିଆ ରହୁଥିଲେ, ସେମାନଙ୍କର ସବୁ ସନ୍ଦେହ ଦୂର କରୁଥିଲେ, ସମାଜରେ ଜଣେ ଭଲ ମଣିଷ ହୋଇ ରହିବା ପାଇଁ ଶିଖାଉଥିଲେ, ରାତିରେ ସାରା ପରିବାର ଏକାଠି ବସି ଖାଉଥିଲେ ।

ଅସଲ କଥା ହେଲା, ଅନାଦି ବାବୁ ଯେଉଁ ସମୟର ମଣିଷ, ସେ ସମୟରେ ମଣିଷର ଆବଶ୍ୟକତା ବହୁତ କମ୍ ଥିଲା । ସମସ୍ତେ ଅଳ୍ପକେ ସନ୍ତୁଷ୍ଟ ରହୁଥିଲେ, ଯାହା ଯେତିକି ମିଳିଗଲା ସେଥିରେ ଖୁସି ହୋଇଯାଉ ଥିଲେ । ବସ୍ତୁ ଅପେକ୍ଷା ମାନବୀୟ ସମ୍ବେଦନା ତଥା ମାନବିକ ସମ୍ପର୍କକୁ ଅଧିକ ମହତ୍ତ୍ଵ ଦେଉଥିଲେ । ତାଙ୍କ ସମୟରେ ସମ୍ପର୍କ ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଥିଲା । ଲୁଗା ଚିରିଗଲେ କି ଫାଟିଗଲେ ସେମାନେ ସେଥିରେ ରଫୁ ପକାଇ ପୁଣି ବ୍ୟବହାର କରୁଥିଲେ, ସେମିତି ସମ୍ପର୍କରେ ଫାଟ ପଡ଼ିଗଲେ ସେମାନେ ଏକାଠି ବସି ସବୁର ସମାଧାନ କରୁଥିଲେ । କିନ୍ତୁ ଆଜିକାଲିର ମଣିଷ ପାଇଁ ସେ ଲୁଗା ହେଉ କି ସମ୍ପର୍କ ହେଉ, ଥରେ ଫାଟ ପଡ଼ିଗଲେ ସେଥିରେ ଆଉ କେହି ରଫୁ ପକାଇବାକୁ ଭାବୁନି, ବରଂ ସିଧା ରିଜେକ୍ଟ କରି ଫୋଫାଡ଼ି ଦେଉଛି । ଆଜି ସମ୍ପର୍କ ବଡ଼ କଥା ନୁହେଁ, ଆବଶ୍ୟକତା ଅନୁସାରେ ଷ୍ଟାଟସ ଦେଖି ସମ୍ପର୍କ ଗଢାହୁଏ ଆଉ ବିଗିଡ଼େ ମଧ୍ୟ । ଏପରି ନୁହେଁ ଯେ ସେତେବେଳେ ନିଜର ଷ୍ଟାଟସ ବା ବଡ଼ପଣ ଦେଖେଇ ହେବାର ପ୍ରତଯୋଗିତା ନଥିଲା । ହେଲେ ସେ ପ୍ରତିଯୋଗିତା ସବୁ ଭଲ ମଣିଷପଣିଆର ପ୍ରତିଯୋଗିତା ଥିଲା । କିଏ କେତେ ଭଦ୍ର, କେତେ ନମ୍ର, କେତେ ବନ୍ଧୁବତ୍ସଳ, କେତେ ପରୋପକାରୀ, ସେଥିରୁ ମଣିଷର ବଡ଼ପଣିଆ ପରଖା ଯାଉଥିଲା । କିନ୍ତୁ ଆଜିର ବସ୍ତୁ ସର୍ବସ୍ୱ ଦୁନିଆରେ ନିଜର ବସ୍ତୁ ପ୍ରଦର୍ଶନର ପ୍ରତିଯୋଗିତାରେ କାହା ପାଖରେ କେତେ ଧନ ଅଛି, କାହାର କେତେ ବଡ଼ ଘର, କାହାର କେତେ ବଡ଼ ଗାଡ଼ି ଏ ସବୁର ମୂଲ୍ୟାଙ୍କନ ହେଉଛି । ମଣିଷପଣିଆ ସତେ ମରିଯାଇଛି ସମସ୍ତଙ୍କ ହୃଦୟରେ । ଏଇ ‘ଆବଶ୍ୟକତା’ ଆଜି ଏକ ମହାମାରୀ ପରି ବଢିବଢି ଚାଲିଛି ।

ତାର ଏମିତି ଘର ତ ମୋର ବି ତା ଠାରୁ ବଢିଆ ହେବା ଦରକାର, ସେ ଅମୁକ ଗାଡ଼ି ଚଢୁଛି ତ ମୋର ତାଠାରୁ ଭଲ ଗାଡ଼ି ହେବା ଦରକାର, ତା ପୁଅଝିଅ ଅମୁକ ସ୍କୁଲରେ ପଢୁଛନ୍ତି ତ ମୋ ପିଲାଏ ତାଠାରୁ ମହଙ୍ଗା ସ୍କୁଲରେ ପଢିବେ । ସତରେ ଯେପରି ଗୋଟାଏ ପ୍ରତିଯୋଗିତା ଭିତରେ ମଣିଷ ବଞ୍ଚିଛି । ସମସ୍ତେ ସମସ୍ତଙ୍କ ଠାରୁ ଉଚ୍ଚା ଦେଖେଇ ହେବା ପାଇଁ ପାରୁପର୍ଯ୍ୟନ୍ତ ପ୍ରୟାସରତ, ଏପରି ଧାଁଦୌଡ଼ ଭରା ଜୀବନରେ ଗୋଟିଏ ମଣିଷ ପାଖରେ ଅନ୍ୟ ମଣିଷଙ୍କ ପାଇଁ ସମୟ କାହିଁ ?

ସଂଧ୍ୟାରେ ପୁଅବୋହୂ ଅଫିସରୁ ଫେରିଲା ବେଳକୁ ବହୁତ ଥକି ଯାଆନ୍ତି, ତଥାପି ବୋହୂ ରାତି ଖାଇବା ପ୍ରସ୍ତୁତ କରିବା ପାଇଁ ସେ ତାର ରୋଷେଇ ଘରେ ବ୍ୟସ୍ତ ହୋଇଯାଏ । ପୁଅ ଟିଭିରେ ନ୍ୟୁଜ ଚାନେଲ ଲଗାଇ ଦେଇ, ଲାପଟପ୍ ନେଇ ବସିଯାଏ, ତଥାପି ତାର କାମ ସରେନା । ପିଲାମାନେ ନିଜ ନିଜ ରୁମରେ ପାଠପଢା, ନହେଲେ ମୋବାଇଲରେ ବ୍ୟସ୍ତ । ବୁଢାବୁଢୀ ଦି’ଜଣ ନିଜ ରୁମରେ ଏକୁଟିଆ । କିଏ କେତେବେଳେ ଖାଏ ତାର କିଛି ଠିକଣା ନାହିଁ, ରାତି ସାଢେ ନଅଟା ବେଳେ ଅନାଦି ବାବୁଙ୍କର ଖାଇବା ଅଭ୍ୟାସ, ତେଣୁ ଘଣ୍ଟା କଣ୍ଟା ଏପଟ ସେପଟ ହୁଏନି, ଠିକ୍ ସମୟରେ ବୋହୂ ଖାଇବା ବାଢିଦିଏ । ବୁଢାବୁଢୀ ଦିଜଣ ଖାଇ ନିଅନ୍ତି । ଆଜିକାଲି ବାପାମାଆଙ୍କ ପାଖରେ ସମୟ ନାହିଁ ନିଜ ପିଲାମାନଙ୍କୁ ପାଖରେ ବସେଇ ଦି’ପଦ କଥା ହେବେ, ସେମାନଙ୍କ ପଢାପଢି, ଦେହପା’ ବିଷୟରେ ଖବର ନେବେ କି ସେମାନଙ୍କୁ କିଛି ଭଲ କଥା ଶିଖେଇବେ । କେହି ଏହାକୁ ଆବଶ୍ୟକ ବୋଲି ମନେ କରନ୍ତି ନାହିଁ । ପିଲାଏ ତ ଦାମିକା ସ୍କୁଲରେ ପଢୁଛନ୍ତି, ସବୁ କିଛି ସେଇଠୁ ଶିଖିନେବେ । ତା’ଛଡ଼ା ଟିଭି, କମ୍ପୁଟରରେ ସବୁ ଜ୍ଞାନର ଭଣ୍ଡାର ଠୁଳ ହୋଇଛି, ସବୁଠାରୁ ବଡ଼ କଥା ହେଲା ପିଲାଙ୍କ ପାଖରେ ମୋବାଇଲ ଅଛି, ନେଟପ୍ୟାକ୍ ଅଛି, ସାରା ଦୁନିଆର ଜ୍ଞାନ ନିଜ ନିଜର ଆଙ୍ଗୁଠି ମୁନରେ । ହେଲେ ପିଲାଏ କଣ ଦେଖୁଛନ୍ତି, କେଉଁ ପ୍ରକାରର ଜ୍ଞାନ ଆହରଣ କରୁଛନ୍ତି ତାର ଖବର କିଏ ରଖୁଛି ?

ରାତି ଖାଇବା ସରିଲା ପରେ ଅନାଦିବାବୁ ଅଗଣାରେ ପଚାଶ କି ଶହେ କଦମ ଚାଲି ସାରିବା ପରେ ଶୋଇବା ଘରକୁ ଚାଲି ଆସନ୍ତି । ବେଡରେ ଗଡ଼ିପଡ଼ି ଖଟ ବାଡ଼ାକୁ ଆଉଜି କଣ ଗୋଟାଏ ବହି ହେଉକି ମାଗିଜିନ୍ ପଢିବାରେ ମଗ୍ନ ହୋଇ ଯାଇଥାନ୍ତି । ସେତିକିବେଳେ ସୁନୀତି ଦେବୀ ଖାଇବା ଟେବୁଲ ଉପରୁ ଅଇଠା ବାସନ ଉଠାଇ ରୋଷେଇଘର ସିଙ୍କରେ ଥୋଇ ବେଡରୁମକୁ ଆସିଗଲେ । ହାତ ପୋଛୁପୋଛୁ ବେଡ଼ ଉପରେ ଅନାଦି ବାବୁଙ୍କ ପାଖରେ ଗଡ଼ିପଡ଼ି କହିଲେ,

– ତୁମେ ଆଜିଯାଏ ସେଇ ପୁରୁଣା ଯୁଗରେ ରହିଗଲ । ଆଶୁ କହୁଥିଲା, ସାରା ଦୁନିଆର ଖବର, ସବୁ ପ୍ରକାରର ବହି, ସିନେମା, ସବୁ ଅଛି ମୋବାଇଲରେ, ଆଉ ତ ଆଉ ପୁରା ପୁରା ସିନେମା ବି ଦେଖି ହେବ ଆମର ଏ ମୋବାଇଲରେ । କିନ୍ତୁ ତୁମେ ଅଟକିଗଲ ସେଇ ବହିପଢା ଯୁଗରେ । ଆଜିକାଲି ଖବର ପାଇଁ ରେଡିଓ କିଏ ଶୁଣୁଛି, ନା ପଢିବା ପାଇଁ ବହି ମାଗାଜିନ ଖୋଜୁଛି ? ଏକା ତୁମେ ମୋବାଇଲ ଛାଡ଼ି ଏଇ ବହିରେ ହଜି ଯାଉଛ । ତୁମେ ମୋବାଇଲରେ ବହି ପଢୁନ ? ସବୁ ଖବର କାଗଜ ହେଉ କି ମାଗାଜିନ୍ ସବୁତ ଅଛି ମୋବାଇଲରେ । ତୁମେ ନିଉଜ୍ ଦେଖନ୍ତ, ବହି ପଢନ୍ତ, ବେଳେବେଳେ ମୋତେ ବି ଟିକିଏ ସିନେମା ଦେଖେଇ ଦିଅନ୍ତ । ହଲରେ ଯାଇ ସିନେମା ଦେଖିବାରେ ଯୁଗେ ବିତିଗଲାଣି । ପିଲାମାନଙ୍କର ଜନ୍ମ ପୂର୍ବରୁ ଆମେ କେତେ ସିନେମା ଦେଖୁଥିଲେ । ତୁମେ ଅଫିସ ଗଲାବେଳେ କହି ଦେଇଯାଅ, ଚାଲ ଆଜି ସଂଧ୍ୟାରେ ସିନେମା ଦେଖିଯିବା, ତାପରେ ବାହାରେ କେଉଁ ହୋଟେଲ ଖାଇଦେଇ ଆସିବା । ସଂଧ୍ୟାରେ ମୁଁ ଅଫିସରୁ ସିଧା ହଲ ପାଖରେ ପହଞ୍ଚି ଯାଇଥିବି, ନିତିଆକୁ କହି ଦେଇଥିବି, ସେ ତା ରିକ୍ସାରେ ତୁମକୁ ହଲ ପାଖରେ ପହଞ୍ଚାଇ ଦେବ, ମୁଁ ସେଇଠି ତୁମର ଅପେକ୍ଷା କରିଥିବି । ଠିକ୍ ସାଢେ ପାଞ୍ଚଟା ବେଳକୁ ତୁମେ ରେଡ଼ି ହୋଇ ଯାଇଥିବ ।

ଅନାଦି ବାବୁ ଆଖି ବନ୍ଦକରି ସେଇ ପୁରୁଣା ଦିନକୁ ସତେ ଆଉ ଥରେ ଦେଖୁଥିଲେ, ଆଖି ଖୋଲି ଟିକିଏ ରୋମାଣ୍ଟିକ ହୋଇ ସୁନୀତି ଦେବୀଙ୍କୁ ପାଖକୁ ଟାଣି ନେଇ କହିଲେ,

– ପୁରୁଣା ଦିନ ମନେ ପକେଇଦେଲ । ସେ ବିତିଗଲା ସୁନେଲି ଦିନଗୁଡ଼ିକ ଆଉଥରେ ଫେରି ଆସନ୍ତାନି ! ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗେ, ବିନା ମୋବାଇଲରେ ବି ଆମ ଭିତରେ ଯୋଗସୂତ୍ର ସତରେ କେତେ ପ୍ରଖର ଥିଲା । ତୁମେ ଯେତେବେଳେ ରିକ୍ସାରୁ ଓହ୍ଲାଅ, ମୁଁ ଚକିତ ରହିଯାଏ, ତୁମେ ମୋ ମନ କଥା କେତେ ସହଜରେ ଜାଣିନିଅ, ମୋ ପସନ୍ଦ ନାପସନ୍ଦ ସବୁ ତୁମକୁ ଜଣାଥାଏ, ମୁଁ କଣ ଭାବୁଛି କଣ ଚାହୁଁଛି ତାହା କହିବା ଆଗରୁ, ସବୁ ତୁମେ ଆଗୁଆ ଜାଣିନିଅ । ସିନେମା ହଲ ପାଖରେ ମୁଁ ତୁମକୁ ଯେଉଁ ଶାଢୀରେ ଦେଖିବାକୁ ଭାବିଥାଏ, ତୁମେ ଠିକ୍ ସେଇ ଶାଢୀ ପିନ୍ଧି ଆସିଥାଅ, ସତ କୁହ, ମୋ ମନ କଥା ତୁମେ କେମିତି ଜାଣିଯାଅ ?

ସୁନୀତି ଦେବୀ ଅନାଦିବାବୁଙ୍କ ବାହୁ ବନ୍ଧନରୁ ମୁକୁଳି ଯାଇ ଫିକ କିନା ହସି ଦେଲେ । ଯେତେବେଳେ ନୂଆ ବୋହୂଟିଏ ହୋଇ ଆସିଥିଲେ ସେତେବେଳେ ଯେମିତି ଦୁଷ୍ଟାମୀର ହସ, ଠିକ୍ ସେମିତି ମିଠା ହସ ଧାରେ ମୁହଁରେ ତାଙ୍କର ଝଲସି ଉଠୁଥିଲା । ଫରକ ଖାଲି ଏତିକି ଥିଲା, ସେତେବେଳେ ତାଙ୍କ ମୁହଁରେ ମୁକ୍ତା ପରି ବତିଶ ଦାନ୍ତ ଥିଲା, ଆଉ ଏବେ, ଆଗପଛ ଉପର ତଳ ସବୁ ମିଶେଇ ଦଶଟା ବି ବଞ୍ଚିନି । ତଥାପି ପାକୁଆ ପାଟିର ଏଇ ହସରେ ଏବେ ବି ସେତିକି ମିଠା ଅଛି, ଯେତିକି ଆଗରୁ ଥିଲା । ସେମିତି ହସ ହସ ମୁହଁରେ ସୁନୀତି ଦେବୀ କହିଲେ,

– ବୁଝିଲ, ଆମ ସମୟରେ ମୋବାଇଲ ନଥିଲା ପରା । ଛାଡ଼ ସେ କଥା । ସିନେମା ନହେଲେ ନାହିଁ, ତୁମେ ତୁମ ମୋବାଇଲରେ ବହି ପଢିବା ଆରମ୍ଭ କରିଦେଲେ ମୋର ଅଧା କାମ କମ୍ ହୋଇଯାଆନ୍ତା । ଚଷମାର କାଚ ପୋଛୁପୋଛୁ ଅନାଦି ବାବୁ ଆଶ୍ଚର୍ଯ୍ୟ ହୋଇ ସୁନୀତି ଦେବୀଙ୍କ ମୁହଁକୁ ଚାହିଁ ପଚାରିଲେ ମୋବାଇଲରେ ବହି ପଢିଲେ ତୁମର ଅଧା କାମ କେମିତି କମ୍ ହୋଇଯିବ? ସୁନିତି ଦେବୀଙ୍କ ପାଖରେ ଉତ୍ତର ଯେପରି ଆଗରୁ ପ୍ରସ୍ତୁତ ଥିଲା, ସାଙ୍ଗେ ସାଙ୍ଗେ କହିଲେ,

– ତୁମେ ବୁଢା ହୋଇଗଲଣି, ସବୁ କିଛି ଜଲଦି ଭୁଲିଯାଉଛ । ବହି ପଢି କେତେବେଳେ ବାରଣ୍ଡାରେ ଆରାମ ଚୌକୀ ଉପରେ ତ କେତେବେଳେ ବୈଠକର ସୋଫା ଉପରେ, କେବେ ଖାଇବା ଟେବୁଲ ଉପରେ ଛାଡ଼ି ଭୁଲିଯାଉଛ । ପଛରେ ସୁନି, ସୁନି କରି ଡାକ ପକେଇବ, ବହିଟା କୋଉଠି ରହିଲା ବୋଲି ପଚାରି ହେବ । ଖୋଜିବା କାମ ତ ମୋର ନା ? ଏଠୁସେଠୁ ବହି ଉଠାଇ ପଢା ଟେବୁଲ ଉପରେ ସାଇତିବାରେ ମୋର ଅଧା ଦିନ ଚାଲି ଯାଉଛି ।

ଅନାଦି ବାବୁ ଟିକିଏ ହସି କହିଲେ,

– ଆଗୋ ସେଇ ପୁରୁଣା ଲ୍ୟାଣ୍ଡ ଲାଇନ ଫୋନଟାର ଅଭ୍ୟାସ ଭୁଲିହେଉନି ଆଜିଯାଏ, ତା ଛଡା ଫୋନର କାମ ବା କଣ ? କେବଳ ଦରକାର ହେଲେ କାହା ସାଙ୍ଗେ ଦୁଇ ପଦ କଥାବାର୍ତ୍ତା ହୋଇଯିବା, ବାସ୍ ଏତିକି । ଅଧାରୁ ଅଧିକ ସାଙ୍ଗସାଥୀ, ବନ୍ଧୁବାନ୍ଧବ ତ ଆରପୁରକୁ ଚାଲି ଗଲେଣି । ଆଉ ଏଇ ମୋବାଇଲ ଫୋନର ନେଟୱାର୍କ ବି ସେଯାଏ ପହଞ୍ଚି ପାରିବନି । ବାକି ଯୋଉ କେତେ ଜଣ ଅଛନ୍ତି, ମଝିରେ ମଝିରେ ସେମାନଙ୍କ ସାଙ୍ଗରେ କଥା ହେଇଯାଉଛି । ମୋବାଇଲରେ ବହି ପଢିବା କଥା କହୁଛ ଯେ, ବହି ପଢିବାର ମଜା ଏଇ ଫୋନରୁ କଣ ମିଳିପାରିବ ? ପୃଷ୍ଟା ପରେ ପୃଷ୍ଟା ଓଲଟେଇ ସେଇ ଛପା ଅକ୍ଷର ଭିତରେ ବହିର କଥା କହାଣୀ ଚରିତ୍ର ସବୁ ଯେମିତି ସତସତକା ନିଜ ନଜର ସଂଳାପ ନିଜେ ଆବୃତ୍ତି କଲା ପରି ଲାଗନ୍ତି । ଏଇ ଛୋଟ ମୋବାଇଲର ଛୋଟ ଛୋଟ ଅକ୍ଷର ଭିତରେ କାହାକୁ ନା ଦେଖି ହୁଏ, ନା ଅନୁଭବ କରି ହୁଏ । ବହିର ମଜା ଯିଏ ପାଇଛି, ସେ କଣ କେବେ ମୋବାଇଲ କଥା ଭାବିବ ? ବହି ସହିତ ପାଠକର ବନ୍ଧୁତା ହୋଇଯାଏ, ପାଠକ ବହି ପଢେ, ସାଇତି ରଖେ । ବହିମାନଙ୍କର ଯତ୍ନ ନିଏ, ଯେତେବେଳେ ଏକୁଟିଆ ଅନୁଭବ କରେ ବହିମାନଙ୍କ ସହିତ ବସିଯାଏ, ଯେପରି ପୁରୁଣା ବନ୍ଧୁଟିଏ । କିନ୍ତୁ ଆଜିର ମଣିଷ ସତେଯେପରି ନିସଙ୍ଗ ହୋଇ ଯାଇଛି । ସେ କେବଳ ନିଜେ, ନିଜ ସହିତ ବନ୍ଧୁତା କରି ନେଇଛି । ନିଜ ବ୍ୟତୀତ ଆଉ କାହା ସହିତ ତାର କିଛି ସମ୍ପର୍କ ହିଁ ନାହିଁ ।

ଏବେ ମଣିଷର ସବୁ ସମ୍ପର୍କ ବେତାର ହୋଇ ଯାଇଛି । ହୃଦୟ ସହିତ ହୃଦୟର ଯୋଗାଯୋଗ ନାହିଁ । ନ କହିଲେ କେହି ଶୁଣୁନି, ବୁଝେଇ ନକହିଲେ କେହି ବୁଝୁନି, କାହା ସହିତ ବସିବା ଉଠିବା, ଦି’ପଦ କଥା ହେବା, ଦୁଃଖସୁଖ ବାଣ୍ଟିବା, ମଣିଷ ପୁରା ଭୁଲି ସାରିଲାଣି । ଆଜିକାଲି ମଣିଷର ଏକମାତ୍ର ବନ୍ଧୁ ମୋବାଇଲ, ସେ ସାଥିରେ ଥିଲେ ଆଉ କାହା କଥା ମନେ ପଡ଼େନା । କିନ୍ତୁ ସେତେବେଳେ ଆମ ପାଖରେ ମୋବାଇଲ ନଥିଲା, ତଥାପି ନକହିବି ଅନେକ କଥା ଶୁଣି ହେଉଥିଲା, ନଶୁଣି ବି ଅନେକ କଥା ବୁଝି ହେଉଥିଲା । କାରଣ ସେ ସମ୍ପର୍କ ପାଇଁ କିଛି ନେଟୱାର୍କର ଆବଶ୍ୟକତା ନଥିଲା । ହୃଦୟ ସହିତ ହୃଦୟ ଯୋଡ଼ି ହୋଇ ରହିଥିଲା । ସମ୍ପର୍କ ସବୁ ଆତ୍ମାର ଥିଲା । ସବୁଠାରୁ ମଜା କଥା କଣ ଜାଣିଛ ? ମୋବାଇଲ କମ୍ପାନୀର ଆଡଭର୍ଟାଇଜରେ ସେମାନେ ଲେଖନ୍ତି ‘connecting people’ ମାନେ ଆମେ ମଣିଷ ସହିତ ମଣଷର ସମ୍ପର୍କକୁ ଦୃଢ କରୁ, କିନ୍ତୁ ବାସ୍ତବରେ ମୋବାଇଲ କଣ ମଣିଷର ସମ୍ପର୍କକୁ ଦୃଢ କରୁଛି ? ମାଆ ମୋବାଇଲ ଭିତରେ ଏପରି ହଜିଯାଉଛି ଯେ ଛୋଟ ଛୁଆ ଭୋକରେ କାନ୍ଦୁଥିଲେ ବି ମାଆ ଜାଣିପାରୁନି । ପାଖ ବଖରାରେ ଶୋଇଥିବା ବୁଢା ବାପାମାଆ କାଶି କାଶି ବେଦମ ହୋଇଗଲେ ବି କାହାକୁ ଶୁଣା ଯାଉନି । ଫେସବୁକ୍ ଟୁଇଟର ଏବଂ ଅନ୍ୟ ଅନେକ ସୋସିଆଲ ସାଇଟରେ ହଜାର ହଜାର ବନ୍ଧୁ, ଫଲୋୟରସ ଥାଆନ୍ତି, କିନ୍ତୁ ସେହି ବନ୍ଧୁମାନେ ବାସ୍ତବ ଜୀବନରେ କଣ ଏତେ ନିଜର ହୋଇପାରନ୍ତି ? ବେଳ ଅବେଳରେ ଦରକାର ପଡିଲେ ପାଖରେ ଆସି ଠିଆ ହୋଇପାରନ୍ତି ?

ସୁନୀତା ଦେବୀ କଥା ମଝିରେ କହିଲେ,

– ସତ କଥାଟିଏ କହିଲ । ସେତେବେଳେ ମଣିଷର ସବୁ ଧ୍ୟାନ ମଣିଷ ଉପରେ ଥିଲା, ଜଣେ ଆଉ ଜଣଙ୍କ କଥା ଭାବୁଥିଲା, ଆଜି ପାଖରେ ଥାଇ ବି ମଣିଷ ମଣିଷ ଠାରୁ କେତେ ଦୂର ହୋଇଯାଉଛି । ପତିପତ୍ନୀ ଗୋଟିଏ ଘରେ ରହନ୍ତି, ଗୋଟିଏ ବେଡ଼ରେ ଶୁଅନ୍ତି, ହେଲେ ପରସ୍ପର ସହିତ କେତେ ସମୟ କଥା ହୁଅନ୍ତି ? ଦିନସାରା କାମ, କାମ ସରିଲା ପରେ ମୋବାଇଲ, ସମସ୍ତେ ହଜି ଯାଆନ୍ତି ସେଇ ମାୟାବିନୀ ବୁଢିଆଣୀ ଜାଲ ଭିତରେ । କାହା କଥା ଟିକିଏ ଭାବିବାକୁ, କାହାର ମନର ଭାବ ପଢିବାକୁ କାହା ପାଖରେ ସମୟ ନାହିଁ । ଆଜି ପୁଅବୋହୂ ସାଥି ହୋଇ ତ ରହନ୍ତି, କିନ୍ତୁ ନିଜ କଥା ଭାବରେ ନୁହେଁ, ବରଂ ହ୍ୱାଟସପ କରନ୍ତି, ପରସ୍ପର ସ୍ନେହ କମ୍ କିନ୍ତୁ ସବୁ ପୋଷ୍ପିଂରେ ଟ୍ୟାଗ୍ କରନ୍ତି, ପ୍ରେମର କେମିଷ୍ଟ୍ରି ଭୁଲିଯାଆନ୍ତି । କିନ୍ତୁ ଅନ୍ୟର ପୋଷ୍ଟରେ ଲାଇକ୍ କରନ୍ତି, କମେଣ୍ଟ ଦିଅନ୍ତି । ଲଭ୍ ଥାଉକି ନଥାଉ ଲାଇକ୍ କରନ୍ତି ମିଠା ମିଠା, ଥଟ୍ଟାମଜା ସହି ହୁଏନା, ସିଧା ଅନଫ୍ରେଣ୍ଡ କରି ଦିଅନ୍ତି ।

ତୁମେ ଯେତେ ବେଳେ ଚାକିରି କରୁଥିଲ, ମୁଁ ଜାଣି ନଥାଏ ତୁମେ ଅଫିସରୁ ଡେରିରେ ଫେରିବ କି ସହଳ, କିନ୍ତୁ ସବୁଦିନ ସଂଧ୍ୟାରେ ମୁଁ ଯେତେବେଳେ ପାଣି ଗ୍ଲାସଟିଏ ନେଇ କବାଟ ପାଖରେ ପହୁଞ୍ଚେ, ଠିକ୍ ସେତିକିବେଳେ ତୁମେ କବାଟ ଠକ୍ ଠକ୍ କର । ମୁଁ କବାଟ ଖୋଲେ ଆଉ ତୁମେ ମୋ ହାତରୁ ପାଣି ଗ୍ଳାସ ନେଇ ବୈଠକର ସେଇ କାଠ ଚଉକିଟାରେ ବସି ପଡ଼ି ପାଣି ପିଅ । ଅନାଦି ବାବୁ ସୁନିତାଙ୍କ ମୁହଁକୁ ଚାହିଁ କହିଲେ,

– ହଁ ଏଇଟା ସତ କଥା । ମୁଁ ତିରିଶ ବର୍ଷ କାଳ ଚାକିରି କରିବା ଭିତରେ କେବେ ବି ବୁଝି ପାରିଲିନି, ମୁଁ ଆସୁଛି ବୋଲି ଜାଣି ପାରି ତୁମେ ପାଣି ନେଇ ଚାଲି ଆସ, ଅବା ତୁମେ ପାଣି ଗ୍ଲାସ ନେଇ ମୋର ଅପେକ୍ଷା କରିଛ ବୋଲି ମୁଁ ଘରକୁ ଚାଲି ଆସେ ? ସୁନୀତି ଦେବୀ କହିଲେ,

– ଆଜି ବି ମୋର ମନେପଡ଼େ ରିଟାୟଡ ଆଗରୁ, ସେତେବେଳେ ତୁମେ ଡାଇବେଟିକ୍ ନଥିଲ । ଯେତେବେଳେ ଖାଇ ସାରିବା ପରେ ମୁଁ ତୁମ ମନଲାଖି ଖିରି ପରଷି ଦିଏ, ତୁମେ ଟିକିଏ ହସି ଦିଅ ଆଉ କୁହ, ‘ଜାଣିଛ, ଆଜି ଦି’ ପହରରେ ମନ ହେଉଥିଲା, ରାତି ଖାଇବାରେ ମିଠା ଖିରି ଟିକିଏ ମିଳିଗଲେ ସତରେ ବହୁତ ମଜା ଆସି ଯାଆନ୍ତା । ଅନାଦି ବାବୁ ସଙ୍ଗେ ସଙ୍ଗେ ପଚାରିଲେ,

– କିନ୍ତୁ ତୁମେ ମୋ ମନ କଥା କେମିତି ଜାଣିଯାଅ ? ଅଫିସରୁ ଫେରିଲାବେଳେ ମୁଁ ଯାହା କିଛି ଖାଇବାକୁ ମନେମନେ ଭାବିଥାଏ, ଘରେ ପହଞ୍ଚିଲା ପରେ ସବୁ କିଛି ଠିକ୍ ଠିକ୍ ସେମିତି ଖାଇବାକୁ ମିଳିଯାଏ ।

ସୁନୀତି ଦେବୀ ଟିକିଏ ମୁଚୁକି ହସି କହିଲେ,

– ଆଗୋ ସେତେବେଳେ ମୋବାଇଲ ନଥିଲା ସିନା କିନ୍ତୁ ସାରା ପରିବାରର ସମସ୍ତଙ୍କର ରୁଚି ଅରୁଚି ଆଉ ମନ କଥା ଜାଣି ବୁଝି ହୋଇ ଯାଉଥିଲା । ତୁମର ମନେ ଅଛି, ପୁଅ ଜନ୍ମବେଳେ, ବାପା ମୋତେ ଆମ ଘରକୁ ଡାକି ନେଇଥିଲେ, ମୁଁ ବାପଘରେ ଥିଲି, ଯେତେବେଳେ ମୋର କଷ୍ଟ ଆରମ୍ଭ ହେଲା, ମନେମନେ ଭାବୁଥିଲି, ତୁମେ ମୋ ପାଖରେ ଥାଆନ୍ତ କି ହେଲେ, ଥରଟିଏ ତୁମକୁ ଦେଖନ୍ତି । ମୋ ଡାକ ଭଗବାନ ଶୁଣି ପାରିଲେ, ବଡ ଚମତ୍କାର ହୋଇଗଲା ସେଦିନ । ଅଧଘଣ୍ଟା ଭିତରେ ତୁମେ ମୋ ପାଖରେ ପହଞ୍ଚି ଯାଇଥିଲ । ମୋ ମଥାରେ ହାତ ରଖି ଟିକିଏ ହସିଦେଇ କହିଲ, ‘କିଛି ଡର ନାହିଁ ମୁଁ ତୁମ ପାଖେପାଖେ ଅଛି, ସବୁ କିଛି ଭଲରେ ଭଲରେ ହୋଇଯିବ ।’ ଅନାଦି ବାବୁ କହିଲେ,

– ହଁ, କାହିଁକି କେଜାଣି, ସେଦିନ ତୁମକୁ ଥରେ ଦେଖିବାକୁ ମୋର ଭାରି ମନ ହେଉଥିଲା । ସବୁ କାମଧନ୍ଧା ଛାଡ଼ି ସେଥିପାଇଁ ଏ ଅଧମ ପତି ତୁମ ପାଖରେ ହାଜର ହୋଇ ଯାଇଥିଲା । ଏସବୁ ଅପୂର୍ବ ସଂଯୋଗ, ଅବା ପରସ୍ପର ପ୍ରତି ପ୍ରେମର ପ୍ରତିଫଳନ ଜାଣି ହୁଏନା । କିନ୍ତୁ ଏକଥା ସତ, ସମ୍ପର୍କର ଗଭୀରତା ଜଣେ ଆଉ ଜଣକୁ ଏମିତି ପାଖକୁ ଟାଣିନିଏ ।

ସୁନିତି ଦେବୀ ସେଇ ପୁରୁଣା ଦିନ ଭିତରେ ସତେ ଯେପରି ହଜିହଜି ଯାଉଥିଲେ । ଅନାଦି ବାବୁଙ୍କ ମୁହଁକୁ ଅନେଇ କହିଲେ,

– ତୁମର ମନେଅଛି । ଦିନେ ଦି’ପହର ରୋଷେଇ କରୁକରୁ ଗରମ ତେଲ ପଡ଼ି ମୋର ହାତରେ ଫୋଟକା ହୋଇ ଯାଇଥିଲା, ଆଉ ସେଇ ଦିନ ସଂଧ୍ୟାରେ ତୁମେ ଯେତେବେଳେ ଅଫିସରୁ ଫେରିଲ, ତୁମ ହାତରେ ବର୍ଲିନର ଟ୍ୟୁବ ଥିଲା । ମୁଁ ଯେତେବେଳେ ପଚାରିଲି, ମୋ ହାତ ପୋଡ଼ିଗଲା ବୋଲି ତୁମେ କେମିତି ଜାଣିଲ ! ତୁମେ ଆଶ୍ଚର୍ଯ୍ୟ ହୋଇ ମୋ ମୁହଁକୁ ଚାହିଁ ରହିଲ, ଆଉ କହିଲ ମୋ ହାତ ଜଳିଯିବା କଥା ତୁମେ ଜାଣିନ, କିନ୍ତୁ ତୁମକୁ ଲାଗିଲା, ଘରେ ବର୍ଲିନ ସରିଯାଇଥିବ, ପୁଣି କେତେବେଳେ ଏମରଜେନ୍ସିରେ କାଳେ ଦରକାର ପଡିଯିବ ! ସେକଥା ଭାବି ବଜାରରୁ କିଣି ଆଣିଥିଲ ।

ଜେଜେମା ମୁରୁକି ହସିଲେ, ଲାଜେଇ ଲାଜେଇ ଜେଜେଙ୍କ ହାତକୁ ଧରିଲେ, କହିଲେ, ‘ହଁ, ଆମ ସମୟରେ ଖାଲି ପ୍ରେମ ଥିଲା ହେଲେ ମୋବାଇଲ ନଥିଲା । କେବଳ ତୁମେ ଥିଲ, ମୁଁ ଥିଲି ଆଉ ଆମ ଭିତରେ ଗଭୀର ପ୍ରେମ ଭରିଥିଲା ।’ ଅନାଦି ବାବୁ ସୁନୀତି ଦେବୀଙ୍କ ଆଖିରେ ଆଖି ମିଳେଇ କହିଲେ, ‘ଆଜି ସମୟ ବହୁତ୍ ଆଧୂନିକ ହୋଇଯାଇଛି ସବୁ କିଛି ବଦଳି ଯାଇଛି । ଆମର ବୟସ ସରିସରି ଆସୁଛି, ଏବେ ଆମେ ଭାଇବ୍ରେସନ ମୋଡରେ ବଞ୍ଚିଛେ, ଜୀବନ ବ୍ୟାଟେରୀର ଚାର୍ଜ ମଧ୍ୟ ସରିସରି ଆସୁଛି, ଜୀବନରେଖା ଏବେ ଗୋଟିଏ ଗାରରେ ଝୁଲୁଛି ।’ ସୁନିତି ଦେବୀ କହିଲେ,

– ହେଇ ଦେଖିଲଣି ! ଗପସପ କରୁକରୁ ରାତି ସାଢେ ଦଶଟା ବାଜିଲାଣି, କଥା ଭୋଳରେ ମୁଁ ତୁମ କ୍ଷୀର କଥା ଭୁଲିଯାଇଛି । ରୁହ । ତୁମ ପାଇଁ କ୍ଷୀର ଗରମ କରି ନେଇ ଆସୁଛି । ଭାବୁଛି, ବିନା ଚିନିରେ କ୍ଷୀର ପିଇପିଇ ତୁମେ ବୋର୍ ହୋଇଯିବଣି । ଆଜି କ୍ଷୀରରେ ଟିକିଏ ମହୁ ମିଶେଇ ନେଇ ଆସିବି, ତୁମର ଟେଷ୍ଟ ଟିକିଏ ବଦଳି ଯିବ । ଅନାଦି ବାବୁ ସୁନୀତି ଦେବୀଙ୍କ କଥା କାଟି କହିଲେ,

– ଆରେ, ତୁମେ କେମିତି ଜାଣିଲ, ମୁଁ ଏବେ ସେଇ କଥା ତୁମକୁ କହିବି ବୋଲି ଭାବୁଥିଲି । ବିନା ମିଠାରେ କ୍ଷୀର ପିଇବାକୁ ଭଲ ଲାଗୁନି । ହେଲେ ତୁମେ ମୋର ମନ କଥା କହିଦେଲ । ସୁନୀତି ଦେବୀ ପାକୁଆ ପାଟିରେ ଟିକିଏ ହସି ଦେଇ କହିଲେ,

– ଆମ ସମୟରେ ମୋବାଇଲ ନଥିଲା, ହେଲେ ମନ ପଢିବାକୁ ଉଚ୍ଚ ଶକ୍ତିଶାଳୀ ସିକ୍ସସେନ୍ଷ ଥିଲା । ବୁଢାବୁଢୀ ଦୁଇ ଜଣ ପରସ୍ପର ମୁହଁକୁ ଚାହିଁ ହୋ ହୋ ହୋଇ ହସି ଉଠିଲେ ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *