ପ୍ରଫେସର କୃଷ୍ଣ ପ୍ରସାଦ ମିଶ୍ରଙ୍କ ଶ୍ରାଦ୍ଧସଭା ଅନୁଷ୍ଠିତ

ଭୁବନେଶ୍ୱର : କୃଷ୍ଣ ପ୍ରସାଦ ସ୍ମୃତି ପରିଷଦ ଆନୁକୂଲ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦର୍ଶନ ବିଭାଗ ପରିସରରେ ପ୍ରଫେସର କୃଷ୍ଣ ପ୍ରସାଦ ମିଶ୍ରଙ୍କ ଶ୍ରାଦ୍ଧ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣେଶ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଲେଖକ ଓ ସ୍ତମ୍ଭକାର ଲେଖକ ଅଧ୍ୟାପକ ନିରଞ୍ଜନ ପାଢ଼ୀ କୃଷ୍ଣ ପ୍ରସାଦ ମିଶ୍ର ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ । ନିଜ ବକ୍ତବ୍ୟରେ କହିଲେ, ‘କୃଷ୍ଣପ୍ରସାଦଙ୍କ ସାହିତ୍ୟକୃତି ଦାର୍ଶନିକ ଦୃଷ୍ଟି ସମ୍ପନ୍ନ ଓ ଏଥିରେ ଚିନ୍ତା ଦାରିଦ୍ର୍ୟ ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ ବିଦ୍ରୋହର ସ୍ୱର ସ୍ପଷ୍ଟ ।’ ମୁଖ୍ୟବକ୍ତା ପ୍ରଫେସର ହିମାଂଶୁ ଶେଖର ମହାପାତ୍ର କୃଷ୍ଣପ୍ରସାଦଙ୍କ କ୍ଷୁଦ୍ର ଗଳ୍ପ ଉପରେ ଆଲୋକପାତ କରି ଏହା ଅତ୍ୟନ୍ତ ମନନଶୀଳ ତଥା ପ୍ରଭାବୀ ବୋଲି କହିଥିଲେ । ସଭାପତି ଅଭିଭାଷଣରେ ପ୍ରଫେସର ଦାସ ମର୍ମସ୍ପର୍ଶୀ ଭାବରେ ତାଙ୍କ ଛାତ୍ରାବସ୍ଥା କଥା ସ୍ମରଣ କରି କୃଷ୍ଣ ପ୍ରସାଦଙ୍କ ଶିକ୍ଷା ପଦ୍ଧତି ଓ ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହଭାବର ଏକ ଚିତ୍ର ପ୍ରଦାନ କରିଥିଲେ ।

ଏହି ଅବସରରେ ସ୍ଵର୍ଗତ ମିଶ୍ରଙ୍କ ପୁତ୍ର ଡାକ୍ତର ସିଦ୍ଧାର୍ଥ ମିଶ୍ର, ଛାତ୍ର ପ୍ରଦୀପ ଦାସ, ରାଜକିଶୋର ଦାଶ, ବିଭାଗର ମୁଖ୍ୟ ଡକ୍ଟର ସରୋଜକାନ୍ତ କର ତାଙ୍କ ସ୍ମୃତିଚାରଣ କରିଥିଲେ । ଦର୍ଶନ ବିଭାଗର ପୂର୍ବତନ ପ୍ରଫେସର ବିଜୟାନନ୍ଦ କର, ଡକ୍ଟର ଶ୍ରୀମତୀ ନମିତା କର, ଓଡ଼ିଆ ଭାଷା ସାହିତ୍ୟ ପ୍ରଫେସର ସଂଘମିତ୍ରା ମିଶ୍ର, ଅଧ୍ୟାପକ ଡକ୍ଟର ସୁଧାକର କାଲି, ଅଧ୍ୟାପିକା ଡକ୍ଟର ନନ୍ଦିନୀ ମିଶ୍ର, ବିଭାଗର ଛାତ୍ରଛାତ୍ରୀ ତଥା ଅବସରପ୍ରାପ୍ତ କର୍ମଚାରୀ ସଂଘର କର୍ମକର୍ତ୍ତା ରବୀନ୍ଦ୍ରନାଥ ବିଶ୍ୱାଳ ଓ ବିଦ୍ୟାଧର ପାଣି ପ୍ରମୁଖ ଏହି ସଭାରେ ଯୋଗ ଦେଇଥିଲେ । ସଭା ଆରମ୍ଭରେ ଦିବଙ୍ଗତ ଦର୍ଶନ ପ୍ରଫେସର ଗୌରାଙ୍ଗ ଚରଣ ନାୟକ ଏବଂ ବିଶିଷ୍ଟ ସାହିତ୍ୟିକ ଡକ୍ଟର ସାତକଡ଼ି ହୋତାଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ମୃତି ପରିଷଦ ତରଫରୁ ଏହି କାର୍ଯ୍ୟକ୍ରମରେ ବିରାଜ ମୋହନ ଦାସ ଅତିଥି ପରିଚୟ ତଥା ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *