ଗୁଲଜାର ଓ ପଣ୍ଡିତ ରାମଭଦ୍ରାଚାର୍ଯ୍ୟଙ୍କୁ ‘ଜ୍ଞାନପୀଠ’

ଭୁବନେଶ୍ୱର : ବିଶିଷ୍ଟ ଉର୍ଦ୍ଦୁ କବି ଗୁଲଜାର ଓ ସଂସ୍କୃତ ପଣ୍ଡିତ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଗୁଲଜାର ନାମରେ ପରିଚିତ ସମ୍ପୁରଣ ସିଂହ କାଲରା ହିନ୍ଦୀ ସିନେମାରେ ତାଙ୍କର କାର୍ଯ୍ୟ ପାଇଁ ଜଣାଶୁଣା । ତାଙ୍କୁ ଏହି ଯୁଗର ଅନ୍ୟତମ ଶ୍ରେଷ୍ଠ ଉର୍ଦ୍ଦୁ କବି ଭାବରେ ବିବେଚନା କରାଯାଏ । ଏହା ପୂର୍ବରୁ ୨୦୦୨ରେ ଉର୍ଦ୍ଦୁ ବିଭାଗରେ ତାଙ୍କୁ ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୨୦୦୪ରେ ପଦ୍ମଭୂଷଣ ସମ୍ମାନ ମିଳିଥିଲା । ୨୦୧୩ରେ ଦାଦାସାହେବ ଫାଲକେ ଆୱାର୍ଡ ପାଇଥିଲେ ଗୁଲଜାର । ଏହାବ୍ୟତୀତ ସେ ଅନ୍ୟୁନ ୫ ଥର ଜାତୀୟ ସିନେମା ଆୱାର୍ଡ ପାଇଛନ୍ତି ।

ଅପରପକ୍ଷେ ଚିତ୍ରକୂଟ ସ୍ଥିତ ତୁଳସୀ ପୀଠର ପ୍ରତିଷ୍ଠାତା ତଥା ମୁଖ୍ୟ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଜଣେ ପ୍ରସିଦ୍ଧ ସଂସ୍କୃତ ବିଦ୍ଵାନ, ସୁଜ୍ଞାନୀ ଓ ମାର୍ଗଦର୍ଶକ । ଦୃଷ୍ଟିହୀନ ହୋଇ ମଧ୍ୟ ସେ ୪ଟି ମହାକାବ୍ୟ ସମେତ ୨୪୦ରୁ ଅଧିକ ପୁସ୍ତକର ଲେଖକ । ୨୨ଟି ଭାଷା କହୁଥିବା ଜଗତଗୁରୁ ୨୦୧୫ରେ ପଦ୍ମଭୂଷଣ ପୁରସ୍କାରରେ ବି ବିଭୂଷିତ ହୋଇଥିଲେ ।

ସୂଚନା ଥାଉ ଯେ ୧୯୪୪ ମସିହାରେ ସ୍ଥାପିତ ଜ୍ଞାନପୀଠ ପୁରସ୍କାର ପ୍ରତିବର୍ଷ ଭାରତୀୟ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଏ । ସଂସ୍କୃତ ଭାଷା ପାଇଁ ଦ୍ଵିତୀୟ ଥର ଓ ଉର୍ଦ୍ଦୁ ଭାଷା ପାଇଁ ପଞ୍ଚମ ଥର ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ପୁରସ୍କାର ରାଶି ୨୧ ଲକ୍ଷ ଟଙ୍କା, ବାଗଦେବୀଙ୍କ ପ୍ରତିମୂର୍ତ୍ତି ଓ ପ୍ରଶଂସାପତ୍ର ରହିଛି ।

Related Posts

Leave a Reply

Your email address will not be published. Required fields are marked *