ବସନ୍ତ କୁମାରୀ ପଟ୍ଟନାୟକ
ନୂଆ ଚାକର । ସନିଆକୁ ବାବୁଙ୍କ ନୂଆଘର ଯେମିତି ଅଡୁଆ ଲାଗୁଥିଲା, ଘରର ପିଲାଙ୍କୁ ନୂଆ ଚାକର ସନିଆ ସେମିତି ଅଡୁଆ ଲାଗିଲା । ବଡ଼ କହିଲା ସେ ଦୁଇ ଓଳି ଗାଧାଏ- ସକାଳେ ସମସ୍ତଙ୍କ ଆଗରୁ ଆଉ ସଞ୍ଚବେଳେ ସମସ୍ତଙ୍କ ଶେଷରେ । ତାହା ପାଣିରେ ଆଉ କିଏ ଗାଧୋଇଲେ କୁଣ୍ଡଟା ଅଇଁଠା ହୋଇଯାଏ । ନୂଆ ପାଣି ଦରକାର । ମଝିଆଁ କହିଲା ତାକୁ ମନେ ପକାଇ ଦେବାକୁ ହେବ ଛୁଟିଦିନ ମୁଣ୍ଡ ଧୋଇବାକୁ; ନଇଲେ ଆହୁରି ହପ୍ତାଏ ଗଲା । ବାବୁଆଣୀ କହିଲେ ସାନକୁ ପ୍ରତିଦିନ ନଈକୂଳେ ବୁଲେଇ ନବ, ଗାଈ ଗୋରୁ ହେପାଜତ କରିବ, ଖରାବେଳେ ବାବୁଆଣୀ ବୁଲିଗଲେ ଆଖି ମେଲାକରି ଚେଇଁ ରହିବ ଇତ୍ୟାଦି କାମର ତାଲିକା ।
‘କେଡ଼େବଡ଼ ଘରଟା ହେଇଛି । ଆମ ଘର ମଥାନଠାରୁ ଉଚ୍ଚ । ଏ ଘରୁ ସେ ଘରକୁ ବାଟ ପଡ଼ିଛି । ଆମ ଘରର ଚଟାଣ ଏଇ ଦୁଆରଠାରୁ ନିକମା । ମୋ ପିଲାଙ୍କୁ ତା’ ମାଆ ସମ୍ଭାଳେ- ମୁଁ ଏଠି ସମ୍ଭାଳିବି ୟାଙ୍କ ପିଲା, ଗୋରୁଗାଈ ଘର ସବୁ । ଏମାନେ ଗୋଟିଏ ଦୁଇଟି ଚାକର ରଖି ସବୁ କାମ କରି ଦେଉଛନ୍ତି ।’
ପିଲାମାନେ ସନିଆ ପଛଆଡ଼େ ମେଳି ବାନ୍ଧିଛନ୍ତି- ସନିଆର ଆକୃତି ଆଲୋଚନାର ବିଷୟ । କିମିତି କଳା? ଜଣେ କହୁଛି ରୁଲ ବାଡି଼ପରି, ଆଉ ଜଣେ କହୁଛି ମୁଣ୍ଡବାଳ ଓ ଜଣେ କହୁଛି ଅନ୍ଧାର ପରି । ମୁଣ୍ଡର ମଝିରେ ଗୋଟିଏ ଚୁଟି । ଚୁଟି ଚାରିଆଡ଼େ ଭଣ୍ଡାରିର କ୍ଷୁର ବୁଲିଛି- ଠିକ୍ ‘ଠ’ ପରି । କାନରେ ହଳେ ନୋଳି । କଳା ଦେହରେ ଜକଜକ କରୁଥାଏ । ଏଣେ ଆସ୍ତେ ଆସ୍ତେ କଥା ଚାଲିଥାଏ ସନିଆଟା ମାଇକିନିଆ ଥିଲାବେଳେ ନାକ କାନ ଫୋଡି଼ଥିଲା ବୋଧହୁଏ । ଏବେ ଗହଣା ପିନ୍ଧିଛି ।
ବେକ ଭାଙ୍ଗି ଘରର ଖିଡି଼କି କବାଟ ନିରିଖି ଦେଖିଲାବେଳେ ପିଲାମାନେ ଦି’ହାତ ଦୂରରେ ଠିଆ ହୋଇ ତା’ ମୁଣ୍ଡକୁ ଚାହିଁଥାନ୍ତି । କେଡ଼େ ବଳୁଆଟାଏ । ମଫସଲରେ ମଇଁଷି ଯେମିତି ମୋଟା ହୁଏ ମଣିଷ ବି ସେମିତି କମ୍ ହୁଏ ନାହିଁ । ସନିଆ ମଇଁଷି ଚରଉଥିଲା ।
ମା କହିଲେ, ‘ସନିଆ ଯା । ନଅକୋଶ ବାଟ ଚାଲିକରି ଆସିଛୁ ଦି’ଟା ପଖାଳପାଣି ଖାଇଦେ ।’ ସନିଆ ଖାଇ ବସିଲାବେଳେ ପିଲାମାନେ ଦୂରରୁ ଦେଖି ନ ଦେଖିଲା ପରି ଚାହିଁ ଥାଆନ୍ତି ସନିଆ କେତେ ଖାଉଛି । ଶେଷକୁ ବଡ଼ ଆସି କହିଲା ମା’କୁ ‘ବୋଉ, ଆମେ ପାଞ୍ଚଜଣ ମିଶି ଯେତେ ଖାଉ, ସନିଆ ଏକା ସେତକ ଖାଇଦବ ।’ କିଏ ଶୁଣିବ ବୋଲି ମା ଗାଳିଦେଲା କିନ୍ତୁ ମନେ ମନେ ଭାବିଲା ଚାଉଳର ଯୋଉ ଦର ସେଥିରେ ଏମିତିକା ଅସୁର ମିଳିଲେ ଚାକର ରଖୁ ରଖୁ ବାବୁ ସରିଯିବେ ।
ସନିଆର ସବୁ କଥା ବୁଝାଗଲା । ଗାଁକୁ ମଟର ନାହିଁ । ବର୍ଷାଦିନେ ରାସ୍ତା ନାହିଁ । ବଢ଼ି ପ୍ରତିବର୍ଷ ଧୋଇନିଏ । ବଡ଼ ଭାଇ ଗାଁରେ ଥାଏ । ତାହାର ତିନିପୁଅ, ଗୋଟିଏ ଝିଅ । ପିଲାମାନେ ପାରିଗଲେଣି, ଜଣେ ମଇଁଷି ରଖିଛି । ସନିଆର ପାଞ୍ଚବର୍ଷ ଯାଏ ପିଲାପିଲି ନ ହେବାରୁ ବଡ଼ ଭାଇର ପୁଅଟିଏ ପାଳିଥିଲେ । ତାହାର ଦୁଇ ବର୍ଷରେ ସନିଆର ଦୁଇଟି ପିଲା । ସନିଆ ଟିକିଏ ହୁଣ୍ଡାଳିଆ ବୋଲି ବଡ଼ ଭାଇ ତାକୁ ସହରକୁ ପଠାଇଥିଲା ଚାକିରି କରି ଜମିଦାର ଖଜଣା ଦବାପାଇ ।
ପିଲାମାନେ ବହିଧରି ପଢ଼ି ବସିଲେ । ସନିଆ ତାହାର କାମରେ ଲାଗିଲା । ପିଲାମାନେ ବାବୁଥାନ୍ତି ନ ପଢ଼ି କାମ କରିବାକୁ ମିଳିଲେ କେଡ଼େ ଭଲ ନ ହୁଅନ୍ତୁ । ଯେତେ ପଢ଼ିଲେ ବି ମାଷ୍ଟ୍ର ଖାଲି ଗାଳି ଦଉଛନ୍ତି । ସନିଆ ଭାବୁଥାଏ ଗାଁରେ କାମ ଯେମିତି ସହରରେ ବି ସେମିତି । ବସି ପଢ଼ିଲେ କେଡ଼େ ସୁଖ ନ ହୁଅନ୍ତା?
‘ସନିଆ ସନିଆ, କେଇଟା ବାଜିଛି ପଚାରି ଆସିଲୁ?’ ସନିଆ ଚାଲି ଚାଲି ଆସିଲା ଘଡ଼ି ପାଖକୁ । ପିଲାମାନେ ସେଇଠି ପଢ଼ୁଛନ୍ତି । ସନିଆକୁ ଆସୁଥିବାର ଦେଖି ପଢ଼ା ବନ୍ଦ କରି ମୁହଁ ଟେକି ଚାହିଁଲେ । ସନିଆ ବିରକ୍ତ ହୋଇ ଭାବୁଥାଏ ଯେ ଘଡ଼ି ପିଲାମାନେ ବି ଦେଖି ଜାଣୁଛନ୍ତି ସେ ତାଙ୍କୁ କ’ଣ ପଚାରିବ?
ଚିହ୍ନିପାରିଲା ଭଳିଆ ମୁହଁଟା କରି ସନିଆ କାନ୍ଥଘଣ୍ଟାକୁ ଚାହିଁ ଠିଆହେଲା । କଣ୍ଟା ଚାଲୁନାହିଁ- ଘଡ଼ି ଝୁଲୁଛି ଦୋଳ ବିମାନ ପରି । ସନିଆ ଭାବୁଥାଏ କେଇଟା ବାଜିଛି ବୋଲି କହିବ? ପଦାରେ ଖରାଆଡ଼କୁ ଚାହେଁ । କିନ୍ତୁ ଅଜଣା ଜାଗାରେ ବେଳ ଓର କରି ପାରିଲା ନାହିଁ । ପିଲାମାନେ ମୁରୁକି ହସା ଦେଇ ଚାହିଁ ଥାଆନ୍ତି ସନିଆ ମୁହଁକୁ । ଭିତରୁ ବାବୁଆଣୀଙ୍କ ରଡ଼ି ଶୁଭିଲା ସମୟ ଜାଣିବାକୁ । ସନିଆଁ ଗେଁ ଗେଁ ହୋଇ କହିଲା ‘ଯାଉଛି ।’
ପିଲାମାନେ ପଚାରିଲେ କେଇଟା ବାଜିଛି ସନିଆ? ସନିଆ କହିଲା ତମେ କହିଲ ଦେଖିବା । ସାନପୁଅ କହିଲା ‘ମୁଁ କହୁଛି ବାରଟା ବାଜିଥିବ ।’ ବଡ଼ପୁଅ ଭାବିଲା କି ସେ ଥାଉଁ ଥାଉଁ ସାନର କଥା ଠିକ୍ ହୋଇଯିବ? ସାନବଡ଼ ସମସ୍ତେ ସାନ କରି ନ ଥିବାରୁ ସେ ତକିଆ ଖୋଳର ବ୍ୟବହାର ବୁଝିପାରେ ନାହିଁ । ବାବୁଆଣୀ କହିଥିବା ନମ୍ବର କଥା ମନେ ପକାଇ ହସେ । ବିନା ଦରକାରରେ ବାବୁଘର କାମ ବଢ଼ାନ୍ତି ।
ରାତିରେ ଖାଇସାରି ଶୋଇବାକୁ ଯାଇ ପିଲାଙ୍କର ପାଲା ଲାଗେ । ନିଜ ନିଜର ତକିଆ ହାତରେ ଧରି ବା ତଳେ ପକାଇ ଦେଇ ଖୋଳର ନମ୍ବର ଆଡ଼କୁ ବିରକ୍ତି ମିଶା ଚାହାଣିରେ ଚାହିଁ ଏକ ସାଙ୍ଗରେ ଚିଲେଇବାକୁ ଆରମ୍ଭ କରନ୍ତି ‘ସନିଆ, ସନିଆ ।’
ବାସନମଜା ଛାଡି଼ ବିରକ୍ତ ହୋଇ ଆସି ପିଲାଙ୍କ ପାଖରେ ଠିଆହୁଏ । ସମସ୍ତେ ଏକା ସାଙ୍ଗରେ ପାଟିକରି ଉଠନ୍ତି ‘ମୋ ତକିଆର ଖୋଳ କାହିଁ?’ କିଏ କିଏ ତା’ ଉପରକୁ ତକିଆ ଫୋପାଡ଼ନ୍ତି । ଅଙ୍କ ଚିହ୍ନି ପାରୁନାହିଁ ବୋଲି ତାକୁ ଗାଳି ଦିଅନ୍ତି । ପିଲାଙ୍କଠାରୁ ଗାଳିଶୁଣି ତାକୁ ବିରକ୍ତ ଲାଗେ । ତାର ମନେ ପଡ଼େ ପୁଅ କଥା- ସେ ଚାହାଳିକୁ ଯାଉଛି ।
ବାବୁଆଣୀଙ୍କ ଗାଈଗୋରୁ ନେଇ ସେହି ଏକା ବିପଦ । ସହରରେ ଚୁନି ଚୋକଡ଼ ମାପିକରି ଦିଆଯାଇ । ଗୋରୁଙ୍କ ଦାନା ରହିବା ଘରୁ ସନିଆ ଆପଣା ଇଚ୍ଛାରେ ଗାଈଙ୍କୁ କେଇଦିନ ଖୁଆଇଲା ପରେ ଦିନେ ବାବୁଆଣୀ ତଦାରଖ କରି କହିଲେ ‘ଚୁନିବସ୍ତା ଅଧା ହେଇ ଗଲାଣି । ଏଡ଼େ ଝଅଟ ସରିଗଲା କେମିତି? ଏଣିକି ତତେ ଦି’ ବସ୍ତା ଦେଲି, ହିସାବ କରି କେଇଦିନ ଗଲା କହିବୁ ।’
ସନିଆ ଗୋରୁଙ୍କୁ ଖୁଆଏ, ଆଉ ଗୁହାଳରେ ଗୋଟିଏ ଗାର ଟାଣେ । ମନେ କରେ ଯେ ଏଥର ସେ ଆଉ ହାରିବ ନାହିଁ । ଦିନେ ଗୋରୁ ଗୋଠକୁ ଯାଇଥିବାବେଳେ ପିଲାମାନେ ଲୁଚକାଳି ଖେଳିବାକୁ ଗୁହାଳରେ ଲୁଚିଥିଲେ । ଜଣଙ୍କ ଆଖି ହଠାତ୍ ପଡ଼ିଗଲା ସାମନା କାନ୍ଥରେ- ସାନ ବଡ଼ କେଇଟା ଇଟାର ଗାର ଧାଡି଼ ଧାଡି଼ ହୋଇ ଟଣା ହେଇଛି । ଚୂନ କାନ୍ଥରେ ଗାର ପକାଇ କିଏ ମଇଳା କରିଛି ବୋଲି ଜଣେ ଯାଇ ମା’ ଆଗରେ ଫେରାଦ ହେଲା । ମା କହିଲା ଯେ ସନିଆ କରିଥିବ । ଚୁନି ଚୋକଡ଼ ହିସାବ ସନିଆ ରଖୁଛି । ମା ଚାଲିଗଲା ପରେ ପିଲାମାନେ ଟୁଲ୍ଟିଏ ଆଣି ଠିଆ ହୋଇ ସେ ଗାର ସାଙ୍ଗରେ ସମାନ କରି ଆଉ କେଇଟା ସାନ ବଡ଼ ଗାର ଟାଣି ଦେଲେ । ଗୋରୂ ମୁହାଁଉ ଥିଲାବେଳେ ପିଲାମାନେ ବାଆଁରେଇ ହୋଇ ଆସି ଦେଖି ଯାଆନ୍ତି ଗାର ବଢ଼ୁଛି କି ନାହିଁ । ସନିଆକୁ ଏଣୁ ତେଣୁ କିଣିବା ବାହାନାରେ ବଜାରକୁ ପଠାଇ ଦେଇ ଯାହାର ଯେତେବେଳେ ମନେହୁଏ ଆସି ଥୋଡ଼େ ଗାର ଯୋଡି଼ ଦିଅନ୍ତି ।
ଦିନେ ସନିଆ କହିଲା ‘ଦି ବସ୍ତା ଦାନା ତିନି କୋଡି଼ ସତର ଦିନ ଗଲା ।’ ବାବୁଆଣୀ କାନ୍ଥ କାଲେଣ୍ଡର ଦେଖି କହିଲେ ‘ଊଣେଇଶ ଦିନ ହୋଇଛି ।’ ସନିଆ ଲାଗିଲା । ତାକୁ ହିସାବ ରଖିବାକୁ କହିଲାରୁ ସେ ହିସାବ ରଖିଲା । ସେଥିରେ ପୁଣି ତାକୁ ଅବିଶ୍ୱାସ- ସେ କ’ଣ ଚୁନି ଖାଇଗଲା? ଏଣେ ପିଲାଙ୍କର ହସ । ସନିଆ ହସର କାରଣ ବୁଝିବାକୁ ସନ୍ଦେହ ଆଖିରେ ଚାହିଁଲା । ସ୍ପଷ୍ଟ କହିଦେଲା ଯେ ସେ ଆଉ ହିସାବ ରଖିବ ନାହିଁ ।
ପିଲାମାନଙ୍କର ସନିଆ ଗୋଟିଏ ଆମୋଦର ବସ୍ତୁ । ଘଡ଼ି ଦେଖି ନ ଜାଣିବା, ଗୋରୁଙ୍କ ଦାନାର ହିସାବ ରଖି ନ ଜାଣିବା ଆଦି ସବୁ କାମ ପିଲାଙ୍କ ଭିତରେ ବହୁତ ମଜା ଆଣେ ।
ସନିଆ ଯାଇଥିଲା ଦୋକାନକୁ ଦିଆଶିଲି କିଣି । ରଞ୍ଜକ ଖରାପ, ଦିଆଶିଲି ଜଳିଲା ନାହିଁ । ବାବୁଆଣୀ ରାଗିଲେ । ଫେରେଇବାକୁ ସନିଆ ଗଲା । ଦୋକାନୀ ପାଖରେ କାନ୍ଦ କାନ୍ଦ ହୋଇ ଦିଆଶିଲି ବଦଳାଇଲା ହାତରୁ ପଇସାଏ ଜୋରିମାନା ଦେଇ । ଦିଆଶିଲି କାଠି ଅଣ୍ଟିରେ ପୂରାଇ ଗୋଟିଏ ଗୋଟିଏ କରି ଜଳାଏ । ଲିଭେଇ କରି ରଖେ । ଏମିତି କରି ଗୋଟଏ ଦିଆଶିଲି ନେଇ ସନିଆ ହସି ହସି ହାଜର । ବାବୁଆଣୀ ଗୋଟିଏ ପରେ ଗୋଟିଏ କାଠି ଦେଖିଲେ ଯେ ସବୁ ଗୁଡି଼କ ଜଳିଯାଇଛି । ଫୋପାଡି଼ ଦେଲେ ସନିଆ ମୁହଁ ଉପରକୁ ‘କିରେ କାଠି କାହିଁ?’
‘ଏଥର ମତେ ଖୁଣି ପାରିବ ନାହିଁ । ସବୁଗୁଡ଼ାକ କାଠି ଗୋଟିଏ ଗୋଟିଏ କରି ଜଳେଇ କରି ଆଣିଛି । ପଇସାଏ ତଣ୍ଡ ଦେଲି ।’
‘କିରେ ପୋଡ଼ା କାଠି ଗୁଡ଼ାକ ।’
ଆଉ କ’ଣ!! ସନିଆ ହସୁଛି । ବାବୁଆଣୀ ଚିଡ଼ିସାରି ହସିଲେ । ପିଲାମାନେ ସେ ଦିଆଶିଲି ନେଇ ଡେଉଁଥାନ୍ତି ଆନନ୍ଦରେ ।
ସନିଆ ମନା କରିଦେଲା ଆଉ ବଜାର କରିବ ନାହିଁ ।
ମସଲା ବାଟିଲାବେଳେ ସନିଆର କଳାବାହୁ ଦି’ଟା ଫୁଲି ଫୁଲି ଉଠେ । ପିଲାମାନେ ସେତେବେଳେ ସେଟା ଚିପିବାକୁ ତା’ ଚାରିଆଡ଼େ ଗଦା ହୋଇଥାନ୍ତି, ତାକୁ ଏଣୁ ତେଣୁ କହି ଖୁସାମତ କରି ଟିକିଏ ବାହାକୁ ଚିପି ଦେଇ କୁଦାମାରି ପଳାନ୍ତି । ବେଶୀ ହଇରାଣ କଲେ ସନିଆ ହାତକୁ ଛିଞ୍ଚାଡି଼ ଦିଏ ।
ଦିନେ କହିଲା ‘ବାବୁମାନେ, ମୁଁ ବଡ଼ ରାଗୀ । ଜାଣିଛନ୍ତି?’ ଗୋଟିଏ ପିଲା ପଚାରିଲା ‘ରାଗୀ ବୋଲି କେମିତି ଜାଣିଲୁ?’
ହଉ ତେବେ ଶୁଣ । ମୋ ମାଇପ ବଡ଼ ରାଗୀ । ଦିନେ ତାକୁ ଏମିତି ହଲେଇ ଦେଲି ଯେ ସେ ତା’ ଘରକୁ ପଳେଇଲା । କହି ସବୁଠାରୁ ଦୁଷ୍ଟ ପିଲାଟିର ହାତ ଧରି ହଲେଇ ଦେଲା । ପିଲାଟି ରାଗରେ ଓ କଷ୍ଟରେ କାନ୍ଦି ପକେଇଲା ।
ତାକୁ ଅନ୍ୟ ପିଲାମାନେ ବୁଝାଇ କହିଲେ ‘କାନ୍ଦିଲେ ମା ରାଗିବ । ଚାଲ ଯାଇ ସନିଆ ମାଇପ ନାଁ ବୁଝିବା ।’ ସନିଆ ବି ଟିକିଏ ଅନୁତାପ କରୁଥାଏ । ଭୁଲ ହେଲା ବୋଲି । ପିଲାଙ୍କ ଦଳ ପୁଣି ବେଢ଼ିବାର ଦେଖିଲ କହିଲା ‘କ’ଣ?’ ପିଲାମାନେ କହିଲେ ‘ନାଇ ଆମେ ଆଉ ତୋ ସାଙ୍ଗରେ ଲାଗିବୁ ନାହିଁ । ତୁ ଖାଲି ତୋ ମାଇପ ନଁଟା କହିଦେ, ଆମେ ଚାଲିଯିବୁ ।’
ସନିଆ ପିଲାଙ୍କ ଗୋଳମାଳରୁ ରକ୍ଷା ପାଇବାକୁ ଗୋଟାଏ ରଫା କଲା । ତା’ ସଙ୍ଗରେ ଆଉ ନ ଲାଗିଲେ, ସେ ଆଉ ଦିନେ କହିବ । ପିଲାମାନେ ବେଢ଼ୁଥାନ୍ତି ନାଁଟା ଜାଣିବାକୁ ।
ଦିନେ ବିରକ୍ତ ହୋଇ କହିଲା ‘ତୁମେ ନାଁ ଗୁଡ଼ାକ କହି ଯା ମୁଁ କହିଦେବି କୋଉଟା ତା’ର ନାଁ ।’ ଜଣେ କହିଲ ଚାଲିଲା । କମଳୀ, ଅମଳୀ, ଚେମି ।
ସନିଆଁ ମୁଣ୍ଡ ହଲାଇ କହିଲା । ନାହିଁ, ନାହିଁ, ବଡ଼ ଲୋକ । ରାଜରାଜୁଡ଼ାଙ୍କ ମାଇପଙ୍କ ନାକରେ କାନରେ ନ ଥାଏ? ଆଉ ଜଣେ କହିଲା ‘ମାଙ୍କିଡି଼, ଫାସିଆ, ନୋଲକ, ନୋଥ?’ ତା’ କଥା କେହି ବୁଝିପାରୁ ନାହାନ୍ତି ଦେଖି ସନିଆ ଆଉ ଟିକିଏ ସହଜ କରି କହିଲା ‘ମସଲା ଭିତରେ ଅଛି ।’ ଜଣେ ବାହାରି ପଡି଼ଲା । ‘ଲବଙ୍ଗ, ଅଳେଇଚ, ଗୁଜୁରାତି, ପାନମହୁରି, ପିପରମେଣ୍ଟ ।’ ସନିଆ କହିଲା ‘ନା, ନା, ସେ ଗୁଡ଼ାକ କି ମସଲା?’ ଏଥରକ ସମସ୍ତେ କହିଲେ ‘ହଳଦୀ, ସୋରିଷ, ରସୁଣ, ପିଆଜ, ଜିରା, ପୋସ୍ତକ । ‘ଜିରା’ କଥା ଶୁଣି ସନିଆ ବାଧା ଦେଲା ହଁ ସେଇ ସେଇ । ପିଲାମାନେ ଅଟକି ଯାଇ ପଚାରିଲେ ପୋସ୍ତକ । ଶେଷରେ ଜିରାରେ ହଁ ହେଲା ।
ପିଲାଙ୍କର ହସ ଓ ଥଟ୍ଟା ଆରମ୍ଭ ହେଲା । ‘ହଇରେ ସନିଆ ତୋ ମାଇପ ନାଁ ଜିରା! ହେଁ ହେଁ ଜିରା ଗୋଟିଏ କି ନାଁ ମ । ସନିଆକୁ ବିରକ୍ତ ଲାଗିଲା ଯେ କଥାଟା ବେଳକୁ ବେଳ ବଢ଼ୁଛି । ତା’ର ସ୍ତ୍ରୀର ନାଁଟା ଏଡ଼େ ସୁନ୍ଦରିଆ । ଅଥଚ ମେଞ୍ଚଡ଼ ପିଲାଗୁଡ଼ାକ ହସରେ ଉଡ଼େଇ ଦେଉଛନ୍ତି ।
ଟିକିଏ ଗୁମ୍ ମାରି କହିଲା ‘ସେ ନୁହଁ ସେ ନୁହଁ । ସେ ନାଁର ଆଉ ଗୋଟାଏ ଚିଜ । ଭାରି ଚକ୍ ଚକ୍ କରେ ଅନ୍ଧାର ଘର ଆଲୁଅ କରିଦିଏ ।’
‘ଆଉ କ’ଣ ହୀରା ।’
ହଁ, ହଁ ।
ପିଲାମାନେ ବିରକ୍ତ ହୋଇ କହିଲେ ଆଗରୁ କହିଲୁ ନାହିଁ ସେ କଥା । ଜିରା କହି ପୁଣି ହୀରା ବୋଲି ବଦଳଉଛି । ଦୁଃଖରେ କଥାଭାଷା ହେଲେ ହୀରା ନ ହୋଇ ଜିରା ହୋଇଥିଲେ ଭାରି ମଜା ହୋଇଥାନ୍ତା ।
ଯେ ଟିକିଏ ପଢ଼ିଥାଏ ସେ କହେ ମଫସଲରେ ମୂର୍ଖ ଅଛନ୍ତି । ପ୍ୟାଣ୍ଟ କୋଟ ପିନ୍ଧିବା ଲୋକ ଖାଲି ଦେହରେ ଲୋକଙ୍କୁ ଦେଖି କହେ ‘ଅସଭ୍ୟ’ । ଟୋପି ପିନ୍ଧା ଲୋକ ଚୁଟି ଥିବା ଲୋକଙ୍କୁ କହେ ମୂର୍ଖ- ବଞ୍ଚିଛି କେମିତି? ସନିଆ ଘର କେଜାଣି କେତେ ପୁରୁଷ ଧରି ସେଇ ନଈ କଡ଼ରେ ପଡ଼ିଛି ।
ଦିଆଲି ଆଗରୁ ପିଲାଙ୍କର ଚିନ୍ତା-କଦଳୀ ଗଛ ପୋତି ଜାକଜମକରେ ଦିଆଲି କରିବେ । ଜଣକ ଘରୁ କଦଳୀ ଗଛ ବରାଦ ହୋଇଥାଏ । ସନିଆକୁ ଖୁସାମଦ ଲାଗିଥାଏ । ସେ ଯେମିତି ଦିଆଲି ଦିନ ସକାଳୁ ଯାଇ ଦୁଇଟା କଦଳୀ ଗଛ ଆଣି ପୋତିବ ।
ଭୋରରୁ ଉଠି ପିଲାମାନେ ସନିଆକୁ ଉଠେିଲେ । ‘ସନିଆରେ ଯା- ଶୀଘ୍ର, ଫେରି ଆସିବୁ । ଭଲ କଦଳୀ ଗଛ ଦେଖି ଆଣିବୁ- ଯେମିତି ପତ୍ରଗୁଡ଼ାକ ଫାଟି ନ ଯାଏ । ଏକା ଉଚ୍ଚ ହୋଇଥିବ । ପାନ ଖାଇବାକୁ ଦି ପଇସା ନେ ।’
‘ହଉ, ଯାଉଛି ଚାଲ ।’ ସନିଆ ଗଲା । ପିଲାମାନେ ଦୁଆରେ ଚାହିଁ ରହିଲେ । ସନିଆ ଫେରୁଛି ଦୁଇଟା କଦଳୀ ଗଛ ଆଣିଛି । ରାସ୍ତାରୁ ଘରକୁ ଦଉଡ଼ଧାପଡ଼ ଲାଗିଥାଏ । ସନିଆ ଆସି ଗଛ ଦୁଇଟା ଫୋପାଡି଼ ଦେଇ ଘରକୁ ଚାଲିଗଲା । ପିଲାଏ ଗଛ ସାଙ୍ଗରେ ବ୍ୟସ୍ତ ରହିଲେ । ହେଲା ପାଟି । ପତ୍ର କଟା ହେଇଥିବା ଗଛ ଦି’ଟା ବାଛି ବାଛି ସନିଆ ଆଣିଛି । ପିଲାଏ କାନ୍ଦି ଉଠିଲେ- ସନିଆର ଆଖି ଦୁଇଟା ମଧ୍ୟ ଲାଲ ।
ବାବୁଆଣୀ ବୁଝିବାରୁ ଜଣାପଡ଼ିଲା ଯେ ଭଲଗଛ ଦୁଇଟା ନେଇ ସନିଆ ଆସିଲାବେଳେ ବଜାରରେ ଜଣେ ପତ୍ର ମାଗିଲା । ସନିଆ ମନା କରିଦେବାରୁ ଜଣେ ଲୋକ ତା’ ଚୁଟିଟାକୁ ପଛରୁ ଭିଡି଼ ଧରିଲା । ସେ ଫୋପାଡ଼ି ଦେଇ ସେ ଲୋକ ଆଡ଼କୁ ଧାଇଁଯିହାକୁ ଆଉ ଦଳେ ପତ୍ର କାଟିନେଇ ପଳେଇଲେ । ବଜାରର ଗୋରୁ ପହୁଁଚି ଯିବାରୁ ସେ ଗଛ ଦି’ଟା ନେଇ ଆସିଛି । ସେ ଲୋକକୁ ଏବେ ପାଇଲେ ତା’ର ତଣ୍ଟି କଣା କରି ଦିଅନ୍ତା ।
ତା’ର ଚୁଟି ବାପ ଅଜା ଅମଳର ସମ୍ପଦ । ଚୁଟି କାଟିବା କଥା କେହି କହିଲେ ସେ ରାଗରେ ଜଳି ଉଠେ । ସେଥର ବଜାରରେ ଚୁଟି ନେଇ ଗୋଳମାଳ ହେବାରୁ ପୁଣିଥରେ ପିଲା ଲଗେଇଲେ ଚୁଟିଟା କାଦିଦେବାକୁ । ‘ତୋ ଚୁଟି ଦେଖିଲେ ସମସ୍ତେ ତତେ ବୋକା କହୁଛନ୍ତି ।’
ସନିଆକୁ ବି ଲାଗିଲା କଥାଟା ସତ । କ’ଣ ଭାବି ସନିଆ ତହିଁ ଆରଦିନ ଚୁଟିଟି କଟେଇ ଦେଲା- ସେ ବୋକା ହୋଇ କେଇଦିନ ବଞ୍ଚିବ?
ମଣିଷ ହେଲେ ସମସ୍ତଙ୍କୁ ପାଠ ପଢ଼ିବାକୁ ହେବ, ହିସାବ ରଖିବାକୁ ହେବ । ଚୁଟି କାଟିବାକୁ ହେବ । ତା’ହେଲେ ସେ ହେବ ଚତୁର ଆଉ ମଣିଷ ।
ସହରରେ ରହି ସନିଆ ରାସ୍ତା ଚିହ୍ନିଲା । ବାବୁଙ୍କ ନାଁ ଜାଣିଲା । କେଉଁ ପକ୍କାଘରେ ଲୋକେ ଶୁଅନ୍ତି, କେଉଁଥିରେ ଗାଈ ବାନ୍ଧନ୍ତି- ତାହାର ପ୍ରଭେଦ ବୁଝିଲା । ଗାଁ କଥା ମନେ ପଡ଼େ । ସେଠି ତା’ର ସାଙ୍ଗ ସାଥୀ ଲୋକେ ଏ ସବୁ ଜାଣନ୍ତି ନାହିଁ ବୋଲି ସେଠିକି ରାସ୍ତା ପଡି଼ନାହିଁ, କି ସେଠି କୋଠା ତିଆରି ହୋଇନାହିଁ । ସେଠୁ ମଣିଷ ଆସି ଏଇ ସହରରେ ଚାକର ଓ ହୁଣ୍ଡା; କିନ୍ତୁ ଗାଁରେ ସେ ମାମଲତକାର ।
ଗାଁକୁ ଗଲାବେଳେ ସେ ବଡ଼ ଭାଇକି କହିବ ଯେ ବାଧକିରେ ପଡ଼ିଲାରୁ ସେ ଲଣ୍ଡା ହୋଇଛି । ବଡ଼ଭାଇ ସହରରେ ଚାକିରି କରି କୁଆଡ଼େ ବାଧକିରେ ପଡି଼ ଲଣ୍ଡା ହୋଇଥିଲା । ଲଣ୍ଡା ହେବାପରେ ସେ ଗାଁର ଜଣେ ମୁଖିଆ ହୋଇ ଯାଇଛି ।
ବସନ୍ତ କୁମାରୀ ପଟ୍ଟନାୟକ (୧୫ ଡିସେମ୍ବର ୧୯୨୩ – ୨୯ ମାର୍ଚ୍ଚ ୨୦୧୩) ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକା । ଅମଡ଼ାବାଟ, ଚୋରାବାଲି, ଅଲିଭାଚିତା, ପାଲଟା ଢେଉ ଆଦି ତାଙ୍କର ଜଣାଶୁଣା ରଚନା । ସେ ଅର୍ଥନୀତିରେ ସ୍ନାତକୋତ୍ତର ଲାଭ କରିଥିଲେ ମଧ୍ୟ, ସାହିତ୍ୟକୁ ସମୟ ନଦେଇପାରିବାର ଆଶଙ୍କା ଯୋଗୁଁ ଚାକିରି କରିନଥିଲେ ।