ବିନୟ ମହାପାତ୍ର

କେହିଜଣେ କହିଲା ରାସ୍ତା ସରି ଆସିଲାଣି, ପ୍ରସ୍ଥାନ ପାଇଁ ଏବେ ପ୍ରସ୍ତୁତି ଆରମ୍ଭ କରିଦିଅ । ହଁ ସତ କଥା, ପଥ ସରେ, ଅଲଗା ଅଲଗା ସମୟରେ ଷ୍ଟେସନ ଆସିଯାଏ, ଯାତ୍ରୀର ଯାତ୍ରା ବି ସରିଯାଏ । ପ୍ରସ୍ଥାନ ପାଇଁ ବିଶେଷ କିଛି ପ୍ରସ୍ତୁତିର ଆବଶ୍ୟକତା ହୁଏନି, ସାଥିରେ କିଛି ଲଗେଜ ବି ନଥାଏ, ଏକା ଏକା ଓହ୍ଲାଇ ପଡ଼ିବାକୁ ହୁଏ ନିର୍ଦ୍ଦଷ୍ଟ ଷ୍ଟେସନରେ । ସାଥିରେ ଆଉକେହି ନାହିଁ ନା ସାଙ୍ଗ ନା ସଙ୍ଗିନୀ ।
କେଉଁଠି ଗୋଟାଏ ଆର୍ଟିକିଲରେ ପଢିଥିଲି, କେହିଜଣେ ମହାପୁରୁଷ କହିଥିଲେ ତୁମର ପ୍ରକୃତ ‘ଲାଇଫ ପାର୍ଟନର’ କିଏ, ସେ ବିଷୟରେ । ତାଙ୍କ କହିବା ଅନୁସାରେ ମାଆ, ବାପା, ଭାଇ, ଭଉଣୀ, ସନ୍ତାନ କେହି ତୁମର ଜୀବନ ସଙ୍ଗିନୀ ନୁହେଁ, ଏପରିକି ପତ୍ନୀ ବି ନୁହେଁ । ତୁମର ନିଜ ଶରୀର ହିଁ କେବଳ ତୁମର ଜୀବନ ସଙ୍ଗିନୀ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ତୁମର ସାଥିର ରହେ । ସତ କଥା ତ, ଶରୀର ଛାଡ଼ିଲା ପରେ ଆଉ କିଏ ସାଙ୍ଗରେ ଥିବ ? କିନ୍ତୁ ମନରେ ଗୋଟିଏ ପ୍ରଶ୍ନ ଆସେ, ମୁଁ କଣ କେବଳ ଆତ୍ମା ? ଶରୀରରେ ପ୍ରବେଶ ଓ ପ୍ରସ୍ଥାନ ପର୍ଯ୍ୟନ୍ତ ସାଥିରେ ରହେ ? ତେବେ ପ୍ରାଣ କଣ ? ପ୍ରେମ କଣ ? ଏସବୁ କଣ କେବଳ ମାୟା ? ଏସବୁ ଯଦି ମାୟା, ତେବେ ଏଇ ମାୟା ହିଁ ଉତ୍ତମ, ମାୟା ମଣିଷକୁ ବଞ୍ଚିବା ଶିଖାଏ ଏବଂ ଏଇ ମାୟା ସହିତ ମଣିଷ ବଞ୍ଚେ ଓ ମରେ । କେବଳ ଶରୀର ଜୀବନ ସଙ୍ଗିନୀ ନୁହେଁ, ପ୍ରାଣ ଅଛି ତ ପ୍ରେମ ଅଛି, ବନ୍ଧନ ଅଛି ଏବଂ ଆମର ପ୍ରାଣ ଆମର ମାଆ, ବାପା, ଭାଇ, ଭଉଣୀ, ପତ୍ନୀ, ସନ୍ତାନ ସମସ୍ତଙ୍କ ଭିତରେ ବାଣ୍ଟିହୋଇ ଯାଇଛି ।
ଏଇ ଦି’ ଘଣ୍ଟା ଆଗରୁ ତ ସକାଳ ହୋଇଛି ! ସୂର୍ଯ୍ୟ ଏବେଯାଏ ଭଲ ଭାବରେ ଦି’ପାଦ ଆଗକୁ ବଢ଼ିନି ! ହେଲେ ସିଏ, ସିଏ ମାନେ ମୋର ପ୍ରାଣପ୍ରିୟା ପତ୍ନୀ ସୁନୀତି ଦେବୀ । ହାଃ ହାଃ ହାଃ । ଆପଣ ଭାବୁଥିବେ, ମୁଁ ପ୍ରାଣପ୍ରିୟା ଏଇଥିପାଇଁ କହୁଛି, କାରଣ ତାଙ୍କୁ ମୁଁ ମୋର ନିଜ ପ୍ରାଣଠାରୁ ଅଧିକ ଭଲପାଏ । ଆରେ ନା’ ନା’ ସେମିତି ଜମାରୁ ନୁହେଁ, ଯେତେ ଭାବୁଛନ୍ତି ମୁଁ ସେତେ ଭଲପାଏନା ତାଙ୍କୁ । ପ୍ରାଣପ୍ରିୟା ଏଇଥିପାଇଁ କହେ, କାରଣ ସେ ମୋର ଅଧା ପ୍ରାଣ ଆଉ ତାଙ୍କର ଅଧା ପ୍ରାଣ ଏକାଠି ସଂଯୁକ୍ତ ହୋଇ ଆମର ଗୋଟିଏ ପ୍ରାଣ ହୋଇଯାଇଛି । ଆମ ଦୁଇ ଜଣଙ୍କ ପ୍ରାଣ ଏକାଠି ମିଶି ଯେଉଁ ଗୋଟିଏ ପ୍ରାଣ ହୋଇଛି, ସେଇ ଗୋଟାକ ପ୍ରାଣ ଆମ ଦି’ଜଣଙ୍କ ପାଖରେ ଅଧା ଅଧା ହୋଇ ରହିଛି । ଯେମିତି ଅଧା ଗ୍ଲାସ କ୍ଷୀର ଅଧା ଗ୍ଲାସ ପାଣି ଏକାଠି ମିଶାଇ ପୁଣି ଦୁଇଟି ଗ୍ଲାସରେ ଅଧା ଅଧା କରି ରଖିଦେଲେ କେଉଁଟା ପାଣି କେଉଁଟା କ୍ଷୀର ଜାଣି ହୁଏନି, ଠିକ୍ ସେମିତି । ଆମେ ଦି’ଜଣ ପରସ୍ପରକୁ ସମାନ ସମାନ ପ୍ରେମ କରୁ, ତେଣୁ ସେ ମୋର ପ୍ରାଣପ୍ରିୟା । ସେଇଥିପାଇଁ ତାଙ୍କୁ ପ୍ରାଣପ୍ରିୟା କହେ ।
ଏବେ ଠାକୁର ଘରେ ଘଣ୍ଟି ବାଜିବାର ଶବ୍ଦ ଶୁଭୁଛି, ଗୁଣୁଗୁଣୁ କରି କିଛି ମନ୍ତ୍ର ସ୍ୱର ବି ଶୁଭୁଛି । ଠିକ୍ ଭାବେ ବୁଝି ହେଉନି ତଥାପି.. ବୋଧ ହୁଏ ଓଁ ଭୁର୍ଭୂବଃ ସ୍ୱଃ ତତ୍ ସବିତୁଂର୍ବରେଣ୍ୟଂ… ମାନେ ଗାୟତ୍ରୀ ମନ୍ତ୍ର ହୋଇପାରେ । ମନମୋହକ ଧୂପ କାଠିର ମହକ ଭାସି ଆସୁଛି ପବନରେ । ମୁଁ ତ ପୂଜା ପାଠ କରେନି, ତେଣୁ ମୋ ଭାଗର ପୂଜାଟା ବି ସେ କରି ଦିଅନ୍ତି ଆଉ ସେଇଥିପାଇଁ ବୋଧ ହୁଏ ତାଙ୍କୁ ଏତେ ସମୟ ଲାଗିଯାଏ । ଏତେ ସମୟ, ମାନେ ୨୦ ରୁ ୨୫ ମିନିଟ । ଯଦି କେବେ ପଚାରେ ଏତେ ପୂଜାପାଠ କରି କଣ ମାଗୁଛ ଠାକୁରଙ୍କୁ ? ସେ କିଛି କହନ୍ତିନି, ଖାଲି ଟିକିଏ ହସି ଦିଅନ୍ତି । ସେଇ ହସ ଯେମିତି କହେ, ତୁମେ ତ ସବୁ ଜାଣିଛ, ପୁଣି ପଚାରୁଛ କଣ ଯେ ?
ହଁ ସତ କଥା, ମୁଁ ଜାଣେ ସେ ବରଦାନରେ କଣ ଚାହାଁନ୍ତି । ପ୍ରଥମେ ତ ଘର ପରିବାରର ସମସ୍ତଙ୍କର କୁଶଳ ମଙ୍ଗଳ, ମାନେ ‘ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟଃ’ ତାପରେ ମୋ ପାଇଁ ଟିକିଏ ସ୍ଵତନ୍ତ୍ର ବର ମାଗନ୍ତି । ଯେମିତି ମୋ ଦେହ ଭଲ ରହୁ, ମୁଁ ନିରୋଗ ରହେ, ଶତାୟୁ ହୁଏ ଏବଂ ସର୍ବଦା ସୁସ୍ଥ ସବଳ ରହେ । ସର୍ବଶେଷରେ ନିଜ ପାଇଁ ଏକ ବିଶେଷ ବରଦାନ ମାଗନ୍ତି । ନିଜ ପାଇଁ ମୃତ୍ୟୁର ବରଦାନ, ହେ ପ୍ରଭୂ ମୋତେ ଅହ୍ୟ ସୁଲକ୍ଷଣୀ କର, ହାତରେ ଚୁଡ଼ି, ମଥାରେ ସିନ୍ଦୁର ସହିତ ମୋତେ ବାହୁଡାଇ ନିଅ !
ଏଇ ଏବେ, ଘଣ୍ଟି ଶବ୍ଦ ବନ୍ଦ ହୋଇଗଲା, ଭିତରୁ ସୁନୀତି ଦେବୀଙ୍କର ପାଟି ଶୁଭିଲା । ପୁଅବୋହୂଙ୍କ କବାଟ ଠକ୍ ଠକ୍ କରି ସେମାନଙ୍କୁ ଉଠେଇଲେ, କହିଲେ, “ଆରେ ଉଠରେ, ସକାଳ ହୋଇ ଗଲାଣି, ସାତଟା ବାଜିଲାଣି, ଅଫିସ୍ ନାହିଁ କି ଆଜି ? ଚା’ ତିଆରି କରି ଦେଇଛି । ଉଠିକି ପିଇ ନିଅ, ଥଣ୍ଡା ହେଲେ ଆଉଥରେ ଗରମ କରିବାକୁ ପଡ଼ିବ, ବାରମ୍ବାର ଗରମ କଲେ ଚାହା ଭଲ ଲାଗିବନି ।
ସକାଳେ ସେ ନିଜେ ଗାଧୋଇ ଠାକୁର ପୂଜା କରିବା ଆଗରୁ ମୋତେ କପେ ଚାହା ଦେଇ ସାରିଛନ୍ତି । ଏବେ ପାଣି ଗଡୁଟାଏ ନେଇ ଏପଟେ ଆସିବେ । ଏଇ ବାରଣ୍ଡା ତଳକୁ ଲାଗି ବୃନ୍ଦାବତୀଙ୍କ ଚଉରାଟା । ସେଠି ତୁଳସୀରେ ପାଣି ଦେବେ । ଧୂପ କାଠିଟିଏ ଜାଳିବେ, ମୁଣ୍ଡିଆ ମାରି ଗୁଣୁଗୁଣୁ ହୋଇ କଣ ମାଗିବେ । କିଏ ଜଣେ ପଣ୍ଡିତେ କହିଥିଲେ ତୁଳସୀ ପାଖରେ ସକାଳେ ଧୂପ ଆଉ ସଂଜରେ ଦୀପ ଜାଳିବ । ସେବେଠୁ ସେ ସେମିତି କରୁଛନ୍ତି, ସକାଳେ ଧୂପ କାଠି ଆଉ ସଂଜରେ ଘିଅ ସଳିତାରେ ଦୀପଟିଏ ଜାଳନ୍ତି । ସଂଜ ସକାଳରେ ସେଇ ଏକା କଥା ଜଣାନ୍ତି ବୃନ୍ଦାବତୀଙ୍କୁ, ଆଉ ମାଗନ୍ତି ସେଇ ଗୋଟିଏ ବରଦାନ । ଆପଣଙ୍କୁ ତ କହିଥିଲି ସେ ବରଦାନ କଥା ।
ବୃନ୍ଦାବତୀଙ୍କ କାମ ସାରି ବାରଣ୍ଡା ଉପରକୁ ଚଢ଼ୁଚଢ଼ୁ ଘରଣୀ କହିଲେ, ତୁମେ ଏବେ ଗାଧୋଇବ ନା ଜଳଖିଆ ଆଣି ଦେବି, ଖାଇକି ପରେ ଗାଧୋଇବ । କହିଲି ଆରେ ଆଜି ଦେହଟା ଟିକେ ଭଲ ଲାଗୁନି ତ, ତୁମେ ଏବେ ଖାଲି ଚାହା କପଟିଏ ଦିଅ, ଟିକେ ପରେ ଦାନ୍ତ ଘଷିଲେ ଜଳଖିଆ କରିବି । ବାରଟା ପରେ ଗାଧୋଇବି । ଏବେ ଆଉ କୋଉ ଅଫିସ ଯିବାର ଚିନ୍ତା ଅଛି ଯେ । ଦେହ କଥା ଶୁଣି ସେ ଟିକେ ଗମ୍ଭୀର ହୋଇଗଲେ । ଗଡୁଟାକୁ ସେଇଠି ତଳେ ଥୋଇ ଦେଇ, ଲୁଗା କାନିରେ ହାତ ପୋଛୁ ପୋଛୁ ପାଖରେ ଆସି ହାଜର, କପାଳରେ ହାତ ମାରି କହିଲେ ତାତି ତ ନାହିଁ, କଣ ଲାଗୁଛି ତୁମକୁ? କହିଲି ଆରେ ଜର ଫର ନାହିଁ ମ, ଅଣ୍ଟାଟା ଟିକେ ଖାଲି ଦରଜ ଦରଜ ଲାଗୁଚି । ହଠାତ୍ ଘରଣୀଙ୍କ ମୁହଁର ଭାବ ବଦଳି ଗଲା । ବଡ଼ବଡ଼ ଆଖି କରି କହିଲେ, ରିଟାୟର୍ଡ ପରେ ନା ତୁମ ରୁଟିନ ବଦଳିଯାଇଛି ପୁରାପୁରି । ଦିନଟା ସାରା ସେଇଠି ବସି କଣ ସବୁ ପଢୁଛ ନହେଲେ ଲ୍ୟାପଟପ୍ ପାଖରେ ବସି କଣ ଲେଖାଲେଖି କରୁଛ । କେତେ ଥର କହିଲିଣି ଟିକେ ସକାଳ ସଂଜରେ ମର୍ଣ୍ଣଂ ୱାକରେ ଯାଅ, ନହେଲେ ସକାଳେ ଟିଭିରେ ରାମଦେବ ବାବାଙ୍କ ପ୍ରୋଗ୍ରାମ ଦେଖି ଦେଖି ଟିକେ ଯୋଗ କି ପ୍ରାଣାୟମ କର । ହେଲେ ତୁମେ କଣ ଶୁଣିବ କାହା କଥା ? ବୁଢା ହୋଇଗଲଣି ଆଉ କଣ ତୁମର, ସେ ବୟସ ଅଛି, ଏମିତି ଏତେ ସବୁ କରିବାକୁ । ତୁମେ ପୁରାପୁରି ଅଳସୁଆ ହୋଇ ସାରିଲଣି । କାଲି ସକାଳେ ମୁଁ ଉଠିଲାବେଳେ ତୁମକୁ ଉଠାଇ ଦେବି । ତୁମକୁ ଯଦି ଡର ଲାଗୁଛି, ମୁଁ ଯିବି ତୁମ ସାଙ୍ଗରେ ମର୍ଣ୍ଣିଂ ୱାକରେ ।
ମୁଁ ମନେମନେ ଟିକେ ହସିଲି, ଭାବିଲି ଏଇଟା ବୋଧେ କୋଡ଼ିଏ କି ପଚିଶତମ ଧମକି ତାଙ୍କର । ଆଗରୁ କେତେଥର ଏମିତି କହି ସାରିଲେଣି । ସକାଳେ ଯେତେବେଳେ ଉଠିବେ ଆଉ ଦେଖିବେ ମୁଁ ନିଶ୍ଚନ୍ତରେ ଶୋଇଛି ତାଙ୍କର ଦୟା ଆସିଯିବ ମୋ ଉପରେ । ଭାବିବେ, ଆହା କେଡ଼େ ଗାଢ଼ ନିଦରେ ଶାନ୍ତିରେ ଶୋଇଛନ୍ତି । ଚାକିରି ଥିବା ସମୟରେ କି ପିଲାଏ ଚାକିରି କରିବା ଆଗରୁ ଏମିତି କେବେ ଶାନ୍ତିର ଶୋଇବା ଦେଖିନି । ଏ ବୟସରେ ଟିକେ ଶାନ୍ତିରେ ଶୋଇଛନ୍ତି ତ ଶୁଅନ୍ତୁ, ଯେତେ ବେଳେ ନିଦ ଭାଙ୍ଗିବ ଆପେ ଉଠି ଯିବେ । ମୋତେ ଉଠାଇବାକୁ ତାଙ୍କର ହାତ ଯାଏନି ।
ପିଲାମାନେ ଉଠି ସାରିଲେଣି, ରୋଷେଇ ଘରେ ଡେକଚି, କଢେଇ, ପିଠାଖଡ଼ିକା ନିଜ ନିଜ କାମରେ ଲାଗି ଗଲେଣି, ବୋହୂ ରୋଷେଇ ଘର ଚାର୍ଜ ପୁରା ସମ୍ଭାଳି ନେଲାଣି । ଘରଣୀଙ୍କର ଏବେ ନାତୁଣୀ ଉଠିବା ପର୍ଯ୍ୟନ୍ତ ବିଶ୍ରାମ । ନାତୁଣୀ, ମାନେ ଆମ ଗୁଡୁ, ସେ ଉଠି ଗଲେ ସୁନୀତାଦେବୀ ପୁଣି ବ୍ୟସ୍ତ ହୋଇଯିବେ ତା ସାଙ୍ଗରେ । ଛୁଆଟିଏ ଥିଲେ ଘରେ କେତେ ଗହଳଚହଳ ଲାଗି ରହିଥାଏ । ଏଇ ଆସନ୍ତା ପନ୍ଦର ତାରିଖକୁ ନଅ ପୁରି ଦଶ ମାସ ଚାଲିବ ତାକୁ । ଦାନ୍ତ ଉଠିନି ଏଯାଏ, ଠିଆ ଠିଆ ହେଉଛି, ଆଣ୍ଠେଇ ଆଣ୍ଠେଇ ଗୁରୁଣ୍ଡୁଚି ଏବେ । ତା ପଛେପଛେ କେହି ଜଣେ ସାରା ଦିନ ବିଜି । ସେ ଶୋଇ ପଡିଲେ ଘରଟା ଶୁନ ଶାନ ନିଛାଟିଆ ଲାଗୁଛି, ମନ ହୁଏ, ସେ ନଶୁଅନ୍ତା କି ହେଲେ, ଖାଲି ଏମିତି ଖେଳୁଥାନ୍ତା ପାଟି କରୁଥାନ୍ତା, ପୁଣି ନିଦରୁ ଉଠିିଗଲେ, ମନେ ହୁଏ, ଓହଃ, କେତେ ଦୁଷ୍ଟ ହେଉଛି, ଟିକେ ଶୋଇ ପଡନ୍ତା ହେଲେ । ବଡ ବିଚିତ୍ର ପରିସ୍ଥିତି ।
ଘରଣୀ କପେ ଚା, ଦି’ଖଣ୍ଡ ବିସ୍କୁଟ ଆଉ ଟାବ୍ଲେଟଟିଏ ନେଇ ଆସିଲେ, କହିଲେ “ବିସ୍କୁଟ ଦିଖଣ୍ଡ ଖାଇ ଏ ଟାବ୍ଲେଟଟା ଖାଇ ଦିଅ, ଅଣ୍ଟା ଦରଜ କମିଯିବ । ମୁଁ ପଚାରିଲି କେଉଁ ଟାବ୍ଲେଟ ଏଇଟା, ସେ କହିଲେ, ମୋ ଅଣ୍ଟା ଦରଜବେଳେ ଯେଉଁ ଟାବ୍ଲେଟ ଆଣିଥିଲ ସେଥିରୁ ବଳି ଥିଲା । ଭଲ ଔଷଧଟା ମୋର ଏକଦମ୍ ଠିକ୍ ହୋଇଗଲା । ତୁମେ ବି ଖାଇ ନିଅ, ଆରାମ ଲାଗିବ । ଟାବ୍ଲେଟଟା ହାତକୁ ନେଉନେଉ ପଚାରିଲି, କଣ କରିବ ଏବେ, ଗୁଡୁ ତ ଉଠି ନଥିବ ଏଯାଏ, ତୁମେ ଗଧୋଇ ସାରିକି ପୁଜାପାଠ ତ କରି ସାରିଲଣି, କିଛି ଖାଇଲଣି ନା ନାହିଁ? ଗାଧୋଇ ବେଶି ସମୟ ଖାଲି ପେଟ ରହିଲେ ପେଟ ଗରମ ହୋଇଯିବ, ତୁମର ପୁଣି ଗ୍ୟାସ ପ୍ରୋବ୍ଲେମ ଅଛି । ଯାଅ, କିଛି ଖାଇ ନିଅ । ସେ କହିଲେ ନେଇକି ଆସିଚି ପରା । ପଟେ ବାସି ରୁଟି ଆଉ ଚା’ । ବୋହୂ ଜଳଖିଆ ତିଆରି କରୁଛି, ତୁମେ ଦାନ୍ତ ଘଷିଲା ସାରିଲା ପରେ ଏକାଠି ଖାଇନେବା ।
କହିଲି ଟିକିଏ ବସ ଏଇଠି । ତା’ପରେ ଆମେ ଚାହା ପିଇବାକୁ ଲାଗିଲୁ, ମୁଁ ତାଙ୍କ ମୁହଁକୁ ଚାହିଁ ରହିଥାଏ ତାଙ୍କର ସେଇ ଲାବଣ୍ୟ ମୂର୍ତ୍ତିକୁ ନିରଖି ଦେଖୁଥାଏ, ଆଉ ଭାବୁଥାଏ ସେଇ ଅତୀତକୁ । ଦେଖୁଦେଖୁ ସମୟ କେତେ ଜଲଦି ଚାଲିଗଲା, ଜାଣି ହେଲାନି । ଆଜି ବି ମନେପଡ଼େ, ନାଲି ଶାଢୀରେ ଢଙ୍କା ସେଇ କୋଡିଏ ବର୍ଷର ଝିଅଟି । ଫୁଲରେ ସଜା କାରରୁ ବଡ ସନ୍ତର୍ପଣରେ ଲାଜେଇ ଲାଜେଇ, ଡରି ଡରି ମଥାକୁ ନୋଇଁ ମୋରି ଆଗେ ଆଗେ ପାଦ ବଢାଇ ଚାଲି ଆସିଥିଲା ଆମ ଘରର ଏରୁଣ୍ଡି ବନ୍ଧ ପାଖକୁ । ସେଇଠି ବାଟ ଅଟକେଇ ଠିଆ ହୋଇଥିଲା ମୋ ସାନ ଭଉଣୀ, ନଣନ୍ଦ ପୁଟୁଳି ପାଇଁ ଅଳି କରିଥିଲା । ନଣନ୍ଦ ପୁଟୁଳି ନଦେଲେ ବାଟ ଛାଡ଼ିବିନି । ମାଆ ପଛରେ ଥାଇ ପାଟି କଲା, କହିଲା ହଇରେ ନୂଆ ବୋହୂଟାକୁ ଭିତରକୁ ଆସିବାକୁ ଦେ’ ଆଗ, ଘରକୁ ଆସିଲେ ସିନା ତୋତେ ଦେବ ତୋ ପୁଟୁଳି ।
ଦୁଆର ବନ୍ଧ ଉପରେ ଲୁଗା ଖଣ୍ଡେ ଆମ ମୁଣ୍ଡ ଉପରେ ଟେକି ଧରିଥିଲେ ଗୋଟେ ପଟେ ବଡ଼ ଭେଣେଇ ଆଉ ଆର ପଟଟା ଆଉ କିଏ ଜଣେ ଭାଇ ହେବେ, ନାଆଁ ମନେ ପଡୁନି । ସେଇ ଦିନ ସେ ଗୃହପ୍ରବେଶ କଲେ । ଏଇ ଘରକୁ ଆସି ସେ ଏଇ ଘରର ହୋଇଗଲେ। ସଭିଙ୍କୁ ଆପଣାର କରି ନେଲେ । ନା’ କେବେ କିଛି ଅଭିଯୋଗ ନା’ କିଛି ବିଶେଷ ମାଗୁଣି । ସବୁବେଳେ ସବୁଥିରେ ସନ୍ତୁଷ୍ଟ, ସେ ଅଳ୍ପ ହେଉ ବା ବେଶି, ଯେବେ କିଛି ବି ନମିଳେ ସେତେବେଳେ ବି । ଅଜଣା ଝିଅଟିଏ ଏମିତି ଦିନେ ମୋ ଘରର ସମସ୍ତ ଦାୟିତ୍ୱ, ସମସ୍ତ ବୋଝ ନିଜ ମୁଣ୍ଡରେ ଉଠେଇ ନେଲା । ଆଜି ତା ବିନା ସବୁ ଅଚଳ । ଏବେ ପୁଅ ବାହାଦେଇ ଘରକୁ ବୋହୂ ଆସିଲା ପରେ ବି ତାଙ୍କ ଚିନ୍ତା ସରୁନି । କେହି କିଛି କରିବାକୁ କହୁ କି ନକହୁ ପଛେ ସେ ସବୁଥିରେ ନିଜକୁ ବ୍ୟସ୍ତ କରି ନେଉଛନ୍ତି । ବୋହୂ କେତେଥର କହିଲେଣି, ବୋଉ ଆପଣ ଟିକେ ରେଷ୍ଟ କରନ୍ତୁ । ଗୁଡୁକୁ ଧରି ଗୋଟିଏ ଜାଗାରେ ବସନ୍ତୁ । ବୟସ ହୋଇଗଲାଣି, ଏ ବୟସରେ ଏତେ କାମ କରି ଥକି ଯାଉଛନ୍ତି । କେବେ ଦେହ ଖରାପ ହୋଇଗଲେ କିଏ କଷ୍ଟ ପାଇବ? ହେଲେ ସେ କଣ କାହା କଥା ଶୁଣିବେ !
ସେ ଚାହା ପିଉ ପିଉ ମୋ ମୁହଁକୁ ଦେଖି ପଚାରିଲେ କଣ ଦେଖୁଚ ? କଣ ଭାବୁଚ ଏମିତି ମୋ ଆଡ଼କୁ ଅନେଇ ? କହିଲି, ଆରେ ନାଇ ନାଇ କିଛି ନାହିଁ । କିଏ କହିଲା ମୁଁ ତୁମକୁ ଦେଖୁଥିଲି ବୋଲି । ତୁମେ ତ ବୁଢୀ ହୋଇଗଲଣି, ଦେଖିବା ଭଳି ତୁମ ପାଖରେ ଆଉ କଣ ଅଛି ଯେ ତୁମକୁ ଦେଖିବି ?
ସେ ଟିକେ ହସି କହିଲେ “ଆଚ୍ଛା ଆଜି ମୁଁ ବୁଢୀ ଲାଗୁଚି ତୁମକୁ । ହଉ ବୁଢୀ ତ ହେଇଗଲିଣି, ଆଉ କାହିଁକି ଦେଖିବ ମୋତେ !”
ସାଙ୍ଗେସାଙ୍ଗେ କଥା ବଳେଇ ମୁଁ କହିଲି ଆରେ ନାଇମ ତୁମେ କାହିଁକି ବୁଢୀ ହେବ, ତୁମକୁ ଦେଖିଲେ କିଏ କହିପାରିବ ତୁମର ନାତିନାତୁଣୀ ହୋଇ ସାରିଲେଣି ବୋଲି ! ଆଜି ବି ସେମିତି ଦିଶୁଛ ଯେମିତି ନୂଆବୋହୂ ହେଇ ଆସିଲାବେଳେ ଦିଶୁଥିଲ ।
“ହଁ ଥାଉ ଥାଉ ତୁମର ସେ ଚାଟୁକଥା”, କହି ସେ ମୁହଁ ବୁଲେଇ ବସିଲେ । ମୁଁ କଥା ବୁଲେଇ ପଚାରିଲି, ଆରେ ତୁମେ ଠାକୁରଙ୍କୁ ନିତି ପୂଜା କରୁଛ, ବୃନ୍ଦାବତୀଙ୍କ ପାଖେ ସବୁଦିନ ସଳିତା ଜାଳୁଛ, କଣ ମାଗୁଛ ଠାକୁରଙ୍କୁ ?
: ସେ କହିଲେ “ତୁମେ କଣ ଜାଣିନ? ଠାକୁରଙ୍କୁ ଯାହା ମାଗନ୍ତି, ସେକଥା କାହାକୁ କୁହା ଯାଏନା, ସେଇଟା ଗୋପନ ରଖାଯାଏ ।
ମୁଁ ତାଙ୍କ ମୁହଁକୁ ଚାହିଁଲି, ମନେ ମନେ ଭାବିଲି, ହଁ ମୁଁ ଜାଣେ, ସବୁ ଜାଣେ । ଦୁନିଆର ସବୁ ନାରୀଙ୍କ ପରି ତୁମେ ବି ପ୍ରତିଟି ସକାଳେ ଦିଅଙ୍କ ଆଗେ ମଥା ନୋଇ, ଅବା ପ୍ରତି ସଂଞ୍ଜରେ ବୃନ୍ଦାବତୀଙ୍କ ପାଖେ ସଞ୍ଜ ସଳିତା ଜାଳି ଦେଇ ନିଇତି ମୋ ପାଇଁ ଦୀର୍ଘଜୀବନ ମାଗ, ଆଉ ବିନତୀ କର ହେ ପ୍ରଭୂ ମୋତେ ଅହ୍ୟ ସୁଲକ୍ଷଣୀ କର, ସଙ୍ଖା ସିନ୍ଦୁର ସାଙ୍ଗରେ ମୋତେ ବାହୁଡାଇ ନିଅ । କିନ୍ତୁ ତୁମେ ଜାଣନା, ମୋ ପ୍ରାଣ କେତେ ନିର୍ଲଜ, ମୁଁ ଯେତେବେଳେ ତୁମ କଥା ଭାବେ, କେତେ ସ୍ୱାର୍ଥପର ହୋଇଯାଏ । ଭଗବାନଙ୍କୁ କୁହେ, ହେ ପ୍ରଭୁ ମୋ ପ୍ରାଣପ୍ରିୟାର ପ୍ରାର୍ଥନା ସ୍ୱୀକାର କର । ମୁଁ ବି ତୁମ ପାଇଁ ସେଇଆ କାମନା କରେ, ହେ ପ୍ରଭୁ, ମୋ ଅର୍ଦ୍ଧାଙ୍ଗୀର ପ୍ରାର୍ଥନା ସ୍ୱୀକାର କରିନିଅ, ମୋ ପୂର୍ବରୁ ତାକୁ ନେଇଯାଅ ! ହେଲେ କେମିତି କହିଦେବି, ତୁମବିନା ଜୀବନଟା ମୋ ପାଇଁ କେମିତି, କେତେ ଦୁର୍ବିସହ ହୋଇଯିବ !
ଚନ୍ଦନ ଗଛ ତାର ସୁଗନ୍ଧ ପାଇଁ ଆଦର ପାଏ, କେତେ ଇଜ୍ଜତ ପାଏ, ତାର ଜୀବନ ସାର୍ଥକ ହୋଇଯାଏ । ଯଦି ଚନ୍ଦନ ଗଛରୁ ତା ବାସ ଚାଲି ଯାଏ ତାର ଆଉ କଣ ବା ମୂଲ୍ୟ ରହିଯାଏ ? ନିର୍ଜୀବ କାଠ ଗଡ଼ଟାଏ ହୋଇଯାଏ ସିନା ! କେବଳ ଦହନର ଅପେକ୍ଷାରେ ରହେ, ଚୁଲିରେ ନହେଲେ ମଶାଣୀରେ ଜୁଇର ଚିତା ଜଳାଇବାର କାମରେ ଆସେ । ତୁମେ ଯେ ମୋର ସେଇ ସୁଗନ୍ଧ, କେମିତି ବୁଝେଇଦେବି ତୁମକୁ । ତୁମେ ହୁଏତ ଜାଣନା ମୋ ପାଇଁ ତୁମେ କ’ଣ, ତୁମେ କେବଳ ମୋର ଅର୍ଦ୍ଧାଙ୍ଗୀ, ଅଧା ଶରୀର ନୁହେଁ ତୁମେ ତ ମୋର ଅଧା ପ୍ରାଣ । ମୁଁ କେବଳ ସୁପ୍ତ ଇଲେକ୍ଟ୍ରିକ ବଲ୍ବଟିଏ, ତୁମେ ମୋ ପାଇଁ ବିଜୁଳି, ତୁମେ କୁହ, ବିନା ବିଜୁଳିରେ ମୁଁ କେମିତି ଜଳିପାରିବି ?
ଜୀବନର ଏଇ ସଂଜବେଳେ ଆମେ ପରସ୍ପର, ପରସ୍ପରର ଆଶାବାଡ଼ି, ଏକ ବିନା ଅନ୍ୟର ଜୀଇଁବା କେତେ ଯେ କଠିନ ସତେ ! କିନ୍ତୁ ଯେତେବେଳେ ଭାବେ, ମୋ ବିନା ତୁମେ କେମିତି ଜୀଇଁବ ! କେତେ ଭଲପାଉଛ ମୋତେ । ମୋ ଜୀବନ ସହିତ ଲତାଟିଏ ପରି ଗୁଡ଼େଇତୁଡ଼େଇ ହୋଇ ରହିଛ । ଏତେ ସରଳତା, ଏତେ ସହନଶୀଳତା ନେଇ, ତୁମେ କେମିତି ବଞ୍ଚିପାରିବ । ଲତା ବିନା ଗଛ ତ ଜୀଇଁଯିବ, ହେଲେ ଗଛ ବିନା ଲତାର ଜୀବନ କେତେ ଯେ କଠିନ ହୋଇ ପଡ଼ିବ ! ଏକଥା ଭାବିଲେ, ମୁଁ ନିଜକୁ ବଡ଼ ଅସହାୟ ମନେକରେ । ସେଥିପାଇଁ ଡରି ଯାଏ, ନିଇତି ବଦଳୁଥିବା ଏଇ ମଣିଷମାନଙ୍କ ଗହଳରେ ମୋ ପରେ ତୁମ ସହିତ ପୁଅବୋହୂ, ଝିଅଜୋଇଁ, ନାତିନାତୁଣୀଙ୍କର ବ୍ୟବହାର କେମିତି ହେବ କିଏ କହିପାରିବ? ଯଦି କିଏ କେବେ ଟାଣକରି କଥା ପଦେ କହିଦିଏ, କେମିତି ସହିପାରିବ ତୁମେ ? କାହା ଛାତିରେ ମୁହଁଗୁଞ୍ଜି ଦି’ ଟୋପା ଲୁହ ଢାଳିଦେବ, ଅବା କାହାକୁ ଦୁଃଖ ଶୁଣାଇ ମନବୋଝ ହାଲୁକା କରିବ ? ମୋ ବିନା ତୁମକୁ ମୁଁ କଳ୍ପନା କରିପାରୁନି । ମୁଁ ତୁମକୁ ଜାଣେ, ତୁମର ସହନଶୀଳତା ତୁମର ଧୈର୍ଯ୍ୟ ମୁଁ ଦେଖିଛି । ତୁମ ଭିତରର ସେଇ ଛୋଟ ଝିଅଟିକୁ ବି ଦେଖିଛି । ଅନ୍ୟର ଦୁଃଖରେ ଯାହା ଆଖିରୁ ଲୁହ ବୋହିଯାଏ, ଟିକିଏ ଟାଣ କଥାରେ ଯିଏ କୋହ ସମ୍ଭାଳି ପାରେନା ! ମୋ ପରେ କେମିତି ସମ୍ଭାଳିବ ତୁମେ ତୁମ ନିଜକୁ ! କିଏ ତୁମକୁ କୋଳେଇ ନେଇ ବୁଝେଇଦେବ ଏଇ ଜଟିଳ ଦୁନିଆର ନିଷ୍ଟୁର ପରିବେଶ କଥା ।
ସେଇଥି ପାଇଁ ଚାହେଁନା ତୁମକୁ ଏକୁଟିଆ କରି, ତୁମ ଆଗେଆଗେ ଚାଲିଯିବା ପାଇଁ ! ମୋର କେବଳ ଏତିକି ଇଚ୍ଛା ମୁଁ ଆଖି ବୁଜିବା ଆଗରୁ ତୁମକୁ ମୋ ଆଖି ଆଗରେ ଖୁସି ଖୁସି ସଂଙ୍ଖା ସିନ୍ଦୁର ଦେଇ ନୂଆ ବୋହୂଟିଏ ପରି ନାଲିପାଟ ପିନ୍ଧାଇ ବାଜା ରୋଷଣୀ ଜାଳି ଆରପୁରକୁ ବିଦା କରିବାକୁ । ତୁମକୁ ଯେମିତି ସଜେଇ ବାଜା ବଜେଇ ନୂଆବୋହୂ କରି ଏ ଘରକୁ ଆଣି ଥିଲି ଠିକ୍ ସେମିତି ତୁମକୁ ଏଇ ଘରୁ ବାଜା ବଜାଇ ଖଇ କଉଡି ବିଛାଡି ବିଦା କରିବି ।
ଏଇ ଭାବନା ଭିତରେ ମୋ ଆଖିରୁ ଧାର ଧାର ହୋଇ ଲୁହ ବୋହି ଆସୁଥିଲା, ମୁଁ କୋହ ସମ୍ଭାଳି ପାରୁ ନଥିଲି । ଘରଣୀ ଚଉକି ଛାଡ଼ି ମୋ ପାଖକୁ ଧାଇଁ ଆସିଲେ, ମୋତେ ତାଙ୍କ ଛାତିରେ ଜାବୁଡ଼ି ଧରି ପଚାରିଲେ କଣ ହେଲା । ମୋର କଣ୍ଠ ରୁନ୍ଧି ହୋଇ ଯାଉଥିଲା, କିଛି ବି କହିପାରିବା ଅବସ୍ଥାରେ ମୁଁ ନଥିଲି । କଣ ବା କହିଥାନ୍ତି ! କେମିତି କହି ପାରିଥାନ୍ତି ମୁଁ କଣ ଭାବୁଥିଲି ବୋଲି ! ତାଙ୍କ ହାତକୁ ମୋ ହାତରେ ଜାବୁଡି ଧରି ବାସ୍ପାକୁଳ କଣ୍ଠରେ ଖାଲି ଏତିକି କହିଲି, କଥା ଦିଅ, ତୁମେ ମୋତେ ଛାଡି କେବେ ବି କୁଆଡ଼େ ଯିବନି ! ସେତେବେଳକୁ, ପୁଅ ଘର ଭିତରୁ ଡାକ ପକାଇଲା, ବୋଉ ଗୁଡୁ ଉଠିଲାଣି, ତୋ ପାଖକୁ ଯିବାକୁ ହେଉଛି ।
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।