ବିନୟ ମହାପାତ୍ର

ମାତୃ ଦିବସରେ ଦୁନିଆର ସବୁ ମାଆମାନଙ୍କୁ ମୋର ପ୍ରଣାମ । ମାଆ ବିଷୟରେ ଯେତେ କହିଲେ, ଯେତେ ଲେଖିଲେ ବି, ଲାଗେ ସତେଯେପରି ଆହୁରି ବହୁତ କିଛି କହିବାକୁ, ଲେଖିବାକୁ ବାକି ରହିଗଲା । ମାଆ ଏକ ଅମୂଲ୍ୟ ଆଶିର୍ବାଦ, ମାଆ’ର ସ୍ଥାନ ଆଉ କେହି ପୂରଣ କରି ପାରିବେନି । ଦେବାଦେବୀ ତ ଅନେକ ଅଛନ୍ତି ଆମ ପୁରାଣ ଶାସ୍ତ୍ରରେ, କିଏ ଧନର ଦେବୀ, କିଏ ବୁଦ୍ଧି ବିଦ୍ୟାର ଦେବୀ ତ କିଏ ଶକ୍ତି ସୌର୍ଯ୍ୟର ଦେବୀ, କିନ୍ତୁ ମାଆ ପରି ନିସର୍ତ୍ତ ଭାବେ ଏତେ ମମତା, ଏତେ ପ୍ରେମ ଦେବା ପରି ଦେବୀ ଆଉ କିଏ ହୋଇପାରିବ ? ମାଆଠାରୁ ଅଧିକ ମମତାମୟୀ, କଲ୍ୟାଣମୟୀ ଦୁନିଆଁରେ ଆଉ କିଏ ଅଛି ? ମାଆ’ର ଧୈର୍ଯ୍ୟ, ସହନଶୀଳତାର ତୁଳନା ନାହିଁ । ବେଳେବେଳେ ମନେ ହୁଏ, ସତରେ ମାଆକୁ ସୃଷ୍ଟି କରି ଭଗବାନ ନିଜ ଗୋଡ଼ରେ ନିଜେ କୁରାଢୀ ମାରିଦେଲେ । କାରଣ ମାଆ ପାଖରେ ଥିଲେ, ଭଗବାନ ବି ମନେ ପଡ଼ନ୍ତି ନାହିଁ । କେବେ କଷ୍ଟ ହେଲେ କି ଡର ଲାଗିଲେ, ଭଗବାନଙ୍କ ଆଗରୁ ମାଆ ମନେ ପଡ଼ିଯାଏ । ମଣିଷ ହେ ଭଗବାନ ନକହି, ଅଜାଣତରେ ତା ପାଟିରୁ ପ୍ରଥମ ଶବ୍ଦ ମାଆ ଲୋ, କିମ୍ବା ବୋଉ ଲୋ ବୋଲି ବାହାରି ଆସେ ।
ମୋର କବିତା ଏବଂ ଗଳ୍ପ ଗୁଡିକରେ ସେ “ଧାନକଟା ଛୁଟି”ର ମାଆ ହେଉ, ବା “ଏକଦା”ର ମାଆ ହେଉ, “ଉପେକ୍ଷିତା”ର ମାଆ ହେଉ ବା “ବୋଉ” ଗଳ୍ପର ମାଆ, ମୁଁ ଯେତେ ମାଆ (ବୋଉ)ଙ୍କ ବିଷୟରେ ଲେଖିଛି, ସେସବୁ ଲେଖିବାବେଳେ ଯେଉଁ ମହିୟସୀ ମାଆର ପ୍ରେମ ଓ କରୁଣାମୟୀ ରୂପ ମୋ ଆଖି ସାମ୍ନାରେ ଥାଏ ଏବଂ ମୋ କଲମରୁ ତା ବିଷୟରେ ଶବ୍ଦ ଝରିପଡ଼େ, ସେହି ଜଣକ ଆଉକେହି ନୁହେଁ, ସେ ହେଉଛି ମୋର ଜନ୍ମଦାତ୍ରୀ ମାଆ । ଆମେ ସାତ ଭାଇ ଭଉଣୀଙ୍କ ଭିତରେ ମୁଁ ଦ୍ୱିତୀୟ ସନ୍ତାନ ଏବଂ ଆମ ତିନି ଭାଇଙ୍କ ଭିତରେ ମଝିଆ । କଥାରେ କହନ୍ତି : ‘ବଡ଼ ପୁଅ ବାପାର, ସାନ ପୁଅ ମାଆର, ମଝିଆ ପୁଅ ଗାଁ ବାହାର ।’ କିନ୍ତୁ ମୋ କ୍ଷେତ୍ରରେ ପୁରା ଅଲଗା ଥିଲା । ମୁଁ ଜାଣିଛି ମୋ ମାଆ, ଆମ ଭାଇଭଉଣୀଙ୍କ ଭିତରେ ସମସ୍ତଙ୍କ ଅପେକ୍ଷା ମୋତେ ବେଶି ଭଲ ପାଉଥିଲା । ବୋଧହୁଏ ସମସ୍ତଙ୍କୁ ଏମିତି ଲାଗେ, ସେ ଛୋଟ ହେଉ ବଡ଼ ସନ୍ତାନ ହେଉ, ମୋ ମାଆ ମୋତେ ସବୁଠୁ ବେଶି ଭଲପାଏ ବୋଲି ସମସ୍ତେ କହିବେ । ମାଆ ପ୍ରେମ ଭାଗ ବାଣ୍ଟି ହୁଏନି, କେତେ ବାଣ୍ଟିବ ? ସେ ତ ମମତାର ଅସରନ୍ତି ଭଣ୍ଡାର ! ତା ପ୍ରେମରେ ସମସ୍ତଙ୍କୁ କାନି ମରିଯାଏ ।
ପିଲାଦିନେ ମୁଁ ବହୁତ ଦୁଷ୍ଟ ଥିଲି ଆଉ ବଦରାଗୀ ମଧ୍ୟ । ଆଜିକାଲି ମୋ ନାତିନାତୁଣୀଙ୍କ ଦୁଷ୍ଟାମୀ ଦେଖିଲେ ମୋତେ ଲାଗେ, ଏମାନେ ମୋ ଦୁଷ୍ଟାମୀର ଶହେ ଭାଗରୁ ଦଶ ଭାଗ ବି ନୁହଁନ୍ତି । ମୁଁ ଯଦି ଦୁଷ୍ଟାମୀ ସ୍କୁଲର ହେଡମାଷ୍ଟର, ସେମାନେ ମୋର ପ୍ରଥମ ଶ୍ରେଣୀର ଛାତ୍ର । ପ୍ରତିଦିନ ମୋ ଦୁଷ୍ଟାମୀର ଅନେକ କମ୍ପ୍ଲେନ ମାଆ ପାଖକୁ ଆସୁଥିଲା ଏବଂ ମାଆ ସେସବୁର ସମାଧାନ ବଡ଼ ସହଜରେ କରି ଦେଉଥିଲା । ବାପାଙ୍କ କାନ ଯାଏ କଥା ଯାଏନି । କେବେ ଯଦି ବାପାଙ୍କ କାନ ଯାଏ କଥା ପହଞ୍ଚେ, ତେବେ ସେଦିନ ନିସ୍ତାର ନାହିଁ, ମାଡ଼ ଖାଇବାଟା ସୁନିଶ୍ଚିତ । ତାପରେ ମୋର ରୁଷିବା ଆଉ ଅନଶନ ପର୍ବ ଆରମ୍ଭ ହୋଇଯାଏ, ମାଆ ମୋତେ ଗେହ୍ଲା କରି ବୁଝେଇସୁଝେଇ ଶାନ୍ତ କରାଏ ।
ଖାଇବାରେ ମୋର ହଜାର ନଖରା, ଏଇଟା ଖାଇବିନି, ସେଇଟା ଖାଇବିନି, ବିଶେଷ କରି ମୁଁ ସନ୍ତୁଳା ଖାଏନା, ଯଦିଓ ସନ୍ତୁଳା ବାପାଙ୍କର ପ୍ରିୟ ତରକାରୀ ଏବଂ ଘରେ ଅଧିକାଂଶ ସମୟରେ ସନ୍ତୁଳା ହୁଏ । ତେଣୁ କିଛି ନା କିଛି ବାହାନା କରି ମୋ ରୁଷିବାଟା ପ୍ରାୟ ସବୁ ଦିନ ଧାର୍ଯ୍ୟ । ସମସ୍ତଙ୍କ ପାଇଁ ଗୋଟେ ପ୍ରକାର ରନ୍ଧା ହେବ ତ ମୋ ପାଇଁ ଅଲଗା ସ୍ପେସାଲ କିଛିନା କିଛି ତିଆରି ହେବ । ବାହାଘର ପରେ ମୋର ଏ ନଖରା ପୁରା ବନ୍ଦ ହୋଇଗଲା । ଏବେ ଯାହା ମିଳିଲେ ଖାଇଦିଏ, ମାଆ ପରି ମନକଥା ବୁଝି ସବୁ କିଛି ଆଉକେହି ବି କରି ପାରିବନି । ମାଆ ହାତ ରାନ୍ଧଣା ଏବେ ବି ମନେପଡ଼େ । ଆଜି ସେ ନାହିଁ କିନ୍ତୁ ତାର ସ୍ମୃତି ଚିରଦିନ ଅଭୁଲା ସ୍ମୃତି ହୋଇ ମନ ଓ ହୃଦୟରେ ଆଙ୍କି ହୋଇ ରହିବ । ମୋ ପିଲାଦିନ ଆଉ ମୋ ମାଆ ବିଷୟରେ କହିବା ଆରମ୍ଭ କଲେ ପୁରା ଗୋଟିଏ ପୋଥି ଭରିଯିବ । ଧୀରେଧୀରେ ସେସବୁ କଥା କେବେ ନା କେବେ ମୋ ଗଳ୍ପ ମାଧ୍ୟମରେ ଆପଣଙ୍କ ପାଖରେ ପହଞ୍ଚିବ ନିଶ୍ଚୟ । କିନ୍ତୁ ଏଇଟା ଅଲଗା କଥା, ଆପଣମାନେ ହୁଏତ ଜାଣି ପାରିବେନି ଯେ କୋଉଟା ମୋ ନିଜ କାହାଣୀ, କେଉଁଟି ସତ ଓ କେଉଁଟି ଗପ ।
ମାଆ ଆଜି ଆମମାନଙ୍କ ଗହଣରେ ଆଉ ନାହିଁ, କିନ୍ତୁ ସେ ଯେଉଁଠି ଥାଉନା କାହିଁକି ତାର ବରଦ ହସ୍ତ ସବୁବେଳେ ମୋ ନିଜ ମଥା ଉପରେ ଥିଲା ପରି ଅନୁଭବ ହୁଏ । ଭଗବାନଙ୍କ ଠାରେ ଏତିକି ପ୍ରାର୍ଥନା, ଯଦି ଆଉଥରେ ଜନ୍ମ ମିଳେ, ତେବେ ସେଇ ମାଆ କୋଳରେ ହିଁ ଜନ୍ମ ମିଳୁ ।
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।