ଗୁଣୁପୁରର ପ୍ରାଚୀନ ଶୈବ କ୍ଷେତ୍ର ବାଘୁଆ ଦେଉଳ

ପ୍ରାଣକୃଷ୍ଣ ପାଣିଗ୍ରାହୀ

ଗୁଣପୁରର ସର୍ବ ପୁରାତନ ମନ୍ଦିର ହେଉଛି ଉମା ରାମଲିଙ୍ଗଶ୍ୱର ମନ୍ଦିର ( ବାଘୁଆ ଦେଉଳ ) । ଉମା ମାନେ ପାର୍ବତୀ, ରାମଲିଙ୍ଗେଶ୍ବର ମାନେ ଶିବ। ଏହି ମନ୍ଦିରକୁ ବହୁ ବର୍ଷ ତଳେ ବର୍ଦ୍ଦକ ମୁନି ଭୂଗର୍ଭରୁ ଫୁଟି ଉଠିଥିବା ଲିଙ୍ଗକୁ ପ୍ରତିଷ୍ଠା କରି ପୂଜା ଅର୍ଚନା କରି ଆସୁଥିଲେ । ଘଞ୍ଚ ଜଙ୍ଗଲ ମଧ୍ୟରେ ଏହା ଥିଲା। ଏହା ପାଖରେ କୌଣସି ଗାଁ ନଥିଲା। ନିକଟବର୍ତ୍ତୀ ଗାଁ ଲୋକେ କୌଣସି ହିଂସ୍ର ଜୀବଜନ୍ତୁ ଗାଁ ଭିତରକୁ ପ୍ରବେଶ କଲେ, ମନ୍ତ୍ର ଦ୍ଵାରା ବଶ କରି ଏହି ମନ୍ଦିର ପାଖରେ ଆଣି ଛାଡି ଦେଉଥିଲେ। ଋଷି ମଧ୍ୟ ବାହାରକୁ କୁଆଡେ ଗଲେ ବାଘଙ୍କୁ ଜଗାଇ ଯାଉଥିଲେ। ଏହି କାରଣରୁ ଏହି ମନ୍ଦିରର ନାମ ବାଘୁଆ ଦେଉଳ ହୋଇଛି ବୋଲି କୁହାଯାଏ l ତେବେ କାଳକ୍ରମେ ଏହି ମନ୍ଦିର ଭୂଗର୍ଭରେ ବିଲୀନ ହୋଇଗଲା।

ଅନେକ ବର୍ଷ ପରେ ଜଣେ ଚାଷୀ ଚାଷ କରୁଥିବା ସମୟରେ ଏହାର ଲିଙ୍ଗ ତାଙ୍କ ହଳରେ ବାଜିବାରୁ। ସେ ସେଠାରେ ଖୋଳି ଚାରିପଟ ସଫାକରି ଏହି ଘଟଣା ଗ୍ରାମବାସୀ ଙ୍କୁ ଜଣାଇଥିଲେ। ସେତେବେଳେ ଏହା କୁଆଡେ ଏକ ଚର୍ଚ୍ଚିତ ଘଟଣା ହୋଇଥିଲା। ଜୟପୁର ରଜାଙ୍କୁ ମଧ୍ୟ ଖବର ଦିଆଗଲା। ରାଜା ସୈନ୍ୟ ସାମନ୍ତ, ଋଷି ମୁନିଙ୍କୁ ଧରି ସେ ଜାଗାରେ  ପହଞ୍ଚି ଦର୍ଶନ କଲେ। ସେତେବେଳେ ମୁନି ମାନେ ଭବିଷ୍ୟ ବାଣୀ କରିଥିଲେ ଯେ ଏହି ମନ୍ଦିର ଦିନେ ପ୍ରତ୍ୟକ୍ଷ ଶିବ ମନ୍ଦିର ରୂପେ ଖ୍ୟାତି ଲାଭ କରିବ । ଫଳତଃ ଜୟପୁର ରାଜା ଏହି ମନ୍ଦିର ପ୍ରତିଷ୍ଠା କଲେ ଏବଂ ଚାରିଗୋଟି ବଂଶର ଲୋକଙ୍କୁ  ମନ୍ଦିରର ବିଭିନ୍ନ ସେବା ପାଇଁ ଦାୟିତ୍ୱ ଦେଇଥିଲେ। ଏହି ମନ୍ଦିର ଗୋଟିଏ ନିର୍ଜନ ସ୍ଥାନରେ ଥିବାରୁ ଆଗରୁ ଏତେ ଲୋକ ଯିବା ଆସିବା ନଥିଲା l ଖାଲି ପୂଜକ ତିନି ଓଳି ପୂଜା କରି ଆସୁଥିଲେ। ଶିବରାତ୍ରି ଦିନ ହିଁ ଭିଡ଼ ଜମୁଥିଲା l

ପରେ କେତେକ ଭକ୍ତ ଓ ଗୁଣପୁର ବାସୀ ବସି ଗୋଟିଏ କମିଟି କରି ଏହି ମନ୍ଦିରର ଉନ୍ନତି ଓ ପୁନଃ ନିର୍ମାଣ କରିଥିଲେ। ଏହି କ୍ରମରେ ସେତବେଳେର ତହସିଲଦlର ଓ ଦେବୋତ୍ତର ଅଧିକାରୀ ଶ୍ରୀ ଦୁଃଖୀଶ୍ଯାମ ପାଇକ (ଅବସର ପ୍ରାପ୍ତ ଆଇ.ଏ. ଏସ ଅଫିସର) ଙ୍କ ମନ୍ଦିର ନିର୍ମାଣରେ ସହଯୋଗ ନିଶ୍ଚିତ ଭାବେ  ଉଲ୍ଲେଖନୀୟ। ଆଜିର ଭବ୍ୟ ମନ୍ଦିରରେ ମାସକୁ ପ୍ରାୟ ଦଶ ଦିନ ରୁଦ୍ରାଭିଷେକ ଓ ମହାରୁଦ୍ରାଭିଷେକ ଅନୁଷ୍ଠିତ ହେଉଛି । ଏଠାରେ ମହାଶିବରାତ୍ରି, ସଂକ୍ରାନ୍ତି, ଶେଷ ସୋମବାର, କାର୍ତ୍ତିକ ମାସ, ଶୀତଳଷଷ୍ଠୀ ଆଦି ନିତିକାନ୍ତି ମହା ଆଡମ୍ବରରେ ପାଳନ ହୁଏ ଓ ବହୁ ଭକ୍ତ ଆସି ଦର୍ଶନ କରିଥାନ୍ତି। ପ୍ରତ୍ୟେକ ଦିନ ତିନି ଓଳି ପୂଜା, ନୈବେଦ୍ୟ ଓ ଆଳତୀ ଅନୁଷ୍ଟିତ ହୁଏ।

ମନ୍ଦିର ବିଷୟକ ଅଲୌକିକ ଘଟଣା ଅନେକ ରହିଛି।

ଥରେ ଶିବରାତ୍ରୀ ଦିନ ଭୋର ତିନିଟାରେ ମନ୍ଦିର ପୁଜାରୀ ଅଭିରାମ ପ୍ରଧାନୀ ଓ ତାଙ୍କ ସହଧର୍ମିଣୀ କାଞ୍ଚନ ମାଳ। ମନ୍ଦିରକୁ ପ୍ରବେଶ କରିବାକୁ ଯାଉଥିବା ସମୟରେ ଦେଖିଲେ ଗୋଟିଏ ବିରାଟ କାୟ ବାଘ ମନ୍ଦିର ସମ୍ମୁଖରେ ଠିଆ ହୋଇଛି। ଏମାନଙ୍କୁ ଦେଖି ବାଘଟି ମନ୍ଦିର ଭିତରେ ପ୍ରବେଶ କରିଗଲା। ସେତେବେଳେ ମନ୍ଦିରରେ କବାଟ ନଥlଏ। ଏମାନେ ସେଠାରୁ ଫେରି ଯାଇ ସକାଳ ହେଲାପରେ ଭକ୍ତ ମାନଙ୍କ ସହ ଆଉଥରେ ମନ୍ଦିରକୁ ଗଲେ, କିନ୍ତୁ ସେ ବାଘଟି ଆଉ ସେଠାରେ ନଥିଲା। ସେ ଦିନ ଶିବରାତ୍ରୀ ମଧ୍ୟ ମହା ଆଡମ୍ବର ରେ ପାଳନ ହୋଇଥିଲା।

କୁହlଯାଏ ଗୋଟିଏ ବିରାଟ କାୟ ସର୍ପ ମଧ୍ୟ ପ୍ରାୟ ବହୁ ଦିନ ଲିଙ୍ଗ ପାଖାରେ ଗୋଡ଼ାଇ ହୋଇ ରହୁଥିଲା। ନୂଆ ମନ୍ଦିର ହେଲା ପରେ ଅlଉ ସେ ସର୍ପ ର ଦେଖା ମିଳୁନି।

ଥରେ ଜଣେ ଭକ୍ତ ସୋମବାର ଦିନ ଦର୍ଶନ କରିବା ପାଇଁ ଆସିଥିଲେ ମନ୍ଦିରକୁ। ମନ୍ଦିରରେ ଲମ୍ବା ଲାଇନ୍ ଯୋଗୁଁ ସେ ନିକଟରେ ଥିବା ଆଉ ଗୋଟିଏ ମନ୍ଦିରରୁ ଦର୍ଶନ ସାରି ଫେରିଗଲେ। କିନ୍ତୁ ସେ ଦିନ ରାତିରେ ଖାଲି ତାଙ୍କୁ ସର୍ପ ସ୍ଵପ୍ନ ହୋଇଥିଲା। ସେ ଆଉ ଶୋଇ ପାରି ନଥିଲେ। ସକାଳୁ ଆସି ଦର୍ଶନ କରି ନିଜ ଅନୁଭୂତି ଜଣାଇ ଥିଲେ।

ଏଥିରୁ ସମସ୍ତ ଶିବ ଭକ୍ତ ଜାଣିବା କଥା :

 ୧. ମହାଶିବରାତ୍ରି ଉପବାସ, ଜପ ଓ ଜାଗରଣର ମହିମା ଅନେକ, ସଭିଏଁ ଅବଶ୍ୟ ପାଳନ କରିବା ଉଚିତ।

 ୨. ଶିବ ମନ୍ଦିରରେ ପ୍ରବେଶ ପୂର୍ବରୁ ମନ୍ଦିର ଚୂଡ଼। ରେ ଥିବା ତ୍ରିଶୂଳ ଦର୍ଶନ କରି, ପ୍ରଣାମ କରି ଯିବା ଉଚିତ

 ୩. ନନ୍ଦୀର ଯେଉଁ ପଟ ଦେଇ ପ୍ରବେଶ କରିଛନ୍ତି, ସେଇପଟେ ହିଁ ଫେରିବା ଉଚିତ ।

 ୪. ପୋଷାକ ପବିତ୍ର ଓ ପରିଚ୍ଛନ୍ନ ନ ଥିଲେ ଗର୍ଭ ଗୃହରେ  ପ୍ରବେଶ କରିବା କଥା ନୂହେଁ ।

 ୫. ମନ୍ଦିରରେ ଧ୍ୟାନ କରିବା ଓ ଦର୍ଶନ କରିବା ସମୟରେ ଭଗବାନ ଶିବଙ୍କର ସାକାର ରୂପକୁ ସ୍ମରଣ କରିବା ଉଚିତ

 ୬. ଶିବଲିଙ୍ଗ ପରିକ୍ରମା କରିବା ଅନୁଚିତ।

 ୭. ସ୍ଵାମୀ ବିବେକାନନ୍ଦ ମତରେ ମନ୍ଦିରକୁ ଯିବା ସମୟରେ ଖାଲି ହାତରେ ଯିବା ଅନୁଚିତ। କିଛି ନ ହେଲେ ହରିଡ଼ା ଗୋଟିଏ ହେଲେ ନେଇ ସମର୍ପଣ କରିବା ଉଚିତ।

୮. ଶିବ ମନ୍ଦିର କୁ ଖାଲି ପେଟରେ ଯାଇ ହିଁ ଦର୍ଶନ କରିବା ଉଚିତ, ଏମିତିକି ଚା ଅବା କଫି ବି ପିଇବା ଅନୁଚିତ ।

ବିଶେଷ କଥା : ଶିବ ଭଗବାନ କେବେବି କାହାକୁ ଖାଲି ହାତରେ ଛାଡ଼ନ୍ତି ନାହିଁ, ଯିଏ ଯାହା ଅର୍ପଣ କରିଥିବେ ତାହାର କେତେ ଗୁଣା କରି ଯେ ଫେରାଇବେ , ତାହାର କଳନା କରି ହେବନି। ବିବାହ, ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଏହି ମନ୍ଦିରରେ ରୁଦ୍ରାଭିଷେକ କଲେ ନିଶ୍ଚିତ ଫଳ ପ୍ରାପ୍ତି ହୁଏ। ଶିବ ପୂଜା ମାନେ ଗୁରୁ ପୂଜା ଅଟେ ଓ ଏହା ମରୁଭୂମିରେ ମଧ୍ଯ ଗଙ୍ଗା ବହାଇ ଦିଏ ଓ ବସନ୍ତରେ ବି ଝଡ ସ୍ରୁଷ୍ଟି କରିଦିଏ।

ଏଣୁ ସମସ୍ତେ ଜୀବତ୍ୱ ରୁ ଶିବତ୍ୱ ପ୍ରାପ୍ତି ପାଇଁ ଭଗବାନଙ୍କ ଶରଣାଗତ ହେବା ଦରକାର l

Related Posts

2 thoughts on “ଗୁଣୁପୁରର ପ୍ରାଚୀନ ଶୈବ କ୍ଷେତ୍ର ବାଘୁଆ ଦେଉଳ

  1. ଅତ୍ୟନ୍ତ ଉପାଦେୟ ତଥ୍ୟ ସମ୍ବଳିତ ସୁପାଠ୍ୟ ରଚନା,ବେଶ୍ ଭାବୋଦ୍ଦୀପକ ! ଲେଖକଙ୍କୁ ଅଭିନନ୍ଦନ

Leave a Reply

Your email address will not be published. Required fields are marked *