ଅଭିମାନ ମୋର ତୁମ ପାଇଁ ସଖା

ସୌଦାମିନୀ ସାହୁ

ଅଭିମାନ ନାହିଁ ଅଭିଯୋଗ ନାହିଁ
ତୁମେ ପରା ମୋର ଆପଣାର
ଅଧିକାର ପାଇଁ ଆସିବିନି କେବେ
ତୁମେ ତ ରହିଛ ସାଥେ ମୋର ।୧।

ଅସ୍ଵୀକାର ନାହିଁ ଆସିବାର ପରେ
ତୁମରି ବାଟକୁ ଚାହିଁଥିବି
ଅଝଟିଆ ତୁମେ ଅଭିସାର ପାଇଁ
ତୁମରି ହସରେ ହସୁଥିବି ।୨।

ଅମାନିଆ ମନ ଅବୁଝା ପବନେ
ତୁମରି ସ୍ମୃତିକୁ ସାଉଁଟୁଛି
ଅଙ୍କଲକ୍ଷ୍ମୀ ମୁଁ ଯେ ଅଙ୍ଗଲାଗି ପାଇଁ
ଦାସୀ ପରି ଭାଗ୍ୟ ମାଗୁଅଛି ।୩।

ଅଭିମାନ ଆଜି ଅଭିଯୋଗ ସାଜି
ଅଙ୍ଗୀକାର ସତେ ଭାଙ୍ଗିଦିଏ
ଅନୁରାଗ ନେଇ ଆସିବ କି ସାଥୀ
ଅଦିନ ଅବୁଝା ବର୍ଷା ପ୍ରାୟେ ।୪।

ଅମ୍ବରରେ ତୁମେ ଅବ୍ୟକ୍ତ ଅନନ୍ତ
ଅସୀମ ଆଶାର ପ୍ରୀତି-ଜଳେ
ଅଜଣା ପୁଲକେ ଅନ୍ତର-ମୁଲକେ
ଝୁରେ ମୁଁ ତୁମକୁ ସବୁବେଳେ ।୫।

ପ୍ରଧାନ ଶିକ୍ଷୟିତ୍ରୀ, ନେହେରୁ ନୋଡାଲ ଉ.ପ୍ରା. ବିଦ୍ୟାଳୟ, ସଫା, ଟାଙ୍ଗୀ, କଟକ, ମୋ- ୯୩୪୮୮୦୭୦୫୫

ଲେଖକ ପରିଚୟ

୧୯୯୨ରେ ଯୁକ୍ତ ଦୁଇ ଅଧ୍ୟୟନ ସମୟରେ ତତ୍କାଳୀନ ଓଡ଼ିଆ ବିଭାଗର ଅଧ୍ୟାପକ ଡକ୍ଟର ରାମଚନ୍ଦ୍ର ମହାନ୍ତିଙ୍କ ପ୍ରେରଣାରେ ପ୍ରଥମେ ‘ଖଣ୍ଡଗିରିକୁ ଅନୁରୋଧ’ ଶୀର୍ଷକ କବିତା ରଚନା କରିଥିଲେ, ଯାହା କି ‘ମୈତ୍ରେୟୀ ଅମୃତା’ରେ ପ୍ରକାଶ ପାଇଥିଲା । ତାପରେ ‘ନାରୀ ତୁ ସର୍ବଂସହା’ ‘କବିତା ‘ଆଭାସ’ରେ ଓ ‘ଡାଳିଯୋଡା’ ପତ୍ରିକାରେ ପ୍ରତିବର୍ଷ କବିତାଟିଏ ପ୍ରକାଶ ପାଇ ଆସିଲା । ଏଯାବତ୍ ଅସଂଖ୍ୟ କବିତା କେବଳ ଟିପାଖାତା ମଧ୍ୟରେ ହିଁ ସୀମିତ ରହିଥିବାବେଳେ ‘ଫେସବୁକ୍’ରେ ନିୟମିତ ଭାବଗର୍ଭକ ଛୋଟ ବଡ଼ କବିତା ଲେଖିବାରେ ବେଶ୍ ତତ୍ପରତା ଦେଖିବାକୁ ମିଳେ । ଋଷିପ୍ରତିମ ପଦ୍ମଭୂଷଣ ସାହିତ୍ୟିକ ଡକ୍ଟର ମନୋଜ ଦାସଙ୍କୁ ଆଦର୍ଶ ରୂପେ ଗ୍ରହଣ କରନ୍ତି । ଶ୍ରୀ ଅରବିନ୍ଦ, ଶ୍ରୀ ମାଆ ଓ କୃଷ୍ଣଙ୍କର ଜଣେ ପରମ ଅନୁରାଗୀ ଓ ପ୍ରକୃତି ପ୍ରିୟ ମଣିଷ ଭାବରେ ମଧ୍ୟ ବିବିଧ ସୃଜନଶୀଳ କବିତା ରଚନା କରିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *