କିଏ ସେହି ଆତତାୟୀ

ଗୀତାଞ୍ଜଳି ପୃଷ୍ଟି

ମୋ ଦେଶ ମାଟିରେ ମୋତେ ଯଦି ଆଜି
ମୃତ୍ୟୁର ଦଣ୍ଡ ମିଳେ
ବିନା ଦୋଷେ ମୋର ସରଳ ଜୀବନ
ଅକାଳରେ ଟଳି ପଡେ
କିଏ ହେବ ଏଠି ଦାୟୀ
ଯାହାର ଗୁଳି ମୋ ବକ୍ଷ ଭେଦକଲା
କିଏ ସେହି ଆତତାୟୀ ????

ଜବାବ ମାଗୁଛି ସନ୍ତାନ ମୋର
ସହଧର୍ମିଣୀର କୋହ
କେବେ ଆଉ ଆମେ ସ୍ୱାଧୀନ ହୋଇବୁ
ତୁଟାଇ ଜୀବନ ଭୟ
କିଏ ହେବ ଏଠି ଦାୟୀ
ଗଣତନ୍ତ୍ରର କଣ୍ଠ ଯେ ରୋଧିଲା
କିଏ ସେହି ଆତତାୟୀ ????

ଜାତି ପଚାରିଯେ ହତ୍ୟା କରୁଛି
କେଉଁ ଧର୍ମେ ସିଏ ଗଣା
ମଣିଷ ଖୋଳରେ ସୈତାନ ସିଏ
ହେଇଛି ସେ ବାଟ ବଣା
ଧରିଆଣ ତାକୁ ଯାଇ
ହିଂସ୍ର ବିଧର୍ମୀ କେଉଁଠି ଲୁଚିଛି
କିଏ ସେହି ଆତତାୟୀ ????

ମାଆ ବି କାନ୍ଦୁଛି ମାଟି ମୋ କାନ୍ଦୁଛି
କାନ୍ଦନ୍ତି ଆତ୍ମୀୟ ଜନ
ହିନ୍ଦୁ ଧର୍ମେ ଜନ୍ମି ଅପରାଧ
କିବା ତା’ର ପ୍ରୟୋଜନ
ତର୍ଜମା କରିବା ଭାଇ
କାହାର ବନ୍ଧୁକ ଭରିଦେଲା ଶୋକ
କିଏ ସେହି ଆତତାୟୀ ????

ସଂଶୟରେ ଆଜି ନିଜକୁ ପଚାରେ
ମୋ ଜାତିର ପରିଚୟ
ମୋ ଦେଶ ଭାରତ ସାର୍ବ ଭୌମତ୍ୱର
ହୋଇଛିକି ପରାଜୟ
ରକ୍ତ ପରଖି ଦେଇ
କୁହରେ ମଣିଷ ଭୀରୁ କାପୁରୁଷ
କିଏ ସେହି ଆତତାୟୀ ????

ଗତିରାଉତ ପାଟଣା, କଟକ, ମୋ – ୮୯୧୭୪୧୬୨୫୧

ଲେଖକ ପରିଚୟ

ଅଧୁନା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତା ହେଲେ ସାହିତ୍ୟ ପ୍ରତି ପ୍ରଗାଢ ଦୁର୍ବଳତା । ଛନ୍ଦବଦ୍ଧ ଏବଂ ମୁକ୍ତ ଛନ୍ଦ କବିତା ସହିତ ଧନ୍ଦା, ପ୍ରବନ୍ଧ ଏବଂ ଗଳ୍ପ ରଚନା କରେ । ବାଲ୍ୟକାଳରୁ ମାଟି ମନସ୍କତା, ଦେଶ ଓ ଜାତି ପ୍ରୀତି ମୋତେ ଏହି ଦିଗରେ ଅଗ୍ରସର ହେବା ପାଇଁ ପ୍ରେରଣା ଯୋଗାଇଛି । ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ ହେବା ସହିତ ମୋର ୩ ଟି କବିତା ପୁସ୍ତକ ଏବଂ ଗୋଟିଏ ଶିଶୁ ଗଳ୍ପ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି ।

Related Posts

Leave a Reply

Your email address will not be published. Required fields are marked *