ସବୁଠାରୁ ଦୀର୍ଘରାତି

ଚନ୍ଦ୍ରଶେଖର ରଥ

ମୁଁ କିନ୍ତୁ ତାକୁ ସକାଳେ ହିଁ ଦେଖୁଥିଲି । ତା’ ମୁହଁ ଝାଳରେ, ଲୁହରେ ଜକେଇ ଯାଇଥିଲା । ଆଖି ଚାରିପଟେ ଗହୀର କଳାଦାଗ ବାରି ହେଉଥିଲା । ଖୋର୍ଦ୍ଧା ଗେରୁଆ ଗାମୁଛା ବେଢ଼େଇ ହେଇଥିବା ତା’ ମେଲା ଦେହରେ ଏଠିସେଠି ଧୂଳିମଳି ଲାଗିଥିଲା । ପେଟ ଦି’ ଭାଗ ହେଇଯାଉଥିଲା । ତା’ ଘର ଭିତରୁ କାନ୍ଦଣା ଶୁଭୁଥିଲା ।
ଲୁଗା ଘୋଡ଼େଇ କେହି ଜଣେ ଛୋଟ ପିଲାଟିକୁ କାନ୍ଧରେ ପକେଇ ବାହାରି ଆସିଲା । ତା’ ପଛରେ ଆଉ ଜଣେ ଏବଂ ଆଉ ଜଣେ । ସେ ପାଚେରିକୁ ଆଉଜି ଆଖି ବୁଜି ନେଇଥିଲା । ସେ ମୋତେ ବୋଧହୁଏ ଦେଖିନାହିଁ କି ଚିହ୍ନି ନାହିଁ । କିମ୍ବା ମୁଁ ତାକୁ କିଛି ପଚାରିବାକୁ ସେତେବେଳେ ସାହସ କରିନାହିଁ ।
ମୁଁ ସକାଳୁ ବୁଲିସାରି ଫେରୁଥାଏ । ମୁଁ ସବୁଦିନେ ସେଇବାଟେ ସେତିକିବେଳେ ଫେରେ । ତାକୁ ପ୍ରାୟ ଭେଟେ ନାହିଁ । ସେଦିନ ସେପରି ଭେଟିବି ବୋଲି ମଧ୍ୟ ଭାବି ନ ଥିଲି । କାରଣ ରାଜୁ ସଞ୍ଜବେଳେ ମୋତେ ଘରେ ଛାଡି଼ ଗାଡି଼ ନେଇ ଚାଲିଆସିଥିଲା । କେନ୍ଦୁଝର ବାଟେ ଯୋଡ଼ାକୁ ନେଇଥିଲା ଏବଂ ଆଣିଥିଲା । ସେଇଠୁ ବାହାରିବା ଆଗରୁ ଗାଡି଼ର ମିଟର ଖୋଲି ସଂଖ୍ୟାଗୁଡ଼ାକ ପଛୁଆ କରି ଦେଇଥିଲା । ମାଲିକକୁ ଠକି କିଛି ପଇସା ସଞ୍ଚିଥିଲା । ଜାଣିଥିଲା ଯେ ମୁଁ ହୁଏତ ପ୍ରତିବାଦ କରିବି ନାହିଁ, କାରଣ ମୁଁ ପଇସା ଦେଉ ନ ଥିଲି- ମୋତେ ଅନ୍ୟମାନେ ଅତିଥି କରି ନେଇଥିଲେ । ଟାକ୍ସି ପଇସା ବି ସେମାନେ ଦେଇଥିଲେ । ରାଜୁ ଟାକ୍ସି ଚଳାଏ । ଧଳା ଆମ୍ବାସେଡର ଡିଜେଲ ଗାଡି଼ଟି ଭଲ ଚଳାଏ । ମୁଁ ଯେଉଁଆଡ଼େ ଗଲେ ସେ ନିଏ ।
ପାଚେରିକୁ ସେ ଆଉଜି ଠିଆ ହେଇଥିଲା । ତା’ ଘର ଭିତରୁ କାନ୍ଦଣା ଶୁଭୁଥିଲା । ଛୋଟ ପିଲାଟିକୁ ସେମାନେ କନା ଗୁଡ଼େଇ ନିରବରେ ବାହାରି ଯାଇଥିଲା । ମୋ ଦେହ ମୁଣ୍ଡ ଝିମ୍‍ ଝିମ୍‍ ଲାଗିଲା । ମୁଁ ଆସ୍ତେ ଘୁଞ୍ଚିଯାଇଥିଲି ।
ସେ ଦିନସାରା କିନ୍ତୁ ରାଜୁ ମୋତେ ଆଚ୍ଛନ୍ନ କରି ରଖିଥିଲା । ମୁଁ ଯେଉଁଆଡ଼େ ଚାହିଁଲେ ଆଖିବୁଜି ପାଚେରିକୁ ଆଉଜିଥିବା ରାଜୁର ମଲା ଦେହ ଦିଶିଯାଉଥିଲା । ମୋତେ ଅସୁସ୍ଥ ଲାଗୁଥିଲା । ତାକୁ ସେ ଦୁଃଖବେଳେ ସଙ୍ଖୋଳି ପାରିଲି ନାହିଁ ବୋଲି ଦୋଷୀ ଦୋଷୀ ଲାଗୁଥିଲା ।
ରାଜୁକୁ ବୟସ ଏଇ ଚାଳିଶ ପଇଁଚାଳିଶ । ତା’ ପିଲା କ’ଣ ପାଠଶାଠ ପଢ଼ିଲାଣି । ତାକୁ କୋଉଠି ପୁଅଟାର ଦେହ ଭଲ ନ ଥିଲା । ଗାଡି଼ ନ କାଢ଼ିଲେ ତ ଖାଇବାକୁ ମିଳିବ ନାହିଁ- ସେଇଥିପାଇଁ ଘରେ ରହି ବାଧିକା ପଡ଼ିଥିବା ପିଲାଟି କଥା ବୁଝିବା ତା’ ପକ୍ଷରେ ସମ୍ଭବ ନ ଥିଲା ।
ଆମେ ଯୋଡ଼ା ଯିବା ବାଟରେ ସେ ଚୁପ୍‍ଚାପ୍‍ ଗାଡି଼ ଚଳାଉଥିଲା । ସେ ବୋଧହୁଏ ବୁଡି଼ ରହିଥିଲା ଗଭୀର ଚିନ୍ତାରେ । ବଡ଼ପୁଅ, ସାନପୁଅ, ସାରା କୁଟୁମ୍ଭ ଭୋକ ଶୋଷ ରୋଗ ଏବଂ ଅସହାୟ ଦୁଃଖ ଚିନ୍ତାରେ ।
ମୁଁ ମଝିରେ କ’ଣ ପଚାରୁଥିଲେ ପଦେକରେ ଉତ୍ତର ଦେଇଦେଇଥିଲା ।
ମୁଁ ଭାବିଥିଲି ଯେ, ତା’ର ମନ ବୋଧେ ଭଲ ନ ଥିଲା । ତାକୁ ତା’ ଦୁଃଖରେ ମଜ୍ଜି ରହିବାକୁ ନ ଦେଇ ମୋର ଅନ୍ୟ ଚାରା ନ ଥିଲା ।
ସେଠି ପହଞ୍ଚି ଭଲ ଖିଆପିଆ କଲାପରେ ରାତି ପାଇଲାବେଳକୁ ସେ ଚେଙ୍ଗା ହୋଇ ଯାଇଥିଲା । ଖୁବ୍‍ ଫୂର୍ତ୍ତି, ଖୁବ୍‍ ସତେଜ ଦେଖାଯାଉଥିଲା । ଘରମୁହାଁ ଫେରୁଥିଲା ବୋଲି ବୋଧେ ସେ ସେମିତି ଉଲ୍ଲସିତ ଦେଖାଯାଉଥିଲା ।
ଆମେ ଏ ସହର ସୀମା ଛୁଇଁଲା ବେଳକୁ ବେଶ୍‍ ଅନ୍ଧାର ହୋଇଯାଇଥିଲା । ସେ ମୋତେ ଦୁଆର ମୁହଁରେ ଓହ୍ଲେଇଦେଲା । ପରିବାପତ୍ର କାଢ଼ିଦେଲା । ନମସ୍କାର କରି ବିଦାୟ ନେଇଗଲା । ମନେହେଲା ତାକୁ ତର ସହୁ ନ ଥିଲା । ମୁଁ ତା’ ମନକଥା ବୁଝି ତାକୁ ଆଉ ମୁଁ ମୁହୂର୍ତ୍ତେ ପାଇଁ ସୁଦ୍ଧା ଅଟକାଇ ରଖିବାକୁ ଚାହିଁ ନ ଥିଲି ।
କିନ୍ତୁ ରାତିଟା ଭିତରେ ଏସବୁ କ’ଣ ହେଇଗଲା? କେଡ଼େ ଶ୍ରୀହୀନ ଦିଶୁଥିଲା ରାଜୁ । ସେ ବୋଧେ ପହଞ୍ଚିଲା ବେଳୁ ସଂଗ୍ରାମ ଆରମ୍ଭ ହୋଇଯାଇଥିଲା । ଡାକ୍ତର, ଔଷଧ, ପୁଣି ଡାକ୍ତର, ପୁଣି ଇଞ୍ଜେକ୍ସନ…. ରାତିସାରା ଥାକ ଥାକ ହୋଇ ଗୋଟେଇ ହୋଇ ଯାଇଥିଲା ଦୁଃଖ ଏବଂ ଯନ୍ତ୍ରଣା । ସକାଳ ପାହିଲା ବେଳକୁ ସାନ ପଞ୍ଜୁରିଟିକୁ ଖାଲିକରି ପକ୍ଷୀ ଉଡି଼ଯାଇଥିଲା ।
ମୁଁ ଦିନସାରା ଏଇ କଥା ଭାବୁଥିବା ବେଳେ ଆନମନା ବସି ରହିଥିବା ଅନ୍ୟମାନେ ଲକ୍ଷ୍ୟ କରିଛନ୍ତି । ମୁଁ କିନ୍ତୁ ରାଜୁ ପାଇଁ ସତରେ ଭାରି ଅଥୟ ବୋଧ କରୁଥିଲି ।
କୌଣସି ପ୍ରକାରେ ପାଞ୍ଚଟା ବେଳକୁ ମୁଁ ତା’ ଦୁଆରେ ପହଞ୍ଚିଲି । ସେ ତା’ ପେଣ୍ଟ ସାର୍ଟ ହଳକ ପିନ୍ଧି କାନ୍ଧରେ ସେଇ ଗାମୁଛାଖଣ୍ଡ ପକାଇ ବାହାରି ଆସୁଥିଲା । କୁଆଡ଼େ ସେ ବାହାରିଥିଲା ସେପରି ଦିନଟାରେ? ଭାରି ଭାରି ବିପଣିରେ ଟଳମଳ ନାଆ ପରି ତା’ ଗୋଡ଼ ଅସ୍ଥିର ପଡୁଥିଲା । ବୋଧହୁଏ ମୁନ୍ଦେ ନିଶାପାଣି ପିଇଦେଇଥିଲା । ବୋଧହୁଏ ଚାହୁଁଥିଲା ତା’ ଭିତରେ ଜଳୁଥିବା ନିଆଁକୁ ସେଇଭଳି ଲିଭେଇ ଦେବା ପାଇଁ ।
ମୋତେ ଦେଖି ଅପ୍ରତିଭ ହେଲା ନା କ’ଣ- ନମସ୍କାର କରି ଦାନ୍ତ ନେଫେଡ଼େଇ ଠିଆହେଲା ।
‘ଆଉ କୁଆଡ଼େ ଗାଡି଼ ଯିବ କି ସାରର୍ଟ
‘ତୁ କ’ଣ ଏଇନା ଗାଡି଼ ନେଇ ବାହାରିବୁ?’
‘କିଛି ଅସୁବିଧା ନାଇଁ ସାର୍‍, ଷ୍ଟିଅରିଂ ଧରି ବସିଗଲେ ତେଣିକି ସବୁ ଠିକ୍‍ ।’
‘ମୁଁ କ’ଣ ସେ କଥା କହୁଛି? ଆଜି ପରା ତୋର…’
‘ଓ… ତାକୁ ଆଉ କ’ଣ କରାଯାଏ ସାର୍‍? ସେଥିପାଇଁ ଦୁଃଖ କରି ବସିଲେ ବାକି ସବୁ ଖାଇବେ କ’ଣ? ଦୁଃଖ କରିବାକୁ ଆମକୁ ବେଳ କାଇଁ ସାର୍‍? ନ ହେଲେ ଟୋକାଟା ଗୋଟାଏ କ’ଣ ବଡ଼ଲୋକ ହୋଇଥାନ୍ତା । ଅଢ଼େଇ ବର୍ଷର ପିଲା । ତା’ କଥା ଶୁଣିଲେ ଆପଣ ଛାନିଆ ହେଇଥାନ୍ତେ । ତା’ ଚେହେରା ବି ନିଆରା ।’ ସାମାନ୍ୟ ଆନମନା ହେଇ ଗୋଟାଏ ଆଡ଼କୁ ଚାହିଁ ରହିଲା ରାଜୁ । ଅଗାଧ ସ୍ୱପ୍ନ ଓ ନିରାଶାର ଛାଇ ମାଡି଼ ଯାଇଥିଲା ତା’ ଆଖି ଉପରେ ।
ସେ ଚମକିଲା ପରି ମୋତେ ଚାହିଁ ଦାନ୍ତ ନେଫେଡ଼େଇଲା ।
‘ଚାଲନ୍ତୁ ସାରେ, କୁଆଡ଼େ ଯିବେ ପରା?’
‘ଆରେ ନାଇଁ, ମୁଁ ଖାଲି ତତେ ଦେଖିବାକୁ ଚାଲିଆସିଲି !’ ସେ ସେମିତି ଦାନ୍ତ ନେଫେଡ଼େଇ ଚାହିଁଥାଏ । ତା’ ଓଠ ସାମାନ୍ୟ ଥରିଉଠିଲା । ଆଖି କୋଣ କୁଞ୍ଚ କୁଞ୍ଚ ହୋଇଗଲା । ସେ ଲୁଚେଇ ପାରୁ ନ ଥିଲା ତା’ କୋହଟାକୁ ।
ମୁଁ ତା’ ମାଲିକ ଗେରେଜ ଆଡ଼କୁ ତାକୁ ବାଟ କଢ଼େଇଲା ପରି ଆଗେଇ ଗଲି । ସେ ମୋ ସାଙ୍ଗେ ସାଙ୍ଗେ ଚାଲିଲା ।
ଏମିତି ନିରବ ଚାଲିଥାଉ ।
‘ଆପଣ ସ୍କୁଟର ଆଣି ନାହାନ୍ତି ସାର୍‍?’
‘ଆଣିଛି । ଗଜି ପାଖରେ ଦେଇ ଆସିଚି ଲାଇଟ୍‍ଟାକୁ ସଜାଡି଼ବା ପାଇଁ ।’
‘ମୋ ପାଖକୁ ଆଣିଲେନି ସାର୍‍, ମୁଁ ତାକୁ ଠିକ୍‍ କରିଦେଇଥାନ୍ତି । ସେ ଗଜିଟା କ’ଣ ଜାଣେ?’
‘ତୁ ବୋଧେ ମୋତେ ନେଇ ନ ଯାଇଥିଲେ ଏ ବିପତ୍ତି ପଡି଼ ନ ଥାନ୍ତା । ତୁ ଏଠି ଥିଲେ କଥା ଅନ୍ୟ ପ୍ରକାର ହୋଇଥାନ୍ତା । ତୁ ରାତିଟାରେ କ’ଣ ଆଉ କରିପାରିଥିବୁ? ତୁ ମତେ ଖବର ଦେଲୁ ନାଇଁ!’
‘କାଇଁକି କହିବି ସେ କଥା ସାରେ- ମୁଁ ପରା ଆସି ପାହାନ୍ତିଆରେ ଘରେ ପହଞ୍ଚିଲି । ସେତେବେଳକୁ କଥା ସରିଗଲାଣି ।
ମୁଁ ଫାଇଁକିନା ରାଗିଗଲି ।
‘କ’ଣ ହେଲା? ତୁ’ଟା ଗୋଟାଏ ନାଲାଏକ, ସଇତାନ କାହାଁକା! ଘରେ ପୁଅ ବେମାର ପଡି଼ଚି ଅଥଚ ପଳେଇଲୁ ଖଟିକି! କ’ଣ ନା ମିଟର ମୋଡି଼ ଯୋଉ ଦି’ପଇସା ଚୋରି କରିଥିଲୁ ତାକୁ ପିଇ ଦବା ପାଇଁ?’
ସେ କିଛି ନ କହି ମୋ ରାଗରୋଷକୁ ସହି ସହି ଚାଲିଥାଏ ।
‘କଥା ଶୁଣୁନାହାନ୍ତି ସାରେ…’
‘କ’ଣଟା ଆଉ ଶୁଣିବି… ନେଫେଡ଼ା?
‘ନାଇଁ ସାରେ, କାଲି ରାତି କଥା ମୁଁ ଆପଣଙ୍କୁ କ’ଣ କହିବି । ଯୋଗ ତ- ମୁଁ କ’ଣ ଜମା ଘରକୁ ଫେରିପାରିଲି କି?’
ମୁଁ ସେମିତି ତିଖାଗଳାରେ ପଚାରିଲି- ‘କାଇଁକି କ’ଣ ହେଲା?’
ସେ ଗେରେଜ୍‍ ଫିଟେଇ ଭିତରକୁ ଗଲାନାହିଁ, ବରଂ କବାଟରେ ଆଉଜି ଠିଆହୋଇ ତଳକୁ ଚାହିଁରହିଲା । କହିଲା… ‘ମୁଁ ଯଦି ତାକୁ ଡାକ୍ତରଖାନା ନେଇ ନ ଥାନ୍ତି ସେ ମରିଯାଇଥାନ୍ତା । ମୁଁ ଆପଣଙ୍କ ଘରୁ ଫେରିଲାବେଳକୁ ଭାବିଲି ଯେ, ରୋଗିଣା ପିଲାଟା ପାଇଁ ସେଉ ଅଙ୍ଗୁର କିଛି ନେଇଯିବି । ବାଟଭାଙ୍ଗି ବଜାରଆଡ଼େ ବାହାରିଗଲି । ଟାଉ ଟାଉ କିଣିଦେଲି । ଚଞ୍ଚଳ ଘରକୁ ଯିବାକୁ ମନ । ପିଲାଟା ଆଖିରେ ଆଖିରେ ନାଚୁଥାଏ । ତଳ ରାସ୍ତାରେ ଆସୁଚି ହଠାତ୍‍ ବ୍ରେକ୍‍ କଷିଦେଲି । ଗୋଟାଏ ନିଆଁହୁଳା ମୋ ତାଳୁରୁ ତଳିପା ଯାଏଁ ଖସିଗଲା । ଗୋଟାଏ ଆଠ ଦଶ ବର୍ଷର ଝିଅ ଗୋଟେ ସୂତାରେ ବଞ୍ଚିଗଲା । ନ ହେଲେ ତା’ ଉପରେ ଗାଡି଼ ମାଡି଼ଯାଇଥାନ୍ତା । ସେ ରାସ୍ତା କାଟି ଆର ପାଖକୁ ଧାଇଁ ଯାଇଥିଲା । ମୁଁ ଖୁବ୍‍ ଚିଡି଼ଯାଇ ଗାଡି଼ରୁ ଓହ୍ଲେଇଗଲି- ତା’ କାନମୋଡି଼ ତା’ ବାପ ମା’ ପାଖରେ ଠିଆ କରିବାକୁ ।’
‘ତୋର ଏମିତି ରାସ୍ତାଘାଟରେ କାହିଁକି ଅଭିଭାବକପଣ ବାହାରିପଡ଼େ? ତୁ ତ ଝରକା ବାଟେ ପଦେ କ’ଣ ଶୋଧିଦେଇ ବାହାରି ଆସିଥାନ୍ତୁ । ତତେ ଏତେ କଥା କିଏ ଦେଲା?’
ରାଜୁ ମୋ କଥାକୁ ସତେ ବା ଶୁଣିନାହିଁ । କହିଲା- ମୁଁ ଓହ୍ଲେଇ ଡାକପକେଇଲି- ହେ, ହେ, ଚକଲୀ ଚୋକୀ- ଶୁଣିଲୁ ୟାଡ଼େ ।
ସେ ବତିଖୁଣ୍ଟ ପାଖରେ ଛାନିଆ ହେଲା ପରି ଠିଆ ହୋଇଗଲା । ମୁଁ ତା’ ପାଖକୁ ଚିହିଁକି ଗଲି । ଦେଖିଲା ବେଳକୁ ଝିଅଟି କାନ୍ଦୁଥିଲା । ମୋତେ ଦେଖି କହିଲା- ମୋ ବୋଉ ମରିଯିବ- ଆମ ଘରେ କେହି ନାହାନ୍ତି- ମୋ ବୋଉ ମରିଯିବ ।’
ସେ ଆଖି ମନ୍ଥି କାନ୍ଦିଲା । ମୁଁ ଉଞ୍ଚେଇବା ହାତ ତଳକୁ କରି ଠିଆହେଲି । କ’ଣ କରିବି ଭାବିପାରୁ ନ ଥିଲି । ଏତିକିବେଳେ ବାଙ୍ଗୁରୀ ହେଇ ବୁଢ଼ୀଟିଏ ଠିକ୍‍ ମୋ ବୋଉ ପରି ସେଇଆଡୁ ଆସି ପହଞ୍ଚିଲା ।
‘ପଦୁଆଁ କିଲୋ… ଚାଲିଲୁ, ଚାଲ୍‍ ଯିବା ଚାଲ୍‍, ପୁଅ… ଆଗରୁ ଟିକିଏ ଅଇଲା ନାଇଁ… ଆସ ଆସ’ କହି ମୋ ଆଗେ ଆଗେ ରାସ୍ତାକାଟି ଚାଲିଗଲା । ମୁଁ ତା’ କଥା କାଟିପାରିଲି ନାହିଁ । ସେ ମତେ ସେମିତି କାହିଁକି ଡାକିଲା, ତା’ ବି ବୁଝିପାରିଲି ନାଇଁ । ଘରେ ପଶିଲା ବେଳକୁ ତମରି ଆମରିମାନଙ୍‍କ ଘର ପରି ଦରିଦ୍ର ଘର । ଅବ୍ୟବସ୍ଥା- କୋଉଠି କ’ଣ ସବୁ ପଡ଼ିଛି… ଆଉ ପଦୁଆଁର ବୋଉ ଖଟ ଉପରେ କାନ୍ଥକୁ ଆଉଜି ବସିଛି । ତା’ ନିଃଶ୍ୱାସ ତୋଳୁଛି । ପାଣିହାଣ୍ଡିପରି ଟଳମଳ ଗର୍ଭାବସ୍ଥା ।
ବୁଢ଼ୀ ମାଉସୀ ପାଣି ଦି’ଚଳା ମୁହଁକୁ ମାରି କାନିରେ ତା’ କାନିରେ ତା’ ମୁହଁକୁ ପୋଛିଦେଲା ।
‘ଚାଲେ, ଏ ପରା ଆଇଛନ୍ତି । ମୁଁ ତୋ’ ସାଙ୍ଗରେ ଯିବି । ପଦୁଆଁ, ତୁ ଭାଇକି ନେଇକି ଥା’, ତୋ ବାପା ଅଇଲେ ଡାକ୍ତରଥାନା ପଠେଇଦେବୁ । ଉପରେ ମାଲିକ ଅଛି ଆମ ଦୁଃଖୀ ଲୋକଙ୍କୁ ସମ୍ଭାଳିବାକୁ । ଗଲୁ ପଦୁଆଁ, ଏ ବିଶିଆ ମା’କୁ ଡାକିଦେବୁ । ମୁଁ ଏକୁଟିଆ ୟାକୁ ନେଇପାରିବି ନାଇଁ ।’
ମୁଁ ପାଟି ଫିଟେଇପାରିଲି ନାଇଁ । ସତ କଥା, ମାଲିକ ଅଛି ସବୁ କଥାକୁ । କାହା ବିପତ୍ତି ବେଳେ କାହାକୁ ଆଣି ଖଞ୍ଜି ଦଉଚି ।
‘ତାକୁ ତା’ହେଲେ ତୁ ଡାକ୍ତରଖାନା ନେଇକରି ଗଲୁ?’
‘ଶୁଣୁନାହାନ୍ତି… ସେ ମାଉସୀ ଆଉ ବିଶିଆ ମା’ କୌଣସି ମତେ ଧରାଧରି କରି ଗାଡି଼ ଭିତରେ ତାକୁ ବସେଇଦେଲେ । ପାଖରେ ଗୋଟେ କନା ବୁଜୁଳା ଧରି ମାଉସୀ ବସିଲା । ବିଶିଆ ମା’ ଆର ପାଖକୁ ବସିଲା । ମୁଁ ନେଇ ପହଞ୍ଚିବାବେଳକୁ ରାତି ସାଢ଼େ ଆଠଟା ପାଖାଫାଖି । ସେମାନେ ତାକୁ ଓହ୍ଲେଇ ନେଲେ ମୁଁ ଚାଲି ଆସନ୍ତି; କିନ୍ତୁ ମାଉସୀ କହିଲା- ମରଦ ଲୋକ ଜଣେ ଥିଲେ ପରା କେତେ ବଳ । ଯିବୁଟି ପୁଅ ଟିକିଏ ଡାକ୍ତର ସାଙ୍ଗରେ କଥା ହେଇ ବୁଝିଦିଅ, କୋଉଠିକି ନବା ।
ମୁଁ ପଡି଼ଲି ମହାସଙ୍କଟର । ଯେଉଁ ବିଶ୍ୱାସରେ ମାଉସୀ କଥା କହୁଥାଏ, ତାକୁ ଏଡ଼େଇ ଯିବ ସହଜ ନୁହେଁ । ମୁଁ ବାଧ୍ୟ ହେଇ ଗଲି ।
ଡାକ୍ତର ଆଉ ଡାକ୍ତରଖାନା କଥା ତ ଆପଣ ଜାଣନ୍ତି । ତେବେ ଗୋଟାଏ ସୁବିଧା ହେଲା ଯେ ଆମ୍ବାସେଡରରେ ଆସିଥିବା ରୋଗୀ ପାଇଁ ସେମାନେ ଟିକିଏ ତରକିଲେ- କେଜାଣି କିଛି ହେଇଥିବ ।
ଡାକ୍ତର ଆଉ ମେଟ୍ରନ୍‍ କହିଲେ, ‘ଆଣନ୍ତୁ ।’
ମୁଁ ମାଉସୀ ଆଉ ବିଶିଆ ମା’ ସାହାଯ୍ୟରେ ତାଙ୍କୁ ନେଇଗଲି ପରୀକ୍ଷା ପାଇଁ ।
ଦୁହେଁ ଦେଖୁ ଦେଖୁ କହିଲେ- ‘ସାଙ୍ଗେ ସାଙ୍ଗେ ଡେଲିଭର ହବ । ସେଥିପାଇଁ ଏଇ ଏଇ ଇଞ୍ଜେକ୍‍ସନ୍‍ ସାଲାଇନ ଆଉ କ’ଣ କ’ଣ ସବୁ ଦରକାର । ଡାକ୍ତରଖାନାରେ ଦବା କଥା- ସରିଯାଇଚି । ଚଞ୍ଚଳ ଚଞ୍ଚଳ ତାକୁ ଷ୍ଟ୍ରେଚରରେ ପକେଇ ନେବା ପାଇଁ ଡାକ୍ତର ମୁକୁମ ଦେଲାବେଳେ ମତେ ଦେଖି ଚିଡି଼ଲା ପରି କହିଲେ- ଆରେ ଦେଖୁଛନ୍ତି କ’ଣ? ଏ ଚିଠା ଧରି ଶୀଘ୍ର ଯାଆନ୍ତୁ ବନୱାରିଲାଲା ମେଡିକାଲ୍‍ରୁ ଚଞ୍ଚଳ ନେଇ ଆସିବେ । ଡାକ୍ତର ମେଟ୍ରନ୍‍ ଲାଗିଗଲେ ତାଙ୍କ କାମରେ । ମାଉସୀ କହିଲା ଯାଉନୁ ପୁଅ, ଦେଖୁଚୁ କ’ଣ ବା… କି ଆଶ୍ଚର୍ଯ୍ୟ । ଚିଠିଟାକୁ ମୁଁ ବିଣ୍ଡାକରି ତା’ ଆଗରେ ଫୋପାଡି଼ ଚାଲିଆସିଥାନ୍ତି । କିଓ ବାଟରେ ଚାଲିଗଲା ଲୋକକୁ ଡାକିଆଣି ଏତେ ଅଧିକାର କ’ଣ? ପଇସା କୋଉଠୁ ଆସିବ? କ’ଣ ହବ? ଏତିକିବେଳେ ପଦୁଆଁ ମା’ ତା’ ପହରିଲା ପହରିଲା ଆଖିରେ ମତେ ଚାହିଁ ରହିଥିବାର ମୁଁ ଦେଖିଲି । ପଦୁଆଁର କାନ୍ଦଣା ମନେପଡି଼ଲା- ମୋ ମା’ ମରିଯିବ… ମୋ ମା’ ମରିଯିବ ।
ମୁଁ ସାଙ୍ଗେ ସାଙ୍ଗେ ବୁଲିପଡି଼ ଗାଡି଼ ଧରି ବାହାରିପଡି଼ଲି । ଦୁଇଶ ଟଙ୍କା ଉପରେ ପଡି଼ଲା ସେ ସବୁ । ତାକୁ ନେଇ ପହଞ୍ଚେଇଲି । ଭିତରେ ଡେଲିଭରି ।
ବାହାରେ ମୁଁ । କେମିତି ବା ପଳେଇ ଆସିବି? କାଳେ କେତେବେଳେ କ’ଣ ପୁଣି ଲୋଡ଼ା ପଡି଼ପାରେ- ଆଉ କିଏ ଅଛି?
ମୁଁ ରୋଡ଼ ଉପରୁ ପାନ କିଣି ଚୋବେଇଲି । ବିଡି଼ ଟାଣିଲି । କିନ୍ତୁ ବାହାରେ ସେଇ ବେଞ୍ଚଟାରେ ବସିରହିଲି । ମୁଁ ଜାଣୁଛି ସାର୍‍, ଭାରି ଅକଳିଆରେ ମୁଁ ପଡି଼ଗଲି କ’ଣ ଆଉ କରିଥାନ୍ତି କହିଲେ?
ମୁଁ ରାଜୁକୁ ଚାହିଁଥାଏ । ତା’ର ସେ କଦମ୍ବଫୁଲିଆ ମୋ ଠିଆ ଠିଆ ଛୋଟ ବାଳ, ମଝିରେ ମଝିରେ ପାଚିଯାଇଥାଏ । ପାନପଚା ଦାନ୍ତ ଅସନା ଦିଶୁଥାଏ । ହେଲେ ତା’ ଆଖି କଥାକଥାକେ ଥମ ଥମ ହେଇଯାଉଥାଏ, ବଙ୍କେଇ ଯାଉଥାଏ ।
-ରାତି ବାରଟା ଦଶ ବେଳକୁ ପୁଅ ହେଲା । ଧାଈଟିଏ ଆସି ମତେ ହସି ହସି ଖବର ଦେଲା- ସତେବା ପୁଅଟି ମୋର ।
ମାଉସୀ ଆସି ମୋ ପାଖରେ ପହଞ୍ଚିଲା । ଯାହା ହଉ ପୁଅ ଉଦ୍ଧାର ହେଇଗଲା । ତୁ ଏଇନା ଘରଆଡ଼େ ଯିବୁଟି, ସେ ଟୋକୀଟା ଏକୁଟିଆ ଡରୁଥିବ । ମୁଁ ମଧ୍ୟ ଖଣ୍ଡେ ପାଲଟି ପକାନ୍ତି । ସକାଳୁ ଆସିଲେ ବିଶିଆ ମା’ ପଛେ ଯାଆନ୍ତା ।
ମୁଁ କିଛି କହିଲି ନାହିଁ । କ’ଣ ବା କହିଥାନ୍ତି?
ମାଉସୀକୁ ନେଇ ପଦୁଆଁ ଘର ଆଗରେ ଓହ୍ଲେଇ ଦେଲି । ଗାଡି଼ରେ ବସିଲା ବେଳକୁ ସେ କହିଲା-
‘ତୁ କୁଆଡ଼େ ପୁଣି ବାହାରିଲୁ? ଘରକୁ ଯାଉନୁ !’
ମୁଁ ମୋ ଘରକୁ ଯାଉଚି ।
ତୋ ଘରକୁ କ’ଣ ବା? …ତୁ ପରା ପଦୁଆଁର କକେଇ । ତତେ ସେମାନେ ଚିଠି ଦେଇଥିଲେ । ତୁ ପଦ୍ମପୁରରୁ ଆସିଚୁ? ପଦୁଆଁ ବାପଟା ତ ପାଞ୍ଚ ମାସ ହେଲା କୁଆଡ଼େ ଯାଇଛି ତା’ର ଖବର ନାଇଁ । ତୁ ପଦୁଆଁ କକେଇ ନୁହଁ?
ନାଇଁ ମାଉସୀ, ମୁଁ ପଦୁଆଁର କେହି ନୁହେଁ । ଏଇ ବାଟରେ ଗାଡି଼ ରଖିଥିଲି । ତୁମେ ଡାକିଲାରୁ ତମ କଥା କାଟି ପାରିଲି ନାଇଁ । ହଉ ମୁଁ ଆସେ ।
ବତିଖୁଣ୍ଟ ପାଖେ ବୁଢ଼ୀ ଗାଲରେ ହାତଦେଇ ହାଁ କରି ଚାହିଁରହିଥିଲା ।
ମୁଁ ତତେ ବି ସାଢ଼େ ବାରଟାରେ ଘରେ ପହଞ୍ଚିପାରିଥାନ୍ତି; କିନ୍ତୁ ଯୋଗ ତ ମତେ ଘରେ ପହଞ୍ଚେଇ ନ ଦବା ପାଇଁ ।
‘ଆଉ କ’ଣ ସେମିତି କିଛି ଅକଳିଆରେ ପଡି଼ଲୁ ନା କ’ଣ?’
‘ନାଇଁ ସାରେ, ସେ ଆଉ ପ୍ରକାରେ କଥା । ବୁଲାଣି ବାଟେ ଆସୁଥାଏ ତ- ସରକାରୀ ବଗିଚା ପାଖ ସାଇଆଡ଼େ ବହୁଦିନ ହେଲା ଯାଇ ନ ଥିଲି । ସେ ସାଇରେ ମୋର ପିଉସା ଲେଖା ହବ, ଲକ୍ଷ୍ମଣ ପିଉସା ରହେ । ମୁଁ ଅନେଇ ଅନେଇ ଆସୁଛି । ଦେଖିଲା ବେଳକୁ ସେଦିନ ରାତିରେ ପିଉସା ଦୁଆରେ ଲୋକ ପୁଞ୍ଜି ପୁଞ୍ଜି । କିରେ କଥା କ’ଣ? ଲକ୍ଷ୍ମଣ ପିଉସାର କାଳ ହେଇଗଲା । ସଜିଲ କରୁଛନ୍ତି ମଡ଼ା ଉଠାଇବେ । ମୁଁ ଗାଡି଼ ରଖି ଓହ୍ଲେଇଲି । ସୁଦାମ ତାଙ୍କ ପୁଅ- ‘ଭାଇନା’ ବୋଲି ରଡି଼ଟାଏ ଛାଡି଼ ମୋତେ ଆସି କୁଣ୍ଢେଇ ଧଇଲା । ପୁଣି ପଡି଼ଲି ଫାନ୍ଦରେ ।
କୋକେଇ ଉଠିବ । ମତେ ପୁଣି କାନ୍ଧ ଦବାକୁ ହବ । ମଶାଣିରେ ପହଞ୍ଚିବା ବେଳକୁ ରାତି ତିନିଟା । ମୁଖାଗ୍ନି ଦେଇ ତୁଠରୁ ଫେରିଲା ବେଳକୁ ଫର୍ଚ୍ଚା ହେଇଗଲାଣି । ମୁଁ ସେଇ ଓଦା ଗାମୁଛା ଗୁଡ଼େଇ ହେଇ ପଳାଇ ଆସିଲି । ଆସି ଘରେ ଦେଖିଲାବେଳକୁ କିଛି ବାକି ନାଇଁ ।
ରାଜୁ ତଳକୁ ଚାହିଁ ଠିଆହେଇଥିଲା । ବେକୁବ୍‍ କାହାଁକା- ଏଡ଼େ ବଡ଼ ଦୀର୍ଘ ରାତି କ’ଣ ଏମିତି ପାରି ହେବାକୁ ହୁଏ?
ଗାଡି଼ ମାଲିକ ତା’ ହିସାବ ନେଇଗଲା ପରେ ଆଉ କିଛି ବଳକା ରହିଲା ନାଇଁ । ଶହେ ଟଙ୍କା ମଶାଣିରେ ଲାଗିଗଲା । ରାତିରେ ଘର ଖର୍ଚ୍ଚକୁ କିଛି ନାଇଁ ।’
‘ଆପଣଙ୍କର କୁଆଡ଼େ ଯିବାର ନାଇଁ ସାର୍‍?’
ଆଖି ତୋଳି ମୋତେ ଚାହିଁଲା ।
ଆଖି ତୋଳି ମୋତେ ଚାହିଁଲା ।
ମୁଁ ରାଜୁ ଆଖିକି ଚାହିଁପାରିଲି ନାଇଁ । ତଳକୁ ମୁହଁ ପୋତିଦେଲି ।
ସତେ ବା ରାଜୁ ପାଦତଳେ ଅପରାଧୀ ଈଶ୍ୱର ଟିକିଟିକି ହୋଇ ଭାଙ୍ଗି ପଡୁଥିଲେ ।

ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯-୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । “ଯନ୍ତ୍ରାରୁଢ଼” ଓ “ନବଜାତକ” ଉପନ୍ୟାସ ତଥା “ପାଠଚକ୍ର ଡାଏରି” ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।

Related Posts

Leave a Reply

Your email address will not be published. Required fields are marked *