କେନ୍ଦୁଝର : ନୂଆଦିଲ୍ଲୀଠାରେ ଚଳିତ ମାସ ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଛଅ ଦିନ ଧରି କେନ୍ଦ୍ର ସାହିତ୍ୟ ଏକାଡ଼େମୀର ବାର୍ଷିକ ଉତ୍ସବ ‘ସାହିତ୍ୟ ମହୋତ୍ସବ- ଫେଷ୍ଟିଭାଲ ଅଫ୍ ଲେଟର୍ସ ୨୦୨୩’ ଅନୁଷ୍ଠିତ ହେବାକୁ ଯାଉଛି । ସାରା ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ଲେଖକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ‘ଯୁବ ସାହିତ୍ୟ : ଦ ରାଇଜ୍ ଅଫ୍ ୟଙ୍ଗ ଇଣ୍ଡିଆ’ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାବେଳେ ଏହି କାର୍ଯ୍ୟକ୍ରମର କବିତା ପାଠ ଅଧିବେଶନରେ ଓଡ଼ିଶାରୁ ଅଂଶଗ୍ରହଣ କରିବେ ଯୁବ କବି ପ୍ରବୀଣ କୁମାର କବି । କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଭାଷାର ଯୁବ କବିମାନେ ଯୋଗ ଦେଇ ସେମାନଙ୍କର କବିତା ପାଠ ସମେତ ଯୁବ ସାହିତ୍ୟ ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରୁ ଯୁବ କବି ଭାବେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଉଛି ।
ଘଷିପୁରା ବ୍ଲକ ଅନ୍ତର୍ଗତ ମଦନପୁର ଗ୍ରାମର ଅଜୟ କୁମାର କବି ଏବଂ ପ୍ରତିମା କବିଙ୍କ ପୁତ୍ର ପ୍ରବୀଣ ରଚିତ ଇନ୍ଦ୍ରଧନୁ, ଶତାବ୍ଦୀର ଶେଷ ଚିଠି ପରି କବିତା ସଂକଳନ ଏବଂ ନାଟକ ଅଦୃଶ୍ୟ ଅନ୍ଧାର ରଚନା ଆକରୀ ପାଠକୀୟ ଆଦୃତି ଲାଭ କରିଛନ୍ତି । ଏହା ସଙ୍ଗେସଙ୍ଗେ ‘ବଣମଲ୍ଲୀ’ ସାହିତ୍ୟ ଅନୁଷ୍ଠାନ ପତ୍ରିକାର ସମ୍ପାଦକ ତଥା ପ୍ରତିଷ୍ଠାତା ଅଛନ୍ତି । ଓଡ଼ିଶାର ବିଭିନ୍ନ ଲବ୍ଧ ପ୍ରତିଷ୍ଠିତ ଖବରକାଗଜ ଏବଂ ସାହିତ୍ୟ ପତ୍ରିକାରେ ତାଙ୍କର କବିତା ପ୍ରକାଶ ପାଇବା ସହିତ ତାଙ୍କୁ ଅନେକ କବିତା ଅନ୍ୟ ଭାଷାରେ ଅନୁବାଦ ହେଇ ତାଙ୍କୁ ଅଜସ୍ର ପାଠକୀୟତା ଆଣିଦେଇଛି । ଯେଉଁଥିପାଇଁ ସେ ସାରା ଓଡ଼ିଶାରୁ ସାଉଁଟିଛନ୍ତି ଅନେକ ସମ୍ମାନ ଓ ସମ୍ବର୍ଦ୍ଧନା । କେବଳ ସାହିତ୍ୟିକ ନୁହେଁ ତାଙ୍କର ଅନେକ ବିଜ୍ଞାନ ଭିତ୍ତିକ ଲେଖାମାନ ପ୍ରକାଶ ପାଇଛି । ସଂପ୍ରତି ସେ ଘଷିପୁରା ବ୍ଲକ ସାଇଁକୂଳ ସ୍ଥିତି ପତିତପାବନ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି ।