ଏଲି ମହାନ୍ତି

ଦେଖ ଦେଖ
ନିଉଜରେ କ’ଣ ଲେଖାହେଇଛି
‘ଏବେ ପୁଣି
ମାଟିପାତ୍ରର ଚାହିଦା ବଢୁଛି’…

କିଏ ଜଣେ କହୁଥିଲା
ଲୋକେ ପୁଣି
ନିମ, ହଳଦୀ ଖାଇଲେଣି ଖାଲିପେଟରେ
ନିତି ସକାଳେ

ସେଦିନ କେକ୍ ବାଣ୍ଟିବାକୁ ଯୋଉ ଲୋକ ଆସିଥିଲେ
ବାରମ୍ବାର କହୁଥିଲେ
ଏ କେକ୍ ଘରେ ତିଆରି ହେଇଛି,
ତଥାପି
ଖଣ୍ଡ ନଡ଼ିଆ ଓ ଭୂଇଁ ବାଦାମ ପକା
ବିରି ପୋଡ଼ପିଠାକୁ ଲୋକେ ବେଶୀ ଖୋଜୁଛନ୍ତି
ପୁରୁଣା ସମୟ ଫେରୁଛି …

ତାହେଲେ
ଏ ସତୁରୀ ବର୍ଷର ପୁରୁଣା ହାତ ଯୋଡ଼େକୁ
ନିଶ୍ଚୟ ଦିନେ କେହି ଖୋଜିଖୋଜି ଆସିବେ …

ଆଖି ଲମ୍ବିଯାଉଛି
ରାସ୍ତା ସାରା ଆଗପଛ ହେଇ ଦିଶୁଛନ୍ତି ଆତ୍ମୀୟ
ଯେମିତି ଆଖି ଜାଣେନି
କେତେ ପାଣିରେ ତା’ଘର
ସେମିତି
ଦୀର୍ଘନିଶ୍ଵାସଟେ ବଣା ହେଉଛି
କଫଭର୍ତ୍ତି ଛାତି ଭିତରେ … !

ବାରିପଦା, ମୟୂରଭଞ୍ଜ, ମୋ – ୯୪୩୯୩୭୮୩୯୦

ଲେଖକ ପରିଚୟ

କବିତା ବହି “ଚିତ୍ର ଆଖିର ବାଘ” ପ୍ରଚୁର ମାତ୍ରାରେ ପାଠକୀୟ ପ୍ରଶଂସା ଗୋଟେଇଛି ସତ ହେଲେ ସୋସିଆଲ ମିଡ଼ିଆରେ ଲେଖିବାକୁ ମୁଁ ଭଲପାଏ । ତେବେ ସ୍କୁଲରେ ପଢିଲାବେଳୁ ହିଁ ଲେଖିବା ମୋ ପାଇଁ ଏକ ନିଶା ଥିଲା କହିଲେ ଭୁଲ ହେବନି । ମୋ ପ୍ରଥମ ଲେଖା ଏକ ଡିଟେକ୍ଟିଭ୍ ଉପନ୍ୟାସ ଥିଲା ଯଦିଓ ସମୟ ଅନ୍ତରାଳରେ ତାହା ପ୍ରକାଶିତ ହୋଇପାରି ନାହିଁ ।  

Related Posts

Leave a Reply

Your email address will not be published. Required fields are marked *