ଲୋପାମୁଦ୍ରା ନାୟକ
ଲିଜା ଆଉ ଶୁଭମ୍ ର କଥା ହେବାର ପ୍ରାୟ ୩୦ମିନିଟ୍ ରୁ ଅଧିକ ହୋଇଗଲାଣି । କିଛି କଥା ଛଳରେ ଏଥର ଲିଜା କହିବାକୁ ଲାଗିଲା- “ଆଚ୍ଛା ଶୁଭମ୍ ତମକୁ କ’ଣ ମୁଁ ଏକା ହିଁ ଝିଅ ମିଳିଲି..?” ସେକଡୁ ଶୁଭମ୍ ଟିକେ ହସି ଦେଇ ହଁ ମତେ ତମେ ହିଁ ମିଳିଲ ।“ ପଟେଇବା ପାଇଁ !!” ଏଇ ପଟେଇବା ଶବ୍ଦ ଶୁଣି ଲିଜା ଚୁପ୍ ହୋଇଗଲା । ଏଇ ଶବ୍ଦ ପ୍ରତି ତାର ପ୍ରବଳ ବିତୃଷ୍ଣା । ଏଥର ପ୍ରଥମ ନୁହେଁ ଏହା ଆଗରୁ ଯେତେଥର ବି ଶୁଭମ୍ ଏଇ ‘ପଟେଇବା’ ଶବ୍ଦର ବ୍ୟବହାର କରିଛି, ଲିଜା ତାହାର ଏ ଶବ୍ଦପ୍ରତି ଆପ୍ରାଚ୍ ଭାବ ଦେଖାଇଛି । ଏହାପରେ ପୁନର୍ବାର ଶୁଭମ୍ ସେ ଶବ୍ଦର ବ୍ୟବହାର କରିବା ଦେଖି ଲିଜା ଏଥର କିଛି ନକହି ଚୁପ୍ ହୋଇଗଲା ।
-“ହାଲୋ….ହାଲୋ….”
-“ହଁ କୁହ ।“ ଲିଜା ଉତ୍ତର ଦେଲା ।
-“କ’ଣ ହେଲା.. ?”
-“କିଛି ନାଇଁ ।“
“ଆଚ୍ଛା, ଶୁଭମ୍ ! ଶୁଣ ତ ! ୩୦ ତାରିଖ କ’ଣ କହିଲ ?” ଲିଜା ଶୁଭମ୍ କୁ ପଚାରିଲା ।
“କ’ଣ ?” କିଛି ନଜାଣିବା ଭଳି ଶୁଭମ୍ ପୁନଃ ପ୍ରଶ୍ନ କଲା ଲିଜାକୁ ।
ଲିଜା ତାର ଏ ପ୍ରଶ୍ନରେ ଟିକେ ବି ଚିଡ଼ି ନଯାଇ ନମ୍ର ଆଉ ପ୍ରୀତିଭରା ମିଠା କଣ୍ଠରେ କହିଲା- “ଜାନୁଆରି ୩୦ । ଆମେ ଦୁହେଁ ପ୍ରଥମ କରି କଥା ହେବା ଆରମ୍ଭ କରିଥିଲେ, ବୁଝିଲ !!” ଟିକେ ନଟଖଟ୍ ସ୍ମାଇଲ୍ ଆଉ ଅନ୍ଦାଜ୍ ରେ । “ମାନେ ୩୦ରେ ଆମର ଆନିଭର୍ସି ।“
-“ଓ… ।“ ସେକଡୁ ଶୁଭମ୍ ଚପା ଗଳାରେ ଏତକ କହୁକହୁ ଲିଜା ପୁଣି କହିବା ଚାଲୁ କରିଦେଲା । “ଦେଖ । ତୁମେ କିଛି କର କି ନକର ମୋର ସେଥିରେ କିଛି ଯାଏଆସେ ନାହିଁ । ଏମିତିରେ ମୋ ବର୍ଥ ଡେ’କୁ ମୁଁ ଏତେଟା ପ୍ରାୟୋରୋଟି ଦିଏନି । ତାକୁ ଭଲସେ ସେଲିବ୍ରେଟ୍ ନକଲେ ନାହିଁ । କିନ୍ତୁ ତୁମ ସହ ମୋର ପ୍ରତିଟି ଦିନ ଆଉ ଏଭଳି ସ୍ପେସିଆଲ ଡେ’ ଗୁଡାକ ତ ନିଶ୍ଚିତ ମେମୋରିବୁଲ୍ ହେବା ଦରକାର । ଏଥିରେ ନୋ କମ୍ପରମାଇଜ୍ । ବୁଝିଲ ?”
-“ଓକେ ବାବା । ତୁମେ ଯେମିତି କହିବ ।‘
ଶୁଭମ୍ ପାଟିରୁ ଏତକ କଥା ଶୁଣି ଲିଜା ଖୁସି ହୋଇ ସାଙ୍ଗେସାଙ୍ଗେ କହିବାକୁ ଲାଗିଲା- “ଥ୍ୟାକ୍ବୁ୍ ।“
୫ ଦିନ ପରେ ଆନିଭର୍ସି । କେମିତି କ’ଣ କରିବ, କାହାକୁ କାହାକୁ ଏ ପାର୍ଟିକୁ ଡାକିବ ସେନେଇ ମନେମନେ କିଛି କ୍ଲୋଜ୍ ଫ୍ରେଣ୍ତଙ୍କ ନାମକୁ ନେଇ ଲିଷ୍ଟ ବନାଉଥାଏ ଲିଜା । ଏଥର କିନ୍ତୁ କଥା ହେଲା ବେଳେ ଶୁଭମ୍ ରୋକଠୋକ୍ ଲିଜାକୁ ମନା କରିଦେଲା । “ନା ନା । ଏ ପାର୍ଟିକୁ କେହି ଆସିବେନି ।“ ଲିଜା ଚକିତ ହୋଇ, “କାଇଁ ?” ରୁକ୍ଷ ଗଳାରେ ଟିକେ ଆଗରୁ ଗେଷ୍ଟ ନିମନ୍ତ୍ରଣ ପାଇଁ ମନା କରିଥିବା ଶୁଭମ୍ ଶାନ୍ତହୋଇ କହିଲା- “ଏ ପାର୍ଟି କେବଳ ମୁଁ ତୁମ ସହ ଏନଜଏ୍ କରିବାକୁ ଚାହେଁ । ଆମ ପ୍ରେମର ଦିନ । କେବଳ ତୁମେ ଆଉ ମୁଁ ।“
ଲିଜା ଏଥର ଭିତରେ ଭିତରେ ଟିକେ ଲାଜେଇ ଯାଇ ଶୁଭମ୍ ର କଥାରେ ସମ୍ମତି ଜଣାଇ ଧିରେ ଓକେ କରି ପାର୍ଟିକୁ ଉଭୟଙ୍କ ଭିତରେ ଡନ୍ କରି ରହିଗଲା ।
ଆଜି ୩୦ ଜାନୁଆରୀ । ଲିଜାର ପାଦ ଖୁସିରେ ତଳେ ଲାଗୁ ନଥାଏ । ଏମିତି ନୁହେଁ ଯେ କେବଳ ଆଜି ପାଇଁ ଶୁଭମ୍ ସହ ପ୍ରତିଟି ଦିନକୁ ସେ ସ୍ପେସଆଲ୍ ଆଉ ମେମୋରିବୁଲ କରି ସବୁଦିନ ପାଇଁ ସାଇତି ରଖିବାକୁ ଚାହେଁ ତାର ହୃଦୟ ଆଉ ସ୍ମୃତି ପଟରେ । କିନ୍ତୁ ଆଜି ଅଧିକା ଟିକେ ଖୁସି । ସକାଳୁ ଗାଧେଇପାଧେଇ ଶୁଭମ୍ କୁ ସବୁଠାରୁ ଭଲ ଲାଗୁଥିବା ଡ୍ରେସ୍ ଟିକୁ ପିନ୍ଧିଛି । ଏମିତି ନୁହେଁକି ତା’ ପାଖରେ ନୂଆ ଡ୍ରେସ୍ ନାହିଁ । ଡ୍ରେସ୍ ଆଉ ଡିଜାଇନ୍ ଡିଜାଇନ୍ ଶାଢୀ ଗଦା ହୋଇଛି, କିନ୍ତୁ ଏ ଡ୍ରେସ୍ ତାଙ୍କର ଭାରି ପସନ୍ଦ । ଆଇନା ସାମ୍ନାରେ ନିଜକୁ ଖୁବ୍ ସୁନ୍ଦର କରି ସଜେଇଛି । ଠିକ କଣ୍ଢେଇଟେ ପରି । ମନକୁ ମନ ଆଇନାକୁ ଦେଖି ଲାଜେଇଲାଜେଇ ଉଠିଲାବେଳେ ଫୋନ୍ ବାଜୁଥିବାର ଶୁଣି ତତକ୍ଷଣାତ୍ କଲ୍ ରିସିଭ୍ କରି କହିବାକୁ ଲାଗିଲା- “ହଁ ଶୁଭମ୍ । ଆଉ ୨୦ମିନିଟ୍ ରେ ମୁଁ ଯାଇ ପହଞ୍ଚୁଛି ।“
ଘର ପାଖରେ ଯାଇ ଦେଖେ ତ ଶୁଭମ୍ ର ଘରେ ତାଲା । ଟିକେ ରହି ଭାବିଲା । “ଓ.. ! ବାବୁ ତାହାଲେ ପ୍ରିପ୍ୟାରରେ ଏତେ ବ୍ୟସ୍ତ ଯେ ଘରକୁ ଆସିନାହାନ୍ତି ।“ ମନେମନେ ଭାବି ଖୁସି ହେଉଥାଏ, ଶୁଭମ୍ ନିଶ୍ଚିତ କିଛି ସରପ୍ରାଇଜ୍ ର ପ୍ରାନିଂରେ ଅଛନ୍ତି । ୨୦ମିନିଟ୍ ବାହାରେ ଅପେକ୍ଷା କରିବା ପରେ ଘର ପାଖ ଫ୍ଲାଟ୍ ସୁଭାସବାବୁଙ୍କଠାରୁ ଶୁଭମ୍ ଘରର ଡୁପ୍ଲିକେଟ ଚାବି ନେଇ ଘର ଭିତର ଖୋଲି ଦେଖେ ତ କେଉଁଠି କିଛି ହେଇନି । ଏମିତିକି ତାଙ୍କ ପ୍ଲାନିଂ ମୁତାବକ ଡେକରେଟ୍ ବି ନାହିଁ । ଏଥର ଘରର ସବୁ ଜାଗା, ଫ୍ରିଜ୍ ଏମିତିକି କିଚେନ୍ ବୁଲି ଦେଖିନେଲା କାଇଁ କୋଇଠି ବି କେକ୍ କି ମିଠା ପ୍ୟାକେଟ୍ ଟେ ବି ତ ଦେଖାଯାଉନି ! ଏଥର ଲିଜା ଆଉ କିଛି ନଭାବି ଶୁଭମ୍ ଆସିବାର ଅପେକ୍ଷାରେ ବସି ରହିଲା । ଶୁଭମ୍ ଫେଲିଲା ୧ଘଣ୍ଟା ଲେଟ୍ ରେ ଆଉ ଘରେ ପଶୁପଶୁ ଲିଜାକୁ ଦେଖି ଆଶ୍ଚଯ୍ୟ ଭାବରେ ପଚାରିଲା- “ଲିଜା ! ତମେ ବିନା କିଛି ନଜଣେଇ ଏଠି ?” ଏଥର ଲିଜା ସକାଳୁ ତା ଫୋନ୍ କୁ ଆସିଥିବା ନମ୍ବରକୁ ଦେଖିଲାବେଳେ ଜାଣିବାକୁ ପାଇଲା ତାହା କମ୍ପାନୀର ଫୋନ୍ କଲ୍ ଥିଲା । ଲିଜା ଏଥର ସେମିତି ମୋବାଇଲକୁ ଚାହିଁ ଉତ୍ତର ଦେଲା, “ହଁ ତମ ପାଇଁ ସରପ୍ରାଇଜ୍ ଥିଲା ।“
-“ସରପ୍ରାଇଜ୍ ?”
-“ହାପି ଆନିଭର୍ସି ମାଇଁ ଡିୟର ଲଭ୍ ।“ କହି ଢେର୍ ସ୍ନେହରେ ଶୁଭମ୍ ପାଇଁ ଆଣିଥିବା ପ୍ରେମଭରା ଉପହାରଟି ଶୁଭମ୍ ର ହାତକୁ ବଢାଇ ଦେଉଦେଉ ଦୁଇଧାର ଲୁହ ନିଜ ଅଜାଣତରେ ଲିଜାର ଆଖିରୁ ବହିଗଲା ।“
ମଙ୍ଗଳପୁର, ଦାନଗଦୀ, ଯାଜପୁର, ମୋ- ୮୨୪୯୫୦୫୨୫୭
ଲେଖକ ପରିଚୟ
ନିଜ ଚତୁର୍ପାର୍ଶ୍ଵରେ ଘଟିଯାଉଥିବା କିଛି ଘଟଣା, ଦୁର୍ଘଟଣା, ମଣିଷର ସୁଖଦୁଃଖ ଆଦିକୁ ହୃଦୟଙ୍ଗମ କଲେ ହୃଦୟ ଭିତରେ କିଛି ସମୟ ପାଇଁ ଏକ ଆଲୋଡ଼ନ ସୃଷ୍ଟି ହୁଏ । ଆଉ ସେହି ଆଲୋଡ଼ନ ହିଁ ପରବର୍ତ୍ତୀ ସମୟରେ ମତେ କିଛି ଲେଖିବାକୁ ପ୍ରେରିତ କରେ ।