ଅନୁସୂୟା ମିଶ୍ର
ମୁହଁ ଖୋଲି କହେନାହିଁ ବୋଲି
ମନରେ ମୁଁ ଚାହେଁନାହିଁ କିଛି
ସେମିତି ବି ନୁହଁ,
ତୁମେ ବୁଝିଗଲେ
ଅସୀମ ଆନନ୍ଦ ମିଳେ …
ଭାଗ୍ୟ ପାଖେ ଋଣୀ ହୋଇଯାଏ …
ଆହୁରି ଆହୁରି ନିଃଶେଷ କରିଦିଏ ନିଜକୁ
ତୁମରି ଆଞ୍ଜୁଳିରେ ।
ତୁମେ ନବୁଝି ପାରିଲେ
ଏକଦମ ଏକାଏକା ଲାଗେ ମୋତେ
ଏତେ ବଡ଼ ଦୁନିଆଟାରେ
ବିଦୀର୍ଣ୍ଣ ବୁକୁତଳେ କୋହତକ ଚାପିଧରି
ନିରଳସ ହସିଚାଲେ ମୁଁ
ଯେଉଁ ହସର ପରିଭାଷା ନା ମୁଁ ବୁଝେ
ନା ଆଉକେହି ବୁଝିପାରେ
ତଥାପି ମୁଁ ହସିଚାଲେ … ଜୋରରେ ଜୋରରେ ।
ମୋ ଶକ୍ତିର ପରିମାପ, ମୋର ଅଜ୍ଞାତ ସତ
ଅବଳା କି ଦୁର୍ବଳା ମୁଁ ନୁହଁ
ଏତିକି ନିଶ୍ଚିତ,
ତଥାପି ନିଆରା ଏକ ପରିତୃପ୍ତି ଥାଏ
ତୁମ କାନ୍ଧରେ ଢଳି ଯିବାରେ …
ନିଜକୁ ମୁଁ କାଟଛାଣ୍ଟ କରେ
ତୁମରି ଅନୁପାତରେ …
ତୁମ ହାତରେ ହାତ ଛନ୍ଦି
ତୁମ ପାଦରେ ପାଦ ମିଳାଇବା ଆଶାରେ ।
ତୁମେ ଯଦି ହାତ ବଢ଼ାଅ ତ
ରାସ୍ତାଟା କମ୍ ଲାଗେ
ଚାଲିବା ସହଜ ହୁଏ
ନିଜ ରାସ୍ତାରୁ ଓହରି ଆସେ ମୁଁ
ଖୁସିରେ ଖୁସିରେ,
ତୁମେ ଯଦି ହାତ ନବଢ଼ାଅ
ଆତ୍ମା ବି ଆର୍ତ୍ତନାଦ କରେ
ନିରବ ଏକ ନିର୍ଜନ ଦ୍ୱୀପରେ
ଆୟୁଷଟା ବୋଝ ହୋଇଯାଏ
ପ୍ରତିଟି ପଦକ୍ଷେପ ତଳେ …
ଅବଶିଷ୍ଟ ଚଲାପଥ ବିତିଯାଏ ଯେମିତି ସେମିତି
ଚାଲିବାର ଛଳନାରେ ।
ମୋ ଅଧିକାରର ସୀମାରେଖା
ମୋ’ରି ହିଁ ହାତଲେଖା
ତଥାପି ଅଜଣା ଏକ ଖୁସି ମିଳେ
ତୁମରି ହାତଟେକାକୁ ଚାହିଁ ବସିବାରେ ,
ତୁମ ବିନା ବି ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ମୋର
ତଥାପି
ଅପୂର୍ବ ଏକ ପରିପୂର୍ଣ୍ଣତାର ଅନୁଭବ ହୁଏ
ତୁମ ସହ ଯୋଡ଼ି ହୋଇ ରହିବାରେ,
ନିଜକୁ ଆହୁରି ଭଲପାଇ ବସେ ମୁଁ
ତୁମ ରଙ୍ଗରୁ କିଛି ଆଣି
ନେସି ହୋଇଗଲା ପରେ,
ଗର୍ବିତ ଅନୁଭବ କରେ
ତୁମ ପରିଚୟରେ ପରିଚିତ ହେବାରେ,
ଜୀବନର ଚଲାପଥରେ
ତୁମକୁ ଆଗରେ ରଖି
ପଛରେପଛରେ ରହିବାରେ ।
ତୁମ ସହ ସମକକ୍ଷତା
ସମୟର ଆହ୍ଵାନ ହୋଇପାରେ
ସ୍ଵପ୍ନ ମୋର ନୁହଁ
ସଶକ୍ତିକରଣର ଆବଶ୍ୟକତା ବି
ସମାଜର ଭ୍ରମ ହୋଇପାରେ
ମୋ ମନର ନୁହଁ
ମୁଁ ତ ନାରୀଟିଏ …
ବାସ୍ ନାରୀଟିଏ …
କାଣିଚାଏ ସ୍ନେହ ପାଇଁ ଯିଏ
ନିଜର ସକଳ ସ୍ୱତନ୍ତ୍ରତାକୁ ତୁଚ୍ଛ କରିପାରେ
ଅତୀତକୁ ପୋଛି ଦେଇପାରେ
ଭବିଷ୍ୟତକୁ ବନ୍ଧା ରଖିପାରେ
ବର୍ତ୍ତମାନକୁ ଭୋଗି ଯାଇପାରେ
ପରିସ୍ଥିତିର ପଶାପାଲି ପରେ
ନୀରବରେ … ନିଃସର୍ତ୍ତରେ ।
ଶତାବ୍ଦୀ ନଗର, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟିଦିନରୁ ସାହିତ୍ୟ ପ୍ରତି ଖୁବ ରୁଚି ଥିଲା । ତେଣୁ ସ୍କୁଲରେ ପଢ଼ିବା ସମୟରେ ଗଳ୍ପ, ରଚନା ଆଦି ପ୍ରତିଯୋଗିତାରେ ଭାଗ ନେଉଥିଲି ଆଉ ପ୍ରଶଂସିତ ବି ହେଉଥିଲି । ବିବାହୋତ୍ତର ଜଞ୍ଜାଳମୟ ଜୀବନରେ ସାହିତ୍ୟ ପାଇଁ ସମୟ ନଥିଲା ହେଲେ ସୋସିଆଲ ପ୍ଲାଟଫର୍ମରେ ପୁଣିଥରେ ସାହିତ୍ୟ ପ୍ରତି ଥିବା ସୁପ୍ତ ଅନୁରାଗ ଜାଗି ଉଠିଲା । ବିଗତ ପ୍ରାୟ ଆଠ ବର୍ଷ ହେବ ଲେଖାଲେଖି ଜାରିଅଛି ।