ଗୋଟିଏ ରାତିର ଅଭିସାରିକା

ପ୍ରତିଭା ସାହୁ

ନିଶବ୍ଦରେ ଝରିପଡ଼ିଲା ଶେଫାଳି । ଭୂମି ଉପରେ ପଡ଼ି ସତେଯେପରି କହୁଛି, “ହେ କ୍ରୁର ପ୍ରକୃତି ! ଇଏ କି ନିଷ୍ଠୁର ନିୟମ ତୁମର ? ତୁମ ନିୟମ ପାଇଁ ବଳିପଡ଼ିଲା ଅଳ୍ପାୟୁଷ ମୋର ପ୍ରେମର ସମ୍ପର୍କ । ମୋର ପରିଚୟ କ’ଣ, କେବଳ ଜଣେ ଖଣ୍ଡିତାନାୟିକା ??”

ମାତା ଉଷାର କୋଳରେ ଧୀରେଧୀରେ ଲୁଚିଯାଉଥିବା ନିଶିକୁ ନିର୍ବାକ ହୋଇ ଚାହିଁ ରହିଥାଏ ଶେଫାଳି । ସତେଯେପରି କହୁଥାଏ – “ଯାଅ ପ୍ରିୟ ! ଆମ ସମ୍ପର୍କର ପୂର୍ଣ୍ଣଚ୍ଛେଦ ଏଇଠି ପଡ଼ିଲା । ମୋ ପରି କେତେ ତୁମ ଜୀବନକୁ ଆସିବେ ତାଙ୍କ ମଧୁର ବାସ୍ନାରେ ତୁମ ଜୀବନକୁ ପୁଲକିତ କରିବା ପାଇଁ । ନିଜର ଉପସ୍ଥାପନା ଦେଇ ପୂରଣ କରିଦେବେ ତୁମ ଜୀବନରେ ମୋର ଶୂନ୍ୟସ୍ଥାନକୁ । କାଲି ପୁଣି ତମେ ସନ୍ଧ୍ୟାର ହାତଧରି ଆସିବ, ହେଲେ ମୁଁ ନଥିବି । ଥିବ କେବଳ ବିତିଯାଇଥିବା କେତେଟା ମୁହୂର୍ତ୍ତ । ପ୍ରିୟ ନିଶି ! କେବଳ ଗୋଟିଏ କଥା ମନେ ରଖିଥିବ । ଅଳ୍ପ ସମୟ ପାଇଁ ହେଉପଛେ ଏ ଶେଫାଳି କେବଳ ତୁମପାଇଁ ଫୁଟିଥିଲା । ନିଜ ଜୀବନର ପ୍ରାରମ୍ଭିକ ବାସ୍ନା ତୁମ ପାଇଁ ଥିଲା ଏବଂ ଶେଷ ବାସ୍ନା ବି କେବଳ ତୁମ ପାଇଁ । କେବଳ ତୁମ ପାଇଁ ନିଜକୁ ସଜେଇ ଦେଇଥିଲା ଗୋଟିଏ ରାତିର ଅଭିସାରିକା ।“

ସମୟର ସନ୍ଧ୍ୟାରେ ଗଢ଼ି ଉଠିଥିବା ଏକ ସୁନ୍ଦର ସମ୍ପର୍କ ଯାହା ସନ୍ଧ୍ୟା କିଶୋରାବସ୍ଥାରୁ ଆରମ୍ଭ ହୋଇ ପ୍ରାତଃର ବାର୍ଦ୍ଧକ୍ୟ ଅବସ୍ଥାରେ ସମାପ୍ତ ହେବାର ସ୍ଵପ୍ନ ଦେଖୁଥିଲା । ରାତିର ଅନ୍ଧକାରର କଳା ଗାଢ଼ତା ସହିତ ବୃଦ୍ଧି ପାଉଥିଲା ନାୟିକା ଶେଫାଳି ଓ ନାୟକ ନିଶିର ସମ୍ପର୍କ । ଅନ୍ଧକାର ରାତିର ଚିକମିକ୍ କରୁଥିବା ଚାନ୍ଦ ସିଞ୍ଚି ଦଉଥିଲା ଅମୃତ ସେମାନଙ୍କ ସଦ୍ୟ ଗଢ଼ି ଉଠିଥିବା ନୂତନ ସମ୍ପର୍କ ଉପରେ । ଶେଫାଳି ନିଜର ଅଲୌକିକ ବାସ୍ନାରେ ଭରି ଦେଉଥାଏ ନାୟକ ନିଶି ମନରେ ଅଗାଧ ଭଲପାଇବା ଓ ବିଶ୍ୱାସ । ରାତିର ପ୍ରହର ଯେତେ ଗାଢ଼ରୁ ଗାଢତର ହେଉଥାଏ, ଶେଫାଳିର ବାସ୍ନା ରୂପକ ପ୍ରେମ ସେତିକି ପ୍ରଖର ହେଉଥାଏ । ପ୍ରକୃତିର ନିୟମ ବିଷୟରେ ଅଜ୍ଞ ଶେଫାଳି ଜାଣିନଥିଲା ସେମାନଙ୍କ ସମ୍ପର୍କର ଆୟୁ ଏତେ କ୍ଷୀଣ ବୋଲି । ସନ୍ଧ୍ୟାର ମାଛି ଅନ୍ଧାରରେ ଆରମ୍ଭ ହୋଇ ଉଷାର ପହିଲି ପୁଲକରେ ଶେଷ ହୋଇଯିବ ସେମାନଙ୍କ ସମ୍ପର୍କ, ସେ କେବେ ଭାବି ନଥିଲା ।  ଦିବା ପରେ ରାତ୍ରି, ରାତ୍ରି ପରେ ଦିବା ପ୍ରକୃତିର ଅକାଟ୍ୟ ସତ୍ୟ । ସୃଷ୍ଟିର କାରଣ ଅରୁଣଙ୍କର ନାଲିନାଲି କିରଣ, କିନ୍ତୁ ସେହି କିରଣ ଯେ ତ ସମ୍ପର୍କର ଶେଷ ମୁହୂର୍ତ୍ତ ଆଣିଦେବ ତାହା କେବେ ସେ ଭାବି ନଥିଲା । ପାଦପର ବକ୍ଷରୁ ଝରି ପଡ଼ିଥିବା ନାୟିକା ଶେଫାଳି ନିରବ ଅସହାୟ ହୋଇ ଚାହିଁ ରହିଥାଏ ନାୟକ ନିଶିକୁ । ମନେମନେ ଭାବୁଥାଏ ସବୁଦିନ ଏ ରାତି  ହୁଅନ୍ତା କି ସବୁ ଦିନ ମୁଁ ନିଜକୁ ସଜେଇ ଦିଅନ୍ତି ଗୋଟିଏ ରାତିର ଅଭିସାରିକା ରୂପରେ । ପୁଣି ଭରିଦିଅନ୍ତି ତୁମ ମନରେ ମୋ ପ୍ରେମର ବାସ୍ନା ।

ବରଗଡ଼, ତାଲପାଲି

ଲେଖକ ପରିଚୟ

ପ୍ରକୃତିର ନିୟମ ସଭିଙ୍କ ପାଇଁ ସମାନ । ମାତ୍ର ସେହି ସମାନ ନିୟମ ଜଣଙ୍କ ପାଇଁ ସୁଖ ଆଉ ଅନ୍ୟ ଜଣଙ୍କ ପାଇଁ ବିଷାଦର କାରଣ ହୋଇଯାଏ । ଏହି ଭିନ୍ନତା ମନରେ ମୋର ସଂଚି ଦେଇଛି ଲେଖିବାର ବୀଜ । ବିଶିଷ୍ଟ ଲେଖକମାନଙ୍କ ଲେଖାରେ ଅନୁପ୍ରାଣିତ ହୋଇ ନିଜ ନାମର ସାର୍ଥକତା ପାଇଁ ଅଳ୍ପ କିଛି ବର୍ଷ ହେଲା ଲେଖନରତା ମୁଁ ।

Related Posts

Leave a Reply

Your email address will not be published. Required fields are marked *