ଧର୍ମାନନ୍ଦ ମହାରଣା

ଆରେ ବାଇମନ କର୍ଣ୍ଣ ଦେଇ ଶୁଣ
ଦୟାର ମାହାତ୍ମ୍ୟ କହଇ ଅଧମ ।
ଦୟା ଯେ ଅଟଇ ସଂସାରେ ମହତ
ପୂର୍ବେ ମହାଜନେ କହିଛନ୍ତି ସତ ।
ସକଳ ଜୀବଙ୍କୁ ଦୟା ଯେ କରଇ
ତାହାଠାରୁ ଶ୍ରେଷ୍ଠ ଜୀବ ଆଉ କାହିଁ ।
ଦୟା ଭାବେ ଯା’ର ଅନ୍ତର ପୂରିତ,
ଆନଜୀବ କ୍ଳେଶ ତା’ ହୃଦେ ଅଙ୍କିତ ।
ସର୍ବପ୍ରାଣୀ ଦୁଃଖେ ଯା’ ହୃଦ ଦୁଃଖିତ
ଅସ୍ଥାୟୀ ଜୀବନେ ସେ ଜୀବ ମହତ ।
ଅସହାୟ ପାଶେ ଉପସ୍ଥିତି ଯା’ର
ତା’ ନେତ୍ରରେ ଧରା ଏକ ପରିବାର ।
ନିଜେ ସେ ଦରିଦ୍ର ଯେତେ ହୋଇଥାଏ
ପର ପ୍ରାଣୀଙ୍କର ପେଟକୁ ପୁରାଏ ।
ତାକୁ କି ସଂସାର ଦରିଦ୍ର ବୋଲିବ
ତାହା ସମ ଦାନୀ ଆଉ କି ସମ୍ଭବ ।
ଅଭାବ ଥିଲେ ବି ସ୍ଵଭାବ ଛାଡ଼େନି
ଆପଣା ପେଟରୁ ଦିଏ କାଟି ପୁଣି ।
ପରଆପଣାର ଭାବ ଯା’ ନଥାଏ
ଦୟାବନ୍ତ ଭବେ ସଂସାର ଚିହ୍ନାଏ ।
ଆନପ୍ରାଣୀ ହୃଦେ ଆପଣା ଛବିଏ
ଆପଣା ହୃଦୟେ ଆନକୁ ପରାଏ ।
ଧନ୍ୟ ଏଇ ଦୟା ମହିମା ତାହାଙ୍କ
ନିତି ପୂଜା ପାଏ ହୃଦୟେ ପ୍ରାଣୀଙ୍କ ।
ଦୟା ଭାବନାରୁ ମୁକ୍ତ ହୋଇ ଏକ
ବୈକୁଣ୍ଠ ଯାତରା ଇଛନ୍ତି ଅନେକ ।
ଯାତରା କି ତା’ର ସମ୍ଭବ ହୋଇବ
କୁହୁଡ଼ିରେ ତହୁଁ ପହଁରିବା ହେବ ।
ଶ୍ରେଷ୍ଠ ଜୀବ ବୋଲି ସଂସାର କହଇ
କୃପଣ ହୋଇଲେ ହେବ କିରେ ଭାଇ !
ବିହିଙ୍କ ନିର୍ଦ୍ଦେଶେ ସକଳ ଉଦ୍ଭବ
ସଭିଏଁ ସମାନ ତୁମ୍ଭ ମନେ ଭାବ ।
ଚରଣ ଯୁଗଳେ ଯୋଡ଼ି ଦୁଇ କର
ଇଶ୍ୱର ସନ୍ତାନ ଦୟାକୁ ଆଚର ।
ଦୟାକୁ ହୃଦୟେ କରିଲେ ଧାରଣ
ମଧୁମୟ ହେବ ଏ ସାରା ଭୁବନ ।
ମଧୁର ମଧୁର ଜୀବନ ଲାଗିବ
ନିଶ୍ଚୟେ ଚିତ୍ତରେ ସନ୍ତୋଷ ଲଭିବ ।
ମର୍ଦ୍ଦକୋଟ, ଗଞ୍ଜାମ, ଦୂରଭାଷ – ୮୯୧୭୪୪୬୪୪୧
ଲେଖକ ପରିଚୟ
ସ୍କୁଲ ସମୟରୁ ହିଁ ମୁଁ ଏଣେତେଣେ କରି କିଛି କିଛି ଲେଖାଲେଖି କରୁଥିଲି ଯଦିଓ ଛନ୍ଦ ଉପରେ ନୁହଁ । ସେତେବେଳେ ଛନ୍ଦ, ଅଳଙ୍କାର ଉପରେ ସେତେଟା ଜ୍ଞାନ ନଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସ୍ୱତଃ ଅନୁଭବ ହେଲା ‘ସ’ରୁ ସାହିତ୍ୟ ‘ସ’ରୁ ସମ୍ପର୍କ, ସମ୍ପର୍କରୁ ସାହିତ୍ୟ ଓ ସାହିତ୍ୟରୁ ସମ୍ପର୍କ । ୨୦୧୯ରେ ପୁଣି ସାହିତ୍ୟ ସହ ଜଡ଼ିତ ହେଲି ଭାଗୀରଥୀ ବେହେରା ସାରଙ୍କ ପ୍ରେରଣା ଏବଂ ସହକର୍ମୀ ବନ୍ଧୁ ଫକିର ମୋହନ ସାହୁଙ୍କ ଉତ୍ସାହ ପାଇ । ମୁଁ ଯଦି କ୍ଷୁଦ୍ର ବୃକ୍ଷଟିଏ ତେବେ ସମାଜ ମୋ ପାଇଁ ଜଳ ଏବଂ ସାହିତ୍ୟ ମୋ ପାଇଁ ଆୟୁଷ (ସୂର୍ଯ୍ୟକିରଣ) ସଦୃଶ । ବାଣୀପୁତ୍ର, ସାହିତ୍ୟ କୁସୁମ, ଭାଷା ବିଭବ-୨୦୨୩ ଏମିତି ଅନେକ ସମ୍ମାନ ମିଳିଛି ।