ମଣିଷତ୍ଵ ବଖାଣୁଛି ପୁସ୍ତକ ‘ୱିଣ୍ଡୋ ସିଟ୍‍’

ପୁସ୍ତକ: ୱିଣ୍ଡୋ ସିଟ୍‍ ୨୦୨୦
ଲେଖକ: ଡ. ମୃଣାଳ ଚାଟାର୍ଜୀ
ପ୍ରକାଶକ: ଶେଫାଳୀ କମ୍ୟୁନିକେସନ୍ସ
ପୃଷ୍ଠା: ୨୫୬
ମୂଲ୍ୟ: ମୁଦ୍ରିତ ପୁସ୍ତକ- ୨୫୦ ଟଙ୍କା, ଇ-ପୁସ୍ତକ- ୫୦ ଟଙ୍କା
ସମୀକ୍ଷା: ସୌମ୍ୟ ରଞ୍ଜନ ବିହାରା

ମଣିଷ ଇତିହାସର ସବୁଠୁଁ ସ୍ମରଣୀୟ ଓ ସବୁଠୁଁ ବିସ୍ମୃତ ବର୍ଷ ହେଉଛି ୨୦୨୦ । ବିସ୍ମୃତ ଏଥିପାଇଁ କି’ ଏହି ବର୍ଷଟିକୁ ଅନେକେ ଭୁଲିଯିବାକୁ ଚାହୁଁଛନ୍ତି । ଆଉ ଅନେକ ନୂଆ ପରିସ୍ଥିତିକୁ ବର୍ଷଟି ସାମ୍ନା କରିଥିବାରୁ ଏହା ଯୁଗେ ଯୁଗେ ସ୍ମରଣୀୟ ହୋଇ ରହିବ । କରୋନା ମହାମାରୀ ହଠାତ୍‍ ଏ ବର୍ଷ ଆରମ୍ଭରୁ ଆମ ଜୀବନ ଭିତରକୁ ଧସି ହୋଇଆସିଲା । ସାଧାରଣ ଜୀବନଯାତ୍ରା ଅସାଧାରଣ ହୋଇଗଲା । ସବୁକିଛି ବଦଳିଗଲା । ଲୋକେ ଘରୁ ବାହାରି ପାରିଲେନି । ସ୍କୁଲ, କଲେଜ୍‍, ମନ୍ଦିର, ମସ୍‍ଜିଦ୍‍, ଚର୍ଚ୍ଚ, ବସ୍‍, ରେଳ ସବୁକିଛି ବନ୍ଦ ରହିଲା । ପୁଣି ଲୋକଙ୍କ ମୁହଁକୁ ବନ୍ଦ କରିରଖିଲା ମୁଖା । ସମସ୍ତଙ୍କ ପାଇଁ ଏହା ଆଶ୍ଚର୍ଯ୍ୟକର ଥିଲା । ତେବେ ୟା’ରି ଭିତରେ ବର୍ଷ ତମାମ୍‍ ବେଶ୍‍ କିଛି ଘଟଣା ଲୋକଙ୍କ ସ୍ମୃତିକୁ ଜାବୁଡ଼ି ଧରିଥିଲା । ଲକ୍‍ଡାଉନ୍‍ ହେଉ କି ପ୍ରବାସୀ ଶ୍ରମିକଙ୍କ ଘରମୁହାଁ, ଅମ୍ଫନ୍‍ ବାତ୍ୟା ହେଉ କି ଚାଷୀ ଆନ୍ଦୋଳନ; ଏସବୁ ଖବରର ଶିରୋନାମା ପାଲଟିଥିଲା । ଲୋକେ ଘର ଭିତରେ ଝରକା ପାଖରେ ବସି ସାରା ବିଶ୍ୱକୁ ଦେଖିଥିଲେ । ଇଣ୍ଟରନେଟ୍‍ ମଞ୍ଚ, ଟେଲିଭିଜନ୍‍ ମାଧ୍ୟମରେ ବିଶ୍ୱର କୋଣ ଅନୁକୋଣର ଘଟଣାକୁ ଅନୁଭବ କରୁଥିଲେ । ପ୍ରସଙ୍ଗଗୁଡ଼ିକର ଚର୍ଚ୍ଚା କରୁଥିଲେ । ତେବେ ଏମିତି କିଛି ଘଟଣା, ପ୍ରସଙ୍ଗ ଓ ଅନୁଚିନ୍ତାକୁ ନେଇ ସୁଲେଖକ ତଥା ଗଣମାଧ୍ୟମ ଶିକ୍ଷାବିତ୍‍ ଡ. ମୃଣାଳ ଚାଟାର୍ଜୀଙ୍କ ଇଂରାଜୀ ପୁସ୍ତକ ସଙ୍କଳନ ‘ୱିଣ୍ଡୋ ସିଟ୍‍’ ପାଠକ ମହଲରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।
ଶେଫାଳୀ କମ୍ୟୁନିକେସନ୍ସ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ ଲେଖକ ବିଶ୍ୱର ବିଭିନ୍ନ ଘଟଣାବଳୀକୁ ଅତି ସୂକ୍ଷ୍ମ ଭାବେ ନିରୀକ୍ଷଣ କରି ଅବଲୋକନ କରିଛନ୍ତି । ବିଭିନ୍ନ ପ୍ରସଙ୍ଗ ଏବଂ ସମସ୍ୟା ସମ୍ପର୍କରେ କେବଳ ପାଠକଙ୍କୁ ସଚେତନ କରାଇନାହାନ୍ତି ବରଂ ମଣିଷତ୍ୱର କଥା କହିଛନ୍ତି ମୃଣାଳ । ଅତି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ପୁସ୍ତକରେ ପ୍ରତିଫଳିତ ହୋଇଛି । ବର୍ତ୍ତମାନ ସମୟରେ ଏମିତି ଏକ ମାନବୀୟ ପୁସ୍ତକର ଆବଶ୍ୟକତା ରହିଥିବା ଅନୁଭବ ହୁଏ ।
ଲେଖକ ମୃଣାଳ ଅତି ସୁନ୍ଦର ଭାବେ ବିଭିନ୍ନ ପ୍ରସଙ୍ଗ ଓ ଘଟଣାକୁ କାହାଣୀ ଆକାରରେ ତୋଳିଛନ୍ତି । ଏଥିରେ ତଥ୍ୟ ରହିବା ସହ ବିଭିନ୍ନ ବ୍ୟକ୍ତିତ୍ୱଙ୍କ ଜୀବନୀ, ଦର୍ଶନୀୟ ସ୍ଥାନ ଆଦିର ଅନେକ ବିବରଣୀ ରହିଛି । କିଛି ନିବନ୍ଧରେ ଲେଖକଙ୍କ ନିଜସ୍ୱ ଅନୁଭବ ଓ ମତାମତ ରହିଥିଲେ ମଧ୍ୟ ଏହା ପ୍ରାସଙ୍ଗିକ ଏବଂ ଗ୍ରହଣୀୟ ହୋଇଛି । ପୁସ୍ତକଟି ପାଠକମାନଙ୍କୁ ଶିକ୍ଷିତ କରିବାରେ ସହାୟକ ହୋଇପାରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେମାନେ ପାଇପାରିବେ । ତେବେ ସବୁଠୁଁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାଧାରଣ ଲୋକଙ୍କ ଦୃଷ୍ଟିକୋଣରୁ ଲେଖକ ପ୍ରସଙ୍ଗଗୁଡ଼ିକର ବର୍ଣ୍ଣନା କରିଛନ୍ତି । ଆଉ କିଛି ନିବନ୍ଧରେ ଅଳ୍ପ-ଆଲୋଚିତ କଥାଗୁଡ଼ିକୁ ଆଲୋଚନା କରି ଏକ ନୂଆ ଦିଗନ୍ତ ଦେଇଛନ୍ତି ।
ସମଗ୍ର ବିଶ୍ୱକୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଖୁବ୍‍ ପ୍ରଭାବିତ କରିଥିବା କରୋନା ମହାମାରୀ ପାଇଁ ୨୦୨୦ ବର୍ଷଟିକୁ ସମସ୍ତେ ଭୁଲିଯିବାକୁ ଚାହୁଁଛନ୍ତି । କିନ୍ତୁ ଏହି ବର୍ଷରେ ଏମିତି କିଛି ଘଟଣା ଯୁଗ ଯୁଗ ଧରି ସାଧାରଣ ଲୋକଙ୍କ ମନରେ ରହିବ ବୋଲି ପୁସ୍ତକ ମୁଖବନ୍ଧରେ ଲେଖକ ଲେଖିଛନ୍ତି । ବର୍ଷ ସାରା ଘଟିଥିବା ବିଭିନ୍ନ ଘଟଣାବଳୀକୁ ଏକ ଭିନ୍ନ ଓ ସ୍ୱତନ୍ତ୍ର ଢଙ୍ଗରେ ଲେଖକ ମୃଣାଳ ଚାଟାର୍ଜୀ ଆଲୋଚନା କରିଛନ୍ତି । ଇଂରାଜୀ ଖବରକାଗଜ ‘ସିକିମ୍‍ ଏକ୍ସପ୍ରେସ୍‍’ ଏବଂ ଏକ ନିଉଜ୍‍ ୱେବ୍‍ସାଇଟ୍‍ରେ ନିୟମିତ ପ୍ରକାଶ ପାଉଥିବା ନିବନ୍ଧଗୁଡ଼ିକୁ ନେଇ ଏ ପୁସ୍ତକର ସଙ୍କଳନ କରାଯାଇଛି । ଅର୍ଚ୍ଚନା ଶତପଥୀଙ୍କ ଏକ ଫଟୋ ସ୍ଥାନ ପାଇଛି ପୁସ୍ତକର ପ୍ରଚ୍ଛଦ ପୃଷ୍ଠାରେ । ସମ୍ବିତ ପାଲ ପୁସ୍ତକର ସମ୍ପାଦନା କରିଥିବାବେଳେ ଏହାର ଲେଆଉଟ୍‍ ଡିଜାଇନ୍‍ କରିଛନ୍ତି ଜିତେନ୍ଦ୍ର ପତି ।
ପୁସ୍ତକରେ ରାଜ୍ୟ ତଥା ଦେଶ ବିଦେଶର ବିଭିନ୍ନ ଘଟଣା, ପ୍ରସଙ୍ଗ ଆଦିର ଆଲୋଚନା କରିଛନ୍ତି ଲେଖକ ମୃଣାଳ । ଭାରତରେ ନୂଆ ଶିକ୍ଷା ଆଇନ ହେଉ କି ଦକ୍ଷିଣ କୋରିଆର ନାରୀବାଦୀ ଆନ୍ଦୋଳନ; କରୋନା ମହାମାରୀ ହେଉ କି ସାମାଜିକ ଗଣମାଧ୍ୟମ । ଏସବୁର ଭିନ୍ନ ଭିନ୍ନ ଦିଗ ନିଜ ଲେଖା ମାଧ୍ୟମରେ ଉପସ୍ଥାପନ କରିଛନ୍ତି ସେ । ଅତି ସୁନ୍ଦର ଭାବେ ସରଳ ଓ ସାବଲୀଳ ଇଂରାଜୀ ଭାଷାରେ ସେ ନିବନ୍ଧଗୁଡ଼ିକୁ ଲେଖିଛନ୍ତି । ଅଧିକାଂଶ ନିବନ୍ଧ ତଥ୍ୟଭିତ୍ତିକ ହୋଇଛି ଏବଂ ଚିନ୍ତନର ବେଶ୍‍ କିଛି ଖୋରାକ୍‍ ପାଠକଙ୍କୁ ଦେଇପାରିଛି । ଶିଶୁ ସାହିତ୍ୟର ଭବିଷ୍ୟତ ସମ୍ପର୍କିତ ଏକ ନିବନ୍ଧରେ ସେ ଲେଖିଛନ୍ତି, ଆଜିକାଲିର ପିଲାମାନେ ଅଧିକରୁ ଅଧିକ ପାଠ୍ୟପୁସ୍ତକ ପଢୁଛନ୍ତି । ପାଠ ବହି ପଢ଼ିବାକୁ ସେମାନଙ୍କୁ ଏକରକମ ବାଧ୍ୟ କରାଯାଉଛି । ଏହାସହ ପିଲାଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାହିତ୍ୟଧର୍ମୀ ପତ୍ରପତ୍ରିକା ଆଦି ପଢ଼ିବା ଉପରେ ଅନେକ ଅଭିଭାବକ ଗୁରୁତ୍ୱ ଦେଉନାହାନ୍ତି । ଫଳରେ ଜୀବନର ଅନ୍ୟ କ୍ଷେତ୍ର ଉପରେ ପିଲାଏ ସଚେତନ ହୋଇପାରୁନାହାନ୍ତି । ଏହାର ସମାଧାନ ପାଇଁ ସେ କେତୋଟି ପରାମର୍ଶ ମଧ୍ୟ ଦେଇଛନ୍ତି । କେବଳ ପାଠ୍ୟ ପୁସ୍ତକ କିମ୍ବା ସୂଚନାଧର୍ମୀ ପୁସ୍ତକ ପଢ଼ିବାକୁ ଅଭିଭାବକମାନେ ନିଜ ପିଲାଙ୍କୁ କହିବା ଅନୁଚିତ ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ସେହିପରି ପିଲାମାନେ ବିଭିନ୍ନ ପ୍ରକାରର ପୁସ୍ତକ, ବିଭିନ୍ନ ବିଷୟର ପୁସ୍ତକ ପଢ଼ିବା ପାଇଁ ଶିକ୍ଷକମାନେ ଉତ୍ସାହିତ କରିବା ଦରକାର ବୋଲି ସେ କହିଛନ୍ତି । ଅନ୍ୟ ଏକ ନିବନ୍ଧରେ ଲେଖକ ଓଟିଟି ଯୁଗରେ ସିନେମା ଉପରେ ବର୍ଣ୍ଣନା କରିଛନ୍ତି । ବର୍ତ୍ତମାନର ଓଟିଟି ଅର୍ଥାତ୍‍ ନେଟ୍‍ଫ୍ଲିକ୍ସ, ଆମାଜନ୍‍ ପ୍ରାଇମ୍‍ ପରି ଇଣ୍ଟରନେଟ୍‍ ମନୋରଞ୍ଜନଭିତ୍ତିକ ପ୍ଲାଟ୍‍ଫର୍ମ କିପରି ପାରମ୍ପରିକ ସିନେମା, ଦର୍ଶକ ଓ ଜୀବନଚର୍ଯ୍ୟାକୁ ପ୍ରଭାବିତ କରୁଛି, ସେ ଉପରେ ବିଶେଷ ଆଲୋଚନା କରିଛନ୍ତି । କାର୍ଟୁନ୍‍ ଓ କାର୍ଟୁନିଷ୍ଟଙ୍କ ଉପରେ ଏକ ନିବନ୍ଧ ବେଶ୍‍ ପାଠକୀୟ ହୋଇପାରିଛି । ଖ୍ୟାତନାମା ଦାର୍ଶନିକ, ଶିକ୍ଷାବିତ୍‍ ତଥା ସଂସ୍କାରକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ୨୦୦ତମ ଜୟନ୍ତୀ ଉପରେ ଏକ ସ୍ୱତନ୍ତ୍ର ଲେଖା ମାଧ୍ୟମରେ ଅନେକ କଥା ବଖାଣିଛନ୍ତି ସେ । ଏହାସହ ଗଣକବି ବୈଷ୍ଣବ ପାଣି, ହିନ୍ଦୀ ସାହିତ୍ୟର ଶ୍ରେଷ୍ଠ ପୁରୋଧା ଭରତେନ୍ଦୁ ହରିଶ୍ଚନ୍ଦ୍ର, ଭାରତରେ ବିଜ୍ଞାନ କେନ୍ଦ୍ର ଆନ୍ଦୋଳନର ଜନକ ଡ. ସରୋଜ ଘୋଷ, ବିଶ୍ୱଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋକପାତ କରିଛନ୍ତି । ପରିବେଶ ପ୍ରଦୂଷଣ, ବାଲ୍ୟ ବିବାହ ପ୍ରଥା ପରି କୁସଂସ୍କାର ଆଦି କେତୋଟି ପ୍ରସଙ୍ଗର ପୁଙ୍ଖାନୁପୁଙ୍ଖ ଅନୁଶୀଳନ କରିଛନ୍ତି ଲେଖକ । କରୋନା ମହାମାରୀ ସମୟରେ ବିଭିନ୍ନ ଗଣମାଧ୍ୟମର ଖବର ପ୍ରସ୍ତୁତି, ପରିବେଷଣ ଓ ଉପସ୍ଥାପନାକୁ ନେଇ କରିଥିବା କେତୋଟି ଅବଲୋକନ ପାଠକଙ୍କୁ ଅନେକ ଧାରଣା ଦେବାରେ ସଫଳ ହୋଇଛି । ଭାରତରେ ଗଣମାଧ୍ୟମର ଭବିଷ୍ୟତକୁ ନେଇ ଏକ ଲେଖାରେ ସେ ଖବରକାଗଜର ଇ-ସଂସ୍କରଣ, ୱେବ୍‍ ପ୍ଲାଟ୍‍ଫର୍ମରେ ଗଣମାଧ୍ୟମର ଚାହିଦା ଓ ଆଦର ଉପରେ ବର୍ଣ୍ଣନା କରିଛନ୍ତି ।
ସରକାରୀ ସ୍କୁଲଗୁଡ଼ିକର ଭିତ୍ତିଭୂମି ବିକାଶ ଓ ଶିକ୍ଷାର ଗୁଣାତ୍ମକ ମାନ ବଢ଼େଇବା ଉପରେ ଲେଖକ ଏକ ନିବନ୍ଧରେ ପ୍ରସ୍ତାବ ଦେଇଛନ୍ତି । ମହାତ୍ମା ଗାନ୍ଧୀ ଜଣେ ସାମ୍ବାଦିକ ଭାବେ କିପରି ସ୍ୱାଧୀନତା ଆନ୍ଦୋଳନରେ ସାରା ଦେଶର ଲୋକଙ୍କୁ ଯୋଡ଼ିଥିଲେ ଏବଂ ଲୋକଙ୍କ ସମସ୍ୟାକୁ ଉପସ୍ଥାପନ କରୁଥିଲେ, ତାକୁ ନେଇ ମଧ୍ୟ ଏକ ନିବନ୍ଧ ଖୁବ୍‍ ପାଠକୀୟ ହୋଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଲେଖା ସ୍ଥାନ ପାଇଛି । ଏଥିରେ ବିଶ୍ୱଯୁଦ୍ଧ ସମ୍ପର୍କିତ କିଛି ତଥ୍ୟ ରହିବା ସହ ଏହା କିପରି ରାଜନୈତିକ ଓ ସାମାଜିକ କ୍ଷେତ୍ରକୁ ପ୍ରଭାବିତ କରିଥିଲା, ତାହା ଆଲୋଚନା କରିଛନ୍ତି । ଏସବୁ ମଧ୍ୟରେ ପରିବେଶ ସୁରକ୍ଷାକୁ ନେଇ ଲେଖକଙ୍କ ଅଭିବ୍ୟକ୍ତି ପୁସ୍ତକକୁ ଆହୁରି ସମୃଦ୍ଧ କରିଛି । ପରିବେଶ ସୁରକ୍ଷା ନେଇ ସଚେତନ ରହିବା ଏବଂ ଏ ଦିଗରେ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ହେବ ବୋଲି ସେ ବିଭିନ୍ନ ଅଧ୍ୟାୟରେ ଆହ୍ୱାନ କରିଛନ୍ତି । ପରିବେଶକୁ ନେଇ ଗାନ୍ଧୀଙ୍କ ମଡେଲ୍‍ କିପରି ଥିଲା ଏବଂ ଏହା ବର୍ତ୍ତମାନ କିପରି ପ୍ରାସଙ୍ଗିକ ତାକୁ ଅତି ସରଳ ଭାବେ ବୁଝେଇଛନ୍ତି ସେ । ଏଥିସହିତ ଧରିତ୍ରୀ ଦିବସର ମହତ୍ତ୍ୱ ଏବଂ ପୃଥିବୀକୁ ସୁରକ୍ଷା କରିବା ପାଇଁ ଆମ ଦାୟିତ୍ୱ ସମ୍ପର୍କରେ ଏକ ନିବନ୍ଧରେ ଖୁବ୍‍ ସୁନ୍ଦର ଭାବେ ଆଲୋଚନା କରିଛନ୍ତି ଲେଖକ । ୨୦୨୦ ବର୍ଷଟି ଅନଲାଇନ୍‍ ଶିକ୍ଷାକୁ କିପରି ଆପଣେଇଥିଲା ତାହା ଉପରେ ଏକ ନିବନ୍ଧ ରହିଛି । ଅନ୍‍ଲାଇନ୍‍ ଶିକ୍ଷା ସମୟରେ କେତୋଟି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି ।
କରୋନା ଯୋଗୁଁ ଲୋକଙ୍କୁ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲେ ମଧ୍ୟ ଏଥିରୁ କିପରି ମୁକୁଳିହେବ ଏବଂ ଆଗକୁ ଯାଇହେବ, ସେନେଇ ଲେଖକଙ୍କ କିଛି ଲେଖା ଆଶାର କିରଣ ଦେଇଛି । ସମକାଳୀନ ପ୍ରସଙ୍ଗର ବିଭିନ୍ନ ଦିଗ ଉପରେ ନିଜସ୍ୱ ଶୈଳୀରେ ଆଲୋଚନା କରିଛନ୍ତି ଲେଖକ । ସବୁ ଲେଖା ଖୁବ୍‍ ସରଳ ଓ ସ୍ପଷ୍ଟ ହୋଇଛି । ପଢ଼ିବାବେଳେ ଏହା ସ୍ପଷ୍ଟ ଭାବେ ଜଣାହେଉଛି । ଏମିତି ଏକ ପୁସ୍ତକକୁ ଆମ ଜୀବନର ଜଳଛବି କହିଲେ ଭୁଲ ହେବନି । କାରଣ ଜୀବନର ଛୋଟ ବଡ଼ ଘଟଣା, ପ୍ରସଙ୍ଗ ବହିଟିରେ ଏଭଳି ଭାବରେ ଉପସ୍ଥାପନ ହୋଇଛି ଯାହା ଭିତରେ ଆମେ ନିଜକୁ ସେଥିରେ କେଉଁଠି ନା କେଉଁଠି ଖୋଜି ପାଇବା । ସବୁ ବର୍ଗର ପାଠକଙ୍କ ଦ୍ୱାରା ପୁସ୍ତକଟି ଆଦୃତ ହେବ ବୋଲି ଆଶା ।

Related Posts

Leave a Reply

Your email address will not be published. Required fields are marked *