ଯାଜପୁର ସେତେବେଳେ ଏମିତି ଆଲୁଅମୟ ନଥିଲା। ମାନସା ପୋଲ ଛାଡିଲା ପରେ କଲେଜ ଛକରେ ଗୋଟେ ଶଏ ପାୱାରିଆ ବଲ ଜଳୁଥିଲା। ବାଟ ସାରା କିଆବୁଦା।
ମାଇନର ସ୍କୁଲରେ ପଢିଲା ବେଳେ ସେଇ ରାସ୍ତାରେ ଡାହାଣ ପାଖକୁ ଅଚାନକ ଗୋଟେ ପଲସ୍ତରା କରା ଅଳପ ଉଚ୍ଚ କାନ୍ଥରେ ଲଳିତେଶ୍ୱର ନଗର ବୋଲି ଲେଖା ହୋଇଗଲା। କେମେଷ୍ଟ୍ରିର ସନାତନ ସାର୍ ସେଇଠି ଘର କରିଥିଲେ। ଯୋଉଠି ପରେ ମାଥେମେଟିକ୍ସର ବ୍ୟାସ ସାର୍ ଭଡାରେ ବହୁତ ଦିନ ରହିଥିଲେ। ହରିସାମନ୍ତ ସ୍କୁଲର ରବି ସାର୍ ବି ଘର କରିଥିଲେ। ଇଂରାଜୀ ବିଭାଗର ଗାନ୍ଧୀ ସାର୍ ସେଠି ଭଡାରେ ରହୁଥିଲେ।
ଯାଜପୁର ଭଳି ଗାଉଁଲି ସହରରେ ସେଇଟି ଥିଲା ପ୍ରଥମ ଆଧୁନିକ ଇଲାକା। ଆଉ ତାରି ରାସ୍ତା ଆରମ୍ଭରେ ଥିଲା ପତଳା ବଉଳ ଗଛଟେ। ସେଇ ବଉଳ ଗଛ ଛକ ଧୀରେ ଧୀରେ ସବୁ ନାମକରା ଟୋକାଙ୍କ ଆଡ୍ଡା ହୋଇଗଲା। ଛକ ନାଁ ବି ସବୁ କହିଲେ – ବଉଳ ମୂଳ। ସେଇଠି କ୍ରିକେଟ ଖେଳ, ଗଣେଷ ପୂଜା, ଲକ୍ଷ୍ମୀ ନାରାୟଣ ପୂଜା ବି ଆରମ୍ଭ ହେଲା।
କ୍ରମଶଃ ବଉଳ ମୂଳ ଯାଜପୁର ସହରରେ ସବୁଠୁ ସ୍ୱତନ୍ତ୍ର ଜାଗାଟେ ପାଲଟି ଗଲା। ଗଛ ଯେତିକି ବଢ଼ିଲା, ଆସର ସେତିକି ଜମିଲା ଓ ବଉଳ ମୂଳ ନିଜେ ପରିଚୟ ପାଇଗଲା। ଜୁଲୁ ଭାଇ ସେ ଖଟିକୁ ନିୟମିତ ଯାଉଥିଲା। କଲେଜ କଲୋନୀରେ ଆମେ ରହୁଥିବା ୧୭ଟି ପରିବାର ଭିତରୁ ସେ ଥିଲା ବଉଳ ମୂଳ ଖଟିର ନିୟମିତ ସଦସ୍ୟ। ତା ସାଂଗ ଓ ଯାଜପୁରର ପ୍ରସିଦ୍ଧ ଶିଶୁରୋଗ ଡାକ୍ତରଙ୍କ ପୁଅ ସିତୁ ଭାଇ ବି ଯାଉଥିଲା। ମୁଁ କଲେଜ ପଢିଲା ବେଳେ ସେଠିକୁ ଗଲି କାରଣ ଅନେକ ଅଧ୍ୟାପକ ଓ ଅଧ୍ୟାପିକା ସେଠି ରହୁଥିଲେ। ଯେମିତି ସୁରେଖା ମ୍ୟାଡାମ୍, ଶାନ୍ତନୁ ସାର୍ (ମାଥେମେଟିକ୍ସ), ହିମାଂଶୁ ସାର୍ (କେମିଷ୍ଟ୍ରି) ।
ଜୁଲୁ ଭାଇ ସଂଗେ ମୁଁ ନିର୍ଧୁମ ବର୍ଷାରେ ଭିଜି ସାଇକେଲରେ ଯାଜପୁର ବୁଲେ। ଦୁର୍ଗା ଟକିଜ ପାଖ ଦୋକାନରୁ ଲତା ଦିଦି କ୍ୟାସେଟ କିଣେ। ଆମ କଲୋନୀରେ ସମସ୍ତେ ମତେ କହନ୍ତି- ଜୁଲୁ ପରା ବଉଳ ମୂଳକୁ ଯାଉଛି ? ତା ସାଙ୍ଗେ କାଇଁ ମିଶୁଚୁ ?
ଜୁଲୁ ଭାଇ ସେଇ ଲଳିତେଶ୍ୱର ନଗର କିନ୍ତୁ ତା ଜୀବନରେ ଛାଡି ପାରିଲାନି। ସେଇଠି ବାହା ହେଲା। ଘର ତିଆରି ବି କରିଛି।
ମୋ ବାପା ଯାଜପୁର କଲେଜରୁ ଅବସର ନେଲା ପରେ ଆମେ ଯାଇ ସେଇ ଲଳିତେଶ୍ୱର ନଗରରେ ଭଡାରେ ରହିଲୁ। ଅବଶ୍ୟ ସେତେବେଳକୁ ତାହା ଆକାରରେ ଢେର ବଢି ସାରିଥିଲା। ଅନିୟନ୍ତ୍ରିତ ଏକ ବିପର୍ଯ୍ୟସ୍ତ ଇଲାକା ହୋଇସାରିଥିଲା। ସମସ୍ତେ ସେଠି ରହିବା ପାଇଁ ବ୍ୟସ୍ତ ଥିଲେ। ମୋ ଭାଗ୍ୟ ବି ଏମିତି ଯାଜପୁରରେ ଯୋଉ କେତେଦିନ ମୁଁ ଚାକିରି କରିଥିଲି, ମୋ ଅଫିସ ବଉଳ ମୂଳ ଛକ ପାଖରେ ଥିଲା। ଗଛ ସେମିତି ଥିଲା। ଆକାର ବଢିଥିଲା। କିନ୍ତୁ ଖଟି ଆଉ ନଥିଲା।
ବହୁତ ଦିନ ପରେ ଯାଜପୁର ଯାଇଥିଲି। ଏବେ ତ ସେ ଜାଗାରେ ଚାରିଟିକିଆ ରାସ୍ତା। ଷ୍ଟ୍ରିଟ ଆଲୁଅ ଓ ଦୋକାନ, ସୋରୁମ ସେ ଜାଗାକୁ ନୂଆ ରୂପ ଦେଇଛି। କିନ୍ତୁ ବଉଳ ଗଛଟି ଆଉ ନାହିଁ। ରାସ୍ତା ବଢିଛି। ସହର ବଢିଛି। ସେଥିରେ ପୁରୁଣା ପାଇଁ ସ୍ଥାନ ନାହିଁ ଯେ। କେବେ କିଏ ସେ ବଉଳ ଗଛ କାଟି ଦେଇଛି।
ପୋଛି ଦେଇଛି ପୁରୁଣା ଓ ଅନ୍ତରଙ୍ଗ ଯାଜପୁର। ଲିଭେଇ ଦେଇଛି ଯାବତୀୟ ସ୍ମୃତି।

ଐତିହାସିକ ସହର ଯାଜପୁରର ଅନ୍ତରଙ୍ଗ କିଛି ଘଟଣା ଓ ସ୍ମୃତିକୁ ନେଇ ଏ ସ୍ତମ୍ଭ। ଲେଖକ ଏଥିରେ ଯାଜପୁରର ଜୀବନ ଓ ସେଠାରେ ଥିବା ଚର୍ଚ୍ଚିତ ଚରିତ୍ରଙ୍କ ବିଷୟରେ ଆପଣା ଅନୁଭୂତି ଲେଖିଛନ୍ତି। ଗୋଟିଏ ସହର କେମିତି ସ୍ମୃତିରେ ଗୁଡ଼େଇ ହୋଇ ରହେ, ଯାଜପୁର କାହାଣୀ ତାର ବର୍ଣ୍ଣନା। ଏହି କ୍ରମରେ ଆମେ ସମୁଦାୟ ପଚାଶଟି ଅଧ୍ୟାୟ ପ୍ରକାଶ କରିବୁ।

Related Posts

2 thoughts on “ବଉଳ ମୂଳ

Leave a Reply

Your email address will not be published. Required fields are marked *