ମୋ ଲେଖା କେବେ ବାହାରିବ ?

ଅରୁଣ କୁମାର ତ୍ରିପାଠୀ

ମୋ ଲେଖା କେବେ ବାହରିବ ବୋଲି ଆଜିକାଲି ସମସ୍ତଙ୍କ ବ୍ୟକ୍ତିଗତ ଚିନ୍ତା । ଖବରକାଗଜଟିଏକୁ ଲେଖାଟେ ଦେଲେ ନା ସେଥିରୁ ମିଳୁଛି ପ୍ରାପ୍ତିସ୍ୱୀକାର ନା ପ୍ରତ୍ତ୍ୟୁତ୍ତର । ହଁ ଦେଖୁଛି, ଭଲ ଲେଖା, ଉଚ୍ଚମାନର ହେଉଛି ବୋଲି କିଛି ସମ୍ପାଦନା ବ୍ୟକ୍ତିବିଶେଷଙ୍କ ଠାରୁ ଖବର ଅବଶ୍ୟ ମିଳୁଛି । କିନ୍ତୁ ଲେଖା କାହିଁ ? ସକାଳୁ ସକାଳୁ ଅନେକଙ୍କ ମନଊଣା ହେଇଯାଉଛି । ସେ ଲୋକଟା କ’ଣ ମୋଠାରୁ ଏତେ ଜ୍ଞାନୀ, ତା’ ଲେଖା ବାହାରିଲା ମୋ ଲେଖା ବାହାରିଲା ନାହିଁ । ମୁଁ କ’ଣ କପି କରିକି ପରୀକ୍ଷା ସବୁରେ ଉତ୍ତୀର୍ଣ୍ଣ ହେଇଛି ? ଏହି ଭିତରେ ଲେଖାଲେଖିରେ ବର୍ଷଟିଏ ବିତିଗଲାଣି । କୋଉ ଖବରକାଗଜରେ କ’ଣ ବାହାରୁଛି ସେୟା ନିଠେଇକି ଜାଣିସାରିଲିଣି । ନୂତନ ଲେଖକ ତଥା ପାଠକଙ୍କ ଗୋଚରାର୍ଥେ ସେହି ବିଷୟରେ ଆଜିର ଉପସ୍ଥାପନା ।

କିଛି ଅଗ୍ରଣି ଖବରକାଗଜ ରହିଛି, ସେମାନେ ଲେଖିବା ନିମନ୍ତେ ପଇସା ଦିଅନ୍ତି । କିନ୍ତୁ ସର୍ତ୍ତ ଏୟା ଯେ, ଆମ ପାଇଁ ଲେଖିଲେ ଆଉ କେଉଁ ଜାଗାରେ ଲେଖିପାରିବେ ନାହିଁ । ଅବଶ୍ୟ କିଛି ମହାନ୍ ଲେଖକଙ୍କ ନିମିତ୍ତ ସେୟା ଅଭିପ୍ରେତ ନୁହଁ । ଆଉ କିଛି ସଂସ୍ଥା ରହିଅଛନ୍ତି, ଯେଉଁମାନଙ୍କ ଏକ ବ୍ରାଣ୍ତ ଭେଲ୍ୟୁ ରହିଅଛି । ସେଠି ସାମ୍ପ୍ରତିକ ବିଷୟକୁ ନଛୁଇଁଲେ ମଧ୍ୟ ତେଜୋଦୀପ୍ତ ଶବ୍ଦ ସବୁ ପରିପ୍ରକାଶ ହୁଏ । ବେଳେବେଳେ ବିରକ୍ତ ମଧ୍ୟ ଅନୁଭୂତ ହୁଏ । ଆଉ କିଛି ରହିଛନ୍ତି ଯେଉଁ ନୂତନ ଅବା ପୁରୁଣା ସମସ୍ତଙ୍କୁ ମାନ ଆଧାରରେ ସୁଯୋଗ ଦିଅନ୍ତି । ଆଉ ଅଗା-ମଗା-ଖଗାଙ୍କ ଅଭାବ ବି ନାହିଁ । କିନ୍ତୁ ଏହି ସମସ୍ତଙ୍କର ଏକ ଦର୍ଶନ ରହିଅଛି । ପରିଚିତ ମୁହଁଙ୍କୁ ନିୟମିତ ସୁଯୋଗ ଦିଅନ୍ତି । ମାନ ଯାହାବି ହଉ, ନୂଆଙ୍କୁ ସୁଯୋଗ ଦେବା ବହୁତ କଷ୍ଟ ହୁଏ । ଥରେ କୌଣସି ସଭାସମିତିରେ ଦେଖାସାକ୍ଷାତ ହଉ ନତୁବା କାହାର ତଥାକଥିତ ରେଫେରେନ୍ସ ମିଳିଲେ ହିଁ ଆପଣଙ୍କ ଲେଖା ପରିପ୍ରକାଶ ହେବ ।

ଅର୍ଦ୍ଧାଧିକ ଖବରକାଗଜଙ୍କର ଏକ ବଦଗୁଣ ଦେଖିବାକୁ ମିଳେ ଏହିକି ଲେଖକ ଯାହା ଦିଅନ୍ତୁ ନା କାହିଁକି, ସବୁତକ ଅବିକଳ ଛାପି ଦିଅନ୍ତି । ଏମିତିକି ବ୍ୟାକରଣଗତ ସାଧାରଣ ଅଶୁଦ୍ଧି ବି ଦେଖିବାକୁ ସମୟ ହୁଏ ନାହିଁ । ଆଉ କିଛି  ସଂସ୍ଥା ଲିଙ୍ଗଭେଦରେ ବିଶ୍ୱାସ କରି ଊଣା ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ତଥା ପୃଷ୍ଠପୋଷକ କରୁଥିବା ସ୍ଥଳେ ଅନେକେଙ୍କୁ ବଳି ପକେଇଦିଅନ୍ତି ।

ଏହି ଭିତରେ କିନ୍ତୁ କିଛି ଲେଖାରେ ରାଜନୀତି ସ୍ପଷ୍ଟ ବାରି ହେଇ ପଡୁଥୁବା ସ୍ଥଳେ ଆଉ କିଛି ସ୍ଥାନରେ ମାନସ ଶେଷସ୍ତର ପର୍ଯ୍ୟନ୍ତ ଗଲେ ବି ରାଜନୀତି ଜଣାପଡ଼େ ନାହିଁ । ଆଜି ବାଲେଶ୍ୱରରୁ ଜଣେ ବରିଷ୍ଠ ସ୍ତମ୍ଭକାରଙ୍କ ସହ ଆଲୋଚନା କଲାବେଳେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ବିଷୟବସ୍ତୁ ଆଖି ସାମ୍ନାକୁ ଆସିଲା । କିଛି ଲୋକ ସଂସ୍କାର କରୁଛନ୍ତି ବୋଲି ଦେଖେଇ ହୋଇ ଚୀନ ଏବଂ ଋଷିଆରୁ ଟଙ୍କା ନେଇ ଯୌବନରେ ସମୃଦ୍ଧ ହେଇଛନ୍ତି । ସେମାନଙ୍କ କାର୍ଯ୍ୟ ହେଉଛି, କଥା ଛଳରେ ଭାରତୀୟତାକୁ ତତଲା ପିତିପାତିଆ ବାଡ଼ିରେ ମାଡ଼ ଦେବା । ଗରମ ପାଣିରେ ହାତ ପୋଡ଼େ ନାହିଁ କି କୁଳବଧୂ ସାମ୍ନାରେ ରସିକିଆ ପ୍ରଦର୍ଶନ ପ୍ରୋକ୍ତ ଚରିତ୍ର ସଂହାର କରିପାରେ ନାହିଁ । 

ଏସବୁ ଭିତରେ କିନ୍ତୁ ଭଲ ଲେଖାର ଅଭାବ ନାହିଁ । ସାମ୍ପ୍ରତିକ ବିଷୟକୁ ଉପଯୁକ୍ତ ତଥା ମନକୁ ପାଇବା ଭଳି ତର୍ଜମାକାରଙ୍କ ଲେଖା ନିୟମିତ ଦେଖିବାକୁ ମିଳେ । କିନ୍ତୁ ଗୋଟିଏ କଥା ବହୁତ ବାଧେ । ଉଚ୍ଚ କ୍ଷମତାସୀନ ପଦାଧିକାରୀଙ୍କ ଲେଖାମାନ ଗୋଟିଏ ଦିନରେ ବହୁତ ଗୁଡ଼ିଏ ଖବରକାଗଜରେ ପରିପ୍ରକାଶ ହେଉଥିବା ସ୍ଥଳେ, ସାଧାରଣ ପାଠକଟିଏକୁ ଏଥିନିମନ୍ତେ ବ୍ଲକ କରିଦିଆ ଯାଏ । ପୁଣି ଅନେକେ ଏହିଭଳି ଅଛନ୍ତି, ଯେଉଁମାନଙ୍କ ଲେଖା ଦୁଇ ତିନି ଦିନ ବ୍ୟବଧାନରେ ଚାରି ଚାରିଟି ଖବରକାଗଜରେ ପରିପ୍ରକାଶ ହୁଏ, ଯାହା ପ୍ରତି କାହାର ନିଘା ନଥାଏ । ଫେସ୍ ବୁକ୍ ର ଟାଇମଲାଇନରେ ନିଜସ୍ୱ ପ୍ରଶଂସାରେ ଯଦି ସେୟାର୍ ଦେଖିବାକୁ ମିଳିଗଲା, ତେବେ ନାସିକା କୁଞ୍ଚନ ଦେଖିବାକୁ ମିଳେ । ପୁନଶ୍ଚ ସାଥି ଲେଖକଗଣ ଅନେକ ବିଷୟରେ ମିଛ କହିବାକୁ ମଧ୍ୟ ପଛଉ ନାହାନ୍ତି । ଲେଖା ପଠେଇବାର ଠିକଣା ପ୍ରଦାନ କରିବାକୁ ମଧ୍ୟ ଅନେକେ ନାରାଜ । ସେଯାହା ବି ହେଉ, ଛତୁ ଫୁଟିଲା ଭଳି ଖବରକାଗଜ ସବୁ ବାହାରୁଛି ଏବଂ ଲେଖକ ସବୁ ସ୍ୱୀକୃତ ହେଉଅଛନ୍ତି । ଆଜି ନହେଲେ କାଲି, ସେମାନଙ୍କ ଲେଖା ସବୁ ବୋଧଗମ୍ୟ ତଥା ଜନାଦୃତ ମଧ୍ୟ ହେବ । ଅନୁବାଦ ସୃଜନମାନ ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳେ । କିଛି ସଂସ୍ଥା ଧାରାବାହିକ ଉପନ୍ୟାସ ମଧ୍ୟ ଛାପନ୍ତି । ସ୍ମରଣୀୟ ଦିବସମାନଙ୍କୁ ଆଖି ଆଗରେ ରଖି ଅନେକ ଲେଖା ମଧ୍ୟ ପ୍ରକାଶ ପାଉଅଛି । 

ତେବେ ଲେଖିବା ସହଜ ହେଇ ନଥାଏ । କବିଟେ ସେହି ସମୟରେ ମରିଥାଏ, ଯେତେବେଳେ ସେ ଘଟଣାଟି ଦେଖେ ଆଉ ସେହି ସମୟରେ ପୁନଶ୍ଚ ମରେ, ଯେଉଁ ସମୟରେ ସେ ଚରିତ୍ର ରିତ୍ରଣ କରେ । ଏକ ପ୍ରଗତିଶୀଳ ସମାଜ ନିମନ୍ତେ ଖବରକାଗଜ ଲେଖାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଅଛି । ସାକ୍ଷାତକାର ମାନଙ୍କରେ ଅନେକ ପ୍ରଶ୍ନ ଏହି ଲେଖାରୁ ସୂଚିତ ହେଇପାରେ ଜଣେ ପ୍ରତ୍ୟାଶୀ । ଲେଖକଗଣ ନିଜ ଦାୟିତ୍ୱ ପ୍ରତି ସଚେତନ ତଥା ସମ୍ପାଦନାକାର ସବୁ ସେମାନଙ୍କ ଗୁଣାବଳୀମାନଙ୍କୁ ଉପଯୁକ୍ତ ପରିପ୍ରକାଶ ନିମନ୍ତେ ଯତ୍ନଶୀଳ ହେବା ବିଧେୟ ।

ଜୟପୁର, ମୋ – ୯୦୭୮୮୩୮୬୨୭

ଲେଖକ ପରିଚୟ

କବିତାରୁ ନିଜର ସାରସ୍ୱତ ଯାତ୍ରା ପ୍ରାରମ୍ଭ କରିଥିଲେ, ସେତେବେଳେ ନବମ ଶ୍ରେଣୀ । ଅର୍ଥଶାସ୍ତ୍ର, ଲୋକ ପ୍ରଶାସନ, ସମାଜ ଶାସ୍ତ୍ର, ସାମ୍ବାଦିକତା ଏବଂ ଗଣଯୋଗାଯୋଗରେ ସ୍ନାତକୋତ୍ତର ହାସଲ କରିଥିବା ଶ୍ରୀ ତ୍ରିପାଠୀ ଆଦିବାସୀ ଅଧ୍ୟୟନରେ ବିଦ୍ୟାନିଶାନ୍ତ ହାସଲ କରିଅଛନ୍ତି । ସାମ୍ପ୍ରତିକ ବିଷୟକୁ ନେଇ ରାଜ୍ୟର ବିଭିନ୍ନ ଖବରକାଗଜରେ ସ୍ତମ୍ଭ, ଗଳ୍ପ ତଥା କବିତାମାନ ଲେଖନ୍ତି । ଓଡ଼ିଆ ଏବଂ ଇଂରାଜୀ ମିଶାଇ ୩ ଟି ପୁସ୍ତକ ପ୍ରକାଶିତ ହୋଇ ସାରିଥିବା ବେଳେ ଆଉ ଏକ ପୁସ୍ତକ ପ୍ରକାଶନ ଅପେକ୍ଷାରେ ।

Related Posts

One thought on “ମୋ ଲେଖା କେବେ ବାହାରିବ ?

Leave a Reply

Your email address will not be published. Required fields are marked *