ସବିତା ସାହୁ

ମୋ ସହରରେ ବର୍ଷା ସକାଳ,
ଟୋପାଟୋପା ବର୍ଷାର
କଅଁଳ ସ୍ଵପ୍ନକୁ ସାଉଁଟିବାର ସକାଳ …

ତୋ ସହରରେ ବର୍ଷାର ତାଣ୍ଡବ,
ଧୂସର ଭୟାତୁର ମନ
ଜଳାର୍ଣ୍ଣବ ସହରରୁ ସ୍ଵପ୍ନର ବୀଜ …

ନଷ୍ଟ ହେଉଥିବାର ସକାଳ
ତୋ ପୃଥିବୀରେ ଏକ ଅହେତୁକ ଭୟ
ମାତ୍ର ତୁ ଅପେକ୍ଷାରେ,
ଅନିଶ୍ଚିତ ନହେଲେବି ପ୍ରତିଶ୍ରୁତି;
ତୋ ସ୍ଵପ୍ନର ଜୀବନ୍ୟାସ ପାଇଁ
ଦୁଇଟି ସହରର …
ସୀମାହୀନ ଦୂରତ୍ୱକୁ ଯୋଡ଼ିବା
ଏକ ନାଚାର ପ୍ରୟାସ
ଆସନ୍ତା ସକାଳ ପାଇଁ
ସମ୍ଭାବନାର ଉଜ୍ଜ୍ବଳ କିରଣ ।

ସେଠି ଆଉ ନଥିବ
ମୋ ସହରର ବର୍ଷାର ସ୍ଵପ୍ନ
ଅବା ତୋ ସହରର ବର୍ଷାର ତାଣ୍ଡବ
ଗୋଟିଏ ମାମୁଲି ଦିନର ମହକ
ସେଠି ପୂର୍ବ ଦିଗରୁ
ସିନ୍ଦୂରା ଫଟାଇ
ଝରକା ଫାଙ୍କରୁ କିରଣ ଧାରେ
ତୋ ଆଖିକୁ ଝଲମଲ କରୁଥିବ
ଆଉ ତୋ ଓଠରୁ
ସମ୍ଭାବନାର ହସଟିଏ
ସମୟକୁ ଅଙ୍ଗୀକାର କରି
ଝରୁଥିବ ।

ମୁମ୍ବାଇ, ମହାରାଷ୍ଟ୍ର, ମୋ – ୯୯୩୦୯୭୬୫୯୭

ଲେଖକ ପରିଚୟ

ପିଲାଟିବେଳୁ ଲେଖାଲେଖି ପ୍ରତି ରୁଚି ଥିଲା । ମାତ୍ର ସଂସାର ଜଞ୍ଜାଳ ଭିତରେ ଛନ୍ଦି ହେଇ ଦୂରେଇ ଯାଇଥିଲି କଲମଠୁ । ଦୀର୍ଘ ୨୭ ବର୍ଷର ବ୍ୟବଧାନ ଅନ୍ତେ ପୁଣିଥରେ ଧରିଛି କଲମ । କବିତା ଲେଖିବା ସହିତ ଅନୁବାଦ ମଧ୍ୟ କରେ । ଇଂରାଜୀରେ ଅଧ୍ୟାପନା କରୁଥିଲି ମାତ୍ର ବର୍ତ୍ତମାନ ଜଣେ ଗୃହିଣୀ କେବଳ ।

Related Posts

Leave a Reply

Your email address will not be published. Required fields are marked *