ଖୁସିର ଚାବିକାଠି

ଶିବାଶିଷ ପାଢ଼ୀ

ଧୀରେଧୀରେ ପ୍ଲାଟଫର୍ମ ଛାଡୁଥିଲା ଟ୍ରେନ । ସବୁ କଥା ସରିଥିଲେ ବି ଯେମିତି କିଛି ବାକି ରହି ଯାଇଥିଲା । ଝରକା ପଟୁ ପାଟିକରି କହୁଥିଲେ ଶ୍ରୀମୟୀ ।

“ଦେଖ, ଯେମିତି କହିଛି ଠିକ ସେମିତି ବାପାଙ୍କ ଔଷଧ ଠିକ ସମୟରେ ଦେବ । ହଁ, ଆଉ ମାଆଙ୍କୁ ବି ଚେକଅପ ପାଇଁ ନେଇକି ଯିବ ।”

 ତୁମେ ଏଠିକା ଚିନ୍ତା କରିବା ଦରକାର ନାହିଁ । ମା’ଙ୍କ ଯତ୍ନ ନେବା ଦରକାର ପଡ଼ିଲେ ଦଶ କଣ ଆହୁରି କିଛି ଦିନ ରହିଯିବ – କହିଥିଲେ ସୁଧୀର । ହେଲେ ଆହୁରି କଣ କଣ କହୁଥିଲେ ଶ୍ରୀମୟୀ । କିଛି ବି ଶୁଣୁ ନଥିଲେ ସୁଧୀର । ପ୍ଲାଟଫର୍ମର କୋଳାହଳରେ କିଛି ଶୁଣା ବି ଯାଉନଥିଲା । ହସି ହସି ହାତ ହଲାଇ ଦେଇଥିଲେ ସେ ।

ଛୁକଛୁକ କରି ଟ୍ରେନ ଆଗକୁ ବଢିଥିଲା । ଘଡ଼ି ଦେଖିଲେ ସୁଧୀର । ସାଢେ ଆଠଟା ହେଉଥିଲା । ମା’ କଣ କରିଥିବ ନକରିଥିବ କିଏ ଜାଣିଛି ? ଏଣୁ ଷ୍ଟେସନ ସାମ୍ନା ହୋଟେଲ “ଆନନ୍ଦ ଭବନରୁ” ତିନି ଜଣଙ୍କ ପାଇଁ ବରା ପ୍ୟାକିଙ୍ଗ କରି ଘରକୁ ନେଇଗଲେ ସେ ।

ବଗିଚାରେ ବସି ଖରା ପୁଆଁଉ ଥିଲେ ବାପା । ପ୍ରବଳ ଅଣ୍ଟା ବ୍ୟଥା ସତ୍ତ୍ୱେ ଉଠିକି ଘର ଝାଡୁ କରୁଥିଲେ ମା’ । ପ୍ୟାକେଟକୁ ଦେଖୁ ଦେଖୁ କହିଲେ – ଆରେ ଆମେ ତ ଛଅ ମାସ ହେଲା ତେଲ ଜିନିଷ ଖାଉନାହୁଁ । ଡାକ୍ତର ପଟ୍ଟନାୟକ ମନା କରିଥିଲେ ପରା !

ଓଃ ! ମୁଁ ଜାଣିନାହିଁ ମା’ – ନିରାଶ ହୋଇଯାଇ କହିଥିଲେ ସୁଧୀର ।

ହସି ଦେଇଥିଲେ ମାଆ । କହିଥିଲେ – ତୋତେ ସମୟ ହେଲେ ତ ବାବୁ !ତୁ କେମିତି ଜାଣିବୁ ?

ଚୁଡ଼ାକଦଳୀ ଟିକିଏ ଚଟକି ଦେଇଥିଲେ ମା’ । ସୁଧୀର ଅଫିସ ବାହାରିଥିଲେ । ବାହାରୁବାହାରୁ ମନେ ପଡ଼ିଥିଲା, ଏଣୁ କହିଥିଲେ – “ବେଶି କିଛି କରିବାର ଦରକାର ନାହିଁ । ପାରିବୁ ଯଦି ଭାତ-ଡାଲମା ଟିକେ କରିଥିବୁ । ମୁଁ ଫେରିବାବେଳେ ହୋଟେଲରୁ କିଛି ନେଇକି ଆସିବି । ହଁ ଆଉ ନିଜ ନିଜ ଔଷଧ ଖାଇନେବ ମା’ ।“ ବାହାରି ଯାଉଥିଲେ ସେ ହେଲେ ମା’ଙ୍କ ଉତ୍ତର ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ  । ମା କହିଥିଲେ – “ବାବୁ କେଉଁ ଔଷଧ କେତେ କେତେ ଖାଇବାର ଆମେ ତ ଜାଣିନୁ । ଶ୍ରୀ ଯାହା ଯେମିତି ଦିଏ ଆମେ ସେମିତି ଖାଉ ।“

ବାଧ୍ୟ୍ୟ ହୋଇ ଔଷଧ ଟେବୁଲକୁ ଯାଇଥିଲେ ସୁଧୀର ହେଲେ ସେଇଠି ଯେମିତି ମୁଣ୍ଡ ଘୁରାଇ ଗଲା ତାଙ୍କର । ମାଳ ମାଳ ହୋମିଓପାଥିକ ଔଷଧ । କିଛି ଛୋଟ ପ୍ଲାଷ୍ଟିକ ଶିଶି । ସବୁ ଶିଶିରେ କିଛି ଛୋଟ ଛୋଟ ଧଳା ଗୁଳି । କେଉଁଥିରେ ଚାରି ତ କେଉଁଥିରେ ଛ ଲେଖା ହୋଇଛି  । ସାଙ୍ଗେ ସାଙ୍ଗ ଫୋନ ଘୁରାଇଲେ ସେ । ହେଲେ ସେ ସାଧାରଣ କଲ କାମ ଦେଲାନାହିଁ । ଭିଡ଼ିଓ କଲ ହିଁ କରିବାକୁ ପଡ଼ିଲା । ହେଲେ ସେ ଥରକ ନୁହେଁ । ବାରମ୍ବାର ଫୋନ କରିବାକୁ ପଡୁଥିଲା ସୁଧୀରଙ୍କୁ । ମା’ଙ୍କ ଦେହ କେମିତି ଅଛି ? ଡାକ୍ତର କଣ କହୁଛନ୍ତି ? ଠୁ ଆରମ୍ଭ ହେଉଥିବା ଫୋନ ସରୁଥିଲା ବାପାଙ୍କ ପ୍ରେସକ୍ରିପସନ କେଉଁଠି ଅଛି, ଡାକ୍ତର କଣ କଣ ମନା କରିଛନ୍ତି ? ଡାକ୍ତର ପଟ୍ଟନାୟକଙ୍କ ନମ୍ବର କେତେ ? ରେ … ।

ସେତିକିରେ ବି ସରୁ ନଥିଲା ଫୋନ । ଅଫିସରୁ ଆସୁଆସୁ ଭିଡ଼ିଓ କଲରେ ବାପା ମା’ଙ୍କୁ ଶ୍ରୀମୟୀ ସହ ଓ ଲିପୁନ ସହ କଥା କରାଇବାକୁ ପଡୁଥିଲା ବାରମ୍ବାର । ତଥାପି ଯେମିତି ସନ୍ତୁଷ୍ଟ ନଥିଲେ ସେମାନେ । ଘରର ସବୁକିଛି କରିବା ସହ ବାପାମା’ଙ୍କ ଯଥାସମ୍ଭବ ଯତ୍ନ ନେବାକୁ ଚେଷ୍ଟା କରୁଥିଲେ ବି ସୁଧୀରଙ୍କୁ ଲାଗୁଥିଲା ଯେମିତି ବାକି ରହି ଯାଉଛି ଅନେକ କାମ । ମନେ ପଡୁଥିଲା କିଛି ବି ଛୋଟମୋଟ କାମ ନହେଲେ ସେ ବାରମ୍ବାର କହୁଥିବା – “ଘରେ କଣ କାମ ଅଛି କହ ତ ? ମୁଁ ତ ସପ୍ତାହକୁ ଚାରିଦିନ ବାହାରେ । ବାପାମା’ ତ ଔଷଧ ଖାଇ ଚଳୁଛନ୍ତି । ତୁମେ ଖାଲି ବସି ବସି କରୁଛ କଣ ?”

ସାତ ଦିନ କୌଣସି ପ୍ରକାରେ କଟି ଯାଇଥିଲା ହେଲେ ବ୍ୟତିବ୍ୟସ୍ତ ହୋଇଯାଇଥିଲେ ସୁଧୀର । ଆଉ ଖାଲି ସେ ଏକା କାହିଁକି ତାଙ୍କୁ ତ ଲାଗୁଥିଲା ଯେମିତି ଝାଉଁଳି ଯାଉଛନ୍ତି ବାପାମା’ । ଯେମିତି ବାଧ୍ୟ୍ୟବାଧକତା ନଥିଲେ ଶ୍ରୀମୟୀ ଓ ଲିପୁନକୁ ଜମା ଛାଡ଼ନ୍ତେ ନାହିଁ  ସେମାନେ । ସେପଟେ ଭଲ ହେଉଥିଲେ ଶାଶୁ । ହସ୍ପିଟାଲରୁ ଘରକୁ ଫେରିଥିଲେ । ଆଉ ଦିନେ ଦୁଇଦିନ ରହିଯାଅ – “କହିଥିଲେ ସୁଧୀର ।“ କିନ୍ତୁ ଆରଦିନ ସକାଳ ଟ୍ରେନରେ ହିଁ ଆସି ଯାଇଥିଲେ ଶ୍ରୀମୟୀ । ଶ୍ରୀମୟୀ ତ ଆସିଲେନି ଯେମିତି ଅଖଣ୍ଡ ନିଦରୁ ହଠାତ ଚେଇଁଗଲା ଘର । ଚମକି ଉଠିଲା ବାପାମା’ଙ୍କ ଆଖି ! ଆସୁଆସୁ ଘରକୁ ଏକାକାର କରିଦେଉଥିଲା ଲିପୁନ ।

ବ୍ୟାଗ ରଖୁ ରଖୁ ଶ୍ରୀମୟୀ କହିଥିଲେ – “ମା’ ଏତେ ଶୀଘ୍ର ଭଲ ହୋଇଯିବ ଡାକ୍ତର ବି ଭାବି ନଥିଲେ । ସେ ତ ନିଜେ ବି ଆଶ୍ଚର୍ଯ୍ୟ ହେଉଥିଲେ ଆଉ କହିଥିଲେ – “ଏମିତି ଚମତ୍କାର ବହୁତ କମ କେସ୍ ରେ ହୁଏ ।“ ଯାହାହେଉ ଭଗବାନ ମୋ ଡାକ ଶୁଣିଲେ ।

ହସି ଦେଉଥିଲେ ସୁଧୀର । ଭଗବାନଙ୍କୁ ନମସ୍କାର କରି କହିଥିଲେ – “ତୁମର ନୁହେଁ, ଭଗବାନ ଆମ ଡାକ ଶୁଣିଲେ ଆଉ ଆମ ହଇରାଣକୁ ଦେଖି ସେଇଠି ମା’ଙ୍କୁ ଭଲ କରିଦେଲେ ।“

“ବାଃ, କଥାରେ ତୁମକୁ କିଏ ପାରିବ ? ଘରେ ତ କାମ କିଛି ନାହିଁ ପୁଣି କି ହଇରାଣ ହେଲ ତୁମେ ?” ଭାରି ହାଲୁକା ଭାବେ କହିଥିଲେ ଶ୍ରୀମୟୀ । ହେଲେ ପୁଣିଥରେ କେବଳ ହସି ଦେଇଥିଲେ ସୁଧୀର । “ଓଃ !!! ଭାରି ଖୁସି ଆଉ !!! କହି ହସି ହସି ଘର ଭିତରକୁ ଚାଲିଯାଉଥିଲେ ଶ୍ରୀମୟୀ । ତାଙ୍କ ଯିବା ବାଟକୁ ଚାହିଁଚାହିଁ ସୁଧୀର ଭାବୁଥିଲେ – “କେମିତି ଖୁସି ନହେବି ଶ୍ରୀ ! ତୁମେ ପରା ଏ ଘରର ଖୁସିର ଚାବିକାଠି !”

ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮

ଲେଖକ ପରିଚୟ

ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଚାରୋଟି ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା !!!

Related Posts

Leave a Reply

Your email address will not be published. Required fields are marked *