ପ୍ରସିଦ୍ଧ କବି ତଥା ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡ଼ାଙ୍କ ପରଲୋକ

ଭୁବନେଶ୍ଵର : ପ୍ରସିଦ୍ଧ କବି ତଥା ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡ଼ାଙ୍କ ଦେହାନ୍ତ ହୋଇଯାଇଛି । ବିଗତ କିଛି ସମୟ ଧରି ସେ ଫୁସ୍‌ଫୁସ୍ କର୍କଟ ରୋଗରେ ପୀଡ଼ିତ ଥିଲାବେଳେ ଭୁବନେଶ୍ଵର ସ୍ଥିତ ଏମ୍‌ସରେ ଚିକିତ୍ସିତ ହେଉଥିଲେ । ଗତ ୩୦ ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ଏହି ଖବର ମିଳିବା ପରେପରେ ସାହିତ୍ୟିକ, ରାଜନେତା ଓ ବିଭିନ୍ନ ମହଲରେ ଗଭୀର ଶୋକ ଦେଖିବାକୁ ମିଳିଛି ।  

ଶଙ୍କର୍ଷଣ ପରିଡ଼ା ଜଣେ ପ୍ରସିଦ୍ଧ କବି ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଥିଲେ । ପୂର୍ବରୁ କର୍କଟ ରୋଗରେ ପୀଡ଼ିତ ହୋଇ ସେ ମୁମ୍ବାଇରେ ଚିକିତ୍ସିତ ହୋଇ ଫେରିଥିଲେ । ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଖରାପ ହେବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ତାଙ୍କୁ ଭୁବନେଶ୍ଵର ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା । ତେବେ ତାଙ୍କ ଦେହବସାନ ନେଇ ତାଙ୍କ ଝିଅ ସାମାଜିକ ଗଣମାଧ୍ୟମ ଫେସବୁକରେ ପୋଷ୍ଟ କରି ସୂଚନା ଦେଇଥିଲେ । ତାଙ୍କ ମୃତ୍ୟୁଶଯ୍ୟା ପାଖରେ ଦୁଇ ଝିଅ ଓ ପତ୍ନୀ ଥିଲେ ।

ବିଜେପି ପଞ୍ଚାୟତ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ, ପୁରୀ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ଓ ବରିଷ୍ଠ ନେତା ଶ୍ରୀ ଶଙ୍କର୍ଷଣ ପରିଡ଼ାଙ୍କ ବିୟୋଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ଦୁଃଖଦ ଘଟଣା ପ୍ରତି ଗଭୀର ଶୋକବ୍ୟକ୍ତ କରି ଏକ ବିବୃତ୍ତି ଜାରି କରିଥିଲେ । ସେଥିରେ ସେ କହିଛନ୍ତି ଯେ, “ସ୍ୱର୍ଗତଃ ଶଙ୍କର୍ଷଣ ପରିଡ଼ା ଜଣେ କବି, ମିଷ୍ଟଭାଷୀ, ସୁସଂଗଠକ ଓ ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ । ତାଙ୍କ ସହଜ, ମାନବିକ ଓ ନିଷ୍ଠାପୂର୍ଣ୍ଣ ବ୍ୟବହାର ତାଙ୍କୁ ଜନମନରେ ଏକ ବିଶେଷ ସ୍ଥାନ ଦେଇଥିଲା ।” ସ୍ୱର୍ଗତଃ ପରିଡ଼ା ରାଜ୍ୟ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ସଂଘର ପୂର୍ବତନ ସଭାପତି ଭାବେ ମଧ୍ୟ ଜଣାଶୁଣା ଥିଲେ। ଗ୍ରାମୀଣ ଉନ୍ନତି, ପଞ୍ଚାୟତି ରାଜ୍ ଓ ସାମାଜିକ ସେବା କ୍ଷେତ୍ରରେ ତାଙ୍କ ଅବଦାନ ଅମର ରହିବ।

ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଯେ, ସ୍ୱର୍ଗତଃ ପରିଡ଼ାଙ୍କ ଆତ୍ମାର ସଦ୍‌ଗତି ହେଉ ଏବଂ ତାଙ୍କ ପରିବାର ଓ ନିକଟାତ୍ମୀୟମାନେ ଏହି ଦୁଃଖ ସମୟରେ ଅସୀମ ଧୈର୍ଯ୍ୟ ଲାଭ କରନ୍ତୁ ।ତାଙ୍କ ବିୟୋଗରେ ଓଡ଼ିଶାର ରାଜନୀତି ଓ ସାମାଜିକ କ୍ଷେତ୍ରରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି, ଯାହା ସହଜରେ ପୂରଣ ହେବା ସମ୍ଭବ ନୁହେଁ । ଏହାଛଡ଼ା ଶଙ୍କର୍ଷଣ ପରିଡ଼ାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାମାଜିକ ଗଣମାଧ୍ୟମରେ ଏହିପରି ଏକ ପୋଷ୍ଟ ମଧ୍ୟ ସେୟାର କରିଥିଲେ ସେ ।

Related Posts

Leave a Reply

Your email address will not be published. Required fields are marked *