ସତ୍ୟନାରାୟଣ ଗନ୍ତାୟତ

ହଁ ‘ଜଗି ରଖି ‘ ! ଜଗିରଖି ହିଁ ଚଳିବା ଚାହି । ଏକଥା ଆମ ମନକୁ କେମିତି ଆସିଲା ଜାଣନ୍ତି ? “ବୁଝି ବିଚାରି କାମ କଲେ, ବିପଦ ନପଡ଼ଇ ଭଲେ” ବୋଲି ଠାଏ ସତର୍କ ବାଣୀ ଶୁଣି ପକାଇଲୁ ତ’ !

ଏମିତିରେ ଆମେ ପ୍ରାୟତଃ ଏଭଳି ବାଣୀଗୁଡ଼ିକୁ ଶୁଣି ନଶୁଣିଲା ପରି ବା ପଢି ନପଢିବା ପରି ଆଡ଼େଇ ଦେଇଥାଉ । ଏହା ଏଥିପାଇଁ ଯେ ମୂଳରୁ ଆମ ସ୍ୱଭାବ ସହ “ଓଳିଆରେ ପଡୁ ପଡୁ କୁଆଡ଼େ ଗଜା” ଜାତୀୟ କଥା ପଦକ ଯେବେ ଜଡ଼ିତ ହୋଇ ଆମକୁ ଏଡ଼େ ଘାଏଁ ଅସ୍ୱାଭାବିକ କରି ପକାଇଛି, ଏସବୁ ଅଉଲ ନମ୍ବରିଆ କଥାଗୁଡ଼ା କାଳେ ଆମ ଦିହରେ ଯାଇ ନପରେ ! ସୁତରାଂ ଆଉ ଏଭଳି ମହତବାଣୀ ମାନ ମାନିବାକୁ ମନ ନବଳନ୍ତେ ଆମେ ଆମ ବାଗିଆ ମଣିଷ (?) ବୋଲାଇ ରହି ଆସୁଛୁ ।

ତେବେ ଏହି “ବୁଝି ବିଚାରି….” କଥାଟି ଭିତରେ ଥିବା “ବିପଦ” ଶବ୍ଦ ଠେଇଁ ଆମେ କ୍ଷଣେ ଅଟକିଗଲୁ । ଆମ କଥାକୁ ସତ ମାନନ୍ତୁ, ବୁଲେଇ ବଙ୍କେଇ ସମ୍ମାବ୍ୟ ବିପଦ ବିଷୟକ ପରୋକ୍ଷ ସୂଚନା ଶୁଣିବା ଭିନ୍ନ କଥା, ହେଲେ କଥାରେ ହେଉପଛେ ଏମିତି ସିଧାସଳଖ ଆମ ସାମନାକୁ ଖୋଦ୍ ବିପଦ ଶବ୍ଦ ହୋଇ ଆସି ଯାଆନ୍ତେ ଆମେ ପହିଲେ ତରକି ଗଲୁ । ତଦୁତ୍ତାରେ ଆମ ଭିତରୁ କେହି ଜଣେ କହିଲା : ବୁଝିଲ ବାପଧନ, ଏଥକୁ ଜଗିରଖି ଚଳ ।

ତହୁଁ ଆମେ ଏହି ଜଗିରଖି ଚଳିବା ନେଇ ପୁନଃପୁନଃ ପାକଳାପାକଳି କରନ୍ତେ ଆମକୁ କଣକଣ ସବୁ କେମିତି ଜଗିବାକୁ ହେବ ଜଳଜଳ ହୋଇ ଦିଶିଗଲା । ଲାଗିଲା ବିପଦ ଶବ୍ଦଟି ଆମକୁ ଏଇଆ କହିଯାଇଛି ଯେ ତମ ପାଟି ଫିଟିଯାଇଛି, ତହିଁକି ବାଟୁଳି ମାରିବାକୁ କେହି ଜନମି ନାହାଁନ୍ତି ଓ କହିବା ତୁମ ଅଧିକାର ମଣି ଯାଚ୍ଛାତା କହିବା ଅର୍ଥ, ବାରାନ୍ତରେ ତାହା ବକ୍ତବ୍ୟ ନହୋଇ ସୁଦ୍ଦୁ ବକିବା ବା ବକବାସ ହୋଇଯିବା ଥୟ । ପଛନ୍ତେ ତାହା ଶୁଣିଥିବା ଲୋକ ଭୋଗିଥିବା ମଥା ବ୍ୟଥା କାଇଁ କେତେଗୁଣ ବଢି ତୁମ ଆଡ଼ିକି ହିଁ ଏମିତି ମାଡ଼ି ଆସିବ ଯେ ସମ୍ଭାଳି ପାରିବନି । ଜାଣିଥିବ ତ ! ପାଟିରୁ ଥରେ ବାହାରି ପଡ଼ିଥିବା ଶବ୍ଦ କେମିତି ତୂଣୀରରୁ ଛଡ଼ା ଯାଇଥିବା ତୀର ପ୍ରାୟେ ଅଣଲେଉଟା ଅଟଇ । ତେଣୁ ତୁମ ପାଟି ଖୋଲି ପଦିଏ ଉଚ୍ଚାରିବା ଆଗୁ ନିମିଷେ ଅଟକି ଯାଇ ଭାବି ଦେଖ ଯେ ତୁମେ ପାଟିରେ କୋଲପ ପକାଇ ନିରବିଥିବାଠୁ ତୁମେ ହମହମ ହୋଇ କହି ପକାଇବାକୁ ଥିବା ଏହି ପଦକ କଣ ସତରେ ଏଡ଼ିକି ସୁନ୍ଦର ?

ଆମେ ଭାବିଥାଉ ଯେ ଆମେ ନିଜକୁ ନିଜେ ସବୁଥିରେ ବଡ଼ ଓ ଭଲ ବୋଲି ପ୍ରଚାର କରାଇଲେ ଯଥେଷ୍ଟ ସଭିଙ୍କ ନଜରରେ ସେଇଆ ବନିଯିବା ପାଇଁ । ତେବେ ନା, ସଭିଏଁ ଉପରେ ଉପରେ ଓ ତୁମରି ଆଗରେ ହିଁ ସେଇଆ କହି ତମକୁ ମିଛିମିଛିକା ମୋହିବେ ସିନା, ତମ ପଛରେ ତମ ଅସଲି ରୂପକୁ ନେଇ ନାନା କଥା ଅକଥା ରଟି ତମ ଅଲକ୍ଷ୍ୟରେ ତମକୁ ନୀଚେ ଗଡ଼େଇ ଦେଉଥିବେ !

ତେଣୁ ଏ ଦିଗରେ ନିଜ ମନ, ନିଜ ବୁଦ୍ଧି ଖଟାଇ ଏମିତି କାମ କର ଯେମିତି କାହାରିନା କାହାରି କଲ୍ୟାଣ ହେବ । ଅତି ନିକୁଛରେ ନିଜ ମନମାନି ଚଳାଇ ଏମିତି କିଛି କରନି, ଯେମିତି ତା’ କାହାରିନା କାହାରି କ୍ଷତି କରିବ ଓ ସବୁରି ନଜରରେ ତମେ ଛାଏଁ ନାକରା ହୋଇ ନିନ୍ଦିତ ହେବ । ତୁମ କର୍ମ ହିଁ ତୁମ ପରିଚୟ- ଏକଥା ହେଜି ଏମିତି ମହତ କର୍ମମାନ ଯଦି କରି ଚାଲିବ, ତେବେ ସେସବୁ ହିଁ ତୁମର ବର୍ତ୍ତମାନ ଜୀବନର ମାନଦଣ୍ଡ ହେବା ସହ ସେହି ସତକର୍ମ ବଳରେ ତୁମେ ଭଲ ମଣିଷ ଭାବରେ ସଭିଙ୍କ ସ୍ମୃତିରେ ଯାବତ ଚନ୍ଦ୍ରାର୍କେ ଜୀଇ ରହିଥିବ ।

ଆଉ ଏଭଳି ମହତ କର୍ମ କରିବା ଯଦି ନିୟମିତ ହୋଇଯିବ ଦେଖିବ ତମ ମନରେ ଆଉ ଏଣୁତେଣୁ ଜାତୀୟ ବାଜେ ଚିନ୍ତା ରହିବ ନାହିଁ । ନୋହିଲେ ଗୋଟେ ଜୋକ୍ ବର୍ଣ୍ଣିତ ସେଇ ନେତା ଜଣକ ପରି ନିଦରେ ଶୋଇ ବି “ଆକୁ ଦେଖିଦେବି”,”ତାକୁ ଛାଡ଼ିବିନି” ବିଳପି ବିଳପି ଅଚିରେ ନାନାଦି ରୋଗ ଭୋଗିବା ଇ’ ସାର ହେବ । ସୁତରାଂ ସରଳ ଜୀବନ ଓ ଶୁଦ୍ଧ ଚିନ୍ତନ ଆପଣାଇ ପାରିଲେ ଜୀବନରେ ଶାନ୍ତି ହିଁ ଶାନ୍ତି !

ଅନେକ କହନ୍ତି ଆମ ସ୍ୱଭାବ ପରା ଓଲଟ ହୋଇଯାଇଛି । ଆମ ଚରିତ୍ର ବିଗିଡ଼ି ଯାଇଛି । ଏଭଳି ଭଲ କଥା ଭଲ କାମ କଣ ଆମ ଦ୍ୱାରା ହୋଇପାରିବ ? ଏଥକୁ ଆମେ କହିବୁ ଯେ ଗୋଟାଏ ମୂହୁର୍ତ୍ତରେ କିଭଳି ମହାନ ଯାଦୁକର ଓ ସୁଖ୍ୟାତ ଚିତ୍ର ତାରକା ବି ସଂସାରୀରୁ ସନ୍ୟାସୀ ପାଲଟି ଯାଇ ପାରୁଥିବାବେଳେ ସଂସାରରେ ରହି ତୁଚ୍ଛା ଇନ୍ଦ୍ରିୟାଧୀନ ନହୋଇ ଚରିତ୍ରକୁ ସଫା ସୁନ୍ଦର ରଖି ଆତଯାତ ହେବା କଣ ଏଡିକି ଦୁଷ୍କର ? ଇଚ୍ଛା ଯେବେ ଦୃଢ ହୋଇ ସଂକଳ୍ପ ସ୍ତରକୁ ଉନ୍ନୀତ ହୁଏ, ତମେ ତମ ଚରିତ୍ରର ଔଜଲ୍ୟରେ ଦାଉଦାଉ ଝଲସିବ । ବାସ୍ ସେ ଦିଗରେ ସଜାଗ ହୋଇ ଉନ୍ମୁଖ ହେବା ଚାହି ।

ଆଜିକାଲି ଜଗିରଖି ଚଳିବାର ଅନ୍ୟତମ ପ୍ରମୁଖ କାରଣ ହେଲା, ଏହା ପ୍ରତ୍ୟେକ ହୃଦୟଧାରୀ ମଣିଷଙ୍କ ପାଇଁ ଅତି ଜରୁରୀ । କାରଣ ସଭିଙ୍କର ହୃଦୟ ଥିଲେ ବି କ୍ୱଚିତ କେହି ହୃଦୟବାନ ମିଳନ୍ତି ସମକାଳରେ । ବରଂ କହନ୍ତି ଯେ ଏଠି ହୃଦୟହୀନ ଯାହାକୁ ଯେତେ । ଆଉ ହୃଦୟ ଯଦି ଈର୍ଷା ହିଂସା ରାଗ ଆଦି ଯାବତ ଦୁର୍ଗୁଣଙ୍କ ଭାରରେ ଭାରାକ୍ରାନ୍ତ ହୋଇ ଚାଲିଥିବ, ତେବେ ତ’ ତା’ ଘାତକ ନିଶ୍ଚୟ । ଏମିତିରେ ଶରୀରର ପ୍ରତି ଅଙ୍ଗ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ହେଁ କୋମଳାଦପି କୋମଳ ହୋଇ ତା’ ଅନବରତ ଦୁକଦୁକି ମାଧ୍ୟମରେ ସବୁ ଅଙ୍ଗଙ୍କ ରକ୍ଷଣାବେକ୍ଷଣର ଦାୟିତ୍ୱ ନିର୍ବାହ କରୁଥିବା ହୃଦୟକୁ ହିଁ “ସୁଇଟ ହାର୍ଟ” ବୋଲା ଯାଇଥାଏ ଏବଂ ଏହି କାରଣରୁ ହୃଦୟରେ ପ୍ରେମ ଦୟା କ୍ଷମାଦି ସକଳ ସୁଗୁଣ ଭରିବା ପାଇଁ ପ୍ରୟାସୀ ହେବା ଅତି ଜରୁରୀ । ନୋହିଲେ ହୃଦୟ ପଥର ବାଗିଆ ହୋଇ ରହିଲେ ଜୀବନର ଧକ୍କାରେ ଭାଜିଯିବା ଅବଧାରିତ ସିନା !

ଏମିତି ସବୁ କଥାକୁ ଜଗି ଚଳିଲେ ତମେ ଆପଣାଛାଏଁ ସବୁ କ୍ଷେତ୍ରରେ ସ୍ୱତଃ ସଫଳକାମ ହୋଇ ଧନ, ଜନ ଓ ମାନ ଆଦି ଅର୍ଜନ କରିପାରିବ । ତେବେ ସେଇଠୁ ଆରମ୍ଭ ହୋଇଯିବ ସେସବୁକୁ କେମିତି ରଖିବ ଅର୍ଥାତ ସମ୍ଭାଳିବ । ନିଜ ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ଯେତିକି ଲୋଡ଼ା ସେତିକି ଖର୍ଚ୍ଚ କରି ବେଳଅବେଳ ପାଇଁ ଯଥେଷ୍ଟ ରଖିବା ପରେ ଦାନ କରିବା କଥା । ଆଉ ଦାନ ମାଧ୍ୟମରେ ଯୋଉ ଧର୍ମ ଧନ ଅର୍ଜିବ ତାହା ତମର ଶାଶ୍ୱତ ପ୍ରାପ୍ତି ବୋଲି ଜାଣ । ନୋହିଲେ ଅଢେଇ ଦିନିଆ ଦୈହିକ ସୁଖ , ନାନାଦି ଲୋଭ ଓ ଲାଳସାର ବଶବର୍ତ୍ତୀ ହୋଇ ଯଦି ଧନ ବୁହାଇବ ବା ନିଜ ଧନାଢ୍ୟ ପଣର ପ୍ରଚାର କରିବାକୁ ଯାଇ ଅପାତ୍ରରେ ଦାନ କରିବ, ତେବେ ଯଥାଶୀଘ୍ର ସର୍ବସ୍ଵ ହରାଇ ନିଃସ୍ୱ ପାଲଟି ଯିବ ।

ଧନ ପରି ତମ ଆଖପାଖର ଜନଙ୍କୁ ବି ଯଦି ନିର୍ମଳ ମନରେ ନିଷ୍କାମ ହୋଇ ନିଃସର୍ତ୍ତ ଭଲପାଇବା ପରଷିବାକୁ ଜୀବନର ବ୍ରତ ମଣିବ, ତମକୁ ପରିପୂର୍ଣ୍ଣ କରି ସଭିଏଁ ତମକୁ ଘେରି ରହିଥିବେ। ନୋହିଲେ ସଭିଙ୍କୁ ହରାଇ ଏକ୍ଲାପଣର ଘେର ଭିତରେ ଯାହିତାହି ଜୀବନଟେ ଜୀଇବାକୁ ହେବ ।

ଆଉ ମାନ ରଖିବା କଥା କ’ଣ ବା ବର୍ଣ୍ଣିବା ? କୁହାଯାଇଛି ପରା : ଆଲୋ ସଖି, ଆପଣା ମହତ ଆପେ ରଖି । ପୁଣି ଗୋଟେ ଚର୍ଚ୍ଚିତ ହିନ୍ଦୀ ସିନେମାର ଗୀତାଂଶରେ ସୂଚାଇ ଦିଆଯାଇଛି ଯେ ନାମୀ ବ୍ୟକ୍ତିଙ୍କ କ୍ଷେତ୍ରରେ ହିଁ ବଦନାମ ହେବାର ଆଶଙ୍କା ବେଶୀ । ଏଣୁ ଯଶ ଖ୍ୟାତି ଆଦି ଲଭି ମହତ ଜନ ହେବା ଅର୍ଥ ଫଳନ୍ତି ବୃକ୍ଷ ପ୍ରାୟେ ବିନମ୍ରତାକୁ ନିଜ ବ୍ୟକ୍ତିତ୍ୱର ଭୂଷଣ କଲେ ହିଁ ସର୍ବକାଳୀନ ସର୍ବପ୍ରିୟ ହୋଇ ଅଚିରେ ସର୍ବଶ୍ରେଷ୍ଠ ଭାବେ ବି ପରିଗଣିତ ହୋଇପାରିବ ।

ଜଗିରଖି ଚଳି ଜୀବନ ପଥରେ ଆଗୁସରି ଯିବା ନେଇ ଆମର ଏ ବଖାଣାନ୍ତେ ନିଶ୍ଚେ ଭାବୁଥିବ ଯେ ଏନେଇ ଆମକୁ ପାଦେପାଦେ ପଦେପଦେ କହି ଚେତାଇ ପଥ କଢାଇ ନେବାକୁ କେହି ଥା’ନ୍ତେନି ? ଏଥକୁ ଆମ ଉତ୍ତର : ଅଛନ୍ତି, ଅଛନ୍ତି । ଥରୁଟେ ତୃତୀୟ ନୟନ ଫେଇ ତମ ଅନ୍ତରକୁ ଦେଖ । “ବିବେକ” ନାମଧେୟ ମହାରକ୍ଷକଟି କେମିତି ସତତ ଜାଗ ତିଆର୍ ହୋଇ ରହିଛି !! ତେବେ ତମ ଆମ ଭିତରୁ ଅନେକ ପରା ନିଜ ହାତେ ନିଜେ ଚୌଦ ପା’ ବନିଯାଇ ସେଇ ବିବେକର ବେକ ମୋଡ଼ିମାଡ଼ି ତାକୁ ଗୋଟେ କୋଣରେ ଫୋପାଡ଼ି ପକାଇଥାଉ !!

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନମଗ୍ନ ।

Related Posts

Leave a Reply

Your email address will not be published. Required fields are marked *