ଡଃ. କୁଳାଙ୍ଗାର 

ଚୋରମାନେ ଯଦିଓ କଠିନ ପରିଶ୍ରମ କରନ୍ତି
ଏଠା ମାଲ୍ ନେଇ ସେଠାର ବାକ୍ସରେ ଭରନ୍ତି;
ଧନକୁ ଖେଳାଇ ଅର୍ଥନୀତି ଦୃଢ କରନ୍ତି
ସଭିଏଁ ତାଙ୍କୁଇଁ ଗାଳିମନ୍ଦ କରି ମାରନ୍ତି !

ଚୋରଟି ଅଟଇ କୁଶଳୀ ଓ ପାରିବାର
ଶୋଇଲାବେଳେ ସେ କରୁଥାଏ ରୋଜଗାର;
ଫିଟ୍ ରହେ ସେ ସଜେଇ ପିଠିକୁ ତାର
ବଢାଇଥାଏ ସେ ମୁଣ୍ଡପିଛା ରୋଜଗାର !

ଏ ଦେଶ ଠାକୁର ନୀଳମାଧବଙ୍କ ଚୋରୀ
ଜଗତନାଥଙ୍କ ମହିମା ନିର୍ମାଣକାରୀ;
ଶ୍ରୀକୃଷ୍ଣ ବିଖ୍ୟାତ କ୍ଷୀର ଦହି ବସ୍ତ୍ର ହରି
ଚୋରମାନେ ତେଣୁ ସଂସ୍କୃତିର ରକ୍ଷାକାରୀ !

ଚୋରୀ କରି କେତେ ଲେଖକ ଓ ବଡ଼ କବି
କହନ୍ତି ଭାବାନୁବାଦ ଓ ସୃଜନ ହବି;
ପୁରସ୍କାର ଓ ସମ୍ମାନ ହାସଲ ପାଇଁକି ଲବି
ବୁଦ୍ଧିଜୀବୀ ସିଏ ଚୋରୀ ଭାବନାକୁ ଭାବି !

ଦକ୍ଷ କଳାକାର ଏବଂ ପ୍ରଯୋଜକ କିଛି
ଚୋରୀ କରିଥାନ୍ତି ସିନେମାକୁ ବାଛିବାଛି;
କାହାଣୀ ସଂଳାପ ଚିତ୍ରନାଟ୍ୟ ସବୁକିଛି
ସିନେମା ଶିଳ୍ପ ଚୋରୀରେ ତ ଚାଲିଅଛି !

ଚୋରଙ୍କ ବେଳକୁ କାହିଁ ପାଇଁ ହୀନିମାନ
ଦେବାକଥା ତାଙ୍କୁ ବଡ ପୁରସ୍କାରମାନ;
କେତେ ଘରୁ ସିଏ ଖୋଳ କରିଦେଇ ଧନ
ପୁନଃଜାଗରଣ ପାଇଁ ଦିଅନ୍ତି ଆହ୍ବାନ !

ପୁଲିସି କୋର୍ଟ୍ ରହିଛି ଚୋରଙ୍କ ପାଇଁ
ପ୍ରୟାସ ବିଫଳ ଚୋର ସୁଧରନ୍ତି ନାଇଁ;
କହନ୍ତି ଆମର ଭବିଷ୍ୟତ ଅଛି ଭାଇ
ଅନେକ ଜିତନ୍ତି ଭୋଅଟେ ଟିକେଟ ପାଇ !

କ୍ରିଂ କ୍ରିଂ – ୮୮୯୫୮୨୫୮୬୩, ଇମେଲ୍: dr.kulangar@gmail.com

ଲେଖକ ପରିଚୟ

ବ୍ୟଙ୍ଗକବି କୁଳାଙ୍ଗାର (ପ୍ରୀତିକାନ୍ତ ପଣ୍ଡା )ରାଜ୍ୟର ଜଣେ ଲୋକପ୍ରିୟ ତଥା ପ୍ରସିଦ୍ଧ ହାସ୍ୟ ଓ ବ୍ୟଙ୍ଗ କବି । ନିକଟରେ ଶତାୟୁ ସାରସ୍ଵତ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ‘ସୁଭାଷ ଶତପଥୀ ନୀରଦପ୍ରଭା ହାସ୍ୟ ବ୍ୟଙ୍ଗ ସମ୍ମାନ’ ମିଳିବ ବୋଲି ଘୋଷଣା କରାଯାଇଛି ।

Related Posts

Leave a Reply

Your email address will not be published. Required fields are marked *