ମା ଭଣ୍ଡାର ଘରଣୀଙ୍କ ଶକ୍ତି ପୀଠରେ ପୁସ୍ତକ ‘ମୁଁ ଓ ମୁଁ’ ପାଠକାର୍ପିତ

ନବରଙ୍ଗପୁର : ପବିତ୍ର ଗୁରୁଦିବସ ଉପଲକ୍ଷେ ଅଧ୍ୟାପିକା ନୀହାରିକା ମଲ୍ଲିକଙ୍କ ଦ୍ଵାରା ହିନ୍ଦୀ ଲେଖକ ମୃଦୁଳା ଗର୍ଗଙ୍କ ‘ମୈଁ ଔର ମୈଁ’ ଓଡ଼ିଆ ଅନୁବାଦିତ ହୋଇ ପୁସ୍ତକ ‘ମୁଁ ଓ ମୁଁ’ ପବିତ୍ର ଶକ୍ତି ପୀଠ ମା ଭଣ୍ଡାର ଘରଣୀଙ୍କ ଶକ୍ତି ପୀଠରେ ସମର୍ପିତ ହୋଇ ପାଠକାର୍ପିତ ହୋଇଯାଇଛି । ଏଥିରେ ଲେଖିକା ନୀହରିକାଙ୍କ ସହ ଓଡ଼ିଶା ସାହିତ୍ୟ ଏକାଡ଼େମୀ କାର୍ଯ୍ୟକାରୀ ପରିଷଦ ସଦସ୍ୟ ଚନ୍ଦ୍ର ଶେଖର ହୋତା, ଗାଳ୍ପିକ ଅଶୋକ ପଟ୍ଟନାୟକ, ଲେଖକ ବୁଲୁ ହୋତା, ବିଦ୍ୟାର୍ଥୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟନାରାୟଣ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ସାମାଜିକ ଜୀବନ ଚିତ୍ରର ଅଣଦେଖା କିଛି ସମ୍ପର୍କ ଯେ, ଜଣେ ଲେଖକର ଦୃଷ୍ଟିରୁ ବାଦ ପଡ଼େନି ନୀହରିକାଙ୍କ ଏଇ ପୁସ୍ତକକୁ ପଢିଲେ ଜଣେ ବୁଝିପାରିବ । ନିଜକୁ ସମ୍ଭ୍ରାନ୍ତ, ପରୋପକାରୀ, ଦୟାଳୁ ସାବ୍ୟସ୍ତ କରିବାକୁ ଯାଇ ବେଳେବେଳେ ମହାନ ହେବାର ମୋହ ମଣିଷକୁ ଏତେ କବଳିତ କରିଦିଏ ଯେ, ସେ ନିଜ ସହ ମଧ୍ୟ ନିଜେ ଛଳନା କରିଥାଏ । ଦୟା, ପରୋପକାର କରିବା ଆଳରେ ସେ ନିଜର ଅହଂ ଓ ସମ୍ଭ୍ରାନ୍ତପଣିଆକୁ ସାବ୍ୟସ୍ତ କରିବାକୁ ପଛାଇ ନଥାଏ । ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ସମ୍ପର୍କକୁ ସିଡ଼ି ରୂପେ ବ୍ୟବହାର କରିଥାଏ ।

ଓଡ଼ିଆ ପାଠକଙ୍କ ଭିତରେ ଅନୁବାଦିକା ଏଇ କିଛି ବର୍ଷ ଭିତରେ ନିଜ ପାରଦର୍ଶିତା ଦେଖାଇ ନିଜ କଲମକୁ ନବରଙ୍ଗପୁର ମାଟିରେ ନିରନ୍ତର ଚଳଚଞ୍ଚଳ ରଖିଛନ୍ତି ବୋଲି ଲେଖକ ବୁଲୁ ହୋତା କହିଛନ୍ତି ।ପାର୍ବଣ ପର୍ବର ପୂର୍ବାଭାସରେ ଏଭଳି ପ୍ରୟାସ କଲମନିଷ୍ଠଙ୍କୁ ଅନେକ ଖୋରାକ ଜଣାଇବ । ଲେଖିକାଙ୍କ ଦ୍ୱାରା ରଚିତ ଅନେକ ପୁସ୍ତକ ଭିତରୁ ଏଇ ପୁସ୍ତକ ଓଡ଼ିଆ ସାହିତ୍ୟ ଜଗତରେ ଅନ୍ୟତ୍ତମ ହୋଇପାରିବ ବୋଲି ଉପସ୍ଥିତ ଅତିଥି ଆଶା ପୋଷଣ କରିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *