ମନେପଡ଼େ ଆଜି ସେଦିନ କଥା

ଅଭିଜିତ୍ ସାହୁ

ନା କାଉର କର୍କଶ ରାବ ନା କୁମ୍ଭାଟୁଆ ବଣି,
କୋଇଲିର କୁହୁକୁହୁ ସ୍ଵର, ଆଉ ତ ଶୁଭୁନି ।

ଶୁଭୁନାହିଁ ଆଉ ଗୋରୁ ଗୋଠ ହମା ରଡ଼ି,
ନାହିଁ ଯେ ବସନ୍ତ, ନା ଅଛି ଶୀତର କୁହୁଡ଼ି ।

ନା ବସନ୍ତର ଆମ୍ବ ବଉଳ ନା ଗ୍ରୀଷ୍ମର ଆମ୍ବତୋଟା,
ନାହିଁ ଯେ ଚାଳଛପର ସବୁଆଡ଼େ ଖାଲି ବଡ଼କୋଠା ।

ଖାଇଲାଣି ନଦୀ ଆଉ ନାହିଁ ଯେ ପୋଖରୀ
ମିଳୁନି ଆଉ ତାଳସଜ, ନା ମିଳୁଛି ଖଜୁରୀ ।

ନାହିଁ ପୂଜା, ନାହିଁ ଓଷା ନାହିଁ ଯେ ହୁଳହୁଳି,
ନାହିଁ ପିଠାପଣା ଆଉ ନା ରଜର ଦୋଳି ।

ମିଳୁନି ଯେ ଗାଈ କ୍ଷୀର, ନା ଦହି ଲହୁଣି
ନା ବାଟି ଖେଳ ଆଉ ହାରିଲେ, କହୁଣି ।

ନା ପାହାନ୍ତିଆ ରବି, ନା ସକାଳୁ ଗାଧୁଆ,
ଅତର ଲଗାଇ ପୁଅ ଆଜି ମିଛୁଆ ରାଧୁଆ ।

ନାହିଁ ବରଗଛ ତଳ ସଂଧ୍ୟା ତାସର ଖଟି,
ନାହିଁ ଆଉ ଭାଇଚାରା, ଲୋକେ ଦେଖି ଯାନ୍ତି ଉଠି ।

ନାହିଁ ବୋହୂଚୋରି ନା ଖୋଖୋ କି ବାଗୁଡ଼ି
ପବଜି ଫିଫା ଖେଳି ପିଲା ଗଲେଣି ବିଗିଡ଼ି ।

ନା ଚାଲିଛି ଶଗଡ଼ ନା ଅଛି ମାଟି ରାସ୍ତା
ସବୁଆଡ଼େ ପକ୍କା, ପିଚୁ ଗାଡ଼ି ହେଲାଣି ଯେ ଶସ୍ତା ।

ନାହିଁ କେଉଟର ଜାଲ ନା ଚାଲୁଛି ଆଉ ଡଙ୍ଗା,
ଇନ୍ଦିରା ଆବାସ ଆଜି ଆଉ ଘର ନାହିଁ ଭଙ୍ଗା ।

ନାହିଁ ଚୁଲି ପୋଡା ଆଳୁ ନା କନ୍ଦମୂଳ ସିଝା,
ଖାଉଛନ୍ତି ଲୋକେ ଆଜି ବର୍ଗର ଆଉ ପିଜା ।

ଆରିସା, ଏଣ୍ଡୁରି, ମଣ୍ଡା, ପୋଡ଼ ଓ କାକରା,
ମୋମସ୍, ଚାଉମିନ୍ ଆଉ ସୋଡା ଦିଆ ବରା ।

ନାହିଁ ବାଇଗଣ ପୋଡା ଆଉ ଅରୁଆ ଟମାଟୋ
ସ୍ଵିଗି, ଓବର୍ ଇଟସ୍, ଫୁଡ ପାଣ୍ଡା ଓ ଜମାଟୋ ।

ବଡିଚୁରା, ଶୁଖୁଆ ଓ ସେ କାଳ ପଖାଳ,
କର୍ଣ୍ଣଫ୍ଲେକ୍ସ, ବ୍ରେଡରେ ଆଜି କଟୁଛି ସକାଳ ।

ବହୁଦୂରୁ ଦିଶୁଥିଲା ଗାଁ ମନ୍ଦିରର ନେତ,
ଚାରିଆଡେ କୋଠାଘର, ଭାଗ ଲାଗେ କ୍ଷେତ ।

ନା ଦୀପାଳିରେ ଦୀପ ନା ଫଗୁଣରେ ଫଗୁ,
ନା କାର୍ତ୍ତିକରେ ଡଙ୍ଗା ନା ନିର୍ଜଳାରେ ସାଗୁ ।

ଯୁଗ ସାଙ୍ଗେ ଚାଲିଗଲେ ଗେଣ୍ଡାଳିଆ ଉଡ଼ି,
ନା ସାମ୍ବରେ ଖେଚୁଡି ନା ମକରରେ ଗୁଡ଼ି ।

ନାହିଁ ଆଉ ପରମ୍ପରା ନା ଅଛି ଯେ ସଂସ୍କୃତି,
ଯେତେ ଭାଇ ସେତେ ଘର ନା ପ୍ରେମ ଆଉ ପ୍ରୀତି ।

ବଦଳୁଛି ଗାଁ ମୋର ହେଉଛି ସହର,
ନାହିଁ ଆଉ ପ୍ରେମ ଏଠି କେହି ନୁହେଁ କାହାର ।

ଖଣ୍ଡଗିରି, ମୋବାଇଲ – ୮୯୧୭୫୦୦୯୩୪, ଇମେଲ୍- sabhijit05@gmail.com

ଲେଖକ ପରିଚୟ

ଏମ୍.ବି.ଏ ପରେ ବର୍ତ୍ତମାନ ଏକ ନ୍ୟୁଜ ମିଡ଼ିଆ କମ୍ପାନୀରେ କାମ କରୁଛି । ଆଜି ଯାଏଁ ସବୁବେଳେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେଇ ଆସିଛି । ନିଜ ମାତୃଭାଷା ପ୍ରତି ପ୍ରଗାଢ ପ୍ରେମ ଓ ସମ୍ମାନ ମୋର, ତାକୁ କିଭିଳି ଉଚ୍ଚକୁ ନେବି ସେନେଇ ସର୍ବଦା ପ୍ରଯତ୍ନ ଥାଏ । ମୋତେ ଭଲଲାଗେ କବିତା, ଗଳ୍ପ ଲେଖିବାକୁ ଏବଂ ପଢିବାକୁ । ଓଡ଼ିଶାର ଇତିହାସ,ସଂସ୍କୃତି ବିଷୟରେ ଜାଣିବାକୁ ସବୁବେଳେ ମନରେ ଜିଜ୍ଞାସା ରହିଥାଏ । ଭବିଷ୍ୟତରେ ଓଡ଼ିଆ ଭାଷା, ସାହିତ୍ୟ, କଳାକୃତି କିପରି ବିଶ୍ଵସ୍ତରରେ ଲୋକପ୍ରିୟ ହୋଇପାରିବ ସେନେଇ କିଛି କରିବାକୁ ମୋର ଇଚ୍ଛା ଓ ଉଦ୍ଦେଶ୍ୟ ।

Related Posts

Leave a Reply

Your email address will not be published. Required fields are marked *