ଶିବାଶିଷ ପାଢ଼ୀ
ସ୍କୁଲ ସମୟ ହୋଇ ଯାଇଥିଲା । ଶେଷଥର ପାଇଁ ଡ୍ରେସିଂ ଟେବୁଲ ସାମ୍ନାରେ ଛିଡ଼ା ହୋଇ ନିଜକୁ ଆଉଥରେ ଦେଖି ନେଉଥିଲେ ରାଜଶ୍ରୀ । ହାଲକା ଗୋଲାପୀ ରଙ୍ଗର ଶାଢୀଟି ବଢିଆ ମାନୁଥିଲା ! ହେଲେ ମନକୁ ହଠାତ ପଶି ଆସିଲା ଟିକି ମୁନମୁନ ।
ଭାବୁଥିଲେ ଆଜି କଣ କହିବ ସେ ?
ସେଇ କୌତୁହଳୀରେ ୟୁକେଜି କ୍ଲାସକୁ ପ୍ରଥମେ ଯାଇଥିଲେ ସେ । ଗୋଟିଏ କୋଣକୁ ଚୁପଚାପ ବସିଥିଲା ମୁନମୁନ । ଅନ୍ୟ ଦିନଠାରୁ ଆହୁରି ସୁନ୍ଦର ଦେଖା ଯାଉଥିଲା ସେ । ମୁଣ୍ଡରେ ଆଜି ବହୁତ ଯତ୍ନର ସହ ଗୁନ୍ଥା ହୋଇଥିଲା ଏକ ଛୋଟ ବେଣୀ ।
ତାଙ୍କୁ ଦେଖୁ ଦେଖୁ ସବୁଦିନ ପରି ଖୁସି ହୋଇଗଲା ମୁନମୁନ ।
ତାର ଚେହେରାରେ ଖେଳିଗଲା ଧାରେ ମଧୁଝରା ହସ ।
ତାକୁ ପାଖକୁ ଡାକିଲେ ରାଜଶ୍ରୀ ।
ଆସୁ ଆସୁ କିନ୍ତୁ ସବୁଦିନ ଭଳିଆ କହିଲା,
ମିସ ଏମିତି ଶାଢ଼ୀ ତ ମୋ ମାମ୍ମି ପାଖରେ ବି ଅଛି ।
ହସିଦେଲେ ରାଜଶ୍ରୀ କହିଲେ, “ଆଛା” !
ସେ ଜାଣିଥିଲେ ମୁନମୁନ ଠିକ ଏମିତି ହିଁ କହିବ । ଏଇ ଛଅ ସାତ ମାସ ଭିତରେ ଏମିତି ଶୁଣିବା ଯେମିତି ଅଭ୍ୟାସ ହୋଇଯାଇଥିଲା । ସେ ଲକ୍ଷ କରୁଥିଲେ ସେ ଯାହା ପିନ୍ଧିଲେ, ସେ ଶାଢୀ ହେଉ କି ଚୁଡ଼ି କି କୌଣସି ବେକ କ୍ଲିପ ତାଙ୍କୁ ପୁରା ନିରିଖେଇକି ଚାହିଁ ରହେ ମୁନମୁନ ଆଉ ଆରଦିନ ଆସିଲେ ସେହି କଥା ହିଁ କହେ,
ମିସ ଏମିତିଟା ତ ମୋ ମାମ୍ମି ପାଖରେ ବି ଅଛି ।
ଆଶ୍ଚର୍ଯ୍ୟ ଲାଗେ ରାଜଶ୍ରୀଙ୍କୁ । ଇଛା ହୁଏ ତାର ମାମ୍ମିକୁ ଥରେ ଭେଟିବାକୁ । ହେଲେ କୌଣସି ମିଟିଙ୍ଗ କି କେବେ ତାକୁ ନେବା ପାଇଁ ବି ଆସନ୍ତି ନାହିଁ ତାର ମାମ୍ମି ।
ବହୁତ ଦିନରୁ ଅନଲାଇନ କ୍ଲାସରେ ଯୋଗ ଦେଉନଥିଲା ମୁନମୁନ । ଏଣୁ ନିଜେ ତାର ଘରକୁ ବାହାରିଥିଲେ ରାଜଶ୍ରୀ ।
ତାର ଅନୁପସ୍ଥିତିର କାରଣ ଜାଣିବା ତ ଗୌଣ ଥିଲା, କାରଣ ଅନ୍ୟ କାହାକୁ ବି ପଠାଇ ପାରିଥାନ୍ତେ ସେ, କିନ୍ତୁ ମନ ଭିତରେ ଥିବା ତାର ମାମ୍ମିକୁ ଭେଟିବାର ଇଛାକୁ ଚରିତାର୍ଥ କରିବା ପାଇଁ ସେ ନିଜେ ହିଁ ଯାଇଥିଲେ ।
ବେଲ୍ ଦେଉଦେଉ କବାଟ ଖୋଲିଥିଲେ ଜଣେ ବୃଦ୍ଧା ।
“ମୁଁ ମୁନମୁନର ପ୍ରିନସିପାଲ” ପରିଚୟ ଦେଇଥିଲେ ରାଜଶ୍ରୀ । ମୁଁ ତାର ଜେଜେମା । କହି ଭାରି ଆଗ୍ରହର ସହ ଭିତରକୁ ଡାକି ନେଇ ବୈଠକ ଘର ସୋଫାରେ ବସାଇ ଥିଲେ ସେ ।
କୌଣସି ଗୋଟାଏ ବି ଜିନିଷ ନିଜ ସ୍ଥାନରେ ନଥିବା ବୈଠକ ଘରେ ଚିତ୍ର ଆଙ୍କୁଥିଲା ଆଠ ଦଶ ବର୍ଷୀୟ ପିଲାଟିଏ ! ନମସ୍କାର କରି ଭିତରକୁ ଦୌଡ଼ି ଚାଲିଗଲା ସେ ।
ଖବର ପାଇ ଚାଲି ଆସିଲେ ମୁନମୁନର ବାପା ପ୍ରକାଶ ବାବୁ । ତାଙ୍କ ପଛେ ପଛେ ଆସିଗଲା ମୁନମୁନ । ସିଧା ଆସି ରାଜଶ୍ରୀଙ୍କ କୋଳରେ ବସିଗଲା । ଅଫିସ କାମରେ କ୍ରମାଗତ ଗସ୍ତ ଯୋଗୁଁ ଅବହେଳା ହୋଇଥିବାରୁ ଦୁଃଖ ପ୍ରକାଶ କରୁଥିଲେ ପ୍ରକାଶ ବାବୁ ।
ସମସ୍ତେ ଥିଲେ କିନ୍ତୁ ମୁନମୁନର ମାମ୍ମିର ଦେଖା ନଥିଲା । ଆଉ ଅପେକ୍ଷା କରି ପାରୁନଥିଲେ ରାଜଶ୍ରୀ, ଏଣୁ ପଚାରିଦେଲେ,
“ମୁନମୁନର ମାମ୍ମି କୁଆଡେ ଗଲେ କି ?”
ହଠାତ ଯେମିତି ବଦଳିଗଲା ସମସ୍ତଙ୍କ ଚେହେରା । ନିଜକୁ ବ୍ୟବସ୍ଥିତ କରୁକରୁ ପ୍ରକାଶ ବାବୁ କହିଲେ
“ସେ କଟକରେ ରହନ୍ତି ତ ! ସେଇଠି ଅଛନ୍ତି ।”
ଓହଃ, ଠିକ ଅଛି । ମୁଁ ଆଉ କେବେ ଭେଟିବି” କହି ବାହାରି ଯାଇଥିଲେ ରାଜଶ୍ରୀ । ତାଙ୍କୁ ବଳାଇଦେବା ପାଇଁ ବାହାରକୁ ଆସିଥିଲେ ପ୍ରକାଶ ବାବୁ ।
ରାଜଶ୍ରୀ ବିଦାୟ ନେଉ ନେଉ କହିଲେ,
“ତାର ମାମ୍ମି କେବେ ଆସିଲେ ମୋତେ ଖବର ଦେବେ !”
ହେଲେ ସେତେବେଳକୁ ସମ୍ପୂର୍ଣ କାନ୍ଦକାନ୍ଦ ହୋଇ ଯାଇଥିଲେ ପ୍ରକାଶ ବାବୁ ! ଏଇ ପ୍ରଶ୍ନରେ ଏମିତି କଣ ଅଛି ? କିଛି ବୁଝି ପାରୁନଥିଲେ ରାଜଶ୍ରୀ ।
କାନ୍ଦକାନ୍ଦ ହୋଇ ପ୍ରକାଶ ବାବୁ କହିଲେ,
“ସେ ଆଉ କେବେ ଆସିବେ ନାହିଁ, ମାଡାମ । ମୁନମୁନକୁ ଜନ୍ମଦେବା ବେଳେ ସେ ଆମକୁ ଛାଡି ଚାଲିଗଲେ । ମୁନମୁନ ସବୁବେଳେ ମୋତେ ଆପଣଙ୍କ କଥା କୁହେ ! ଆପଣଙ୍କ ବିଷୟରେ ଟିକିନିଖି କହେ ଓ ତାର ମାମ୍ମି ବିଷୟରେ ବାରମ୍ବାର ପଚାରେ ତ, ଏଣୁ ମୁଁ ତାଠୁ ଯାହା ଶୁଣିଥାଏ ତାକୁ ହିଁ ବ୍ୟବହାର କରି ତାକୁ ବୁଝାଏ । ମୁଁ ଜାଣିଛି ସେ ପୁଣି ଯାଇ ଆପଣଙ୍କୁ ବିରକ୍ତ କରେ । ମୁଁ ଦୁଃଖିତ ମାଡାମ !”
ଚୁପଚାପ ଶୁଣୁଥିଲେ ରାଜଶ୍ରୀ । ଛଳଛଳ ହେଉଥିଲା ଆଖି । ଅନୁଭବ କରି ପାରୁଥିଲେ ପ୍ରକାଶ ବାବୁଙ୍କ ଦୁଃଖ । ହଠାତ ଶୂନ୍ୟ ହୋଇଯାଇଥିଲା ଯେମିତି ତାରା ଭର୍ତ୍ତି ଆକାଶ, କହିଲେ,
“ଆରେ ନା ସାର ବରଂ ମୁଁ ଦୁଃଖିତ ।”
ଫେରି ଆସୁଥିଲେ ସେ । ମନରେ ଭାସି ଯାଉଥିଲା ମୁନମୁନର ଚେହେରା ଓ କାନରେ ଶୁଣା ଯାଉଥିଲା,
“ମୋର ମାମ୍ମିର ଠିକ ଏମିତି ଚୁଡ଼ି ଅଛି ମିସ !”
ଶିବାଶିଷ ପାଢ଼ୀ, ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮
ଲେଖକ ପରିଚୟ
ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଦୁଇଟି ଗଳ୍ପ ସଂକଳନ ପ୍ରକାଶିତ ହେବା ସହିତ ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା !!!
ଶିଶୁ ମନସ୍ତତ୍ବ ରେ ସମୃଦ୍ଧ ଗପ । ଖୁବ୍ ସୁଂଦର ବର୍ଣ୍ଣନା । ବଢିଆ ଗପ ।
ଶିଶୁଟିଏ ମା ଶବ୍ଦ ସହିତ ଓତଃପ୍ରୋତ ଭାବେ ଜଡ଼ିତ । ଏତେ ଜଡ଼ିତ ଯେ ବୋଧେ ଜୀବନର ଶେଷ ଯାଏଁ ସେ ସବୁଠାରୁ ମା’ର ହିଁ ନିକଟତର ହୋଇ ରହିଯାଏ । ସେଇଟା ଅଲଗା କଥା, ସାମାଜିକ ବୁଦ୍ଧି ଓ ପାରିପାର୍ଶ୍ଵିକ ସ୍ଥିତି ଅନେକ ସମୟରେ ମା’ଠାରୁ ତାକୁ ଦୂରେଇ ଦିଏ । ଦୈହିକ ଏବଂ କେବେକେବେ ମାନସିକ ସ୍ତରରେ ବି ମଣିଷ ଅଲଗା ହୁଏ ମା’ଠାରୁ, ହେଲେ ଅସ୍ତିତ୍ଵ ! ସେଇଠି, ସେଇମିତି, ସେଇ ମା’ ପାଖରେ ହିଁ ଦଣ୍ଡାୟମାନ । ମା’ ହିଁ ତାର ପ୍ରାଣକେନ୍ଦ୍ର, ଯିଏ ତାକୁ ପ୍ରାଣ ଦେଇ ମଣିଷଟିଏ ଗଢି ତୋଳିଥାଏ ।
ସେ ଯାହାହେଉ, ମା’କୁ ନେଇ ଏତେ ବିଶ୍ଳେଷଣ କରିବାର ଖୋରାକ ଯୋଗାଇଦେଲା ଏଇ ଗପ “ଶୂନ୍ୟ ଆକାଶ” । ମା’ ବିନା ଆକାଶ ଏଇମିତି ଖାଲି ହେଇଯାଏ । ଚମତ୍କାର ଗପର ଅନ୍ତଃସ୍ଵର । ଅନେକ ଅନେକ ସାଧୁବାଦ ଗାଳ୍ପିକଙ୍କୁ । ଶିଶୁ ମନସ୍ତତ୍ଵକୁ ନେଇ ବିଚକ୍ଷଣ ଭାବେ ଅତି ସରଳ ଓ ତରଳ କରି ଗପଟିକୁ ଲେଖିଛନ୍ତି ।