ଇଂ ସଚିଦାନନ୍ଦ ବାରିକ

ଏଠି ଗୁରୁ ତ ସମସ୍ତେ
ତମେ, ମୁଁ
ପଢୁଥିବା ପଢଉଥିବା
ଶିଖୁଥିବା ଶିଖାଉଥିବା
ଏମିତି ଅନେକ …
ସମସ୍ତେ ଜ୍ଞାନର ଅଧିକାରୀ,

ଅଧ୍ୟବସାୟ, ସାଧାନା ଆଉ ପରିବେଶ
ଏସବୁ ଜଣେ ଜଣେ ଉତ୍ତମ ଶିକ୍ଷକ
ସେମାନଙ୍କ ତ୍ୟାଗ ବଳିଦାନକୁ ନେଇ
ଯେତେସବୁ ବେଦ ଉପନିଷଦ, ପୋଥି ପୁରାଣ
ଯାହାଙ୍କ ପାଖରୁ ମଣିଷ ଶିଖେ, ଶିଖାଏ
ଗଢିତୋଳେ ନିଜ ପାଇଁ ନିଜ ଲୋକଙ୍କ ପାଇଁ
ଏକ ସୁନ୍ଦର ଭବିଷ୍ୟତ !

କାହା କଥା ଆରମ୍ଭ କରିବି
ସମସ୍ତେ ଗୋଟିଏ ଗୋଟିଏ ଜ୍ଞାନର ସମୁଦ୍ର
ଅନୁଭୂତିର ଅସରନ୍ତି ଭଣ୍ଡାର

କି ଅବା ଲେଖିବି
ସର୍ବଂସହା ମୋ ମାଆ ବିଷୟରେ
ଯିଏ ମୋତେ ଜନ୍ମ ଦେଇଛି
ପାଳିପୋଷି ମଣିଷ କରିଛି
ଯାହା ହାତ ଧରି ଚାଲିବା ଶିଖିଛି
ଦୁନିଆର ପିଚ୍ଛିଳ ରାସ୍ତାରେ
ଏବେ ବି ତା ହାତ ଧରି ଚାଲିବା ଶିଖୁଛି
ଜୀବନ ଯାହାର ଉତ୍ସର୍ଗୀକୃତ
ସକାଳରୁ ଅଧରାତି ଯାଏ
ନିଜ ଅପେକ୍ଷା ଅନ୍ୟକୁ ବୁଝି ବୁଝାଇ
ସାରିଦେଲା ତାର ଅର୍ଦ୍ଧେକ ଆୟୁଷ

ଆଉ ମୋ ବାପା
ଯିଏ ଥିଲେ ମୋ ପାଇଁ ସାରା ଆକାଶ
ସେ ଆକାଶର ମୁଁ ଥିଲି ଏକ ମୁକ୍ତ ବିହଙ୍ଗ
ମୋ ପାଇଁ ତାଙ୍କ ପକ୍ଷେ ଥିଲା ଅମାପ ସମ୍ପତ୍ତି
ସ୍ନେହଠୁ ଆରମ୍ଭ କରି ଦୁନିଆର ସବୁ ସୁଖ
ସବୁଥିଲା ଅଯାଚିତ
ଯିଏ ଦେଲେ ପରିଚୟ
ଦୁନିଆ ଆଗରେ
ଯିଏ ଚିହ୍ନେଇଲେ ଦୁନିଆକୁ
ମୋ ଚାରିପାଖର ପରିବେଶକୁ
ମୋ ସାନ ଆଖିରେ
ଯିଏ ଭରିଦେଲେ ଦମ୍ଭ
ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି
ନିଜ ପାଇଁ ଏକ ନିଆରା ପରିଚୟ ତିଆରିବାକୁ
ଜୀବନର ପ୍ରତିଟି ପାହାଚରେ

ମୋତେ ବାଟ କଢେଇ ଥିବା
ଜଣେ ଜଣେ ମହାନ ନାୟକ
ଯିଏ ପଢଉଥିଲେ ପାଠ
ଶିଖାଉଥିଲେ ଦୁନିଆରେ ଆଗକୁ ଯିବାର ବାଟ
ସିଏ ଥିଲେ ମୋର ଚିର ନମସ୍ୟ ଶିକ୍ଷକ
ଯେଉଁ ମାନେ ଶିଖାଇଲେ ଜୀବନରେ ଭରିବାକୁ ରଙ୍ଗ
ସେମାନେ ମୋର ଅତି ପ୍ରିୟ ବନ୍ଧୁ, ମୋ ସାଙ୍ଗ

ସମସ୍ତେ ଏକ ନିର୍ଭେଜାଲ ମଣିଷର ପ୍ରତିରୂପ
ଜୀବନକୁ ବୋହି ନେବାରେ ଧୁରନ୍ଧର ପ୍ରବୀଣ
ଏକ’ରୁ ଆରେକ
ଏତେ ସବୁ ପରେବି
ଜୀବନ ଏକ ବିସ୍ତ୍ରୁତ ବିଦ୍ୟାଳୟ
ଆଉ ସମୟ ଏଠି ଜଣେ କଠୋର ଶିକ୍ଷକ
ଯେଉଁଠି ଜୀବନ ସାମ୍ନା କରେ
ସଫଳତା ଓ ବିଫଳତା
ପ୍ରତିକ୍ଷଣ ଏଠି ଜଣେ ଜଣେ ମହାନ ପର୍ଯବେକ୍ଷକ

ଏ ଜୀବନ ଅହରହ ଶିଖାଏ
କହିଦେଇ ଯାଏ
ଏଠି ଗୁରୁ ତ ସମସ୍ତେ
ଫରକ କେବଳ
ସମୟ ଅନୁଯାୟୀ ସମସ୍ତଙ୍କ ଗୁରୁତ୍ଵ
ପ୍ରତିଥର ବଦଳି ଥାଏ ।

ସଚ୍ଚିଦାନନ୍ଦ ବାରିକ, ଗ୍ରାମ/ପୋଷ୍ଟ – ଝୁଁମ୍ପୁଁରା, ଜିଲ୍ଲା – କେନ୍ଦୁଝର – ୭୫୮୦୩୧, ମୋବାଇଲ- ୯୭୭୬୩୫୦୫୮୦
ମେଲ – sachikjr@gmail.com

ଲେଖକ ପରିଚୟ

ଛୋଟବେଳେ ବାପା ଘରକୁ ବିଭିନ୍ନ ଗଳ୍ପ ବହି ଯେପରି କି ଜହ୍ନମାମୁଁ, ମିନାବଜାର, ପ୍ରଜାତନ୍ତ୍ର ସାପ୍ତାହିକୀ ଆଣୁଥିଲେ । ସେ ବହି ସବୁରେ ପ୍ରକାଶିତ ପ୍ରତ୍ୟେକଟି ଗଳ୍ପ କବିତା ଭଲ ଲାଗୁଥିଲା । ୨୦୧୨ ରୁ ମୁଁ ଏ କବିତା ଲେଖା ଆରମ୍ଭ କଲି । କେତେବେଳେ କବିତା ପ୍ରେମରେ ପଡ଼ିଲି ନିଜେ ବି ଜାଣିପାରିନି । ବିଭିନ୍ନ ପତ୍ରପତ୍ରିକା ତଥା ଖବରକାଗଜରେ ମୋର କବିତାମାନ ପ୍ରକାଶିତ ହୋଇଛି । ପେନ୍ ଇନ୍ ଦ୍ୱାରା ପ୍ରକାଶିତ ‘୩୦ ଭିତରେ ୩୦’ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଥିଲି । ମୋ ପ୍ରକାଶିତ କବିତା ପଢି ଅନେକ ପାଠକ ଫୋନ କରି ପରାମର୍ଶମାନ ଦିଅନ୍ତି ଯାହାକୁ ଗ୍ରହଣ କରି ନିଜକୁ ସୁଧାରିବାକୁ ମୁଁ ଚେଷ୍ଟା କରିଚି । ମୋତେ ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳୀ, ସାମ୍ପ୍ରତିକି, ପ୍ରେମ ଓ ପ୍ରତାରଣାକୁ ନେଇ ଲେଖିବାକୁ ଭଲ ଲାଗେ ।

Related Posts

Leave a Reply

Your email address will not be published. Required fields are marked *