ଶରତ କୁମାର ରାଉତ

ରକ୍ତରେ ଜୁଡୁବୁଡୁ ହୋଇ ପଡ଼ିରହିଥିଲା ନକ୍ସଲ୍ କମାଣ୍ଡର୍‌ର ମୃତ ଶରୀର । ତଳିପେଟରେ ଗୁଳିବିଦ୍ଧ ସ୍ଥାନଟି ସ୍ପଷ୍ଟ ଦେଖାଯାଉଥିଲା । କିଛି ଦୂରରେ ୫ ଜଣ ପୁଲିସ୍ କର୍ମଚାରୀ ମଧ୍ୟ ମରି ପଡ଼ିଥିଲେ । ଯେମିତି ସେଠାରେ ଏକ ଛୋଟ ରକ୍ତର ନଦୀ ବହିଯାଇଛି । ପରିବେଶ ଶୂନ୍‌ଶାନ୍‌, ନିସ୍ତବ୍‌ଧ, ବାରୁଦ ଗନ୍ଧ, ବିଧ୍ୱସ୍ତ ଥାନା କୋଠାର ଧ୍ୱଂଶାବଶେଷ ଭିତରେ ନିଆଁ …. ଧୂଆଁ….!

ଚାରିଆଡ଼େ ନକ୍ସଲ୍ ଆତଙ୍କ । ଆଖପାଖ ଗାଁର ଲୋକମାନେ ଘରେ କବାଟ ବନ୍ଦ୍ କରି ଭୟଭୀତ ଅବସ୍ଥାରେ ଅଛନ୍ତି । ତଥାପି ପ୍ରଶାସନ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ କି ଘଟଣା ସ୍ଥଳରେ କେହି ବଡ଼ ଅଫିସର ପହିଞ୍ଚିବାର ନାହିଁ । ନକ୍ସଲ୍‌ପନ୍ଥୀଙ୍କର ଯୋଜନାବନ୍ଧ ଆକ୍ରମଣକୁ ଯଦିଓ ପୋଲିସ କର୍ମୀମାନେ ସାହସର ସହ ସାମ୍‌ନା କରିଥିଲେ, ତଥାପି ଶେଷ ମୁହୁର୍ତ୍ତରେ ହାର ମାନିଥିଲେ । ପାଞ୍ଚ ଜଣ ପୋଲିସ୍ କର୍ମୀ ଘଟଣା ସ୍ଥଳରେ ନିହତ ହୋଇଥିଲେ ଓ ଥାନା କୋଠା ଧ୍ୱଂସ ପାଇଥିଲା । ପୋଲିସ୍ କର୍ମୀଙ୍କ ମୃତ୍ୟୁ ଆଶ୍ଚର୍ଯ୍ୟଜନକ ନଥିଲା । ପନ୍ଦର ବର୍ଷ ତଳୁ ଏହି ଅଂଚଳ ନକ୍ସଲ୍ ଉପଦ୍ରୁତ ଅଂଚଳ ଭାବେ ଚିହ୍ନଟ ହୋଇଥିଲା ଓ ଏହି ଥାନା ନକ୍ସଲ୍‌ପନ୍ଥୀଙ୍କ ହିଟ୍ ଲିଷ୍ଟ୍‌ରେ ରହିଥିଲା । ଏଥିପୂର୍ବରୁ ଏହି ଥାନା ସମେତ ନିକଟବର୍ତ୍ତୀ କେତେକ ଥାନା ଉପରେ ମଧ୍ୟ ଛୋଟବଡ଼ ଆକ୍ରମଣ ହୋଇଥିଲା । ହେଲେ ସରକାରଙ୍କ ପକ୍ଷରୁ କୌଣସି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା । ଅନ୍ୟପକ୍ଷରେ ନକ୍ସଲ୍ ପନ୍ଥୀଙ୍କ ହାତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସ୍ୱତନ୍ତ୍ର କୌଶଳ ରହିଥିବାବେଳେ ଏସବୁ ସରକାରୀ ପୋଲିସ୍ ପାଖରେ ନଥିଲା । ଏପରିକି ଏହି ଥାନା ଉଡ଼େଇ ଦେବା ପାଇଁ ନକ୍ସଲ୍ ପନ୍ଥୀମାନେ ଯେପରି ବାରୁଦ ସୁଡ଼ଙ୍ଗ ତିଆରି କରିଥିଲେ ଓ ନିର୍ଦ୍ଦିଷ୍ଟ ସମୟରେ ଥାନା ଉପରେ ଆକ୍ରମଣ କରି ସରକାରୀ ଅସ୍ତ୍ରଶସ୍ତ୍ର ଲୁଟି ନେଲେ, ସେ ସଂପର୍କରେ ଟିକିଏ ବି ସୂଚନା ସରକାରଙ୍କ ଗୁଇନ୍ଦା ସଂସ୍ଥା ପାଇ ପାରିନଥିଲା । ଆଉ ପୂର୍ବରୁ ପ୍ରସ୍ତୁତଥିବା ନକ୍ସଲ୍ ପନ୍ଥୀ ଓ ଡ୍ୟୁଟୀରେ ଥିବା ଅଳ୍ପ କେତେଜଣ ପୋଲିସ୍ କର୍ମୀଙ୍କ ମଧ୍ୟରେ ଅନେକ ସମୟ ଯାଏ ଗୁଳିଗୁଳା ବିନିମୟ ହୋଇଥିଲା । ଯଦିଓ ନକ୍ସଲ୍‌ମାନେ ବିଜୟୀ ହୋଇଥିଲେ, ତଥାପି ସେମାନଙ୍କର କମାଣ୍ଡର୍‌ର ମୃତ୍ୟୁ ସରକାରଙ୍କ ପାଇଁ ବଡ଼ ସଫଳତା ଥିଲା ।

ଘଟଣାସ୍ଥଳରେ ଆମେ ପହଂଚିବାର ଟିକେ ପୂର୍ବରୁ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ପହଂଚି ତଦନ୍ତ ଆରମ୍ଭ କରିଦେଇଥିଲେ । ଆଖପାଖର କିଛି ଲୋକେ ମଧ୍ୟ ଆସି ପହଂଚିଥିଲେ । ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠା ଯିବାର ବ୍ୟବସ୍ଥା କରା ଯାଉଥିଲା ।

ମାଟିରେ ପଡ଼ିରହିଥିବା କମାଣ୍ଡର୍‌ର ବିଶାଳକାୟ ଶରୀରକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଥିଲି । ଆହାଃ, ଦେଢ଼ ଦଶନ୍ଧି ଧରି ସରକାରୀ କଳରେ ଆତଙ୍କ ସୃଷ୍ଟି କରି ଚାଲିଥିବା ମହାଶକ୍ତିଶାଳୀ ଲୋକଟାର ଇୟେ କି ପରିଣତି । ଆତଙ୍କବାଦ୍‌ର ଶେଷ ପରିଣତି କଣ ଏଇଆ ?

ନକ୍ସଲ୍‌ବାଦ୍‌ର ସୃଷ୍ଟି ସଂପର୍କରେ ଜାଣିବାକୁ ମୋ ଭିତରେ ଅନେକଥର ଆଗ୍ରହ ଜନ୍ମିଛି । ଏଇ ଘଟଣା ମୋ ପାଇଁ ଏକ ପ୍ରକାର ସୁଯୋଗ ସୃଷ୍ଟି କରିଥିଲା ।

ଶୁଣିଲି, ଆମ ଆଗରୁ ଜଣେ ବୃଦ୍ଧା ପହଂଚି ମୃତ ନକ୍ସଲ୍ କମାଣ୍ଡର୍ ତା’ପୁଅ ବୋଲି ଦାବି କରୁଛି ଓ ଶବ ନେଇଯିବାକୁ ଚାହୁଁଛି!…… ପୁଲିସ୍ ତାକୁ ଗିରଫ୍ କରି ପଚରା ଉଚୁରା କରୁଥିଲା ।

ଉପସ୍ଥିତ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଂକ ପାଖକୁ ଆସିଲି । ସେହି ବୃଦ୍ଧା ସହ କିଛି ସମୟ କଥା ହେବାକୁ ତାଙ୍କଠାରୁ ଅନୁମତି ଚାହିଁଲି । ମହାନିର୍ଦ୍ଦେଶକ ମୋର ପରିଚୟ ଜାଣିବା ପରେ ନକ୍ସଲ୍‌ବାଦ୍ ସଂପର୍କରେ ମୁଁ କିଛି ଅନୁସନ୍ଧାନ କରିପାରିବି ବୋଲି ଭରସା କରି ମତେ ଅନୁମତି ଦେଲେ ।

ବୃଦ୍ଧାକୁ ଦେଖି ଆଦୌ ଜାଣି ହେଉନଥିଲା, ସେ ଜଣେ ଭୟାନକ ନକ୍ସଲ୍‌ପନ୍ଥୀର ମା’ ! ସାଧାରଣ ମହିଳା, ଭଦ୍ର କଥାବାର୍ତ୍ତା ।

ମୋର ଅନେକ ପ୍ରଶ୍ନର ଉତ୍ତର ବୃଦ୍ଧା ସ୍ପଷ୍ଟ ଭାବେ ଦେଇଥିଲା । ଉତ୍ତରର ସାରାଂଶ ଥିଲା ଏଇଆ …. ପୂର୍ବରୁ ଆଦିବାସୀ ମାନେ ଏପରି ନଥିଲେ । ସେଦିନର ସରଳ, ନିରୀହ, ନିଷ୍ପାପ ଆଦିବାସୀ ପିଲା ଆଜି ନକ୍ସଲ ସାଜିଛି । ହାତରେ ଆଜି ବନ୍ଧୁକ ଧରିଛି । ସେ ଯେପରି ଏକ ନରହନ୍ତା ରାକ୍ଷସ ପାଲଟିଯାଇଛି । ସମାଜକୁ ଧ୍ୱଂସ କରିବାକୁ ଯେମିତି ପ୍ରତିଜ୍ଞା ନେଇଛି ।

ଆଦିବାସୀମାନେ ଜଳ, ଜଙ୍ଗଲ ଓ ଜମିକୁ ଭଲ ପାଆନ୍ତି । ପରିଶ୍ରମ୍ କରି ଯେଉଁ ଜମି ସେ ଚାଷ କରେ, ତାହା ତାର ବୋଲି ସେ ଜାଣେ । କ୍ରମେ ବାହାର ଲୋକମାନେ ଆଦିବାସୀ ଅଞ୍ଚଳକୁ ଆସିଲେ । ରାଜସ୍ୱ ବିଭାଗ ସହ ସଲାସୁତୁରା କରି ସରକାରୀ ଓ ଆଦିବାସୀ ଜମିକୁ ନିଜ ନାଁରେ କରି ନେଲେ । ଯୁଗ ଯୁଗ ଧରି ଚାଷ କରୁଥିବା ଜମିରୁ ଆଦିବାସୀକୁ ଉଚ୍ଛେଦ କରାଗଲା । ସେ ଏହି ଅନ୍ୟାୟକୁ ନିରବରେ ସହିବାକୁ ଲାଗିଲା । ଜଙ୍ଗଲରୁ ଫଳ, କାଠ, ଦାନ୍ତ କାଠି,ପତ୍ର, କେନ୍ଦୁପତ୍ର, ନଇ, ଝୁଣା, ଶାଳ ମଞ୍ଜି, ମହୁଲ ଆଦି ସଂଗ୍ରହ କରିବା ତାର ନିତି ଦିନିଆ କାମ । ହେଲେ ଜାଳକାଠ ଖଣ୍ଡେ ଆଣିଲେ,ତାକୁ ବାଟରେ ଜଙ୍ଗଲ ରକ୍ଷକ ଅଟକାଇଲା, ତାକୁ ଲାଞ୍ଚ ମାଗିଲା ଆଉ ନଦେଲେ ତାକୁ ମାରଧର୍ କଲା, ତା ନାଁରେ ମାମଲା ରୁଜୁ କଲା । କ଼ିନ୍ତୁ ଆଦିବାସୀ ଅଞ୍ଚଳରେ ରହୁଥିବା ଅଣ-ଆଦିବାସୀ ପର୍ଯ୍ୟାପ୍ତ କାଠ ନେଇ ସହରରେ ସୁରମ୍ୟ ଅଟ୍ଟାଳିକାମାନ ତିଆରି କରନ୍ତି । କୌଶଳ କରି ଟ୍ରକ୍ ଟ୍ରକ୍ କାଠ ବିକି କୋଟି ପତି ହୁଅନ୍ତି ।

ଜଙ୍ଗଲ ରକ୍ଷକ କିନ୍ତୁ ଆଦିବାସୀକୁ ଧରେ, ତାକୁ ଗୋଡ଼େଇ ଗୋଡ଼େଇ ପିଟେ, ଜେଲ୍ ପଠାଏ । ହେଲେ କୌଣସି ଆଦିବାସୀ ଘରେ ଗୋଟିଏ ବି ଖଟ କି ମେଜ ନଥାଏ । ଆଦିବାସୀ ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ମଦ ପିଇବେ ଓ ମଦ ପିଆଇବେ । ଜଙ୍ଗଲରୁ ମିଳୁଥିବା ମହୁଲ ରାନ୍ଧି ମଦ ତିଆରି କରନ୍ତି । ଏହା ସେମାନଙ୍କର ଏକ ସାମାଜିକ ଅଧିକାର ବୋଲି ଆଦିବାସୀ ଜାଣେ । ମାତ୍ର ମଦଭାଟିବାଲାଙ୍କ ଦ୍ୱାରା ପ୍ରରୋଚିତ ହୋଇ ଅବକାରୀ ବାବୁମାନେ ବିଚରା ଆଦିବାସୀ ଗାଁରେ ହାମ୍‌ଲା କରନ୍ତି । ପିଲା ଛୁଆଙ୍କୁ ପିଟନ୍ତି । ହାତ କଡ଼ି ପକାଇ ଜେଲ୍‌କୁ ନିଅନ୍ତି । ବିସ୍ଥାପନ ଆଦିବାସୀଙ୍କ ପାଇଁ କାଳ ହୋଇଛି । ବଡ଼ ବଡ଼ ଡ଼୍ୟାମ୍‌, ଖଣି, କାରଖାନା ଆଦି ପ୍ରକଳ୍ପ ଦ୍ୱାରା ଲକ୍ଷ ଲକ୍ଷ ଆଦିବାସୀ ପରିବାର ଭିଟାମାଟି ହରାଇଛନ୍ତି । ଭିଟାମାଟି ପ୍ରତି ସେମାନଙ୍କର ଆବେଗ ଶାସକମାନେ ବୁଝିପାରନ୍ତିନି । କୌଣସି ପରିସ୍ଥିତିରେ ଆଦିବାସୀ ତାର ଗାଁ ଓ ଭିଟାମାଟି ଛାଡ଼ିବାକୁ ଚାହେଁନା । ସେଥିପାଇଁ ସେ ବନ୍ଧୁକ ମୁନରେ ହତ୍ୟାର ଶିକାର ହୁଏ । ଆଦିବାସୀର ପ୍ରଗତି ନାଁରେ ଯେଉଁ ଧୂଆଁବାଣ ଚାଲିଛି, ତାହା ଏକ ପ୍ରହେଳିକା ମାତ୍ର । ଯୋଜନାର ଭୁଲ୍ ପରିକଳ୍ପନା ଓ ଭୁଲ୍ ପରିଚାଳନା ଯୋଗୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ ଆଦିବାସୀର ଆର୍ଥିକ ସ୍ଥତି ଦିନକୁ ଦିନ ଦୟନୀୟ ହୋଇଚାଲିଛି । ସେହି ଅର୍ଥରେ ଦଳେ ଶୋଷଣକାରୀ ଧନୀ ହେଉଛନ୍ତି । ୬୦ ବର୍ଷ ଧରି ସମସ୍ତେ ଆଦିବାସୀକୁ ଅବହେଳା କଲେ । ତା’ ଇନ୍ଦିରା ଆବାସ, ତା’କଣ୍ଟ୍ରୋଲ୍ ସାମଗ୍ରୀ, ତା’ ଭତ୍ତା ଆଉ କିଏ ନେଇଗଲା । ପକ୍କା ରାସ୍ତା ବି ସେ ଦେଖିଲାନି । ବିଜୁଳି ବତୀ ତା’ ପାଇଁ ସ୍ୱପ୍ନ । ଅଳିଆ-ଆବର୍ଜ୍ଜନାମୟ ପରିବେଶରେ ସେ ଚଳିଲା । ପେଟକୁ ମୁଠାଏ ଦାନା ପାଇଁ ତା’ ପାଇଁ ଯୁଗ ଯୁଗରୁ ଈଶ୍ୱର ଦେଇଥିବା ସବୁ ସୁଯୋଗ ସରକାର ଛଡ଼ାଇ ନେଲା । ତାକୁ ଜାଣିଶୁଣି ସାକ୍ଷର କି ସଚେତନ କରାଗଲାନି । ସେ ଅଭିଯୋଗ କ’ଣ ଜାଣିଲାନି । ଗୁହାରି କଲେ, କେହି ବାବୁ ଶୁଣିଲେଣି । ଗାଁକୁ ସ୍କୁଲ୍ ମାଷ୍ଟର ଗଲାନି । ଗାଁରେ ନଳକୂପ ବସିଲାନି । ମାରାତ୍ମକ ସଂକ୍ରାମକ ରୋଗରେ ସଢିଲା । ଚିକିତ୍ସା ଅଭାବରୁ ତା ହସ ଖୁସିରେ ଚାବି ପଡ଼ିଲା । ବିଚରା ଆଦିବାସୀ ଦିନକୁ ୬/୭ ଟଙ୍କା ମଜୁରିରେ ସାହୁକାର ପାଖରେ କାମ କଲା । ତା’ ସ୍ତ୍ରୀ ପରଘରେ କାମ କରି ମାସକୁ ୨୦/୩୦ ଟଙ୍କା ଦରମା ପାଇଲା । ଲଜ୍ଜା ନିବାରଣ ପାଇଁ କପଡ଼ା ଖଣ୍ଡେ ପାଇଲାନି । ଦିନରେ ଠିକ୍ ଭାବେ ବକ୍ତେ ଖାଇବାକୁ ମିଳିଲାନି । ଅନାହାର, ଅର୍ଦ୍ଧାହାର ଓ ଅଳ୍ପାହାରରେ ବଂଚିଲା । ଆଦିବାସୀ ଅମଳ କରୁଥିବା ମହୁଲ ତେନ୍ତୁଳିକୁ ବେପାରୀମାନେ ଶାଗମାଛ ଦରରେ କିଣିଲେ, ଓଜନରେ ଠକିଲେ । ଆଦିବାସୀଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ ଲ୍ୟାମ୍ପ୍‌ସ, ଆରଏମସି, ଟିଡ଼ିସିସି, ଟିଡ଼ିସିଏସ, ଆଟିଡ଼ିଏ, ଓଏଫ୍‌ଡ଼ିସି ଆଦି ବହୁ ସଂସ୍ଥା ଗଠନ କରାଗଲା । ହେଲେ ତାକୁ ମଧ୍ୟ ଭଦ୍ର ବାବୁମାନେ ଚଳୁ କରିଦେଲେ । ଏହି ସଂସ୍ଥାର ବାବୁମାନେ ଆଦିବାସୀଙ୍କ ନାଁରେ ସବୁ ଆତ୍ମସାତ୍ କଲେ । ଉପରେ ସଲାସୁତୁରା ରହିଲା । ଆଦିବାସୀ ସ୍ୱାର୍ଥ ଭାଗବଣ୍ଟା ହେଲା ।

ଆଦିବାସୀ ଅଂଚଳରେ କାର୍ଯ୍ୟକାରୀ ବିଭିନ୍ନ ଆଦିବାସୀ ଉନ୍ନୟନ ଯୋଜନାରେ ହରିଲୁଟ୍ ହେଉଛି । ବ୍ଲକ୍‌ମାନଙ୍କୁ ଆସୁଥିବା ବିଭିନ୍ନ ଯୋଜନା ଖାତାପତ୍ରରେ କାର୍ଯ୍ୟକାରୀ ହୋଇ ସବୁ ଅର୍ଥ ବାଟ ମାରଣା କରାଯାଉଛି । ରାସ୍ତାଘାଟ, କେନାଲ୍‌, ପୋଖରୀ, ଗୃହ, ସେତୁ ଆଦି ନିର୍ମାଣ ଆଳରେ ମିଥ୍ୟା ବିଲ୍ କରାଯାଇ ଲକ୍ଷଲକ୍ଷ ଟଙ୍କା ହଡପ୍ କରାଯାଉଛି । ଗ୍ରାମ ପଞ୍ଚାୟତର ଉନ୍ନତି ପାଇଁ ଆସୁଥିôବା ଲକ୍ଷଲକ୍ଷ ଟଙ୍କାର ଅନୁଦାନ ବିନା କୌଣସି କାର୍ଯ୍ୟରେ ଲୋକ ପ୍ରତିନିଧି ଓ ଅଫିସରମାନଙ୍କ ଦ୍ୱାରା ଲୁଟ୍ ଚାଲିଛି । ଆଦିବାସୀଙ୍କୁ ଯୋଗାଇ ଦିଆଯାଉଥିବା ସରକାରୀ ଗୃହକୁ ନେଇ ସରପଞ୍ଚ, ସମିତିସଭ୍ୟା, ୱାର୍ଡମେମ୍ବର ଓ ବିଡ଼ିଓ ବ୍ୟବସାୟରେ ଲିପ୍ତ ରହୁଛନ୍ତି! ରାଜସ୍ୱ କର୍ମୀମାନେ ଆଦିବାସୀ ମାନଙ୍କୁ ଭୟଭୀତ କରାଇ ଅବୈଧ ଉପାୟରେ ଅର୍ଥ ରୋଜଗାର କରୁଛନ୍ତି ! ପୋଲିସ୍ ଥାନାମାନଙ୍କରେ ଆଦିବାସୀମାନଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ଶୋଷଣ କରାଯାଉଛି । ଆଦିବାସୀ ଅଂଚଳରେ କ୍ରମେ ହତ୍ୟା, ଧର୍ଷଣ, ନିର୍ଯ୍ୟାତନା, ଶୋଷଣ, ଅପହରଣ, ଡ଼କାୟତୀ, ଦଙ୍ଗା ଆଦି ଅସାମାଜିକ କାର୍ଯ୍ୟ ବଢ଼ିଚାଲିଛି । ହେଲେ ପୋଲିସ୍ ରେକର୍ଡ଼ ଖାଲି ଓ ଅପରାଧୀମାନେ ସୁରକ୍ଷା ବଳୟ ଭିତରେ ରହୁଛନ୍ତି । ବେଳେବେଳେ ନିର୍ଦ୍ଦୋଷ ଆଦିବାସୀକୁ ପୋଲିସ ମିଥ୍ୟା କେସ୍‌ରେ ଗିରଫ୍ କରି ନାନା ନିର୍ଯ୍ୟାତନା ଦେଉଛି । ଅନାହାର ମୃତ୍ୟୁର ତାଣ୍ଡବ ନିତି ଦିନିଆ ଘଟଣାରେ ପରିଣତ ହୋଇଛି । କ୍ରମେ ଅଦିବାସୀ ସମାଜରେ ଦାରୀଦ୍ର‌୍ୟ ଓ ଅଶିକ୍ଷା ବଢ଼ୁଛି । ସେତେବେଳେ କମଲୁ ପଢ଼ୁଥିଲା ନବମରେ । ତା’ ବାପା ଗୁନେର ଗଣ୍ଡ ପଞ୍ଚାୟତ ନାଏବ ସରପଞ୍ଚ । ପଞ୍ଚାୟତ ଅନୁଦାନ ଅର୍ଥ ବାଟମାରଣା ଓ ଜନସ୍ୱାର୍ଥ ଅପହରଣ ମାମଲାରେ ସେ ନିୟମିତ ବିରୋଧ କରୁଥିଲେ ସରପଞ୍ଚ ଓ ସମିତି ସଭ୍ୟାଙ୍କୁ । ଜଣେ ଭୁମିହୀନ ବ୍ୟକ୍ତି ମାନିକ୍ ଭତ୍ରା । ଆଦିବାସୀ ଗୃହ ଯୋଗାଣ ଯୋଜନାରେ ତା’ ନାଁରେ ସୁପାରିଶ ହୋଇ ଆସିଥିଲା ଗୋଟିଏ ଘର । ଘର ତିଆରି ଦାୟିତ୍ୱ ତା’ଉପରେ ଥିଲା । ତା ହାତରେ ଟଙ୍କାଟିଏ ବି ନଥିଲା । ଦୁଇଦିନ ପରେ ସରପଞ୍ଚ ଓ ସଭ୍ୟା ତା’ ଘରେ ପହଂଚି ସେମାନେ ଘର ତିଆରି ଦାୟିତ୍ୱ ନେବାକୁ କହି ମାନିକ୍ ୧୦ ହଜାର ଟଙ୍କା ନେଇଛି ବୋଲି କାଗଜରେ ଦସ୍ତଖତ କରାଇ ନେଲେ । କୋଡ଼ିଏ ଦିନ ବିତି ଯିବାପରେ ମଧ୍ୟ ସେମାନେ ନିଜେ ଘର ତିଆରି କାର୍ଯ୍ୟ ଆରମ୍ଭ କଲେ ନାହିଁ କି ମାନିକ୍‌କୁ ଟଙ୍କା ଦେଲେ ନାହିଁ । ସେ ସରପଞ୍ଚ ଓ ସଭ୍ୟାଙ୍କୁ ଭେଟିବାରୁ ଦୁଇଦିନ ପରେ କାମ ଆରମ୍ଭ ହେବ ବୋଲି ସେମାନେ ତାକୁ ବୁଝେଇଥିଲେ ଓ ନିର୍ଦ୍ଧାରିତ ଅଟ୍ଟକଳର ବାକି ୧୦ ହଜାର ଟଙ୍କା ମାନିକ୍ ପାଇଲା ବୋଲି ସେମାନେ ତା’ ଠାରୁ ଦସ୍ତଖତ କରାଇନେଇଥିଲେ । ହେଲେ ଦୁଇମାସ ବିତି ଯାଇଥିଲେ ହେଁ ଘର କାମ ଆରମ୍ଭ ହୋଇନଥିଲା । ଗୁନେର ଘଟଣା ସଂପର୍କରେ ଅଭିଯୋଗ ପାଇବା ପରେ ସରପଞ୍ଚ ଓ ସଭ୍ୟାଙ୍କୁ ରୋକ୍‌ଠୋକ୍ କହିଥିଲା ଯେ, ୨୪ ଘଣ୍ଟା ମଧ୍ୟରେ ଏହାର କିଛି ସମାଧାନ ନକରାଇଲେ, ସେ ସିଧା ଜିଲ୍ଲାପାଳ ଓ ଉପର ହାକିମମାନଙ୍କୁ ଲେଖି ଜଣେଇବ । ମାତ୍ର ସେଦିନ ସଂଧ୍ୟା ସୁଦ୍ଧା ପୋଲିସ୍ ଆସି ତାକୁ ଗିରଫ୍ କରିଥିଲା । ଥାନାରେ ସେ ଜାଣିବାକୁ ପାଇଥିଲା, ସେ କୁଆଡ଼େ ସଭ୍ୟାଙ୍କୁ ବଳାତ୍କାର ଉଦ୍ୟମ କରିଥିଲା! ଏହି ଅଭିଯୋଗରେ ପୋଲିସ୍ କର୍ମୀମାନେ ତାକୁ ନାନାଦି ଯନ୍ତ୍ରଣା ଦେଇଥିଲେ । ଗରମ ଲୁହାରଡ଼କୁ ଥାନାବାବୁ ତା’ ପିଚାରେ ଗେଞ୍ଜି ଥିଲେ । ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା ବୋଲି ଗୁନେର ଯେତେ କହିଥିଲେ ବି ଥାନାବାବୁ କିଛି ଶୁଣିନଥିଲେ କି ଏସଂପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିନଥିଲେ । ଚାରିଦିନ ପରେ କମ୍‌ଲୁ, ତା’ ମା’ ଓ ମାନିକ୍ ଥାନାରେ ପହଂଚି ଥାନ ବାବୁଙ୍କ ଗୋଡ଼ ଧରି ନେହୁରା ହୋଇଥିଲେ । ଅନେକ ସମୟ ପରେ ଜାମିନ୍‌ରେ ଗୁନେରକୁ ଛଡ଼ା ଯାଇଥିଲା । କିନ୍ତୁ ଏହି ମିଥ୍ୟା କେଶ୍ ଗୁନେରକୁ ଲଜ୍ଜା ଓ ଅପମାନରେ ଜାଳି ଦେଇଥିଲା! ଯେମିତି ସେ ଏକ ଜୀବନ୍ତ ଶବ ପାଲଟି ଯାଇଥିଲା ! ଆଉ ସେହି ରାତିରେ ହିଁ ଏକ ଲମ୍ବା ଚିଠି ଲେଖି ସେ ଆତ୍ମହତ୍ୟା କରି ବସିଥିଲା ! ଏ ଘଟଣା ଗଭୀର ଭାବେ ଆଘାତ ଦେଇଥିଲା କମଲୁ ମନରେ । ଏଇ ବୟସରେ ବି ଥାନା, ପୋଲିସ୍‌, ନେତାମାନଙ୍କ ପ୍ରତି କମ୍‌ଲୁ ହିଂସ୍ର ହୋଇ ଉଠିଥିଲା । ତା’ ଭିତରେ ଏଇ ଭାବ କ୍ରମେ ଉଗ୍ରରୂପ ଧାରଣ କରିଥିଲା । ସେ ବି.ଏ. ପାସ୍ କରିବା ପରେ ସମୟ, ପରିସ୍ଥିତି ଓ ଅତୀତର ସେହି ସ୍ମୃତି ତାକୁ ନେଇ ଆସିଥିଲା ଅସାମାଜିକ ସ୍ଥଳକୁ ! ସେ ବୁଝିଥିଲା, ସତ୍ୟ, ଧର୍ମ ଓ ଭଦ୍ରତାର କୌଣସି ମୂଲ୍ୟ ନାହିଁ ଆଜିର ସମାଜରେ ! ଜନସ୍ୱାର୍ଥ ଅପହରଣକାରୀ ମାନଙ୍କ ବିରୁଦ୍ଧରେ ସେ ଯୁବଗୋଷ୍ଠୀକୁ ମତେଇଥିଲା ଓ କ୍ରମେ ବହୁ ଶିକ୍ଷିତ ଯୁବକଙ୍କ ଧାଡ଼ି ଲମ୍ବିଥିଲା ତା’ ବଳୟ ଭିତରକୁ । ଏତିକି ବେଳେ ନକ୍ସଲ୍‌ବାଦ୍ ଅଗ୍ରସର ହେଉଥିଲା ଏଇ ଆଦିବାସୀ ଅଂଚଳକୁ । ମା’ର ହଜାର ବାରଣ ସତ୍ତ୍ୱେ ସେ ନିଜ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ପାଇଁ ନକ୍ସଲ୍ ସଂଗଠନର ନେତୃତ୍ୱ ନେଇଥିଲା । ଆଉ ଆଜି ଏହି ପରିଣତି !

କ’ଣ ପାଇଁ ନ୍‌କ୍ସଲବାଦ୍‌ର କାରଣ ଖୋଜିବାରେ ସରକାର ବିଫଳ ହୋଇଛି, ତାହା ଅନୁଭବ କଲି । କେଉଁ ପରିସ୍ଥିତିରେ ଏହି ସଂଗଠନ ସୃଷ୍ଟି ହେଲା, ପୋଲିସ୍ କର୍ମୀ- ଥାନାଗୃହ, ଲୋକପ୍ରତିନିଧି, ଉଚ୍ଚ ପଦାଧିକାରୀ ମାନେ ସେମାନଙ୍କ ହିଟ୍‌ଲିଷ୍ଟରେ ରହିବାର କାରଣ କଣ ହୋଇପାରେ (?)…. ଏମିତି ଅନେକ ପ୍ରଶ୍ନ ମୋ ମନରେ ତରଙ୍ଗାୟିତ ହେଲା । ତେବେ ଜାତୀୟ ପ୍ରେମରେ ମସ୍‌ଗୁଲ୍ ଶିକ୍ଷିତ ବେକାରଙ୍କ ଦ୍ୱାରା ସୃଷ୍ଟି ଏହି ସଂଗଠନର କାର୍ଯ୍ୟ ଆଉ ବନ୍ଦ ହେବାର ସମ୍ଭାବନା ନାହିଁ ବୋଲି ମୁଁ ମନେ ମନେ ନିଶ୍ଚିତ ହୋଇଗଲି । ସରକାରୀ ଯୋଜନାର ବିଫଳତା ଓ ଆଦିବାସୀ ସ୍ୱାର୍ଥ ଲୁଟ୍ ହିଁ ଶିକ୍ଷିତ ବେକାର ମାନଂକୁ ନକ୍ସଲପନ୍ଥୀ ସାଜିବାକୁ ବାଧ୍ୟ କରିଛି ବୋଲି ମୋର ମନେ ହେଲା! ସରକାରୀ ଅଫିସର ଓ ନେତାଙ୍କ ଦୁର୍ନୀତି ତଥା ପ୍ରଶାସନିକ ତୃଟି ନିୟନ୍ତ୍ରଣ କରିବାରେ ସରକାର ବିଫଳ ହେଉଥିବା ବେଳେ ଦୁର୍ନୀତି ଅଭିଯୋଗକୁ ଚାପି ଦିଆଯଉଥିବାରୁ ଏହାର ସୁବିଚାର ପାଇଁ ନକ୍ସଲବାଦ୍‌ର ଜନ୍ମ ବୋଲି ଭାବିଲି । ପୁଣି ନିଜ ଧନ-ଜୀବନକୁ ସୁରକ୍ଷିତ ମନେ କରିପାରୁ ନଥିବା ଆଦିବାସୀ ମଣିଷମାନେ ନକ୍‌ସଲ୍‌ପନ୍ଥୀ ମାନଙ୍କୁ ନିଜର ରକ୍ଷାବାର୍ତ୍ତା ଭାବି ସେମାନଂକୁ ଅକୁଣ୍ଠିତ ସମର୍ଥନ ପ୍ରଦାନ କରୁଥିବା ବିଷୟ ମତେ ବିସ୍ମିତ କଲା । ଏହା ଏକ ସମ୍ବେଦନଶୀଳ ଘଟଣା ନୁହେଁ କି?…..

ଆଦିବାସୀ ଆଜି ସେହି ପ୍ରଶ୍ନର ଉତ୍ତର ଚାହୁଁଛି । ଜଳ, ଜଙ୍ଗଲ ଓ ଜମି ତା’ର ପ୍ରାକୃତିକ ଅଧିକାର । ସେ ଅଧିକାରରୁ ତାକୁ କାହିଁକି ବଂଚିତ କରାଯିବ?…ତା’ ପାଇଁ ଆସୁଥିବା ଲକ୍ଷ ଲକ୍ଷ କୋଟି ଟଙ୍କା କୁଆଡ଼େ ଗଲା ? ଆଦିବାସୀଙ୍କ ପାଇଁ କୂମ୍ଭୀର କାନ୍ଦଣା କାନ୍ଦୁଥିବା ନେତାଙ୍କ ଲୁହରେ ଆନ୍ତରିକତା କେତେ ଅଛି ? ସବୁଥିରୁ ବଂଚିତ ହୋଇ ସେ ଆଜି ନକ୍ସଲ ସାଜିଛି । ଯେଉଁ ସମାଜରୁ ଜନ୍ମ, ସେହି ସମାଜ ବକ୍ଷରେ ଛୁରିକାଘାତ କରୁଛି ।

ମୁଁ ବୃଦ୍ଧାକୁ ଆଶ୍ୱାସନା ଦେଲି । ତଥାପି ସେ କାନ୍ଦୁଥିଲା, ପୋଲିସ୍‌କର୍ମୀ ମାନେ ତାକୁ ଟାଣିଟାଣି ନେଇ ଭ୍ୟାନ୍‌ରେ ବସେଇ ଦେଲେ ।

ମୁଁ ଭାବୁଥିଲି, ଏହି ମହାଭାରତ ଶେଷ ହେବାର ନାହିଁ ! ଯେପର୍ଯ୍ୟନ୍ତ ସମାଜରୁ ଦୁର୍ନୀତି, ଭ୍ରଷ୍ଟାଚାର ଲୋପ୍ ନପାଇଛି, ସେ ପର୍ଯ୍ୟନ୍ତ ନକ୍ସଲ୍‌ବାଦ୍ ତାର କାୟା ବିସ୍ତାର କରିଚାଲିଥିବ !

କୋରିଆପଲ୍ଲା, ଓଉପଦ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମୋ- ୯୩୩୭୩୬୯୪୪୮

ଲେଖକ ପରିଚୟ

ପେଶାରେ ଜଣେ ସାମ୍ବାଦିକ , କିନ୍ତୁ ବିଭିନ୍ନ ଖବରକାଗଜ ତଥା ପତ୍ରିକାରେ ନାନା କାହାଣୀ, କବିତା ଏବଂ ଅନୁବାଦ କରିବାରେ ଜଣେ ଲୋକପ୍ରିୟ ତଥା ନିୟମିତ ଲେଖକ । ଅନୁବାଦିତ କାହାଣୀ ସହିତ ଗୋଟିଏ ପୁସ୍ତକ ପ୍ରକାଶ ହୋଇଛି ।

Related Posts

Leave a Reply

Your email address will not be published. Required fields are marked *